ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଘମାଘୋଟ ବାଣିଜ୍ୟ ଯୁଦ୍ଧ: ଆଗକୁ ମାଡ଼ିଆସୁଛି ମହାମାନ୍ଦାବସ୍ଥା, ବିଶ୍ୱ ଅର୍ଥନୀତିରେ ହେବ ସୁନାମୀ

Published By : Prameya | April 5, 2025 8:36 AM

ନୂଆଦିଲ୍ଲୀ,୦୫/୦୪: ଭାରତ ସମେତ ୬୦ରୁ ଊଦ୍ଧ୍ୱର୍ ରାଷ୍ଟ୍ରଙ୍କ ଉପରେ ଯେସାକୁ ତେସା ଶୁଳ୍କ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଉପରେ ୨୭% ଏବଂ  ଚୀନ୍‌ ଉପରେ ଲାଗିବ ୩୪% ଟାରିଫ୍‌ । ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ବି ତଗ୍‌ଡ଼ା ଶୁଳ୍କ ଲଗାଇଛି ଆମେରିକା । ତେବେ ଏହି ଆକ୍ରାମକ ଶୁଳ୍କ ନୀତି ଖୋଦ୍‌ ଆମେରିକା ସହ ବିଶ୍ୱ ଅର୍ଥନୀତି ପାଇଁ  ବଡ଼ ବିପତ୍ତିକୁ ଡାକି ଆଣିବ ବୋଲି ଚେତାବନୀ ଦେଲେଣି ଅର୍ଥନୀତିଜ୍ଞ । ଆଗକୁ ମହାମାନ୍ଦାବସ୍ଥା ମାଡ଼ି ଆସୁଥିବା ସତର୍କବାଣୀ କରିଛନ୍ତି । 

ସେମାନଙ୍କ ମତରେ, ଆମେରିକାକୁ  ରାଜସ୍ୱ ଟାଣିବାକୁ ଟ୍ରମ୍ପଙ୍କ ଟାରିଫ୍‌ ଅସ୍ତ୍ର ହୋଇଛି  ଦିଗହରା । ଟ୍ରମ୍ପଙ୍କ ଶୁଳ୍କ ବାଣରେ ନିଜେ  ଘାଇଲା ହୋଇଗଲାଣି ଆମେରିକା । ୱାଲ୍‌ଷ୍ଟ୍ରିଟ୍‌ରୁ  ଉଡ଼ିଗଲାଣି ୩ ଟ୍ରିଲିୟନ ଡଲାର । ନିବେଶକ  ଭୟଭୀତ । ଅନ୍ୟପଟେ ଟ୍ରମ୍ପ ନିଜ ନିଷ୍ପତ୍ତିରେ  ଅଟଳ । ଅର୍ଥନୀତିର ଅବସ୍ଥା ସାଂଘାତିକ  ହୋଇଗଲାଣି ତଥାପି ନୀତିରେ କୌଣସି  ପରିବର୍ତ୍ତନ ହେବ ନାହିଁ ବୋଲି ରୋକ୍‌ଠୋକ୍‌  ମନା କରିଦେଇଛନ୍ତି ଟ୍ରମ୍ପ । ଏଭଳି ସ୍ଥିତିରେ  ଅର୍ଥବ୍ୟବସ୍ଥା ପ୍ରତି ନିବେଶକ ଏବଂ ଲୋକଙ୍କ  ଆସ୍ଥା ଟଳମଳ ହେଲାଣି । ଘମାଘୋଟ ବାଣିଜ୍ୟ  ଯୁଦ୍ଧ ମଧ୍ୟରେ ନିକଟ ଭବିଷ୍ୟତରେ ଏକ ବଡ଼ ଧରଣର ମାନ୍ଦାବସ୍ଥା ଜଳଜଳ ଦିଶୁଛି  । 

ଆମେରିକାର ପ୍ରମୁଖ ବ୍ୟାଙ୍କ ଜେ.ପି.  ମୋର୍ଗାନ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ବ୍ରୁସ୍‌ କାସ୍‌ମ୍ୟାନ୍‌  କହିଛନ୍ତି, ୨୦୨୫ରେ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ୬୦% ସମ୍ଭାବନା ରହିଛି । ସେ କହିଛନ୍ତି ଯେ,  ଶୁଳ୍କ ବୃଦ୍ଧିର ପ୍ରଭାବ ଆହୁରି ବଢ଼ିପାରେ । ଏ  ପ୍ରଭାବ ରାଷ୍ଟ୍ରଗୁଡ଼ିକର ପାଲଟା ଶୁଳ୍କ ହମ୍‌ଲା,  ଆମେରିକାରେ ବ୍ୟବସାୟିକ ଚିନ୍ତାଧାରା ଖସିବା  ଏବଂ ଯୋଗାଣ ଶୃଙ୍ଖଳରେ ବ୍ୟବଧାନ ଉପରେ  ନିର୍ଭର କରିବ । ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ବି ସମାନ  ଧରଣ ଚିନ୍ତା ପ୍ରକଟ କରିଛି । ଆଗାମୀ ୧୨ ମାସରେ  ମାନ୍ଦାବସ୍ଥା ସମ୍ଭାବନା ୩୫% ଥିବା ଏହା କହିଛି । 

