ବିଜୟଲକ୍ଷ୍ମୀ ପଣ୍ଡିତ ତାଙ୍କ ବିବାହ ଅନୁଷ୍ଠାନ ସମାପ୍ତ ହେବା ପରେ ଆଶୀର୍ବାଦ ନେବାପାଇଁ ମହାତ୍ମା ଗାନ୍ଧିଙ୍କ ନିକଟରେ ପହଞ୍ଚିଲେ । ତାଙ୍କୁ ପ୍ରଣାମ କରନ୍ତେ ଗାନ୍ଧିଜୀ ନବଦମ୍ପତିଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତ ଉପରେ ଏକ ନାତିଦୀର୍ଘ ବକ୍ତବ୍ୟ ରଖି ସେହି ବ୍ରତକୁ ନିଷ୍ଠାର ସହ ପାଳନ କରିବାକୁ ଉପଦେଶ ଦେଲେ । ବରପାତ୍ର ତାହା ଶୁଣି କିଂକର୍ତ୍ତବ୍ୟବିମୂଢ଼ ଭାବରେ ଠିଆ ହୋଇଥାନ୍ତି । ଶେଷରେ ବିଜୟଲକ୍ଷ୍ମୀ ପଣ୍ଡିତ କହିଲେ “ବାପୁ! ମୁଁ ଜନନୀ ହେବାକୁ ଚାହେଁ । ଆପଣଙ୍କ ଉପଦେଶ ମାନିବା ସମ୍ଭବ ନୁହେଁ । କ୍ଷମା କରିବେ ।’ ଗାନ୍ଧିଜୀ ଗମ୍ଭୀର ହୋଇଗଲେ ।
ଭାରତୀୟ ଶାସ୍ତ୍ରରେ ବାକ୍ଶକ୍ତିର ପ୍ରୟୋଗ ଉପରେ ଅତ୍ୟନ୍ତ ସାବଧାନ ହେବାକୁ ପରାମର୍ଶ ଦିଆଯାଇଛି । ବ୍ୟାଘ୍ରୀ ଯଥା ହରେତ୍ ପୁତ୍ରାନ୍ ଦ୍ରଂଷ୍ଟୟୋମଧ୍ୟେ ସଂସ୍ଥିସ୍ଥାନ୍, ଭୀତା ପତନଭେଦାଭ୍ୟାଂ ତତବତ୍ ବର୍ଣ୍ଣାନ୍ ପ୍ରୟୋଜତେତ୍ । ଅର୍ଥାତ୍ ବ୍ୟାଘ୍ରୀ ନିଜ ଶାବକକୁ ଉପର-ତଳ ଦୁଇ ଦାନ୍ତ ମଧ୍ୟରେ ଅତି ସତର୍କତାର ସହ ବହନ କରେ, କାରଣ ଅନ୍ୟଥା ଶାବକ ଭୂଇଁକୁ ଖସି ପଡ଼ିବାର ଅଥବା ତାର ଦାନ୍ତ ଶାବକ ଶରୀର ଭେଦ କରି କ୍ଷତାକ୍ତ କରିବାର ଭୟ ଥାଏ । ଜଣେ ସଂଭ୍ରାନ୍ତ ଯୁବକ ଲଜ୍ଜାବଶତଃ ମହିଳାମାନଙ୍କ ସହ ମିଶି ପାରୁନଥିବାରୁ ଆତ୍ମଗ୍ଳାନି ଅନୁଭବ କରନ୍ତେ ଜଣେ ବନ୍ଧୁ ତାକୁ କହିଲେ "ପ୍ରଥମେ ମହିଳାଙ୍କ ବିଭିନ୍ନ ଜିନିଷକୁ ପ୍ରଶଂସା କରିବୁ । ସେ ବିବାହିତା ନା ନୁହେଁ, ତାଙ୍କର ପିଲାପିଲି କେତେ, ସେମାନେ କିପରି ଅଛନ୍ତି ଆଦି ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରଶ୍ନ ପଚାରିବୁ, ଦେଖିବୁ ସେ ନିଶ୍ଚୟ ତୋ ସଙ୍ଗେ କଥାବାର୍ତ୍ତା କରିବେ' । ଦିନେ ଯୁବକଟି ଜଣେ ମହିଳାଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିବାକୁ ଯାଇ ତାଙ୍କ ବ୍ୟାଗ୍ର ପ୍ରଶଂସା କଲା । ମହିଳା ଜଣକ ଖୁସି ବ୍ୟକ୍ତ କଲେ । ତା’ପରେ ସେ ପଚାରିଲା "ଆପଣଙ୍କ ପିଲାପିଲି କେତେ?' ମହିଳା ଜଣକ ଉତ୍ତର ଦେଲେ "ପୁଅଟିଏ, ଝିଅଟିଏ ।' ତାହାପରେ ସେ ପଚାରିଲା "ଆପଣ ବିବାହିତା?' ସଙ୍ଗେ ସଙ୍ଗେ ଭଦ୍ର ମହିଳା ଉତ୍କ୍ଷିପ୍ତ ହୋଇ ତାକୁ ଅଭଦ୍ର ବୋଲି ଗାଳି ଦିଅନ୍ତେ ଯୁବକଟି ଚାଲିଆସି ତାକୁ ତାଲିମ ଦେଇଥିବା ବନ୍ଧୁଙ୍କୁ ସବୁ କଥା କହିଲା । ବନ୍ଧୁ କହିଲେ, "ମୂର୍ଖ! ତୁ ସିନା ପ୍ରଥମେ ବିବାହ କଥା ପଚାରିଥାନ୍ତୁ । ତୁ କ୍ରମ ରକ୍ଷା ନକରି ଅସୁବିଧାରେ ପଡିଲୁ ।' ଆଉ ଦିନକର କଥା । ସେ ଆଉ ଜଣେ ମହିଳାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ଯାଇ କଥା ପ୍ରସଙ୍ଗରେ ପଚାରିଲା "ମ୍ୟାଡାମ୍! ଆପଣ ବିବାହିତା?' ଭଦ୍ର ମହିଳା କହିଲେ- ନା । ତାହାପରେ ସେ ପଚାରିଲା "ଆପଣଙ୍କ ପିଲାପିଲି କେତେ?' ମହିଳା ଜଣକ ଉତ୍କ୍ଷିପ୍ତ ହୋଇ ତାକୁ ଅଭଦ୍ର କହିଲେ ଓ ଗାଳି ବର୍ଷଣ କଲେ । ଯୁବକଟି ସଚେତନ ହେଲା ଓ ତାଙ୍କୁ କ୍ଷମା ମାଗି ଚାଲିଆସିଲା । ଏହା ଅବଶ୍ୟ ଯୁବକର ନିର୍ବୋଧତା ବା ନିରୀହତା ହୋଇପାରେ । ମାତ୍ର ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ମତରେ, ଏ ପର୍ଯ୍ୟାୟରେ ନିରୀହତା ମଧ୍ୟ ଅଜ୍ଞାନତା ଓ ଅସାବଧାନତାର ଅଭିବ୍ୟକ୍ତି । ଏଣୁ ସତର୍କତା ଅବଲମ୍ବନ ନକଲେ ପାଟିରୁ ଉଚ୍ଚାରିତ ଶବ୍ଦ ଅନ୍ୟକୁ ଆଘାତ ଦେବା ସଙ୍ଗେ ସଙ୍ଗେ ସମାଜରେ ବିଷମ ସମସ୍ୟା ସୃଷ୍ଟି କରେ ଓ ଶାନ୍ତି ଭଙ୍ଗ କରେ ।
ଆମେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କଲାବେଳେ ସ୍ଥାନ, କାଳ ଓ ପାତ୍ର ବିଷୟରେ ସଚେତନ ହେବା ଦରକାର । ରେଭେନ୍ସା କଲେଜିଏଟ୍ ସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ମହାରଣା ଥାଆନ୍ତି ଜଣେ ବିଶିଷ୍ଟ ବ୍ୟାକରଣବିତ୍ । ଶିକ୍ଷକତାରୁ ଅବସର ନେବାପରେ ସେ ନିଜ ଗାଁ ରେମୁଣାରେ ରହୁଥାନ୍ତି । ସେ ଅତ୍ୟଧିକ ବ୍ୟାକରଣ ଚର୍ଚ୍ଚା କରନ୍ତି । ଫଳରେ ତାଙ୍କର ସମସ୍ତ ଲେଖା ଓ କଥାବାର୍ତ୍ତାରେ ମଧ୍ୟ ବ୍ୟାକରଣଗତ ତ୍ରୁଟିଥିବା ଭଳି ଲାଗିଲା । ଏଣୁ ସେ ଲେଖାପଢ଼ା ବନ୍ଦ କରିଦେଲେ । ଉପରବେଳା ଜଣେ ଗୁଡ଼ିଆ ଭଜାଚୁଡ଼ା, ମୁଢ଼ି ଓ ଉଖୁଡ଼ା ଆଦି ବିକ୍ରୟ କରିବାକୁ ଆସେ ଓ ସେ ତା’ଠାରୁ କିଣି ଖାଆନ୍ତି । ଦିନେ ହଠାତ୍ ଗୁଡ଼ିଆ ତାଙ୍କ କ୍ରୋଧର ଶିକାର ହେଲା । କାରଣ ତା’ କଥାରେ ବ୍ୟାକରଣଗତ ତ୍ରୁଟି ଥିଲା, ଯେହେତୁ ସେ ଭଜାଚୁଡ଼ାକୁ ଚୁଡ଼ାଭଜା ବୋଲି କହୁଥିଲା । ତାକୁ ମହାରଣା କହିଲେ "ତୁମ ଭାଷାରେ ବ୍ୟାକରଣ ଦୋଷ ରହୁଛି । ଓଡ଼ିଆ ଭାଷାକୁ ତୁମେ ଅପମାନିତ କରୁଛ । ବିଶେଷ୍ୟ ପଦ ପୂର୍ବରୁ ବିଶେଷଣ ପଦ ବସେ । ଭଜା ବିଶେଷଣ ପଦ । ଏଣୁ ଚୁଡ଼ା ପୂର୍ବରୁ ଭଜା ଲାଗିବ ।' ଗୁଡ଼ିଆ ପାଠ ପଢ଼ିନଥିଲା । ଏଣୁ ସେ କିଛି ବୁଝି ପାରିଲା ନାହିଁ । ସେ ମହାରଣା ବାବୁଙ୍କୁ ଡରି ଆଉ ଚୁଡ଼ା, ମୁଢ଼ି ବିକ୍ରି କରିବାକୁ ଆସିଲା ନାହିଁ । ମାତ୍ର ମହାରଣା ବାବୁ ତାର ଚୁଡ଼ା ଖାଇବାକୁ ଭଲ ପାଉଥିଲେ । ସେ ନଆସିବାରୁ ବ୍ୟସ୍ତ ହୋଇପଡ଼ିଲେ ଓ ତାକୁ ଡକାଇ ପଠାଇଲେ । ସେ ତାକୁ ନଆସିବାର କାରଣ ପଚାରନ୍ତେ, ସେ ତା’ ଭୟ କଥା କହିଲା । ଶେଷରେ ମହାରଣା ବାବୁ କହିଲେ "ହେଉ । ମୁଁ ଆଉ ବ୍ୟାକରଣ କହିବି ନାହିଁ । ଆସିବୁ ।' ମହାରଣା ବାବୁ ବ୍ୟାକରଣ ଆଲୋଚନା କଲାବେଳେ ଭୁଲିଗଲେ ଯେ, ସେ ଯାହାକୁ କହୁଛନ୍ତି ସେ ନିରକ୍ଷର । ପାତ୍ର ବିଚାର ନକରି କଥା କହିଲେ ଏହିଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ।
ଭାରତୀୟ ପରମ୍ପରାରେ ବ୍ରହ୍ମଚର୍ଯ୍ୟ ଏକ ମହାନ୍ ଶୃଙ୍ଖଳା । ଜୀବନର ପ୍ରଥମ ୨୫ବର୍ଷ ମଣିଷ ବ୍ରହ୍ମଚର୍ଯ୍ୟ ପାଳନ କରେ ଓ ତା’ପରେ ବିବାହ କରି ଗାର୍ହ୍ୟସ୍ଥାଶ୍ରମରେ ପ୍ରବେଶ କରେ । ଅବଶ୍ୟ ଜଣେ ସ୍ୱେଚ୍ଛାପ୍ରଣୋଦିତ ଭାବରେ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିପାରେ । ପାତ୍ର ଗୃହସ୍ଥ ହେଲେ ବ୍ରହ୍ମଚର୍ଯ୍ୟ ପାଳନ କରିବା ସମ୍ଭବ ହୁଏନାହିଁ । ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ ତାଙ୍କ ବିବାହ ଅନୁଷ୍ଠାନ ସମାପ୍ତ ହେବା ପରେ ଆଶୀର୍ବାଦ ନେବାପାଇଁ ମହାତ୍ମା ଗାନ୍ଧିଙ୍କ ନିକଟରେ ପହଞ୍ଚିଲେ । ତାଙ୍କୁ ପ୍ରଣାମ କରନ୍ତେ ଗାନ୍ଧିଜୀ ନବଦମ୍ପତିଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତ ଉପରେ ଏକ ନାତିଦୀର୍ଘ ବକ୍ତବ୍ୟ ରଖି ସେହି ବ୍ରତକୁ ନିଷ୍ଠାର ସହ ପାଳନ କରିବାକୁ ଉପଦେଶ ଦେଲେ । ବରପାତ୍ର ତାହା ଶୁଣି କିଂକର୍ତ୍ତବ୍ୟବିମୂଢ଼ ଭାବରେ ଠିଆ ହୋଇଥାନ୍ତି । ଶେଷରେ ବିଜୟଲକ୍ଷ୍ମୀ ପଣ୍ଡିତ କହିଲେ "ବାପୁ! ମୁଁ ଜନନୀ ହେବାକୁ ଚାହେଁ । ଆପଣଙ୍କ ଉପଦେଶ ମାନିବା ସମ୍ଭବ ନୁହେଁ । କ୍ଷମା କରିବେ ।' ଗାନ୍ଧିଜୀ ଗମ୍ଭୀର ହୋଇଗଲେ । ବିବାହିତ ଦମ୍ପତିଙ୍କୁ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ଉପଦେଶ ଦେବା ଯେ ଏକ ଅପ୍ରାସଙ୍ଗିକ ବ୍ୟାପାର ଏ ସମ୍ପର୍କରେ ସେ ସଚେତନ ନଥିଲେ । ସେ ହଠାତ୍ ଏକ ଆଦର୍ଶବୋଧର କଥା କହିଦେଇ ଏକ ଅଡୁଆ ପରିସ୍ଥିତିରେ ପଡ଼ିଗଲେ । ଇସପ୍ ଥିଲେ ଗ୍ରୀସ୍ ଦେଶର ଜଣେ ପ୍ରଖ୍ୟାତ କଥାକାର । ତାଙ୍କ ରଙ୍ଗରସଭରା କାହାଣୀଗୁଡିକ ପାଠକମାନଙ୍କୁ ଆହ୍ଲାଦିତ କରିଥାଏ । ଥରେ ଦୁଇ ଦଳ ବ୍ୟକ୍ତି କୌଣସି କାରଣରୁ ସଙ୍ଘର୍ଷରତ ଥାଆନ୍ତି । ସେମାନଙ୍କୁ ସେଥିରୁ ବିରତ କରିବା ପାଇଁ ଇସପ୍ ଏକ ମଜାଳିଆ କାହାଣୀ କହି ହସାଇବାକୁ ଚେଷ୍ଟା କଲେ । ମାତ୍ର ଫଳ ହେଲା ବିପରୀତ । ସେମାନେ ଭାବିଲେ ଇସପ୍ ସେମାନଙ୍କୁ ଥଟ୍ଟା ପରିହାସ କରୁଛନ୍ତି । ସେମାନେ ଭୀଷଣ ରାଗିଗଲେ ଓ ଇସପ୍ଙ୍କୁ ଏକ ଗଭୀର ଖାତକୁ ପେଲିଦେଇ ହତ୍ୟାକଲେ ।
ଅନେକ ସମୟରେ ସ୍ଥାନ, କାଳ, ପାତ୍ର ଆଦିକୁ ବିଚାର ନକରି କୌଣସି କଥା କହିଦେଲେ ତାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରେ ଓ ଜୀବନ ବିପଦାପନ୍ନ ହୁଏ । ଅନେକ ମତାନ୍ଧ ଅଛନ୍ତି, ଯେଉଁମାନେ ନିଜ ସ୍ୱଳ୍ପଜ୍ଞାନରେ ସନ୍ତୁଷ୍ଟ ରହି ଅନ୍ୟ କାହାରି କଥା ଶୁଣନ୍ତି ନାହିଁ । ସେମାନେ କେବଳ ଯୁକ୍ତି ଦ୍ୱାରା ନିଜକୁ ଠିକ୍ ବୋଲି ସାବ୍ୟସ୍ତ କରନ୍ତି, କାରଣ ସେମାନେ ଅହମିକାଗ୍ରସ୍ତ । ମନେପଡେ ଏକ କ୍ଷୁଦ୍ର କାହାଣୀ । ଗଧ ବାଘକୁ କହିଲା "ଘାସର ରଙ୍ଗ ନୀଳ ।' ବାଘ କହିଲା "ମୂର୍ଖ । ଘାସର ରଙ୍ଗ ନୀଳ ନୁହେଁ ସବୁଜ ।' ମାତ୍ର ଗଧ ବାଘର କଥାକୁ ଠିକ୍ ବୋଲି ଗ୍ରହଣ କଲାନାହିଁ । ଉଭୟ ନିଜ ନିଜ ମତରେ ଅଟଳ ରହିଲେ ଓ ବିଚାର ପାଇଁ ରାଜା ସିଂହ ପାଖରେ ପହଞ୍ଚିଲେ । ଗଧ ସିଂହକୁ ପଚାରିଲା "ମହାରାଜ! ଏହା କଅଣ ସତ ନୁହେଁ, ଘାସର ରଙ୍ଗ ନୀଳ ।' ସିଂହ କହିଲା "ତୁମେ ଯଦି ଠିକ୍ ଦେଖିଛ ତାହେଲେ ନୀଳ ।' ଗଧ କହିଲା "ମହାରାଜ! ବାଘ ଏଥିରେ ଏକମତ ନୁହେଁ । ଏଣୁ ଆପଣ ତା’ପ୍ରତି ଦଣ୍ଡବିଧାନ କରନ୍ତୁ, କାରଣ ସେ ମିଥ୍ୟା ପ୍ରଚାର କରୁଛି ।' ସିଂହ କହିଲା "ଠିକ୍ ଅଛି । ମୁଁ ଦଣ୍ଡ ଘୋଷଣା କରୁଛି- ମିଥ୍ୟା ପ୍ରସାର କରୁଥିବାରୁ ବାଘ ଆଗାମୀ ତିନିଦିନ ନିରବ ରହିବ ।' ଗଧ ଖୁସି ହୋଇ ଚାରିଆଡ଼େ ପ୍ରଚାର କଲା ଯେ ଘାସର ରଙ୍ଗ ନୀଳ । କିଛିଦିନ ଅନ୍ତେ ବାଘ ସିଂହକୁ ପଚାରିଲା "ମହାରାଜ! ଆପଣ ତ ଜ୍ଞାନୀ । ଆପଣ ତ ଜାଣନ୍ତି ଘାସ ସବୁଜ ।
ତଥାପି ମୋତେ ଆପଣ ଦଣ୍ଡ ଦେଲେ କାହିଁକି?' ସିଂହ କହିଲା "ଘାସର ରଙ୍ଗ ସଂପର୍କୀୟ ଉତ୍ତର ସହ ଦଣ୍ଡର କୌଣସି ସମ୍ପର୍କ ନାହିଁ । ଏଥିପାଇଁ ଦଣ୍ଡ ଦିଆଗଲା ଯେ ତୁମେ ଜଣେ ବିଜ୍ଞ ପଶୁ ହୋଇ କାହାରି କଥା ଶୁଣିବାକୁ ଚାହୁଁନଥିବା ନିର୍ବୋଧ ଗଧ ସହ ଯୁକ୍ତି କରୁଛ । ଏହା ତୁମ ପାଇଁ ମର୍ଯ୍ୟାଦାହାନିକର । ପୁନଶ୍ଚ ତୁମେ ନିଜ ସମୟ ନଷ୍ଟ କଲ ଓ ତୁମେ ଯାହା ସତ୍ୟ ବୋଲି ଜାଣିଛ ତାକୁ ପ୍ରମାଣ କରିବା ପାଇଁ ମୋ ପାଖକୁ ଆସି ମୋର ସମୟ ବି ନଷ୍ଟ କଲ । ନିର୍ବୋଧ ସହ ଯୁକ୍ତି କରିବା ଅର୍ଥ ସମୟର ଅପଚୟ ।' ସିଂହଟି ଯେଉଁ କଥାଟି କହିଲା ଦୈନନ୍ଦିନ ଜୀବନରେ ଏହା ଅତି ପ୍ରାସଙ୍ଗିକ । ଆମେ ଅନେକ ସମୟରେ ଗଧ ଭଳି ଲୋକଙ୍କ ସମ୍ମୁଖୀନ ହେଉ ଓ ବାଘ ଭଳି ଆମେ ତାକୁ ଠିକ୍ କଥା ବୁଝାଇବାକୁ ଚେଷ୍ଟା କରି ବିଫଳ ହେଉ । ଏହିଭଳି କ୍ଷେତ୍ରରେ ଗୀତା ଉପଦେଶ ଦେଇଛନ୍ତି "ନାଚାଶୁଶ୍ରୂଷବେବାଚ୍ୟଂ' । ଅର୍ଥାତ୍- ଯିଏ ଶୁଣିବାକୁ ଚାହୁଁନାହିଁ ତାକୁ ଜୋର କରି କିଛି କଥା କୁହନାହିଁ । ଅନେକ ସମୟରେ ଆମେ ଅନାବଶ୍ୟକ ଭାବରେ ବହୁତ କଥା ଗପିଚାଲୁ ଓ ତାହା ବେଳେବେଳେ ସମାଜରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରେ । ସେଥିପାଇଁ ଶାସ୍ତ୍ରମାନଙ୍କରେ ବାକ୍ ସଂଯମ ସାଧନା କରିବା ପାଇଁ କୁହାଯାଇଛି ।