ପ୍ରମୂଖ ଖବର
  • ସମ୍ବିଧାନର ଅଷ୍ଟମ ଅନୁସୂଚିତରେ ମୁଣ୍ଡାରି ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କଲେ ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୫୫୦୦ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ
  • ||
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଜଣାପଡ଼ିଲା ସାଇବେରିଆରେ ଭୟଙ୍କର ଗର୍ତ୍ତର କାରଣ, ରହସ୍ୟ ଉପରୁ ପରଦା ଉଠାଇଲେ ବୈଜ୍ଞାନିକ

Published By : Prameya | November 12, 2024 1:18 PM

ନୂଆଦିଲ୍ଲୀ ୧୨/୧୧: ୧୦ ବର୍ଷ ତଳେ ରୁଷୀୟ ମେରୁରେ ଏକ ରହସ୍ୟମୟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଶତାଧିକ ଫୁଟ ଚଉଡ଼ା, ପ୍ରାୟ ୧୫୦ ଫୁଟ ଗଭୀର ଏହି ଦନ୍ତୁରିତ ଗର୍ତ୍ତ ଚତୁଃପାଶ୍ୱର୍କୁ ବିପୁଳ ପରିମାଣର ମୃତ୍ତିକା ଓ ବରଫ ଖଣ୍ଡ ଆବୃତ୍ତ କରିଥିଲା, ଯାହା ଏହାକୁ ସୃଷ୍ଟି କରିଥିବା ଭୟଙ୍କର ଶକ୍ତିର ପ୍ରମାଣ ଦେଇଥିଲା । ସେବେଠୁ ଅର୍ଥାତ୍‌ ୨୦୧୪ ମସିହାରୁ ଏଭଳି ୨୦ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି, ଯାହା ଉତ୍ତରପଶ୍ଚିମ ସାଇବେରିଆର ୟମଲ ଓ ଗାଇଦାନ ଉପଦ୍ୱୀପର ସୁଦୂର ଭୂଖଣ୍ଡକୁ କ୍ଷତି ପହଞ୍ଚାଉଛି । ତନ୍ମଧ୍ୟରେ ସଦ୍ୟତମ ଗର୍ତ୍ତ ଗତ ଅଗଷ୍ଟ ମାସରେ ଆବିଷ୍କୃତ ହୋଇଥିଲା । ଏହି ଗର୍ତ୍ତଗୁଡ଼ିକ ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଏଗୁଡ଼ିକର ସୃଷ୍ଟି ବିଷୟରେ ଜାଣିବାକୁ ସେମାନେ ପ୍ରୟାସ ଚଳାଇଛନ୍ତି । ଏ ନେଇ ଅନେକ ପ୍ରକାର ଅନୁମାନ ସାମ୍ନାକୁ ଆସିଛି । କିଏ କହୁଛି, ଉଲ୍‌କା ମାଡ଼ର ଏହା ପ୍ରଭାବ । ଆଉ କିଏ କହୁଛି, ଏଲିଅନ୍‌ଙ୍କ କାମ । 

ବର୍ତ୍ତମାନ ଇଞ୍ଜିନିୟର, ବୈଜ୍ଞାନିକ ଓ କମ୍ପ୍ୟୁଟର ବୈଜ୍ଞାନିକଙ୍କର ଏକ ଟିମ୍‌ କହିଛନ୍ତି, ସେମାନେ ଗର୍ତ୍ତ ସୃଷ୍ଟିର ଏକ ନୂଆ କାରଣ ଖୋଜିଛନ୍ତି । ସେମାନଙ୍କ ଅଧ୍ୟୟନର ତଥ୍ୟରୁ ଜଣାପଡ଼ିଛି, ଏହା ମାନବକୃତ ଜଳବାୟୁ ପରିବର୍ତ୍ତନ ଓ ଉକ୍ତ କ୍ଷେତ୍ରର ଅସାଧାରଣ ଭୂବିଜ୍ଞାନର ମିଶ୍ରିତ ପ୍ରଭାବ । ବୈଜ୍ଞାନିକମାନେ ପୂର୍ବରୁ ଏକମତ ଥିଲେ ଯେ ଗ୍ରହ ଉତ୍ତପ୍ତକାରୀ ମିଥେନ୍‌ ସମେତ ଗ୍ୟାସ୍‌ ଯେତେବେଳେ ଟୁନ୍ଦ୍ରା (ମେରୁର ବରଫ ତଳର କ୍ଷେତ୍ର) ତଳେ ଜମାହୁଏ, ପୃଷ୍ଠରେ ଏକ କୁଦ ବା ମୁଣ୍ଡିଆ ଦେଖାଯାଏ । ଯେତେବେଳେ ତଳ ଚାପ ପୃଷ୍ଠର ଶକ୍ତିଠୁ ବଢ଼ିଯାଏ, ଉକ୍ତ ମୁଣ୍ଡିଆ ବା କୁଦରେ ବିସ୍ଫୋରଣ ହୁଏ । ଫଳରେ ଭୂମି ତଳେ ଜମା ଗ୍ୟାସ୍‌ ବାହାରକୁ ବାହାରେ । ଏହା ଯୋଗୁ ଗର୍ତ୍ତ ସୃଷ୍ଟି ହୁଏ । ତେବେ ଏହି ଚାପ କିପରି ସୃଷ୍ଟି ହୁଏ ଏବଂ ଏହି ଗ୍ୟାସ୍‌ ବାସ୍ତବରେ କେଉଁଠୁ ଆସେ, ତା’ର ନିର୍ଦ୍ଦିଷ୍ଟ ତନ୍ତ୍ରକୁ ନେଇ ଏବେ ବି ବିତର୍କ ଲାଗି ରହିଛି । 

ନୂଆ ଅଧ୍ୟୟନର ଟିମ୍‌ ଗୁପ୍ତଚର ଭଳି ଏହି ପ୍ରଶ୍ନର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଅଧ୍ୟୟନକର୍ତ୍ତା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କେମିକାଲ ଇଞ୍ଜିନିୟର ଆନା ମୋର୍ଗାଡୋ କହିଛନ୍ତି । ଏହି ବିସ୍ଫୋରଣ ରାସାୟନିକ ପ୍ରତିକ୍ରିୟା ଯୋଗୁ ହୋଇପାରେ ବୋଲି ସେମାନେ ପ୍ରଥମେ ଅନୁମାନ କରୁଥିଲେ । କିନ୍ତୁ ପରେ ପ୍ରତ୍ୟାଖ୍ୟାନ କଲେ । କାରଣ ରାସାୟନିକ ପ୍ରତିକ୍ରିୟା ସମ୍ପର୍କିତ କୌଣସି ସୂଚନା ସେମାନେ ପାଇଲେ ନାହିଁ । ଶେଷରେ ବୈଜ୍ଞାନିକମାନେ ଉକ୍ତ ସାଇବେରିଆ ଭୂଖଣ୍ଡର ଜଟିଳ ଭୂବିଜ୍ଞାନ ବିଷୟରେ ଜାଣିବାକୁ ପାଇଲେ । ଏଠାରେ ଭୂମି ତଳେ ମୋଟା ପରସ୍ତର ପର୍ମାଫ୍ରଷ୍ଟ୍‌ ରହିଛି, ଯାହା ବରଫ ସହିତ ମୃତ୍ତିକା, ଶିଳା ଓ ପଙ୍କର ମିଶ୍ରଣ । ଏହା ତଳେ ‘ମିଥେନ୍‌ ହାଇଡ୍ରେଟ୍‌ସ’ର ଏକ ପରସ୍ତ ରହିଛି, ଯାହା ମିଥେନର ଏକ କଠିନ ରୂପ । ଏହି ଦୁଇ ପରସ୍ତ ମଝିରେ ପ୍ରାୟ ୩ ଫୁଟ ବହଳର ଲୁଣିଆ, ଅଣ-ବରଫୀକୃତ ଜଳ ରହିଛି । ଏହାକୁ ‘କ୍ରାୟୋପେଗ୍‌ସ’ କୁହାଯାଏ । 

ଜଳବାୟୁ ପରିବର୍ତ୍ତନ ତାପମାତ୍ରା ବୃଦ୍ଧି କରୁଥିବାରୁ ମୃତ୍ତିକାର ଶୀର୍ଷ ପରସ୍ତ ତରଳୁଛି । ଫଳରେ ଜଳ ପର୍ମାଫ୍ରଷ୍ଟ୍‌ ମଧ୍ୟଦେଇ କ୍ରାୟୋପେଗ୍‌କୁ ଝରୁଛି ଏବଂ ଏହି ଲୁଣିଆ ପରସ୍ତରେ ମିଶୁଛି । ତେବେ ସମସ୍ୟା ହେଉଛି, ଅତିରିକ୍ତ ଜଳ ପାଇଁ ସେଠାରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ତେଣୁ କ୍ରାୟୋପେଗ୍‌ ଫୁଲୁଛି, ଯାହା ଦ୍ୱାରା ଚାପ ସୃଷ୍ଟି ହେଉଛି ଏବଂ ଭୂମିରେ ଫାଟ ସୃଷ୍ଟି ହୋଇ ପୃଷ୍ଠକୁ ଫଟାଇ ଦେଉଛି । ଏହି ଫାଟ ଭୂତଳ ଚାପକୁ ଦ୍ରୁତ ବେଗରେ ହ୍ରାସ କରୁଛି, ଯାହା ମିଥେନ ହାଇଡ୍ରେଟ୍‌ସକୁ କ୍ଷତି ପହଞ୍ଚାଇ ବିସ୍ଫୋରକ ଗ୍ୟାସ୍‌ ନିର୍ଗତ ହେଉଛି । ତରଳୁଥିବା ପର୍ମାଫ୍ରଷ୍ଟ୍‌ ଓ ମିଥେନ ମଧ୍ୟରେ ଏହି ଜଟିଳ ଘଟଣା ବିସ୍ଫୋରଣ ପୂର୍ବରୁ ଅନେକ ଦଶନ୍ଧି ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଏହି ପ୍ରକ୍ରିୟା ଉକ୍ତ କ୍ଷେତ୍ର ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ମୋର୍ଗାଡୋ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.