ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

Published By : Prameya | November 14, 2024 7:29 AM

ପୁରୀ ୧୪/୧୧: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଠାକୁରମାନଙ୍କର ତ୍ରିବିକ୍ରମ ବା ଆଡ଼ିକିଆ ବେଶ ଅନୁଷ୍ଠିତ ‌ହେଉଛି । ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି ।

ଆଡ଼କିଆ ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଏହି ଚୂଳରେ ସ୍ୱର୍ଣ୍ଣନିର୍ମିତ କିଆ ଆଡ଼ବାଗରେ ଖୋସା ହୋଇଥାଏ । ସୁଭଦ୍ରା ଓ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥିସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ । କଥିତ ଅଛି, ତ୍ରିବିକ୍ରମ ବା ଆଡ଼କିଆ ବେଶ ଅତିବଡ଼ୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ । ଆଡ଼କିଆ ଓ ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହି ଯେ ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସାନଯାଇ ଆଡ଼ବାଗରେ ଖୋସାଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆଗୁଡ଼ିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ଚୂଳରେ ଖୋସାଯାଏ । ଚୂଳର ଶେଷରେ ସୁନାର ଚନ୍ଦ୍ରିକା ଲାଗିଥାଏ । ସୁଭଦ୍ରାଙ୍କୁ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକା ଦ୍ୱାରା ଶୋଭିତ କରାଯାଏ । ସବୁ ଠାକୁରମାନଙ୍କ ମୁଖର ଉପର ପାଶ୍ୱର୍ରେ ଦୁଇଟି ଲେଖାଏଁ କାଡ଼କାନି ଲଗାଯାଇଥାଏ । ମହନ୍ତ ମହାରାଜ ରାମ ଜୟନ୍ତୀ ଦାସଙ୍କ ଦ୍ୱାରା ଏହି ବେଶର ପ୍ରଚଳନ ହୋଇଥିଲା ।

ମହାପ୍ରଭୁଙ୍କ ତ୍ରିବିକ୍ରମ ବା ଆଡ଼ିକିଆ ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.