ନୂଆଦିଲ୍ଲୀ,୨୪/୦୭: ଅଷ୍ଟମ ବେତନ ଆୟୋଗ ଗଠନ ନେଇ ଆଲୋଚନା ଜାରି ରହିଛି । ରାଜ୍ୟ ସରକାର, ଅର୍ଥ ମନ୍ତ୍ରାଳୟ ଏବଂ ସଂପୃକ୍ତ ବିଭାଗଗୁଡ଼ିକ ସହ ସରକାର ଏ ନେଇ କାର୍ଯ୍ୟ କରୁଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଏକ ନୂଆ ରିପୋର୍ଟ ଅନୁସାରେ, ସପ୍ତମ ବେତନ ଆୟୋଗ ତୁଳନାରେ ଅଷ୍ଟମ ବେତନ ଆୟୋଗ ଅଧୀନରେ କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ଆଶାଠାରୁ କମ୍ ରହିବ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ମୂଳ ଦରମା ୧୮,୦୦୦ ଟଙ୍କା ଥିବାବେଳେ ଅଷ୍ଟମ ବେତନ ଆୟୋଗ ଅଧୀନରେ ଏହା ୩୨,୦୦୦ ଟଙ୍କାକୁ ବଢ଼ିପାରେ ।
କୋଟାକ୍ ଇନ୍ଷ୍ଟିଚ୍ୟୁସନାଲ ଇକ୍ୱିଟିଜ୍ର ଏକ ରିପୋର୍ଟ ଅନୁସାରେ, ଆଗାମୀ ଅଷ୍ଟମ ବେତନ ଆୟୋଗ ଅଧୀନରେ କେନ୍ଦ୍ର କର୍ମଚାରୀଙ୍କ ଦରମା ୧୩% ବଢ଼ିପାରେ, ଯାହା ସପ୍ତମ ବେତନ ଆୟୋଗ ଅଧୀନରେ ୧୪.୩% ଥିଲା । ଅଷ୍ଟମ ବେତନ ଆୟୋଗ ଅଧୀନରେ ଫିଟ୍ମେଣ୍ଟ ଫ୍ୟାକ୍ଟର ୧.୮ ଧାର୍ଯ୍ୟ କରାଯାଇପାରେ, ଯାହାକି ସପ୍ତମ ବେତନ ଆୟୋଗରେ ୨.୫୭ ଥିଲା । ଏହାର ଅର୍ଥ ପୂର୍ବ ଆୟୋଗ ତୁଳନାରେ ଅଷ୍ଟମ ବେତନ ଆୟୋଗ ଅଧୀନରେ ମୂଳ ଦରମାରେ ମୋଟ ବୃଦ୍ଧି କମ୍ ରହିବ ।
ପ୍ରକାଶଯୋଗ୍ୟ, ଏକ ନୂଆ ବେତନ ଆୟୋଗ କାର୍ଯ୍ୟକାରୀ ହେବା ସମୟରେ କର୍ମଚାରୀଙ୍କ ମୂଳ ଦରମା ସଂଶୋଧିତ କରିବା ପାଇଁ ଫିଟ୍ମେଣ୍ଟ ଫ୍ୟାକ୍ଟର ଏକ ଗୁଣକ ଭାବେ ବ୍ୟବହାର ହୋଇଥାଏ । ଉଦାହରଣସ୍ୱରୂପ ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୧୮,୦୦୦ ଟଙ୍କା ରହିଛି ଏବଂ ଫିଟ୍ମେଣ୍ଟ ଫ୍ୟାକ୍ଟର ୨.୦, ତେବେ ସଂଶୋଧିତ ମୂଳ ଦରମା ୩୨,୪୦୦ ଟଙ୍କା (୧୮,୦୦୦୍ଠ ୧.୮) ହେବ । ଏଥିରେ ଏଚ୍ଆର୍ଏ କିମ୍ବା ଡିଏ ଅନ୍ତର୍ଭୁକ୍ତ ନାହିଁ, ଯାହାକୁ ପୃଥକ ଭାବେ ହିସାବ କରାଯାଇଥାଏ । ହାରାହାରି ଟେକ୍-ହୋମ୍ ପେ’ ବେଳେ ଏହା ମୋଟ ଦରମାରେ ପ୍ରତିଫଳିତ ହୁଏ । ମଙ୍ଗଳବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦକୁ ଲିଖିତ ଉତ୍ତରରେ ଜଣାଇଥିଲେ ଯେ, ପ୍ରମୁଖ ଅଂଶୀଦାରମାନଙ୍କଠାରୁ ମତାମତ ଗ୍ରହଣ କରାଯାଉଛି । ସରକାରଙ୍କ ଦ୍ୱାରା ଆୟୋଗକୁ ନେଇ ବିଜ୍ଞପ୍ତି ଜାରି ହେବା ପରେ ଅଷ୍ଟମ ବେତନ ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯିବ ।
ପ୍ରତି ୧୦ ବର୍ଷରେ ସରକାର ଜୀବନଧାରଣ ଖର୍ଚ୍ଚ ଆଧାରରେ କର୍ମଚାରୀଙ୍କ ଦରମା ଏବଂ ପେନ୍ସନଭୋଗୀଙ୍କ ପେନ୍ସନ ବଢ଼ାଇଥାନ୍ତି । ଉକ୍ତ କ୍ରମରେ ୨୦୨୬ରେ ଅଷ୍ଟମ ବେତନ ଆୟୋଗ ଅଧୀନରେ ବେତନ ବଢ଼ାଯିବା କଥା । କିନ୍ତୁ ପ୍ରକ୍ରିୟାରେ ବିଳମ୍ବ ହେବା ନେଇ ଅନୁମାନ କରିଛନ୍ତି ବିଶେଷଜ୍ଞ । ସପ୍ତମ ବେତନ ଆୟୋଗ ଲାଗୁ ହେବା ପରେ କର୍ମଚାରୀଙ୍କ ମୂଳ ଦରମା ୭,୦୦୦ ଟଙ୍କାରୁ ବଢ଼ି ୧୮,୦୦୦ ଟଙ୍କା ହୋଇଥିଲା । କର୍ମଚାରୀଙ୍କ ଦରମା ଏବଂ ପେନ୍ସନକୁ ସଂଶୋଧିତ କରିବା ପାଇଁ ୨.୫୭ର ଫିଟ୍ମେଣ୍ଟ ଫ୍ୟାକ୍ଟରକୁ ଲାଗୁ କରାଯାଇଥିଲା ।