ସପନ ରୂପକ ମାନସିକ ବିଚାରଣାଟି ଆମ ମସ୍ତିଷ୍କର ଅଦ୍ଭୁତ କାର୍ଯ୍ୟଧାରାର  ଏକ ପରିପ୍ରକାଶ ମାତ୍ର । ଶରୀରସ୍ଥ ଦୈନନ୍ଦିନ କାର୍ଯ୍ୟଧାରାର ଅଂଶବିଶେଷ  ଏ ବିଚିତ୍ର ଅନୁଭୂତିଟି ବେଳେବେଳେ କିନ୍ତୁ ଆମକୁ ଅସୁବିଧାରେ ପକାଇଥାଏ  ନାଇଟ୍‌ମେର୍‌, ଏନ୍‌ଜାଇଟି ଡ୍ରିମ୍‌ ଆଦିର ରୂପ ନେଇ । ଏଭଳି ସ୍ଥିତିରେ ଏଣୁ  ତେଣୁ କଥା ନବିଚାରି ମନୋବିଜ୍ଞାନ ସହ ଜଡ଼ିତ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ  ସହାୟତା ନେବା ସମୀଚୀନ ମନେହୁଏ ।


ସାତଦିନ ତଳର କଥା । ଘରଣୀ ଆଉ ପୁଅ  ମୋର ଶୋଇ ସାରିଥାନ୍ତି ପ୍ରାୟ ଘଣ୍ଟାଏ ଆଗରୁ,  ପାଖାପାଖି ରାତି ସାଢ଼େ ଦଶଟାରୁ । ଅନ୍ଧାରୁଆ ବେଡରୁମ୍‌  ଭିତରକୁ ଚୁପ୍‌କିନା ପଶିଆସି ଘରକଣ ଟେବୁଲଟି  ଉପରେ ଥୁଆ ପାଣିବୋତଲକୁ ହାତେଇବାକୁ ଚେଷ୍ଟା  କରନ୍ତେ, ତା’ କତିରେ ଥିବା ଭାରୀ ଗ୍ଲାସ୍‌ଟି ଚଟାଣ  ଉପରେ ଖସିପଡ଼ି ଏମିତି ଶବ୍ଦ କରେ ଯେ ତତ୍‌କ୍ଷଣାତ୍‌  ଉଠିଯାନ୍ତି ଥରଥର କମ୍ପୁଥିବା ପତ୍ନୀ ମହାଶୟା, ଚୋର  ଚୋର ବୋଲି ହାଉଳି ଖାଇ । ଅଗତ୍ୟା ଲାଇଟ୍‌ ଲଗେଇ  ତାଙ୍କୁ ସାଷ୍ଟାମ କରିବାକୁ ହୁଏ ବେଶ୍‌ କିଛି ସମୟ ପାଇଁ ।  ପୁଣି ଶୋଇବା ଉପକ୍ରମ ବେଳେ ସିଏ କେମିତି ଠିକ୍‌  ‘ଚୋର' ସ୍ୱପ୍ନଟିଏ ଦେଖିବା ବେଳେ ହିଁ ଏ ଶବ୍ଦ ଆସିଲା,  ଆଉ ଘଟଣାଟି ପୂରା ସତ ହେବା ଭଳି ଲାଗିବାରୁ ତାଙ୍କ  ପାଟି ଆପେ ଆପେ ଫିଟିଗଲା, ତାର ବିସୃତ ବର୍ଣ୍ଣନା କରି  ଚାଲିଥାନ୍ତି ଶ୍ରୀମତୀ । ହେଲେ ମନ ମୋର ଲାଖିଯାଉଥାଏ  ଏଇ ସ୍ୱପ୍ନ ସତ ହେବା ବିଷୟକୁ ନେଇ ଲେଖାଯାଇଥିବା  ତଥା ବହୁଦିନ ଆଗରୁ ପଢ଼ିଥିବା ଏକ ଚମତ୍କାର  ବିଜ୍ଞାନଭିତ୍ତିକ ଉପନ୍ୟାସର ସାରମର୍ମ ଠେଇଁ, ୧୯୭୧  ମସିହାରେ ପ୍ରକାଶିତ ଆମେରିକୀୟ ଲେଖିକା ଉର୍ସୁଲା  କେ ଗୁଇଁଙ୍କ ‘ଦ ଲିଥ୍‌ ହେବେନ୍‌' ଭିତରେ । ଗୋଟିଗୋଟି  କରି ମନର କାନ୍‌ଭାସ୍‌ ଉପରକୁ ଆସୁଥାନ୍ତି ସେଠାକାର  ସତସତିଆ ସପନ ଦେଖୁଥିବା ମଣିଷ ଜର୍ଜ ଅର୍‌,  ୱିଲାମ୍‌ ହେବର୍‌ ନାମକ ମାନସିକ ରୋଗ ଏବଂ ନିଦର  ବିଶେଷଜ୍ଞ ଆଉ ଓକିଲ ହିଥର୍‌ ଲିଲାଚେ ପରିକା ଚରିତ୍ର  ଯେତକ । ଅନେକ ସମୟ ଗଡ଼ପଡ଼ ହେବା ଭିତରେ  ସେଦିନ ହିଁ ମନସ୍ଥ କରିଥିଲି ଯେ ସ୍ୱପ୍ନ ବୋଲାଉଥିବା  ବିଷୟକୁ ନେଇ ଲେଖାଟିଏ ଲେଖିବାକୁ ହେବ ବୋଲି ।  

ଆମେରିକାନ୍‌ ସାଇକୋଲୋଜିକାଲ୍‌ ଏସୋସିଏସନ୍‌ର ଶବ୍ଦକୋଷରେ ଏଇ ‘ସ୍ୱପ୍ନ' ନାମକ  ଅନୁଭୂତିଟିର ଏକ ସୁନ୍ଦର ପରିଭାଷା ଦିଆଯାଇ ଏହାକୁ ଶୋଇବା ଅବସ୍ଥାରେ ଶରୀରକ୍ରିୟା ତଥା  ମାନସିକକ୍ରିୟାର ଏକ ସଚେତନ ସ୍ଥିତି, ଯାହାକି ଆମ  ଭିତରେ ଇନ୍ଦ୍ରିୟଗ୍ରାହୀ, ଭାବାତ୍ମକ ବା ଅନ୍ୟ ଧରଣର  ଅନୁଭବକୁ ଜନ୍ମ ଦେବାର ସାମର୍ଥ୍ୟ ରଖିଥାଏ ବୋଲି  ବର୍ଣ୍ଣନା କରାଯାଇଅଛି । ଏଥିରେ ଆହୁରି ଦିଆଯାଇଅଛି  ଯେ ଆମରି ନିଦଟି ଦୁଇ ପ୍ରକାରର ଅବସ୍ଥା ଦେଇ ଗତି  କରିଥାଏ, ବାରମ୍ବାର ଆଖି ବୁଲୁଥିବା ଅବସ୍ଥା ଏବଂ  ବାରମ୍ବାର ଆଖି ବୁଲୁନଥିବା ଅବସ୍ଥା ହିସାବରେ । ଆହୁରି  ମଧ୍ୟ ଯହିଁ ପ୍ରଥମ ଅବସ୍ଥାରେ ସ୍ୱପ୍ନ ଦେଖିବା ଅତି ସାଧାରଣ  ହୋଇଥାଏ, ଦ୍ୱିତୀୟଟିରେ ପ୍ରାୟତଃ ଆମେ ସପନ ରାଇଜକୁ ଯାଇନଥାଉ । ସାଧାରଣ ହିସାବରେ ଏଠାରେ  ସୂଚାଇ ଦିଆଯାଇପାରେ ଯେ ନିଦ୍ରାଚକ୍ରରେ ଉଭୟ  ଅବସ୍ଥା