ଗୁରୁବାର ବିଶ୍ୱବ୍ୟାପୀ ସେୟାର ବଜାରଗୁଡ଼ିକରେ ଦେଖିବାକୁ ମିଳିଛି ପତନ ।  ଆମେରିକାର ଡାଓ ଜୋନ୍ସ ୧,୬୭୯.୩୯  ପଏଣ୍ଟ ଖସି ୪୦,୫୪୫ ପଏଣ୍ଟରେ ପହଞ୍ଚିଛି । ସେହିଭଳି ଏସ୍‌ ଆଣ୍ଡ୍‌ ପି ୫୦୦ ୨୭୪ ପଏଣ୍ଟ  ସଂକୁଚିତ ହୋଇଛି । ନାସ୍‌ଡାକ୍‌ କମ୍ପୋଜିଟ୍‌ ୧,୦୫୦ ପଏଣ୍ଟ ପତନ ସହ ବନ୍ଦ ହୋଇଛି । ଏସ୍‌ ଆଣ୍ଡ୍‌ ପି  ୫୦୦ କମ୍ପାନିଗୁଡ଼ିକର ମିଳିତ ବଜାର ମୂଲ୍ୟ ୨.୪  ଟ୍ରିଲିୟନ ଡଲାର ସଂକୁଚିତ ହୋଇଛି।

ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଭାରତୀୟ  ଇକ୍ୱିଟି ବଜାରରେ ବି ଦେଖିବାକୁ ମିଳିଛି କମ୍ପନ ।  ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ୯୩୦ ପଏଣ୍ଟ ଖସି  ୭୫,୩୬୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି  ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟିରେ  ୩୪୫ ପଏଣ୍ଟ ହ୍ରାସ ଘଟିଛି । ଧାତବ, ଫାର୍ମା ଏବଂ ଆଇଟି ଷ୍ଟକ୍‌ରେ ବୃହତ୍‌ ହ୍ରାସ  ଦେଖିବାକୁ ମିଳିଛି । ଏହି ହ୍ରାସ ସହିତ ବିଏସ୍‌ଇରେ  ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ୯.୫  ଲକ୍ଷ କୋଟି ଟଙ୍କା ସଂକୁଚିତ ହୋଇ ୪୦୩.୮୩ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ଅନିଶ୍ଚିତତା ମଧ୍ୟରେ ବିଶ୍ୱ ବଜାର ଏବେ ଯେପରି ଛାର୍‌ଖାର । 

ଅନ୍ୟପଟେ, ଆମେରିକାର ଶୁଳ୍କ ନୀତି ଯୋଗୁ ଏକ  ବଡ଼ ଧରଣର ବାଣିଜ୍ୟ ଯୁଦ୍ଧ ଦାନା ବାନ୍ଧିଲାଣି । ଦେଶଗୁଡ଼ିକ  ଆମେରିକାକୁ ଶାସ୍ତି ଦେବାକୁ ପ୍ରସ୍ତୁତ କଲେଣି ରଣନୀତି ।  ପ୍ରତିଶୋଧପୂର୍ବକ ଆମେରିକା ଉପରେ ଅତିରିକ୍ତ ଶୁଳ୍କ  ଘୋଷଣା କରିଛି ଚୀନ୍‌ । ଚୀନ୍‌ର ଅର୍ଥ ମନ୍ତ୍ରାଳୟ ପ୍ରକାଶ କରିଛି, ଏପ୍ରିଲ ୧୦ରୁ ଆମେରିକାରୁ ଆସୁଥିବା ସମସ୍ତ  ସାମଗ୍ରୀ ଉପରେ ୩୪%ର ଅତିରିକ୍ତ ଶୁଳ୍କ ଲାଗିବ । ପୂର୍ବରୁ  ହିଁ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବିବାଦ ରହିଆସିଛି ।  ବର୍ତ୍ତମାନ ଏହି ଜବାବୀ ହମ୍‌ଲା ବାଣିଜ୍ୟିକ ତିକ୍ତତାକୁ ଆହୁରି  ବଢ଼ାଇଦେବ ।     

କେବଳ ଅତିରିକ୍ତ ଶୁଳ୍କ ନୁହେଁ, ଚୀନ୍‌ ମଧ୍ୟ କିଛି  ପ୍ରମୁଖ ସାମଗ୍ରୀର ରପ୍ତାନି ଉପରେ ରୋକ୍‌ ଲଗାଇଛି । ଏସବୁ  ଦ୍ୱାରା ଚୀନ୍‌ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆହୁରି  ତୀବ୍ରତର ହେବ । ଆମେରିକାର ଶୁଳ୍କ ବାଣର ସିଧା ଜବାବ  ଦେଇଛି ଡ୍ରାଗନ୍‌ ।  

ଟ୍ରମ୍ପ ପୂର୍ବରୁ ଚୀନ୍‌ ଉପରେ ୨୦% ଶୁଳ୍କ ଲଗାଇଥିଲେ  ଏବଂ ଏବେ ଆଉ ୩୪% ଲଗାଇଛନ୍ତି । ଏହିଭଳି ଭାବେ  ମୋଟ ଟିକସ ୫୪% ହୋଇଛି । ପ୍ରକାଶଯୋଗ୍ୟ, ଚୀନ୍‌  ପ୍ରତିବର୍ଷ ଆମେରିକାକୁ ୪୦,୦୦୦ କୋଟି ଡଲାରରୁ ଅଧିକ  ସାମଗ୍ରୀ ବିକ୍ରି କରିଥାଏ । ