କଟକ, ୦୩/୦୭ : ସ୍ୱପ୍ନ ଭାଙ୍ଗି ଗଲେ ଅନେକ ଆଗକୁ ବଢ଼ି ପାରନ୍ତି ନାହିଁ । କିନ୍ତୁ ସେଥିରୁ କିଛି ଏମିତି ଥାଆନ୍ତି ଯିଏ ପଡ଼ି ଉଠି ଛିଡ଼ା ହୁଅନ୍ତି । ଅନ୍ୟଙ୍କୁ ସ୍ୱପ୍ନ ଦେଖାନ୍ତି ଏବଂ ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ସାହସ ଯୋଗାନ୍ତି । ଏମିତି ଜଣେ ନିଆରା ବ୍ୟକ୍ତିତ୍ୱ ହେଲେ ସ୍ୱପ୍ନେଶ୍ୱର ଦାସ ।
ଏକଦା ଜଣେ ପ୍ରତିଭାବାନ୍ ଆଥ୍ଲେଟ୍ ଭାବେ ମେରୁଦଣ୍ଡ ସଳଖୁଥିବା ବେଳେ ହଠାତ୍ ଦିନେ ଛାତରୁ ଖସି ପଡ଼ିଲେ । ମେରୁଦଣ୍ଡ ଭାଙ୍ଗିଯିବାରୁ ମଉଳି ପଡ଼ିଲା ସ୍ୱପ୍ନେଶ୍ୱରଙ୍କ ସବୁ ସ୍ୱପ୍ନ । ପରିସ୍ଥିତି ବାଧ୍ୟ କଲା ଆଥ୍ଲେଟିକ୍ସ ଟ୍ରାକ୍ରୁ ବିଦାୟ ନେବାର । କିଛି ଉପାୟ ନପାଇ ମାଛ ବିକ୍ରି କରି ପେଟ ପୋଷିଲେ । କିନ୍ତୁ ଆଥ୍ଲେଟିକ୍ସର ଭୋକ ମରିନଥିଲା । ନବାଗତ ଆଥ୍ଲେଟ୍ଙ୍କ ମନରେ ଉତ୍ସାହ ଭରିବାକୁ ପ୍ରଶିକ୍ଷକ ଭୂମିକାରେ ଅବତୀର୍ଣ୍ଣ ହେଲେ । ଶତାଧିକ ନବାଗତଙ୍କୁ ସେ ମାଗଣାରେ ପ୍ରଶିକ୍ଷଣ ଦେଇଛନ୍ତି ।
ସ୍ୱପ୍ନେଶ୍ୱରଙ୍କ ଘର କଟକ ସଦର ଅନ୍ତର୍ଗତ ସାର୍ତ୍ତୋଳ ଠାରେ । ରବୀନ୍ଦ୍ରନାଥ ଦାସ ଓ ଟୁକୁନି ଦାସଙ୍କ ସାନ ପୁଅ । ଛୋଟବେଳୁ ଖେଳକୁଦ ପ୍ରତି ପ୍ରବଳ ଉତ୍ସାହ ଥିଲା । ଦୌଡକୁଦରେ ତାଙ୍କର ପ୍ରଚଣ୍ଡ ପ୍ରତିଭା ସ୍କୁଲ୍ ବେଳୁ ହିଁ ଦେଖିବାକୁ ମିଳିଥିଲା । ପୈତୃକ ଗ୍ରାମ ନିଶ୍ଚିନ୍ତ କୋଇଲିରେ ପାଠ ପଢି ମାଟ୍ରିକ୍ ପାସ୍ କରିବା ସହ ଆଥ୍ଲେଟିକ୍ସ ବା ଦୌଡକୁଦରେ ନିଜର ଭବିଷ୍ୟତକୁ ନିଶ୍ଚିତ କରିବାକୁ ମନ ବଳାଇଥିଲେ ସ୍ୱପ୍ନେଶ୍ୱର । ଜିଲ୍ଲାସ୍ତରରେ ୪୦୦ ଓ ୮୦୦ ମିଟର ଦୌଡ଼ରେ ତାଙ୍କୁ ମିଳିଲା କୃତିତ୍ୱ । ସ୍ୱର୍ଣ୍ଣପଦକ ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହେଲେ । ୨୦୦୯ରେ ସମ୍ବଲପୁର ଭିଭିଏସ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ୮୦୦ ମିଟରରେ ରୌପ୍ୟପଦକ ଜିତିଥିଲେ । ଆଶା ଥିଲା ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ନିଜ ଛାପ ଛାଡ଼ିବେ । ହଠାତ୍ ଭାଗ୍ୟ ବିପରୀତ ଦିଗରେ ଗତି କଲା । ଛାତ ଉପରୁ ତଳେ ପଡି ଅଣ୍ଟା ହାଡ଼ ଭାଙ୍ଗିଗଲା । ଜାତୀୟ ପ୍ରତିଯୋଗିତାର ସ୍ୱପ୍ନ ଚୁର୍ମାର ହେଇଗଲା । ଅପରେସନ୍ ହେଲା, ଅଥଚ ୬ମାସ ଧରି ନିଜ ଗୋଡ଼ରେ ଛିଡ଼ା ହେଇପାରିଲେ ନାହିଁ ସ୍ୱପ୍ନେଶ୍ୱର ।
ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଲା । କିନ୍ତୁ ଗୋଡ଼କୁ ଯେଉଁ ବଳ ଦରକାର ଥିଲା ସେତକ ମିଳିଲା ନାହିଁ । ନିରାଶ ହେଇ ଘରେ ବସି ରହିଲେ । ସୁସ୍ଥ ହେବା ପରେ ଓଡ଼ିଶା ପୁଲିସ୍ ସହିତ ବିଭିନ୍ନ ନିଯୁକ୍ତି ପାଇଁ ପ୍ରଚେଷ୍ଟା ଜାରି ରଖିଲେ । କିନ୍ତୁ ଚାକିରି ମିଳିଲା ନାହିଁ । ଶେଷରେ ମାଛ ବିକ୍ରି କରିବାକୁ ବାଧ୍ୟ ହେଲେ । ଯେଉଁ ସତ୍ୟବ୍ରତ ଷ୍ଟାଡିୟମ୍ ତାଙ୍କ ଆଥ୍ଲେଟିକ୍ସ ଜୀବନର ସାଧନା ପୀଠ ଥିଲା, ଠିକ୍ ତାରି ପାଶ୍ୱର୍ରେ ବସି ମାଛ ବିକ୍ରି କଲେ । ଇତି ମଧ୍ୟରେ ବହୁ ବର୍ଷ ବିତିଗଲାଣି । ଜଣେ ସଫଳ ଆଥ୍ଲେଟ୍ ହେବାର ନିଶା କେଉଁଠି ନା କେଉଁଠି ତାଙ୍କ ଭିତରେ ଭରି ରହିଥିଲା । ଶେଷରେ ପଡ଼ିଆକୁ ଓହ୍ଲାଇ ନବାଗତ ଆଥ୍ଲେଟ୍ଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ ।
ଶତାଧିକ ଆଥ୍ଲେଟ୍ଙ୍କୁ ସ୍ୱପ୍ନେଶ୍ୱର ପ୍ରଶିକ୍ଷଣ ଦେଇସାରିଛନ୍ତି, ଯେଉଁମାନେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି । କିନ୍ତୁ ଏ ଯାଏ ତାଙ୍କୁ ଯଥାସମ୍ଭବ ସମ୍ମାନ ମିଳିପାରିନି । ଏବେ ବି ମାଛ କାଟି ନିଜ ପେଟ ପୋଷୁଛନ୍ତି ସ୍ୱପ୍ନେଶ୍ୱର । ସ୍ୱପ୍ନେଶ୍ୱର କହନ୍ତି, ‘ଅଣ୍ଟା ଭାଙ୍ଗିବା ପରେ ଆଥ୍ଲେଟିକ୍ସ ଟ୍ରାକ୍କୁ ଫେରିବା ସହଜ ନଥିଲା । କିନ୍ତୁ ମୋ ଇଚ୍ଛା କେବେ ମରିନଥିଲା । ତେଣୁ ନବାଗତଙ୍କ ମାଧ୍ୟମରେ ମୋ ସ୍ୱପ୍ନକୁ ପୂରଣ କରିବାକୁ ଆଗେଇଥିଲି । କିନ୍ତୁ ଦଶନ୍ଧିର ଏହି ସାଧନାକୁ ଏବେ ଯାଏ କୌଣସି ସ୍ୱୀକୃତି ମିଳିପାରିନି । ତେଣୁ ପେଟ ପୋଷିବାକୁ ବାଧ୍ୟ ହୋଇ ମାଛ କାଟିବାକୁ ପଡୁଛି ।’