ପର୍ଯ୍ୟାୟକ୍ରମେ ଅନେକବାର ଆସିଥାଏ । ପୁଣି  ପ୍ରଥମ ଆଖିବୁଲା ଆଖି ବୁଲୁନଥିବା ନିଦଚକ୍ରର ଅବଧି  ପାଖାପାଖି ଘଣ୍ଟାଏ କି ଦେଢ଼ଘଣ୍ଟା ହୋଇଥିବା ବେଳେ  ଏହା କ୍ରମେ ବଢ଼ି ଦେଢ଼ଘଣ୍ଟାରୁ ଦୁଇଘଣ୍ଟାକୁ ସଂପ୍ରସାରିତ  ହୋଇଥାଏ । ସେ ଯାହାହେଉ, ସପନ ଦେଖିବାର ସେଇ  ଆଖିବୁଲା ଅବସ୍ଥାଟି ମୂଳ ନିଦର ଏକ-ଚତୁର୍ଥାଂଶରୁ  ଏକ ପଞ୍ଚମାଂଶ ମଧ୍ୟରେ ହୋଇଥିବାର କଥା ବି ବିଭିନ୍ନ  ଗବେଷଣାରୁ ଜଣାଯାଏ । 

ଏ ସଂକ୍ରାନ୍ତରେ ହାର୍ବାଡ  ମେଡିକାଲ ସ୍କୁଲ ତରଫରୁ ୨୦୨୪ ମସିହାରେ ପ୍ରକାଶିତ  ହାଲେ ଲେଭାଇନ୍‌ଙ୍କ ଲେଖାରୁ ମୁଁ କିଛି ବିଷୟ ଆଣିବାକୁ ପସନ୍ଦ କରିବି। ଯେପରିକି ସଦ୍ୟଜାତ ଶିଶୁମାନଙ୍କ  ଠାରେ ଏପରି ଅବସ୍ଥାଟି ତାଙ୍କ ନିଦର ଅର୍ଦ୍ଧେକ ସମୟ  ହୋଇଥିବା ବେଳେ କୋଡ଼ିଏ ବୟସ ଛୁଉଁ ଛୁଉଁ ଏହା  ପୂରା ନିଦ ସମୟର ପ୍ରାୟ ୨୦ ପ୍ରତିଶତକୁ ଖସିଆସେ ।  ବିଚିତ୍ର ଜିନିଷଟି ହେଉଛି, ଆମ ସ୍ୱପ୍ନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏହି ସମୟରେ ଯହିଁ ହୃଦୟଗତି,  ରକ୍ତଚାପ, ମସ୍ତିଷ୍କର କାର୍ଯ୍ୟଧାରା ଏବଂ ଶ୍ୱାସକ୍ରିୟା  ବଢ଼ିଯିବାର ଲକ୍ଷ୍ୟ କରାଯାଏ, ହାତ ଏବଂ ଗୋଡ଼ର  ମାଂସପେଶୀରେ କିନ୍ତୁ ଶିଥିଳତା ଆସେ । ଫଳତଃ, ସ୍ୱପ୍ନ  ଦେଖୁଥିବା ମଣିଷଟି ଥିର ହୋଇ  ପଡ଼ିରହେ କେବଳ ତା’ ସପନର ଅନୁଭବକୁ ମଗଜରେ ପୁଞ୍ଜି କରି ।  

୨୦୧୫ ମସିହାରେ ଇଣ୍ଡିଏନ  ଜର୍ଣ୍ଣାଲ ଅଫ୍‌ ସ୍ଲିପ ମେଡିସିନ ନାମକ  ପତ୍ରିକାରେ ପ୍ରକାଶିତ ନିରଞ୍ଜନ ବାବୁ  ଏବଂ ସାଥୀଙ୍କ ଆଲେଖ୍ୟରେ ହିନ୍ଦୁ  ଧର୍ମର ଉପନିଷଦରେ ସଚେତନ  ଅବସ୍ଥା ଓ ନିଦ୍ରାକୁ ବାଦ୍‌ ଦେଇ,  ସ୍ୱପ୍ନକୁ ଭିନ୍ନ ଏକ ସ୍ଥିତି ବୋଲି ବିଚାର  କରାଯାଇଥିବା ତଥା ଗ୍ରୀକ୍‌ ଏବଂ  ମେସୋପୋଟାମିଆ ସଭ୍ୟତାରେ  ଏହା ଈଶ୍ୱର ବା ଦିବଙ୍ଗତ ସଂସାରର  ବାର୍ତ୍ତା ହୋଇଥିବା ବର୍ଣ୍ଣନା କରାଯାଇଅଛି । ମୋର  ଅନୁରୋଧ, ଏ ସପନ ବିଷୟରେ ଅଧିକ ଜାଣିବାକୁ  ହେଲେ କେବେ ଥରେ ଓଲଟାଇ ନେବେ ପ୍ରଫେସର  ଜି. ୱିଲିଏମ୍‌ ଡୋମ୍‌ହଫ୍‌ଙ୍କ ‘ଦ ସାଇଣ୍ଟିଫିକ୍‌ ଷ୍ଟଡି  ଅଫ୍‌ ଡ୍ରିମ୍ସ' ନାମକ ପୁସ୍ତକଟିକୁ, ଯାହାର ଉପକ୍ରମଟି  ବି ବେଶ୍‌ ଉପାଦେୟ । 

୨୦୦୨ ମସିହାରେ ପ୍ରକାଶିତ  ଏହି ବହିଟିରୁ ଜଣାଯାଏ ଯେ, ସ୍ୱପ୍ନ ହେଉଛି ବୋଧଶକ୍ତି  ଉପରେ ଆଧାରିତ ଏକ ପ୍ରକ୍ରିୟା ଯାହାକି ଶିଶୁର ପ୍ରଥମ  ଆଠ ନଅ ବର୍ଷ ଭିତରେ କ୍ରମଶଃ ବିକଶିତ ହୋଇଥାଏ ।  ସେହିପରି ଶୋଇବା ସମୟରେ ଇନ୍ଦ୍ରିୟମାନଙ୍କ ମାଧ୍ୟମରେ  ବାହାରୁ ଆସୁଥିବା ଆଭାସଗୁଡିକର ଅଭାବରେ ଆମ  ମସ୍ତିଷ୍କର ଲିମ୍ବିକ୍‌, ପାରାଲମ୍ବିକ୍‌ ବା ଆଗପଟର କିଛି ଅଂଶ  ସକ୍ରିୟ ହେଲେ ସ୍ୱପ୍ନ ଦେଖିବା ଆରମ୍ଭ ହୋଇଥାଏ ପରି  ଅନେକ କଥା ମଧ୍ୟ ବହିଟିରେ ଲେଖାଯାଇଅଛି । ସ୍ୱପ୍ନର  ପ୍ରକୃତି ଅବା କାମ ଆଦି ପରିପ୍ରେକ୍ଷୀରେ କେତେ ଯେ  ସିଦ୍ଧାନ୍ତ ଆମ ପାଖକୁ ଆସିଲାଣି ତାର ହିସାବ ବା କିଏ  ରଖିପାରିଛି? ଏ ଦିଗରେ ଗ୍ରୀକ୍‌ ଚିକିତ୍ସକ ହିପ୍ପୋକ୍ରେଟସ୍‌,  ସ୍ୱପ୍ନ ଯଥେଷ୍ଟ ପୂର୍ବରୁ ଦେହ ଭିତର ରୋଗ ସମ୍ବନ୍ଧୀୟ  ତଥ୍ୟ ଦେଇପାରୁଥିବା କଥାଟି କହିଥିବା ବେଳେ ପ୍ରଖ୍ୟାତ  ମନସ୍ତାତ୍ତ୍ୱିକ ସିଗ୍ମଣ୍ଡ ଫ୍ରିଉଡଙ୍କ ମତରେ ସ୍ୱପ୍ନ ହେଉଛି ଆମ  ସଚେତନ ମନଦ୍ୱାରା ଦୂରକୁ ଠେଲି ହୋଇଯାଉଥିବା ମନ  ଭିତରର ବିରୋଧାଭାସର ଏକ ପ୍ରତୀକାତ୍ମକ ପ୍ରତିଫଳନ,  ଯାହାକି ଭାବାତ୍ମକ ଦୁର୍ଦ୍ଦଶାରୁ ଆମକୁ ବଞ୍ଚାଇ ରଖିଥାଏ ।  ଏସବୁ ଜିନିଷର ଆଲୋଚନା ସମୟରେ କାର୍ଲ ଜଙ୍ଗ୍‌ ବା  ଆଲଫ୍ରେଡ୍‌ ଏଡ୍‌ଲର୍‌ ଭଳି ଗବେଷକଙ୍କ ନାମକୁ ଉଲ୍ଲେଖ  କରିବା ଉଚିତ ମନେହୁଏ ।  

ସ୍ୱପ୍ନ ସୃଷ୍ଟି ହେବାର ପ୍ରଣାଳୀଟି ବିଷୟରେ ଅଳ୍ପ  ଟିକିଏ ବୁଝିବାକୁ ଦ ଇଣ୍ଟରନାସନାଲ ଜର୍ଣ୍ଣାଲ ଅଫ୍‌  ଇଣ୍ଡିଏନ ସାଇକୋଲୋଜି ନାମକ ପତ୍ରିକାରେ ରାଜୁ  ନନ୍ଦକାରଙ୍କ ୨୦୨୧ ମସିହାରେ ପ୍ରକାଶିତ ପ୍ରବନ୍ଧ ଉପରେ  ଆଖି ବୁଲାଇବା ଉଚିତ ହେବ ।  ଶୋଇବା ସମୟରେ ଆମ ମସ୍ତିଷ୍କର  ଭାବନା, ସ୍ମୃତି ତଥା ଭାବାତ୍ମକ  ଉତ୍ତେଜନା କେନ୍ଦ୍ରଗୁଡିକ ମଧ୍ୟରେ  ଥିବା ସଂପର୍କଟି ବନ୍ଦ ହୋଇଯାଏ ।  ଏପରିକି ଆମ ସ୍ନାୟୁବିକତନ୍ତ୍ର  ସହ ଆମ ମସ୍ତିଷ୍କର ଯୋଗାଯୋଗ  ବି ସାମୟିକ ଭାବରେ ବିଚ୍ଛିନ୍ନ  ହୋଇଥାଏ ବୋଲି କୁହାଯାଇପାରେ ।  ସାଧାରଣ ପରିସ୍ଥିତିରେ ମସ୍ତିଷ୍କଟି  ଶରୀର ପ୍ରଦାନ କରୁଥିବା ଶକ୍ତିର  ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ଶକ୍ତି  ଖର୍ଚ୍ଚ କରିଥାଏ, ହେଲେ ଶୋଇବା  ବେଳକୁ ଏହା ଯଥେଷ୍ଟ କମିଯାଏ । ତେଣେ ଚଳଚଞ୍ଚଳ  ମନଟି ଭାବନା ରୂପକ ଅସ୍ତ୍ର ମାଧ୍ୟମରେ ସଦାବେଳେ  ମସ୍ତିଷ୍କ ଉପରେ ତା’ ଚାପ ବଜାୟ ରଖେ । ଏଣୁ ମସ୍ତିଷ୍କ  ଭଳି ଅତି ଜଟିଳ ଅଙ୍ଗଟି କାମ କରି କରି ଥକିଗଲେ  ପୁଣି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାପାଇଁ ଏହାକୁ କିଛି ସମୟ  ବିଶ୍ରାମ ନେବାକୁ ହୁଏ । ଶୋଇବା ଆରମ୍ଭରେ ଧୀରେ  ଧୀରେ ସେଇ ଆଖି ବୁଲୁନଥିବା ନିଦର ୩ଟି ସ୍ତର  ଆରମ୍ଭ ହୁଏ, ଯାହାର ଶେଷସ୍ତରରେ ଆମ ନିଦଟି ବେଶ୍‌  ଗାଢ଼ ହୋଇଥାଏ । ଏଭଳି ସ୍ଥିତିରେ ଭାବନା ପ୍ରକ୍ରିୟାରେ  ପୂର୍ଣ୍ଣଚ୍ଛେଦ ପଡ଼େ ଏବଂ ମସ୍ତିଷ୍କ ବି ସୁପ୍ତ ଅବସ୍ଥାକୁ  ଚାଲିଯାଏ । ନିଦ ମାଉସୀ କୋଳରେ ଏମିତି କିଛି ସମୟ  ଯିବା ପରେ ସେ ଥକାପଣଟି ଦୂର ହୋଇଗଲେ ମସ୍ତିଷ୍କର  କାମ ବି ଆସ୍ତେକରି ଆରମ୍ଭ ହୋଇଯାଏ ଓ ମନ ପୁଣି  ଜାଗିଉଠେ । ଏଇଠୁ ଆରମ୍ଭ ହୋଇଯାଏ ଆଖିବୁଲୁଥିବା  ବା ସପନଦେଖା ନିଦ । ଏ ପରିସ୍ଥିତିରେ ମସ୍ତିଷ୍କର କିଛି  ଅଂଶ ଶକ୍ତି ଲାଭ କରି କାମ କରିବାରେ ଲାଗେ । ଯାହା  ଜଣାଯାଏ ଏହାର ପ୍ରଭାବରେ ସ୍ମୃତି ସାଇତା କିଛି ଘଟଣା  ବା ସ୍ଥାନ ବା ବ୍ୟକ୍ତିବିଶେଷ ଆଦିଙ୍କ ଆଧାରରେ ଆପେ  ଆପେ କିଛି କାହାଣୀ ସୃଷ୍ଟିହେବା ଫଳରେ ସ୍ୱପ୍ନ ନାମକ ଏ  ଅଦ୍ଭୁତ ଅନୁଭବର ଜନ୍ମ ହୋଇଥାଏ । ମାତ୍ର, କିଛି ଦୂରୁହ ପରିସ୍ଥିତିରେ ଆଖି ବୁଲୁଥିବା ନିଦର ଅଭାବରେ ମଧ୍ୟ ସ୍ୱପ୍ନ  ଜାତ ହେବା କଥା ବି ଅଛପା ନୁହେଁ । ଅବଶ୍ୟ, ଏହିପରି  ଭାବରେ ଜାତ ସ୍ୱପ୍ନ ଯେତିକ ବ୍ୟକ୍ତିର ମାନସିକ ସ୍ତରକୁ  ଆଘାତ ଦେବାର ବି ନଜିର କିଛି କମ୍‌ ନୁହେଁ ।

ଏଠାରେ  ନିଦ୍ୱର୍ନ୍ଦ୍ୱରେ କୁହାଯାଇପାରେ, ବିଭିନ୍ନ ଗବେଷକଙ୍କ କାମ  ଆଧାରରେ ସ୍ୱପ୍ନ ହୁଏତ ଅନେକ ପ୍ରକାରର ବୋଲି ।  ହେଲେ ଗୋଟିଏ ହିସାବରେ ଏହାକୁ ୫ ପ୍ରକାରରେ ଭାଗ କରାଯାଇପାରେ ବୋଲି ନନ୍ଦକାରଙ୍କ ଲେଖାଟି ଜଣାଏ,  ଯଥା- ସ୍ଥିତିକୁ ନେଇ ଦୁଃସ୍ୱପ୍ନ (ଏକ୍‌ଝିସ୍‌ଟେନ୍‌ସିଏଲ୍‌  ଡ୍ରିମ୍ସ), ଉତ୍ସକତାକୁ ନେଇ ଦୁଃସ୍ୱପ୍ନ (ଏନ୍‌ଜାଇଟି  ଡ୍ରିମ୍ସ), ଉପଲବ୍ଧିକୁ ନେଇ ସୁସ୍ୱପ୍ନ (ଟ୍ରାନ୍‌ସଡେଣ୍ଟ ଡ୍ରିମ୍ସ),  ପ୍ରଭାବହୀନ ସ୍ୱପ୍ନରାଜି (ଅନ୍‌ଇମ୍ପେକ୍ଟଫୁଲ୍‌ ଡ୍ରିମ୍ସ) ଏବଂ ସ୍ୱଳ୍ପପ୍ରଭାବୀ ସ୍ୱପ୍ନ (ଏଲିନେସନ୍‌ ଡ୍ରିମ୍ସ) । ଏହା ବାଦ୍‌  ଆହୁରି ଜାଣିବାର କଥା ଯେ, ଯଦି ଗୋଟିଏ ପ୍ରକାରର  ସ୍ୱପ୍ନ ବାରମ୍ବାର ଆସେ ତାହେଲେ ତାର ପ୍ରଭାବ ଆମ  ମାନସିକ ସ୍ତରରେ ବେଶ୍‌ ଅଧିକ ହୋଇଥାଏ, କାରଣ  ଏହା ଆମକୁ ଅକାରଣରେ ଏହାର ଏକ ଅର୍ଥ ଖୋଜିବାକୁ  ବାଧ୍ୟକରେ, ଯାହାକି କେବେ ସଫଳ ହୋଇନଥାଏ ।  

ତେବେ ଏଠାରେ ସବୁଠାରୁ ମଜା କଥାଟି ହେଉଛି  ସପନ ବୋଲାଉଥିବା ଅନୁଭୂତିଟି ନାନା ପ୍ରକାରର ବିଶ୍ୱାସ  ଅବା ଅନ୍ଧବିଶ୍ୱାସ ସହିତ ଜଡ଼ିତ ଥିବାର ନଜିର ରହିଛି ।  ହିନ୍ଦୁ ଧର୍ମରେ ସ୍ୱପ୍ନକୁ ନେଇ ପ୍ରଚଳିତ ଥିବା ଚିନ୍ତାଧାରାରୁ  କଥାଟି ଆରମ୍ଭ କରିବା ଟାଇମ୍‌ସ ଅଫ୍‌ ଇଣ୍ଡିଆର ୨୦୨୫  ମସିହା ମାର୍ଚ୍ଚ ମାସର ଏକ ଲେଖାର ଆଧାରରେ ।  ଯେପରିକି ସାପ ସ୍ୱପ୍ନ ନିଜ ଉପରକୁ ଆସୁଥିବା ବିପଦକୁ  ଜଣାଉଥିବା ବେଳେ, ସାପ ଧରିବା ସ୍ୱପ୍ନଟି ଶତ୍ରୁ  ଉପରେ ବିଜୟକୁ ସୂଚାଇଥାଏ, ସ୍ୱପ୍ନରେ ନିଜର ମୃତ୍ୟୁ  ଦେଖିଲେ କଠିନ ସମୟର ଅନ୍ତ ହୋଇ କିଛି ନୂଆ  ହେବାର ସମ୍ଭାବନାକୁ ବୁଝାଉଥିବା ତଥା ବିଭିନ୍ନ ରୂପରେ  ପାଣିର ସ୍ୱପ୍ନକୁ ଶୁଭ ବୋଲି ମଧ୍ୟ ସେଥିରେ ଉଲ୍ଲେଖ  କରାଯାଇଅଛି ଅନ୍ୟ ଅନେକ ଏ ପ୍ରକାରର ଉଦାହରଣ  ସହ । 

ଏବେ ମୁଁ ଲିଷ୍ଟଭର୍ସ ନାମକ ୱେବ୍‌ସାଇଟ୍‌ରେ ବର୍ଣ୍ଣନା  କରାଯାଇଥିବା ଏମିତି କେତେକ ବିଶ୍ୱସ୍ତରୀୟ ସାମାଜିକ  ବିଶ୍ୱାସକୁ ସଭିଙ୍କ ସାମ୍ନାକୁ ଆଣିବାକୁ ପ୍ରୟାସ କରୁଛି । ଯହିଁ  ପୁରାତନ ଇଜିପ୍‌ଟ ସଭ୍ୟତାରେ ସ୍ୱପ୍ନକୁ ଏକ ମାନସିକ  ସ୍ଥିତି ରୂପରେ ନଦେଖି ଏହା ସ୍ୱପ୍ନ ଦେଖୁଥିବା ମାନବର  ମୁଣ୍ଡ ବାହାରେ ସଂଗଠିତ ହେଉଥିବା ଘଟଣାବଳୀ ବୋଲି  ବିଶ୍ୱାସ କରାଯାଉଥିଲା, ଗ୍ରୀକ୍‌ ସଭ୍ୟତାର ଲୋକେ ଏହାକୁ  ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ତଥା ଶରୀର ଭିତରେ  ଲୁଚି ରହିଥିବା ରୋଗର ପ୍ରତିଫଳନ ରୂପେ ଦେଖୁଥିବାର  ଜଣାଯାଏ । ସେହିପରି ଥାଇଲାଣ୍ଡରେ ଦାନ୍ତ ପଡ଼ିବା ସ୍ୱପ୍ନ  ସହ ନିକଟ ଭବିଷ୍ୟତରେ ନିଜର ଜ୍ଞାତିକୁଟୁମ୍ବ ମଧ୍ୟରେ  କାହାର ମୃତ୍ୟୁର ସମ୍ଭାବନା କଥା ଅବା ଦେହରେ ସାପ  ଗୁଡ଼ାଇ ହେବାର ଶୁଭ ସ୍ୱପ୍ନ ସହ ଭଲପାଉଥିବା ମଣିଷର  ଭେଟକୁ ଯୋଡ଼ି ଦିଆଯାଇଥାଏ ।  

ଏତେସବୁ ଆଲୋଚନା ଭିତରେ ଏ କଥାଟି କିନ୍ତୁ  ଷୋଳଅଣା ସତ ଯେ, ଏ ସପନ ରୂପକ ମାନସିକ  ବିଚାରଣାଟି ଆମ ମସ୍ତିଷ୍କର ଅଦ୍ଭୁତ କାର୍ଯ୍ୟଧାରାର ଏକ  ପରିପ୍ରକାଶ ମାତ୍ର । ଶରୀରସ୍ଥ ଦୈନନ୍ଦିନ କାର୍ଯ୍ୟଧାରାର  ଅଂଶବିଶେଷ ଏ ବିଚିତ୍ର ଅନୁଭୂତିଟି ବେଳେବେଳେ  କିନ୍ତୁ ଆମକୁ ଅସୁବିଧାରେ ପକାଇଥାଏ ନାଇଟ୍‌ମେର୍‌,  ଏନ୍‌ଜାଇଟି ଡ୍ରିମ୍‌ ଆଦିର ରୂପ ନେଇ । ଏଭଳି ସ୍ଥିତିରେ  ଏଣୁ ତେଣୁ କଥା ନବିଚାରି ମନୋବିଜ୍ଞାନ ସହ ଜଡ଼ିତ ଜଣେ  ଉପଯୁକ୍ତ ବ୍ୟକ୍ତିଙ୍କ ସହାୟତା ନେବା ସମୀଚୀନ ମନେହୁଏ ।  ଭାରିଜାଙ୍କ ଡାକରେ ଧଡ଼ପଡ଼ ହୋଇ ଉଠି ଆଖି ମଳିମଳି  ଘଣ୍ଟାକୁ ଚାହିଁଲାବେଳକୁ ଦିନ ସାଢ଼େଆଠଟା, ପାଟିରୁ ଛାଏଁ  ଖସିଗଲା- ବାପ୍‌ରେ, କେତେ ଲମ୍ବା ସପନଟି ସତରେ!