ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ସୁର-ତାଳର ଗହନ କଥା

Published By : Rasmita Pradhan | August 27, 2025 11:06 AM

ସଙ୍ଗୀତ ଯେ କେବଳ ମାନବ ଉପରେ ତା’ର ଯାଦୁ ଦେଖାଏ ସେକଥା ନୁହଁ, ଏହା ଅନ୍ୟ ଇତର ପ୍ରାଣୀମାନଙ୍କୁ ପ୍ରଭାବିତ କରିବାର ଗବେଷଣାରୁ ସ୍ପଷ୍ଟ ହୋଇଛି । ଏନିମଲ୍ସ ନାମକ ଗବେଷଣା ପତ୍ରିକାରେ ପ୍ରକାଶିତ ଆଲେଖ୍ୟଟି ଶିଶୁ ଏବଂ ମନୁଷ୍ୟ ଭିନ୍ନ ଗରିଲା, ସିମ୍ପାଞ୍ଜି, ବବୁନ୍‌, ମୂଷା, କୁକୁଡ଼ା ଆଦି ପଶୁପକ୍ଷୀମାନଙ୍କୁ ନେଇ ଏହାର ଗବେଷଣା ରିପୋର୍ଟ ପେଶ୍‌ କରିଛନ୍ତି ।

ଏକବିଂଶ ଶତାବ୍ଦୀ ଆରମ୍ଭ ସମୟର କଥା । ଅଗଷ୍ଟ ମାସ ପନ୍ଦର ତାରିଖର ଏକ ଖରାଟିଆ ସକାଳ । ପାଖାପାଖି ଦେଢ଼ଦିନର ଯାତ୍ରା ପରେ ସେଦିନ ବୋଲି ଆମ ଟ୍ରେନ୍‌ଟି ସେକାଳର ମାଡ୍ରାସ ସେଣ୍ଟ୍ରାଲ ଷ୍ଟେସନ ଛୁଉଁ ଛୁଉଁ ବେଳ ବେଶ୍‌ ଉଛୁର ହେଲାଣି । ଆମକୁ ଯିବାର ଥାଏ ତିରୁଚିରାପଲ୍ଲୀ, ଏକ ଜାତୀୟ ଆଲୋଚନାଚକ୍ରରେ ଭାଗ ନେବାପାଇଁ । ସେଇଠୁ ଟ୍ରେନ୍‌ ଧରି ପୁଣି ଯିବାକୁ ହେବ । ବୁଝାବୁଝି କରୁ କରୁ ଭାଇଗାଇ ଏକ୍ସପ୍ରେସ୍‌ ନାମକ ରେଳଗାଡ଼ିଟି ସହରର ଏଗ୍‌ମୋର୍‌ ବୋଲି ଷ୍ଟେସନରୁ ଅପରାହ୍ନ ପାଖାପାଖି ୨ଟା ବେଳକୁ ଥାଏ ତ୍ରିଚୀ ଯିବାପାଇଁ । ଅସମ୍ଭବ ଭିଡ଼ ଥାଏ ଟ୍ରେନ୍‌ଟି ସେଦିନ । ଭିତରରେ ସିଟ୍‌ ସବୁ ଭର୍ତ୍ତି ହୋଇସାରି ମଝିର ଯିବା ଆସିବା ଜାଗା ସବୁରେ ବି ଲୋକେ ଠେସାଠେସି ହୋଇ ବସି ସାରିଥାନ୍ତି ଆମେ ପହଞ୍ଚିବା ବେଳକୁ । ବେସିନ୍‌ ପାଖ କଣରେ କଷ୍ଟେମଷ୍ଟେ ନିଉଜ ପେପର ପାରି ବସିଲୁ ଦିହେଁଯାକ, ଆଉ କିଛି ଉପାୟ ନଦେଖି । ପନ୍ଦର କୋଡ଼ିଏ ମିନିଟ ଭିତରେ ଗାଡ଼ି ଚାଲିବାକୁ ଆରମ୍ଭ କଲା ଗନ୍ତବ୍ୟ ପଥରେ । ଯାତ୍ରାଜନିତ କ୍ଳେଶ ନିଦ ମାଉସୀକୁ ଯଦିଓ ଡାକିଆଣୁଥାଏ, ଲୋକଙ୍କ ହାଉଯାଉ ତଥା ରେଳଧାରଣା ଉପରେ ଲୁହା ଚକ ଘଷି ହେବାର କର୍କଶ ଶବ୍ଦ ଛାଇନିଦକୁ ଘଉଡ଼ାଇ ଦେଉଥାଏ ବାରମ୍ବାର । ଏମିତି ପ୍ରାୟ ଘଣ୍ଟାଏ ଉପରେ ଗାଡ଼ି ଗଡ଼ିବା ପରେ ଦୁହିଁଙ୍କୁ ସିଟ୍‌ ୨ଟି ଅବଶ୍ୟ ମିଳିଗଲା । ଆମ ଠିକ୍‌ ଆଗରେ ବସିଥାନ୍ତି ସତୁରି-ପଞ୍ଚସ୍ତରି ବୟସର ଲମ୍ବା ଧଳା ଦାଢ଼ି ଥିବା ବୁଢ଼ା ଜଣେ । ଅଳ୍ପ ସମୟ ଯାଇଛି କି ନାହିଁ ବୁଢ଼ା ଜଣକ ଉଠିଯାଇ ସାଇଡ୍‌ର ପୂରା ଉପର ସିଟ୍‌ରୁ ଲମ୍ବାଳିଆ ପୁରୁଣା ହାତସିଲାଇ କପଡ଼ା ବେଗ୍‌ଟିଏ ଆସ୍ତେକରି ଆଣି ତା’ ଭିତରୁ ବଡ଼ ସନ୍ତର୍ପଣରେ ବେହେଲାଟିଏ ବାହାର କଲେ । ବେହେଲାର ବଡ଼ମୁଣ୍ଡଟିକୁ କାନ୍ଧ-ବେକ ସନ୍ଧିରେ ଲଗାଇଦେଇ ତା’ ଧନୁଷକୁ ବି ତାର ଉପରେ ଥୋଇଲେ ବେଶ୍‌ ଆରାମରେ । ଦୁଇ ଚାରି ଥର ରେଁ-ରେଁ ଶବ୍ଦ ଉତ୍ତାରୁ ଧନୁଷର ଆଗ-ପଛ ତଥା ବେହେଲା ତାରଗୁଡ଼ିକରେ ସରୁ ଗଣ୍ଠିଗଣ୍ଠିଆ ଅନୁଭବୀ ଆଙ୍ଗୁଳିଗୁଡ଼ିକର ଯାଦୁଭରା ସ୍ପର୍ଶରେ ଗୋଟି ଗୋଟି କରି ‘ଲତାଙ୍କର- ଏ ମେରେ ୱତନ୍‌ କି ଲୋଗୋଁ, କବି ପ୍ରଦୀପଙ୍କ- ଆଓ ବଚ୍ଚୋ ତୁହ୍ମେଁ ଦିଖାଏଁ, ମହେନ୍ଦ୍ର କପୁରଙ୍କ- ହେ ପ୍ରିତ୍‌ ଯାହାଁ କି ରିତ୍‌ ସଦା’ ପରି ସେ ପୁରୁଣା ଦିନର ଅଭୁଲା ଗୀତସବୁ ଏମିତି ଉତୁରି ଚାଲିଲେ ଯେ ଦୂରଯାତ୍ରାଜନିତ କ୍ଳେଶ ଏବଂ ତନ୍ଦ୍ରା ମୋ’ଠେଇଁ ଆସ୍ଥାନ ଜମାଇବାର ଆଉ ବିଲ୍‌କୁଲ୍‌ ସୁଯୋଗ ପାଇଲେନି । ସେଦିନର ବାୟକଙ୍କ ସଙ୍ଗୀତର ମୂର୍ଚ୍ଛନାର ଜଣେ ବିଦଗ୍‌ଧ ଶ୍ରୋତା ହିସାବରେ ମୋ ଲୋମ ସତେଯେମିତି ଝାଡ଼ିଝୁଡ଼ି ହୋଇ ଠିଆ ହୋଇଯାଉଛନ୍ତି ଆଉ ଆଦେଶ କରୁଛନ୍ତି ଏ ସଙ୍ଗୀତରୂପକ ରସ ଉପରେ କିଛି ଟିକିଏ କହିଦେବା ପାଇଁ । 

ଶବ୍ଦକୋଷଗୁଡ଼ିକର ଆଧାରରେ ଶୁଣିବା ଲୋକର ଭାବାବେଗକୁ ଆନ୍ଦୋଳିତ କରିଦେଉଥିବା ବିଶେଷ ଧରଣର ଗଳା ବା କୌଣସି ଯନ୍ତ୍ରନିଃସୃତ ଧ୍ୱନିକୁ ହିଁ ଗୋଟିଏ ହିସାବରେ ସଙ୍ଗୀତର ଆଖ୍ୟା ଦିଆଯାଇପାରେ । ମଣିଷରୂପକ ପ୍ରଖର ବୁଦ୍ଧିମାନ ପ୍ରାଣୀଟିର କୋମଳ ମସ୍ତିଷ୍କ ଭିତରେ ସଂଗୀତ ପରି ଆହୁରି କଅଁଳ ଦିବ୍ୟ କଳାଟିର ମଞ୍ଜି ଯେ କିପରି ବୁଣି ହୋଇଗଲା ସେକଥାଟି ସଠିକ୍‌ ଭାବରେ ଜାଣିବା ନିହାତି ଏକ ଅସମ୍ଭବ ବ୍ୟାପାର ହୋଇଥିଲେ ହେଁ, ଏ ଦିଗରେ କିଛି ଆଭାସ ପାଇବା ପାଇଁ ଆମେ ତୁର୍କୀ ସ୍ଥିତ ଅଙ୍କାରା ବିଶ୍ୱବିଦ୍ୟଳୟର ପ୍ରତ୍ନତତ୍ତ୍ୱ ବିଭାଗର ଛାତ୍ର ଆର୍ତୁଗ୍ରୁଲ୍‌ ଇଲ୍‌ମାଜ୍‌ଙ୍କ ଗବେଷଣା ନିବନ୍ଧକୁ ବିଚାରକୁ ନେଇପାରିବା । ଇଲ୍‌ମାଜ୍‌ଙ୍କ ମତରେ, ପାଖାପାଖି ୨୬ଲକ୍ଷ ବର୍ଷରୁ ୨ଲକ୍ଷ ବର୍ଷ ପୂର୍ବର ନିମ୍ନ ପୁରାତନ ପ୍ରସ୍ତର ଯୁଗରେ ସଙ୍ଗୀତ ପ୍ରଚଳିତ ଥିବା କଥା ଜଣାନଥିଲେ ହେଁ, ୨ଲକ୍ଷ ବର୍ଷରୁ ୪୦୦୦୦ ବର୍ଷ ଆଗରୁ ନିୟନ୍‌ଡର୍ଟାଲ୍‌ ମାନବ ସମୟର ମଧ୍ୟ ପୁରାତନ ପ୍ରସ୍ତରଯୁଗୀୟ ଅବଶେଷଗୁଡ଼ିକରୁ କିନ୍ତୁ ଏହାର ପ୍ରଚଳନ କଥା ଜଣାଯାଏ, ଅବଶ୍ୟ ମତ ପାର୍ଥକ୍ୟର ଆଢୁଆଳରେ ରହି । ଏକଥା ହୁଏତ ସଭିଏଁ ଜାଣିବା ଆବଶ୍ୟକ ଯେ, ୪୦୦୦୦ ବର୍ଷରୁ ନେଇ ୧୦୦୦୦ ବର୍ଷ ପର୍ଯ୍ୟନ୍ତ ଲମ୍ବିଥିବା ଉଚ୍ଚ ପୁରାତନ ପ୍ରସ୍ତର ଯୁଗ ହେଉଛି ଆଧୁନିକ ମାନବ ବା ହୋମୋ ସାପିଏନ୍‌ର ଜନ୍ମ ସମୟ ଏବଂ ଏହି ସମୟ ମଧ୍ୟରେ ସଙ୍ଗୀତ ପ୍ରଚଳିତ ଥିବାର ଯଥେଷ୍ଟ ପ୍ରମାଣ ଆମର ହସ୍ତଗତ ହେଲାଣି । ପରେ ମଧ୍ୟପ୍ରସ୍ତର ଏବଂ ନୂତନପ୍ରସ୍ତର ଯୁଗରେ ମଧ୍ୟ ଏ ଧାରା ଅବ୍ୟାହତ ରହିଥିବାର ଜଣାଯାଏ । କିଛିବର୍ଷ ତଳେ ଇସ୍ରାଏଲ ଠାରେ ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କ ଦ୍ୱାରା ଆବିଷ୍କୃତ ୧୨୦୦୦ ବର୍ଷର ପୁରୁଣା ପକ୍ଷୀହାଡ଼ରେ ନିର୍ମିତ ବଂଶୀ ଏହାର ଏକ ଦୃଢ଼ ପ୍ରମାଣ । ଏ ପରିପ୍ରେକ୍ଷୀରେ ସଙ୍ଗୀତକୁ ନେଇ ଡମ୍‌ବ୍ରିଲ୍‌ଙ୍କ ‘ସଙ୍ଗୀତର ଆବିର୍ଭାବ ମାନବ ସହ ହୋଇଛି ଏବଂ ଏହାର ସାଜସରଞ୍ଜାମ ମାନବୀୟ ଗୁଣର ପରିଚାୟକ' ଉକ୍ତିଟିକୁ ଦୋହୋରାଇବା ଉଚିତ ମନେହୁଏ । ବେଶି ଜାଣିବାକୁ ‘ଟୁଆର୍ଡସ୍‌ ଏ ଗ୍ଲୋବାଲ୍‌ ହିଷ୍ଟ୍ରି ଅଫ୍‌ ମ୍ୟୁଜିକ୍‌' ନାମକ ପ୍ରୋଜେକ୍ଟ ପାଇଁ ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସଙ୍ଗୀତ ପ୍ରଫେସର ରିନ୍‌ହାର୍ଡ ଷ୍ଟ୍ରୋମ୍‌ଙ୍କ କାମଗୁଡ଼ିକୁ ମଧ୍ୟ ବିଚାରକୁ ନିଆଯାଇପାରେ । ଏବେ ସରଳ ଭାବରେ ଏହି କଳାଟିର ବୈଜ୍ଞାନିକ ଆଧାର ଖୋଜିଲା ବେଳକୁ ଆମକୁ ଧ୍ୱନି(ସାଉଣ୍ଡ) ବିଷୟରେ ଆଗ କିଛି ବିଷୟ ଜାଣିବାକୁ ହେବ । 


କୌଣସି କାରଣବଶତଃ ବାୟୁର କଣିକାଗୁଡ଼ିକରେ କମ୍ପନ ସୃଷ୍ଟି ହେଲେ ଧ୍ୱନି ଜାତ ହୋଇଥାଏ, ଯାହାକି ତରଙ୍ଗ ରୂପରେ ମାତ୍ର ଗୋଟିଏ ସେକେଣ୍ଡ ଭିତରେ ପ୍ରାୟ ୩୪୩ ମିଟର ପର୍ଯ୍ୟନ୍ତ ଗତି କରିଥାଏ । ସୃଷ୍ଟିହେବା ପରେ ଏହି ଧ୍ୱନି ତରଙ୍ଗଗୁଡ଼ିକ ଆମ କାନ ଭିତରେ ଥିବା ପତଳା ଚମ ପରଦାରେ ଆସି ବାଜିଲେ ସେଥିରେ ଆନୁପାତିକ ହାରରେ କମ୍ପନ ସୃଷ୍ଟି ହୋଇଥାଏ । ଏହି କମ୍ପନ ସଙ୍ଗେ ସଙ୍ଗେ ବୈଦ୍ୟୁତିକ ଭାଷାକୁ ରୂପାନ୍ତରିତ ହୋଇ ସ୍ନାୟୁମାନଙ୍କ ସାହାଯ୍ୟରେ ମସ୍ତିଷ୍କର ବିଶେଷ ଅଂଶକୁ ପହଞ୍ଚିଯାଏ, ଯହିଁ ଏହାର ବିଶ୍ଳେଷଣର ଫଳ ହେଉଛି ଆମ ଶୁଣିବା ପ୍ରକ୍ରିୟାଟି । ଠିକ୍‌ ଏହି ଧାରାରେ ଜୀବ ଅବା ଯନ୍ତ୍ରାଦିରୁ କିଛି ବିଶେଷ ରୂପରେ ତିଆରି ଧ୍ୱନି ତରଙ୍ଗଗୁଡ଼ିକ ହିଁ ସଙ୍ଗୀତ ରୂପରେ ଆମକୁ ବିମୋହିତ କରିଥାନ୍ତି । ଧ୍ୱନି ତରଙ୍ଗ ସହିତ ଜଡ଼ିତ ଜଟିଳ ତତ୍ତ୍ୱକୁ ସାଧାରଣ ଲୋକେ ବୁଝିବା କାଠିକର ପାଠ । ଏ ଜିନିଷଟିକୁ ସହଜ ଭାବରେ ଜଣାଇବାକୁ ଏଠାରେ କୁହାଯାଇପାରେ ଯେ, ଜୀବର ସ୍ୱରଯନ୍ତ୍ର ଅବା ମାନବକୃତ ଯନ୍ତ୍ରରୁ ବାହାରୁଥିବା ତରଙ୍ଗଗୁଡ଼ିକର ଦୋଳନ, ଯାହା ତରଙ୍ଗର ବାରମ୍ବାର ଆସିବାକୁ ବୁଝାଇଥାଏ । ଶବ୍ଦଟିର ଧାରା ଯେ ବେଶି କି କମ୍‌ ସେକଥା ସୂଚାଇଥାଏ, ଯାହାକୁ ଆମ ମସ୍ତିଷ୍କ ବିଶ୍ଳେଷଣ କରିବା ପରେ ଆମେ ଏହାର ପ୍ରଭେଦ ବାରିପାରୁ । ଆଉ ଗୋଟିଏ କଥା, ଅର୍କେଷ୍ଟ୍ରା ଭଳି ସଙ୍ଗୀତ ଆସରଗୁଡ଼ିକରେ ଅନେକ ବାଦ୍ୟଯନ୍ତ୍ର ଏକସମୟରେ ବାଜିବା ସମୟରେ ବାଜୁଥିବା ସବୁ ବାଦ୍ୟଯନ୍ତ୍ରର ଦୋଳନଧାରା ବି ଏକ ହେବାପାଇଁ ବିଶେଷ ଧ୍ୟାନ ଦିଆଯାଏ । ଫଳତଃ, ଏହା ଶୁଣିବା ଲୋକର ମସ୍ତିଷ୍କରେ ଏକୀଭୂତ ହୋଇ ସୁମଧୁର ସଙ୍ଗୀତର ଭାବ ସୃଷ୍ଟି କରିଥାନ୍ତି । ଯଦିଓ ଏହାକୁ ଗ୍ରହଣ କରିବାପାଇଁ କିଛି ଅଂଶବିଶେଷ ଭାବରେ ସକ୍ରିୟ ହେବା ଗବେଷଣାରୁ ଜଣାଯାଏ, ଭାବାବେଗଭରା ସଙ୍ଗୀତସାଗରରେ ସ୍ନାନ କଲାବେଳେ ଆମ ମସ୍ତିଷ୍କର ପ୍ରାୟ ସବୁ ଅଂଶ କାମ କରିଥାନ୍ତି ବୋଲି ହାର୍ଭାର୍ଡ ମେଡିକାଲ ସ୍କୁଲ ତରଫରୁ ପ୍ରକାଶିତ ପତ୍ରିକାର ଏକ ଆଲେଖ୍ୟରୁ ଜଣାପଡ଼େ । ଉଭୟ ମାନସିକ ଏବଂ ଶାରୀରିକସ୍ତରକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ଯେ ସଙ୍ଗୀତ ନାମକ କଳାଟିର ରହିଛି, ଏଥିରେ ଦ୍ୱିମତ ହେବାର କିଛି ନାହିଁ । ବ୍ରେନ୍‌, ବିହେବିଅର୍‌ ଏଣ୍ଡ କମ୍ୟୁନିଟି-ହେଲ୍‌ଥ ନାମକ ଏକ ଜର୍ଣ୍ଣାଲ୍‌ରେ ଜାତାର୍‌ ଏବଂ ସାଥୀଙ୍କ ତରଫରୁ ୨୦୨୪ ମସିହାରେ ପ୍ରକାଶିତ ଲେଖାଟିରେ ଏ ସଂକ୍ରାନ୍ତରେ ବଡ଼ ସୁନ୍ଦର ବର୍ଣ୍ଣନାଟିଏ ରହିଛି । କୁହାଯାଇଅଛି ଯେ, ସ୍ନାୟୁକୋଷ ଗୁଡ଼ିକରେ ଜୀବନ ଭରିଦେଇ ଏହା ଆମ ମସ୍ତିଷ୍କରେ ସକାରାତ୍ମକ ପରିବର୍ତ୍ତନ ଆଣି ଦେଇପାରେ ଏବଂ ଏହାଦ୍ୱାରା ସ୍ମରଣଶକ୍ତି ଏବଂ ଶିଖିବାର ଇଚ୍ଛା ଆଦି ବୃଦ୍ଧିହେବାର ଜଣାଯାଏ । ଏଥିସହ ସଙ୍ଗୀତ ଆମର ଶାରୀରିକ ସୁସ୍ଥତାକୁ ତ୍ୱରାନ୍ୱିତ କରିବାର ବିଷୟ ବି ସେଠାରେ ଉଲ୍ଲେଖ ଅଛି । 

ସୂଚାଇ ଦିଆଯାଇଅଛି ଯେ ମାନସିକ ଚାପ, ଅହେତୁକ ଚିନ୍ତା ବା ଡର ଓ ଅବସାଦ ଭଳି ମାନସିକ ରୋଗର ରାମବାଣ ଓଷଦ ରୂପରେ ଏହାର ବ୍ୟବହାର ତା’ ସାମର୍ଥ୍ୟକୁ ଯଥେଷ୍ଟ ବିସ୍ତାରିତ କରିଦେଇ ‘ମ୍ୟୁଜିକ୍‌ ଥେରାପି' ନାମରେ ଏକ ବିଭାଗକୁ ଜନ୍ମ ଦେଇଛି । ସଙ୍ଗୀତ ଯେ କେବଳ ମାନବ ବୋଲାଉଥିବା ଜୀବ ଉପରେ ତା'ର ଯାଦୁ ଦେଖାଏ ସେକଥା ନୁହଁ, ଏହା ଅନ୍ୟ ଇତର ପ୍ରାଣୀ ଏପରିକି ଉଦ୍ଭିଦମାନଙ୍କୁ ପ୍ରଭାବିତ କରିବାର ଗବେଷଣାରୁ କ୍ରମେ ସ୍ପଷ୍ଟ ହେବାରେ ଲାଗିଛି । ୨୦୨୧ ମସିହାରେ ଏନିମଲ୍‌ସ(ବାସେଲ୍‌) ନାମକ ଗବେଷଣା ପତ୍ରିକାରେ ପ୍ରକାଶିତ ଚାର୍ଲସ ସ୍ନୋଡନଙ୍କ ଆଲେଖ୍ୟଟି ଛୋଟ ଅବୋଧ ଶିଶୁ ଏବଂ ମନୁଷ୍ୟ ଭିନ୍ନ ଓରାଙ୍ଗଓଟାଙ୍ଗ, ଗରିଲା, ସିମ୍ପାଞ୍ଜି, ବବୁନ୍‌, ଘୋଡ଼ା, ହାତୀ, କୁକୁର, ମୂଷା, କୁକୁଡ଼ା ଆଦି ପଶୁପକ୍ଷୀମାନଙ୍କୁ ନେଇ ଏହାର ଗବେଷଣା ହୋଇଥିବା କଥାଟିର ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ ପେଶ୍‌ କରିଛନ୍ତି । କିନ୍ତୁ ସେଥିରେ ସେ ଏହା ମଧ୍ୟ ଜଣାଇଦେଇଛନ୍ତି ଯେ, ଇତର ପ୍ରାଣୀମାନଙ୍କ ପାଇଁ ସଙ୍ଗୀତର ଧାରାଟି ମାନବ ଠାରୁ ହୁଏତ ଭିନ୍ନ ହୋଇପାରେ । କାହିଁକି ନା, ଧ୍ୱନି ତରଙ୍ଗକୁ ଗ୍ରହଣ କରିବା ଏବଂ ମସ୍ତିଷ୍କରେ ବିଶ୍ଳେଷଣ କରିବାର ପ୍ରକ୍ରିୟା ଦୁହିଁଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ । ଆଗରୁ ବୃକ୍ଷଲତା ନିଜେ ଧ୍ୱନି ତରଙ୍ଗ ତିଆରି କରୁଥିବା ବା ତାକୁ ଗ୍ରହଣ କରିପାରୁଥିବା କଥାକୁ ହସରେ ଉଡ଼ାଇ ଦିଆଯାଉଥିଲେ ହେଁ ଏବେ ସମୟ ବଦଳି ଯାଇଛି, ବିଜ୍ଞାନର ଅଗ୍ରଗତି ସହିତ । 

ଜେ. ଜଙ୍ଗ୍‌ ଏବଂ ସହ-ଗବେଷକଙ୍କ ଦ୍ୱାରା ‘ଫ୍ରଣ୍ଟିୟର୍ସ ଇନ୍‌ ପ୍ଲାଣ୍ଟ ସାଇନ୍ସ’ ଜର୍ଣ୍ଣାଲରେ ପ୍ରକାଶିତ ପ୍ରବନ୍ଧଟି ଏନେଇ ଆଚମ୍ବିତ ହେଲାଭଳି କଥାଟିମାନ କୁହେ କପା, କାକୁଡ଼ି, ମଟର ଚଣା, ଧାନ, ଗହମ, ଟମାଟୋ, ସେବତି, ମକା ପରି କେତେ ଯେ ଫଳ-ଫୁଲ ଗଛ ଉପରେ ହୋଇଥିବା କାମଗୁଡ଼ିକୁ ବିଚାରକୁ ନେଇ । ତାକୁ ପଢ଼ିଲେ ଜଣାଯାଏ ଯେ, ଶବ୍ଦ ପ୍ରଭାବରେ ହୁଏତ କେଉଁଠି ଉତ୍ପାଦନ ବଢ଼ିଯାଏ ତ ଆଉ କାହାର ଅଗ ବଙ୍କା ହୋଇଯାଏ, ପୁଣି କେଉଁ ଗଛର ହର୍ମୋନ ଅବା ପ୍ରୋଟିନ ଆଦିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ସଭ୍ୟତାର ସ୍ୱାଦ ଚାଖିବା ପୂର୍ବରୁ ଦିନେ କାନରେ ବାଜୁଥିବା ଶବ୍ଦଗୁଡ଼ିକୁ ଅନୁକରଣ କରୁ କରୁ ସୃଷ୍ଟି ହୋଇଥିବା ସଙ୍ଗୀତ ରୂପକ ଅମୂଲ୍ୟ କଳାଟି ଅନ୍ତତଃ ମାନବର କ୍ରମବିକାଶ ଧାରାରେ ସହଚର ହୋଇ ତାର ହିତସାଧନ କରିଆସିଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ‘ଆତ୍ମାକୁ ଛୁଇଁପାରୁଥିବା ସଙ୍ଗୀତ ଯେ ନୈତିକତାର ପଥପ୍ରଦର୍ଶକ' ସଂଗୀତକୁ ନେଇ ଖ୍ୟାତନାମା ଗ୍ରୀକ୍‌ ଦାର୍ଶନିକ ପ୍ଲାଟୋଙ୍କ ଏହି ଉକ୍ତିକୁ ମଗଜରେ ପୂରାଇ ଆଲୋଚନାଟିକୁ ବିରାମ ଦେଲେ ହୁଏତ ଅସମୀଚୀନ ହେବନାହିଁ ବୋଲି ମୋର ମନେହୁଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.