ନୂଆଦିଲ୍ଲୀ,୨୪/୦୭: ଅଷ୍ଟମ ବେତନ  ଆୟୋଗ ଗଠନ ନେଇ ଆଲୋଚନା ଜାରି ରହିଛି ।  ରାଜ୍ୟ ସରକାର, ଅର୍ଥ ମନ୍ତ୍ରାଳୟ ଏବଂ ସଂପୃକ୍ତ ବିଭାଗଗୁଡ଼ିକ ସହ ସରକାର ଏ ନେଇ କାର୍ଯ୍ୟ  କରୁଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା  ଦେଇଛନ୍ତି । ତେବେ ଏକ ନୂଆ ରିପୋର୍ଟ ଅନୁସାରେ, ସପ୍ତମ ବେତନ ଆୟୋଗ ତୁଳନାରେ ଅଷ୍ଟମ ବେତନ ଆୟୋଗ ଅଧୀନରେ କେନ୍ଦ୍ର କର୍ମଚାରୀଙ୍କ  ଦରମା ବୃଦ୍ଧି ଆଶାଠାରୁ କମ୍‌ ରହିବ । ବର୍ତ୍ତମାନ  କେନ୍ଦ୍ର କର୍ମଚାରୀଙ୍କ ମୂଳ ଦରମା ୧୮,୦୦୦ ଟଙ୍କା  ଥିବାବେଳେ ଅଷ୍ଟମ ବେତନ ଆୟୋଗ ଅଧୀନରେ  ଏହା ୩୨,୦୦୦ ଟଙ୍କାକୁ ବଢ଼ିପାରେ ।  

କୋଟାକ୍‌ ଇନ୍‌ଷ୍ଟିଚ୍ୟୁସନାଲ ଇକ୍ୱିଟିଜ୍‌ର  ଏକ ରିପୋର୍ଟ ଅନୁସାରେ, ଆଗାମୀ ଅଷ୍ଟମ  ବେତନ ଆୟୋଗ ଅଧୀନରେ କେନ୍ଦ୍ର କର୍ମଚାରୀଙ୍କ ଦରମା ୧୩% ବଢ଼ିପାରେ, ଯାହା ସପ୍ତମ ବେତନ  ଆୟୋଗ ଅଧୀନରେ ୧୪.୩% ଥିଲା । ଅଷ୍ଟମ  ବେତନ ଆୟୋଗ ଅଧୀନରେ ଫିଟ୍‌ମେଣ୍ଟ  ଫ୍ୟାକ୍ଟର ୧.୮ ଧାର୍ଯ୍ୟ କରାଯାଇପାରେ, ଯାହାକି  ସପ୍ତମ ବେତନ ଆୟୋଗରେ ୨.୫୭ ଥିଲା ।  ଏହାର ଅର୍ଥ ପୂର୍ବ ଆୟୋଗ ତୁଳନାରେ ଅଷ୍ଟମ  ବେତନ ଆୟୋଗ ଅଧୀନରେ ମୂଳ ଦରମାରେ  ମୋଟ ବୃଦ୍ଧି କମ୍‌ ରହିବ । 

ପ୍ରକାଶଯୋଗ୍ୟ,  ଏକ ନୂଆ ବେତନ ଆୟୋଗ କାର୍ଯ୍ୟକାରୀ  ହେବା ସମୟରେ କର୍ମଚାରୀଙ୍କ ମୂଳ ଦରମା  ସଂଶୋଧିତ କରିବା ପାଇଁ ଫିଟ୍‌ମେଣ୍ଟ ଫ୍ୟାକ୍ଟର  ଏକ ଗୁଣକ ଭାବେ ବ୍ୟବହାର ହୋଇଥାଏ । ଉଦାହରଣସ୍ୱରୂପ ଯଦି ଜଣେ କର୍ମଚାରୀଙ୍କ  ମୂଳ ଦରମା ୧୮,୦୦୦ ଟଙ୍କା ରହିଛି ଏବଂ  ଫିଟ୍‌ମେଣ୍ଟ ଫ୍ୟାକ୍ଟର ୨.୦, ତେବେ ସଂଶୋଧିତ  ମୂଳ ଦରମା ୩୨,୪୦୦ ଟଙ୍କା (୧୮,୦୦୦୍ଠ ୧.୮) ହେବ । ଏଥିରେ ଏଚ୍‌ଆର୍‌ଏ କିମ୍ବା ଡିଏ  ଅନ୍ତର୍ଭୁକ୍ତ ନାହିଁ, ଯାହାକୁ ପୃଥକ ଭାବେ ହିସାବ  କରାଯାଇଥାଏ । ହାରାହାରି ଟେକ୍‌-ହୋମ୍‌ ପେ’  ବେଳେ ଏହା ମୋଟ ଦରମାରେ ପ୍ରତିଫଳିତ ହୁଏ ।  ମଙ୍ଗଳବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ  ଚୌଧୁରୀ ସଂସଦକୁ ଲିଖିତ ଉତ୍ତରରେ  ଜଣାଇଥିଲେ ଯେ, ପ୍ରମୁଖ ଅଂଶୀଦାରମାନଙ୍କଠାରୁ  ମତାମତ ଗ୍ରହଣ କରାଯାଉଛି । ସରକାରଙ୍କ  ଦ୍ୱାରା ଆୟୋଗକୁ ନେଇ ବିଜ୍ଞପ୍ତି ଜାରି ହେବା  ପରେ ଅଷ୍ଟମ ବେତନ ଆୟୋଗର ଅଧ୍ୟକ୍ଷ ଏବଂ  ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯିବ ।  

ପ୍ରତି ୧୦ ବର୍ଷରେ ସରକାର ଜୀବନଧାରଣ  ଖର୍ଚ୍ଚ ଆଧାରରେ କର୍ମଚାରୀଙ୍କ ଦରମା ଏବଂ  ପେନ୍‌ସନଭୋଗୀଙ୍କ ପେନ୍‌ସନ ବଢ଼ାଇଥାନ୍ତି । ଉକ୍ତ କ୍ରମରେ ୨୦୨୬ରେ ଅଷ୍ଟମ ବେତନ  ଆୟୋଗ ଅଧୀନରେ ବେତନ ବଢ଼ାଯିବା  କଥା । କିନ୍ତୁ ପ୍ରକ୍ରିୟାରେ ବିଳମ୍ବ ହେବା ନେଇ ଅନୁମାନ କରିଛନ୍ତି ବିଶେଷଜ୍ଞ । ସପ୍ତମ ବେତନ  ଆୟୋଗ ଲାଗୁ ହେବା ପରେ କର୍ମଚାରୀଙ୍କ  ମୂଳ ଦରମା ୭,୦୦୦ ଟଙ୍କାରୁ ବଢ଼ି ୧୮,୦୦୦  ଟଙ୍କା ହୋଇଥିଲା । କର୍ମଚାରୀଙ୍କ ଦରମା ଏବଂ  ପେନ୍‌ସନକୁ ସଂଶୋଧିତ କରିବା ପାଇଁ ୨.୫୭ର  ଫିଟ୍‌ମେଣ୍ଟ ଫ୍ୟାକ୍ଟରକୁ ଲାଗୁ କରାଯାଇଥିଲା ।