ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଅପ୍‌ଡେଟ୍‌ ହେଉନି ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌, ଇ-ଡେସପାଚ୍‌ରେ ମିଳୁନି ବିଭାଗୀୟ ସୂଚନା

Published By : Prameya | March 5, 2025 8:56 AM

ଭୁବନେଶ୍ୱର, ୦୫/୦୩ : ରାଜ୍ୟ ସରକାରଙ୍କ ‘ସୂଚନା ୱେବ୍‌ସାଇଟ୍‌’ରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ, ଯୋଜନା, ସମୀକ୍ଷା ଓ ସୂଚନା ଆଦି ରହିଥାଏ । ସାଧାରଣ ଜନତା ୱେବ୍‌ସାଇଟ୍‌ରୁ ହିଁ ସମସ୍ତ ଭରସାଯୋଗ୍ୟ ସୂଚନା ପାଇପାରନ୍ତି । ଗୋଟିଏ ପଟେ ଦେଶ ଡିଜିଟାଲ ଇଣ୍ଡିଆ ଆଡ଼କୁ ଦୌଡ଼ୁଛି । ହେଲେ ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌ ୧୦ ବର୍ଷ ପଛରେ ପଡ଼ିଛି । ୨୦୧୭ରେ କିଛି ୱେବ୍‌ସାଇଟ୍‌ ଯାହା ଅପ୍‌ଡେଟ୍‌ ହୋଇଥିଲା ତାହା ବର୍ତ୍ତମାନ ଚାଲିଛି । 

ଏହା ଭିତରେ ନୂଆ ସରକାର ଆସିବାର ୮ ମାସ ହୋଇଗଲାଣି । ୱେବ୍‌ସାଇଟ୍‌ ମୁଖଶାଳାରେ କେବଳ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଫଟୋ ବଦଳିବା ଛଡ଼ା ଧାଡ଼ିଟିଏ ସୂଚନା ବଦଳି ନାହିଁ । ଆଶା କରାଯାଉଥିଲା ପୁରୁଣା ସରକାରଙ୍କ ଡିଜିଟାଲ ଧିମା ଗତିକୁ ନୂଆ ସରକାର ଦୌଡ଼ାଇବେ । ଓଲଟା ଅଟକି ଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ୱେବ୍‌ସାଇଟ୍‌ ଦେଖିବାକୁ ଚକାଚକ୍‌ । ହେଲେ ଭିତର ପୂରା ଫମ୍ପା । ସବୁ ତଥ୍ୟ ପୁରୁଣା ରହିଛି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସୂଚନା ଅଧିକାରରୁ ବଞ୍ଚିତ କରି ଅନ୍ଧାରରେ ରଖିଛନ୍ତି । ରାଜ୍ୟ ସରକାରଙ୍କ ପୋର୍ଟାଲର ଇ-ଡେସ୍‌ପାଚ୍‌ରେ ଚିଠି ଅପଲୋଡ୍‌ କରିବାକୁ ବିଭାଗୀୟ ଅଧିକାରୀ କୁନ୍ଥକୁନ୍ଥ ହେଉଛନ୍ତି । ବର୍ଷେ କି ୨ବର୍ଷ ନୁହେଁ, ବର୍ଷ ବର୍ଷ ହେବ ଗୋଟିଏ ହେଲେ ସରକାରୀ ଚିଠି ଅପଲୋଡ୍‌ ହୋଇନଥିବା ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି । 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ ସବୁଠାରୁ ଦୟନୀୟ ଅବସ୍ଥାରେ ରହିଛି । ସେଥିରେ ୨୦୦୭-୮ ବର୍ଷରୁ ବାର୍ଷିକ ରିପୋର୍ଟ ଅପଲୋଡ୍‌ କରାଯାଇନି । ୨୦୧୫- ୧୬ ଆର୍ଥିକ ବର୍ଷର ବଜେଟ୍‌ ଛାଡ଼ିଦେଲେ ଆଜି ପର୍ଯ୍ୟନ୍ତ ବଜେଟ୍‌ ସମ୍ବନ୍ଧୀୟ ତଥ୍ୟ ଅପ୍‌ଲୋଡ୍‌ ହୋଇନି । ୨୪ ଫେବ୍ରୁଆରୀ ୨୦୨୪ରେ ଶେଷ ଆଦେଶନାମା ଅପ୍‌ଲୋଡ ହୋଇଛି । ଅନେକ ଅଧିକାରୀ ଅବସର ନେଲେଣି ଏବଂ ଆଉ କିଛି ଅଧିକାରୀ ଅନ୍ୟ ପଦବିରେ ଅଛନ୍ତି । ହେଲେ ସେମାନଙ୍କ ନାମ ଆଜି ବି ବିଭିନ୍ନ ସ୍ତମ୍ଭରେ ରହିଛି । ସେହିପରି ସଂସ୍କୃତି ବିଭାଗ ୱେବ୍‌ସାଇଟ୍‌ ଖୋଲିଲେ ଲେଖୁଛି ‘ଦିସ୍‌ ପେଜ୍‌ ଇଜ୍‌ ନଟ୍‌ ୱାର୍କିଂ’ । ଶିଶୁ ଓ ମହିଳା ବିକାଶ ବିଭାଗରେ ସମଦଶା । ବିଭାଗୀୟ ବାର୍ଷିକ ରିପୋର୍ଟ ନଥିବା ବେଳେ ୨୦୧୭-୧୮ ଆର୍ଥିକ ବଜେଟ୍‌ ଅପ୍‌ଲୋଡ୍‌ ହୋଇଛି । ୨ ଅଗଷ୍ଟ ୨୦୨୪ରେ ଶେଷ ବିଜ୍ଞପ୍ତି ଅପ୍‌ଲୋଡ୍‌ କରାଯାଇଛି । 

ସେହିପରି ଶକ୍ତି ବିଭାଗ ୱେବ୍‌ସାଇଟ୍‌ରେ ଯୋଜନା ବାବଦ ସ୍ତମ୍ଭରେ ସୂଚନା ସମ୍ବନ୍ଧୀୟ ତଥ୍ୟ ୨୦ ଜାନୁଆରୀ ୨୦୨୪ରେ ଅପ୍‌ଲୋଡ୍‌ ହୋଇଥିଲା । ତା’ପର ଠାରୁ କିଛି ସୂଚନା ଦିଆଯାଇନି । ଏହାଛଡ଼ା ବିଭାଗର ପୋର୍ଟାଲ ଇ-ଡେସପାଚ୍‌ରେ ବି ସେହି ସମାନ ଦଶା । ଉଦ୍ଦେଶ୍ୟମୂଳକ ଭାବେ ଚିଠି ଅପଲୋଡ୍‌ କରିନି ବିଭାଗ । ଶିକ୍ଷା ବିଭାଗ ୱେବ୍‌ସାଇଟ୍‌ରେ ଶେଷ ବିଜ୍ଞପ୍ତି ୧୦ ଜାନୁଆରୀ ୨୦୨୩ରେ ଅପ୍‌ଲୋଡ୍‌ ହୋଇଛି । ଅଫିସ୍‌ ଆଦେଶ ୩୦ ଜୁନ୍‌ ୨୦୨୨ ଓ ଆକ୍ଟିଭିଟି ରିପୋର୍ଟ ୨୦୧୯-୨୦ରେ ଅପ୍‌ଲୋଡ୍‌ ହୋଇଛି । 

ଏହି ଖବରଟିକୁ ପଢନ୍ତୁ-ଦୁଇ ଦିନ ବଢ଼ିବ ତାତି, ବହିବ ଗରମ ପଶ୍ଚିମା ପବନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.