- ୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ମିଳିବ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି
- ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲରେ ମିଳିବ ସଠିକ୍ ସୂଚନା
- ପର୍ଯ୍ୟାପ୍ତ 'ନାନୋ ୟୁରିଆ' ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୨୨ ।୬ : ଚଳିତ ବର୍ଷ 'ଏଲ୍ ନିନୋ' ପ୍ରଭାବ ଯୋଗୁଁ କମ୍ ବୃଷ୍ଟିପାତ ହେବାର ଆଶଙ୍କା ରହିଛି। ଖରିଫ ଫସଲ ଯେପରି ପ୍ରଭାବିତ ନହେବ, ସେଥିପାଇଁ କୃଷି, ଜଳସେଚନ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗକୁ ସ୍ୱତନ୍ତ୍ର କଣ୍ଟିଜେନ୍ସି ଯୋଜନା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍-ପ୍ରସ୍ତୁତି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬’ (SLNCC) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ସମ୍ପୂର୍ଣ୍ଣ 'ଫୁଲ୍ ପ୍ରୁଫ୍' ବ୍ୟବସ୍ଥା ବିକଶିତ କରିଛି। ଏହି ଫୁଲ୍ ପ୍ରୁଫ୍ ବ୍ୟବସ୍ଥାକୁ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏକ ରାଜ୍ୟସ୍ତରୀୟ ମନିଟରିଂ ମେକାନିଜିମ୍ ଜରିଆରେ ବୃଷ୍ଟିପାତ, ଜଳସ୍ତର, କ୍ରପ-ପ୍ଲାନିଙ୍ଗ୍ ଏବଂ ସାର ଓ ବିହନ ଯୋଗାଣର ନିୟମିତ ତଦାରଖ କରାଯାଉଛି। ଚଳିତ ବର୍ଷ ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିବେଶ ଯୋଗୁଁ ବିଶ୍ୱବ୍ୟାପୀ ସାର ସଙ୍କଟ ଦେଖାଦେଇପାରେ, ତେଣୁ ୟୁରିଆ ଓ କମ୍ପ୍ଲେକ୍ସ ସାର ଯୋଗାଣ ଉପରେ ତୀକ୍ଷଣ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ପର୍ଯ୍ୟାପ୍ତ 'ନାନୋ ୟୁରିଆ' ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବିଶେଷ କରି ସାରର କଳାବଜାରୀ ରୋକିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ 'ନିରକ୍ଷଣ ସମିତି' ଗଠନ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ଏହି ସଫଳ 'ଜିରୋ କାଜୁଆଲ୍ଟି' (ଶୂନ୍ୟ ମୃତ୍ୟୁହାର) ନୀତି ଆଜି ବିଶ୍ୱବ୍ୟାପୀ ଆଦୃତ ହୋଇଛି। ନିକଟରେ ପୁରୀଠାରେ ଅନୁଷ୍ଠିତ ବ୍ରିକ୍ସ (BRICS) ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଷୟିକ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ରାଜ୍ୟର ଏହି ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରଶମନ ଓ ନିରାକରଣ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଚାଷୀ ଭାଇମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ । ଚାଷୀମାନଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର 'ଅଦିନିଆ ବର୍ଷା'କୁ ଏକ 'ରାଜ୍ୟ-ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ' ଭାବେ ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଭିତ୍ତିଭୂମି ପ୍ରସ୍ତୁତି କ୍ରମରେ ରାଜ୍ୟରେ ଥିବା ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆଶ୍ରୟସ୍ଥଳୀ ପିଛା ୬ ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଯେଉଁଠାରେ ପାନୀୟ ଜଳ, ଆଲୋକ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା ପ୍ରାକ୍-ପ୍ରସ୍ତୁତି ସମୟରେ ହିଁ ସୁନିଶ୍ଚିତ କରାଯିବ। ଜାତୀୟ ସ୍ତରର କମନ ଆଲର୍ଟିଂ ପ୍ରୋଟୋକଲ (CAP) ମାଧ୍ୟମରେ SMS ପ୍ରେରଣ ବ୍ୟବସ୍ଥା, ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ୧୧୨ ହେଲ୍ପଲାଇନ ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ବିପର୍ଯ୍ୟୟ ସମୟରେ ଗୁଜବ ରୋକିବା ପାଇଁ ଟେଲିଭିଜନ ସହିତ ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲ୍ରେ ଲୋକଙ୍କୁ ସଠିକ୍ ଓ ନିର୍ଭୁଲ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ବିଶେଷ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନର ୨୦ଟି ଓଡ୍ରାଫ୍ (ODRAF) ଟିମ୍ ଏବଂ ୩୪୭ଟି ଅଗ୍ନିଶମ କେନ୍ଦ୍ର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ଥିବାବେଳେ, ରାଜ୍ୟରେ ଆଉ ୧୦ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି।
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ସରକାର ଓ ଜନସାଧାରଣଙ୍କ ମିଳିତ ପ୍ରୟାସ ଏକାନ୍ତ ଆବଶ୍ୟକ ଏବଂ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ଓଡ଼ିଶା କିଭଳି ବିଗତ ଦିନରେ ପ୍ରାକୃତିକ ସଂକଟଗୁଡ଼ିକର ସଫଳତାର ସହ ମୁକାବିଲା କରି ସାରା ବିଶ୍ୱରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି। ବିଶେଷ କରି ସରକାରଙ୍କ ସୁଚିନ୍ତିତ ପ୍ରାକ୍-ପ୍ରସ୍ତୁତି ଏବଂ ସମୟୋଚିତ ଉଦ୍ଧାର କାର୍ଯ୍ୟ ଯୋଗୁଁ ରାଜ୍ୟ 'ଜିରୋ କାଜୁଆଲ୍ଟି' ବା ଶୂନ୍ୟ ମୃତ୍ୟୁହାର ନୀତିକୁ ସଫଳତାର ସହ ପାଳନ କରିବାରେ ସମର୍ଥ ହୋଇଛି। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ଆର୍ଥିକ ଅନୁଦାନ ଓ ଭିତ୍ତିଭୂମିର ସମୀକ୍ଷା କରିବା ସହ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ର ସଠିକ୍ ବିନିଯୋଗ ଉପରେ ଶ୍ରୀ ପୂଜାରୀ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ ବିଗତ ବନ୍ୟା ଓ ବାତ୍ୟା ସମୟରେ ଉତ୍ତର ଓଡ଼ିଶା ଏବଂ ଆକସ୍ମିକ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ କୋଟି କୋଟି ଟଙ୍କାର ତୁରନ୍ତ ରିଲିଫ୍ ଓ ସାଧାରଣ ସମ୍ପତ୍ତିର ସାମୟିକ ମରାମତି ସହାୟତା ଯୋଗାଇ ଦିଆଯାଇଛି ବୋଲି କହିଥିଲେ । ବୈଠକରେ ଉପସ୍ଥିତ ବିଧାୟକ ଏବଂ ସାଂସଦ ନିଜ ନିଜ ନିର୍ବାଚନ ମଣ୍ଡଳୀର ବାସ୍ତବ କ୍ଷେତ୍ରସ୍ତରୀୟ ସ୍ଥିତିକୁ ଆଧାର କରି ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଉପସ୍ଥାପନ କରିଥିଲେ।
ଆହୁରି ପଢନ୍ତୁ : ଭାରତ ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର , ଓଡିଶାର ୧୦ ବିଦ୍ୟାଳୟ ମନୋନୀତ