ନୂଆଦିଲ୍ଲୀ, ୧୫/୧୧ : ବୈଜ୍ଞାନିକମାନେ ଦକ୍ଷିଣପଶ୍ଚିମ ପ୍ରଶାନ୍ତ ମହାସାଗରରେ ବିଶ୍ୱର ସର୍ବବୃହତ ପ୍ରବାଳ ଦ୍ଵୀପ ଆବିଷ୍କାର କରିଛନ୍ତି। ଏହା ୧୦୦ ଫୁଟରୁ ଅଧିକ ଲମ୍ବା ଏବଂ ଅତିକମ୍ରେ ୩୦୦ ବର୍ଷ ପୁରୁଣା । ଏତେ ବିଶାଳ ଯେ ମହାକାଶରୁ ମଧ୍ୟ ଦୃଶ୍ୟମାନ ହେଉଛି । ସୋଲୋମନ୍ ଦ୍ୱୀପପୁଞ୍ଜରେ ମହାସାଗର ଉପରେ ଅଧ୍ୟୟନ ଲାଗି ଗତ ଅକ୍ଟୋବରରେ ନ୍ୟାସନାଲ ଜିଓଗ୍ରାଫିକ୍ ପ୍ରିଷ୍ଟାଇନ୍ ସିଜ୍ ପ୍ରୋଗ୍ରାମ୍ ଦ୍ୱାରା ଏକ ବୈଜ୍ଞାନିକ ଅଭିଯାନ ଆରମ୍ଭ ହୋଇଥିଲା । ଅଭିଯାନ ସମୟରେ ଏହି ବିଶାଳ ପ୍ରବାଳ ଆବିଷ୍କୃତ ହୋଇଥିଲା। ପ୍ରିଷ୍ଟାଇନ୍ ସିଜ୍ ଅନୁସାରେ, ପୂର୍ବରୁ ବିଶ୍ୱ ରେକର୍ଡରେ ସାମିଲ ଆମେରିକାର ସମୋଆ ସ୍ଥିତ ପ୍ରବାଳଠୁ ଏହା ୩ ଗୁଣ ବିଶାଳ । ପୃଥିବୀର ସର୍ବବୃହତ ଜୀବ ନୀଳ ତିମିଠୁ ମଧ୍ୟ ଏହା ଅଧିକ ଲମ୍ବା । ପ୍ରବାଳ ମହାସାଗର ତଳେ ସୃଷ୍ଟ ରିଫ୍ ବା ପ୍ରାଚୀରଠୁ ଭିନ୍ନ । ରିଫ୍ ଅନେକ ବସତିର ସମାହାର । କିନ୍ତୁ ଏହି ପ୍ରବାଳ ଏକକ ନମୁନା, ଯାହା ଅନେକ ଶତାବ୍ଦୀ ଧରି ନିରନ୍ତର ବଢ଼ିଛି ।
ପ୍ରିଷ୍ଟାଇନ୍ ସିଜ୍ର ପ୍ରତିଷ୍ଠାତା ତଥା ନ୍ୟାସ୍ନାଲ ଜିଓଗ୍ରାଫିକ୍ ଅନୁସନ୍ଧାନକାରୀ ଏନରିକ୍ ସାଲା କହିଛନ୍ତି, ଆଉ କିଛି ଆବିଷ୍କାର କରିବାକୁ ନାହିଁ ବୋଲି ଆମେ ଯେତେବେଳେ ଚିନ୍ତା କଲୁ, ଠିକ୍ ସେତେବେଳେ ପ୍ରାୟ ୧୦୦ କୋଟି ପଲିପ୍ସ(ପ୍ରବାଳ ପଲିପ୍ସ ଆମେମୋନ୍ ଓ ଜେଲିଫିଶ୍ଙ୍କ ସହ ସଂଶ୍ଳିଷ୍ଟ ସୂକ୍ଷ୍ମ ଜୀବ)ରେ ପ୍ରସ୍ତୁତ ଜୀବନର ସମ୍ଭାର ଥିବା ବିଶାଳକାୟ ପ୍ରବାଳ ପାଇଲୁ । ଉପରୁ ଦେଖିଲେ ପ୍ରବାଳ ଏକ ବିଶାଳ, ଦୋଳାୟିତ ଧୂସର ପଥର ଭଳି ଦିଶେ । ପୂର୍ବରୁ ମହାସାଗର ଅଭିଯାନରେ ଥିବା କିଛି ବୈଜ୍ଞାନିକ ଏହାକୁ ଭୁଲବଶତଃ ଜାହାଜ ଧ୍ୱଂସାବଶେଷ ଭାବିଥିଲେ । ସମୁଦ୍ର ବିଜ୍ଞାନୀ ଓ ଅଣ୍ଡରୱାଟର ସିନେମାଟୋଗ୍ରାଫର ମନୁ ସାନ୍ ଫେଲିକ୍ସ ଗଭୀର ମହାସାଗରରେ ବୁଡ଼ ଦେଇ ଏହି ପ୍ରବାଳକୁ ଦେଖିଲେ । ଏହା ଅନନ୍ୟ ଦୃଶ୍ୟ ଥିଲା । ତା’ପରେ ବୈଜ୍ଞାନିକମାନେ ସାଟେଲାଇଟ୍ ଛବି ଯାଞ୍ଚ୍ରୁ ବିଶାଳକାୟ ପ୍ରବାଳର ଠୋସ୍ ପ୍ରମାଣ ପାଇଲେ । ପାଖରୁ ଦେଖିଲେ, ନିଜର ଜଟିଳ ପଲିପ୍ସ ନେଟ୍ୱର୍କ ଜରିଆରେ ପ୍ରବାଳ ଚମତ୍କାର ଦୃଶ୍ୟରେ ପରିବର୍ତ୍ତନ ହେଉଥିବା ଜଣାପଡ଼େ । ଗୋଟିଏ ଗୋଟିଏ ସୂକ୍ଷ୍ମ ଜୀବ ଅନେକ ଶତାବ୍ଦୀ ଧରି ଏଠାରେ ବଢ଼ିବା ଯୋଗୁ ଏହି ବିଶାଳ ପ୍ରବାଳର ରୂପ ନେଇଛି । ଉପରେ ଚିକ୍ମିକ୍ କରୁଥିବା ବାଇଗଣି, ହଳଦିଆ, ନୀଳ, ନାଲି ଓ କଳା ଆଦି ରଙ୍ଗ ଏହାର ଧୂସର ରଙ୍ଗକୁ ଲୁଚାଇ ଦେଉଛି । ପ୍ରବାଳ ମାଛ, କଙ୍କଡ଼ା, ସାମୁକା ଭଳି ସାମୁଦ୍ରିକ ଜୀବଙ୍କ ବାସସ୍ଥଳୀ ଭାବେ କାମ କରେ । ବୈଜ୍ଞାନିକମାନେ ଏହାକୁ ଏକ ଜୀବନ୍ତ ଏନ୍ସାଇକ୍ଲୋପିଡିଆ ବା ଜ୍ଞାନକୋଷ ବୋଲି କହିଛନ୍ତି, ଯାହା ଶତାଧିକ ବର୍ଷ ପୁରୁଣା ମହାସାଗର ସ୍ଥିତି ସମ୍ପର୍କିତ ତଥ୍ୟକୁ ନିଜ ଭିତରେ ସାଇତି ରଖିଛି । ଏହା ଏତେ ବିଶାଳ ଯେ ବୈଜ୍ଞାନିକଙ୍କ ମାପ ଫିତା ଛୋଟ ପଡ଼ିଲା । ସେଥିପାଇଁ ସେମାନଙ୍କୁ ଦୁଇଟି ଟିମ୍ରେ ବିଭକ୍ତ ହୋଇ ମାପିବାକୁ ପଡ଼ିଲା ।
ବର୍ତ୍ତମାନ ସ୍ଥିତିରେ ମହାସାଗର ସ୍ଥିତି ବିଗୁଡ଼ୁଥିବାବେଳେ ସଦ୍ୟ ଆବିଷ୍କାର ଭଲ ଖବର ବୋଲି ବୈଜ୍ଞାନିକମାନେ କହିଛନ୍ତି । ସାମୁଦ୍ରିକ ଜୀବଙ୍କ ଲାଗି ପ୍ରବାଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ସେମାନେ ଖାଦ୍ୟ ଓ ବାସସ୍ଥଳୀ ପାଇଁ ପ୍ରବାଳ ଉପରେ ନିର୍ଭର କରନ୍ତି । ମଣିଷ ପାଇଁ ମଧ୍ୟ ଏହା ସେତିକି ଗୁରୁତ୍ୱପୂର୍ଣ୍ଣ । ପ୍ରାୟ ୧୦୦ କୋଟି ଲୋକଙ୍କ ପାଇଁ ପ୍ରବାଳ ଖାଦ୍ୟର ପରୋକ୍ଷ ସ୍ରୋତ । ଝଡ଼ ଓ ସମୁଦ୍ର ସ୍ତର ବୃଦ୍ଧି ବିରୋଧରେ ପ୍ରବାଳ ଢାଲ ଭଳି କାମ କରନ୍ତି । ବୈଜ୍ଞାନିକଙ୍କ ପାଇଁ ଏହି ଆବିଷ୍କାର କ୍ୟାରିଅର୍ର ଟର୍ନିଂ ପଏଣ୍ଟ୍ ବୋଲି ନ୍ୟାସ୍ନାଲ ଜିଓଗ୍ରାଫିକ୍ ପ୍ରିଷ୍ଟାଇନ୍ ସିଜ୍ ଅଭିଯାନର ମୁଖ୍ୟ ପଲ୍ ରୋଜ୍ କହିଛନ୍ତି । ସୋଲୋମନ୍ ଦ୍ୱୀପପୁଞ୍ଜର ଏହି ବିଶାଳ ପ୍ରବାଳ ଗବେଷକ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଏହାର ସଂରକ୍ଷଣ ନିମନ୍ତେ ପାଣ୍ଠି ପ୍ରଦାନକୁ ମଧ୍ୟ ବଳ ଦେବ । କିନ୍ତୁ ଚିନ୍ତାର ବିଷୟ ହେଉଛି ସୁଦୂର ଦ୍ୱୀପପୁଞ୍ଜରେ ଥାଇ ମଧ୍ୟ ବିଶ୍ୱ ତାପନ ଓ ଅନେକ ମାନବକୃତ ବିପଦ ପାଇଁ ପ୍ରବାଳ ସୁରକ୍ଷିତ ନୁହେଁ । ମାତ୍ରାଧିକ ମାଛ ଧରା, ଔଦ୍ୟୋଗିକ ପ୍ରଦୂଷଣ ଓ ସ୍ୱେରେଜ ଭଳି କିଛି ସ୍ଥାନୀୟ କାରଣ ଯୋଗୁ ପ୍ରବାଳ ଏବେ ବିପଦରେ । ଏହି କାରକଗୁଡ଼ିକ ପ୍ରବାଳଙ୍କ ସୁସ୍ଥ ପରିସଂସ୍ଥାନର ସନ୍ତୁଳନକୁ ବିଗାଡ଼ୁଛନ୍ତି ।
ତେବେ ସବୁଠୁ ବଡ଼ ବିଶ୍ୱସ୍ତରୀୟ ବିପଦ ହେଉଛି ଜୀବାଶ୍ମ ଇନ୍ଧନ ଜନିତ ଜଳବାୟୁ ସଙ୍କଟ । ଗତ ମାସ ନ୍ୟାସ୍ନାଲ ଓସେନିକ୍ ଆଣ୍ଡ ଆଟ୍ମୋସପିଅରିକ୍ ଆଡ୍ମିନିଷ୍ଟ୍ରେସନ୍ର ବୈଜ୍ଞାନିକ ସ୍ପଷ୍ଟ କରିଥିଲେ, ଅପ୍ରତ୍ୟାଶିତ ଭାବେ ମହାସାଗର ତାପମାତ୍ରାରେ ବୃଦ୍ଧି ବିଶ୍ୱସ୍ତରରେ ପ୍ରବାଳ ପ୍ରାଚୀର ସମୂହକୁ ଧ୍ୱଂସ କରିଥିଲା, ଯାହାର ମାତ୍ରା ସର୍ବାଧିକ ଥିଲା । ଗତ ବୁଧବାର ପ୍ରକାଶିତ ବିପଦପୂର୍ଣ୍ଣ ପ୍ରଜାତିଙ୍କର ଇଣ୍ଟରନ୍ୟାସ୍ନାଲ ୟୁନିଅନ୍ ଫର କନ୍ଜରଭେସନ୍ ଅଫ୍ ନେଚର୍ସ ରେଡ୍ ଲିଷ୍ଟ୍ ଅନୁସାରେ, ଜଳର ଉଷ୍ଣତା ବୃଦ୍ଧି ଯୋଗୁ ପ୍ରାଚୀର ସୃଷ୍ଟି କରିଥିବା ହାରାହାରି ୪୦ ପ୍ରତିଶତ ପ୍ରବାଳ ଏବେ ବିଲୁପ୍ତିର ଦ୍ୱାରଦେଶରେ । ଜଳବାୟୁ ପରିବର୍ତ୍ତନ ଏହାର ପ୍ରାଥମିକ କାରଣ ।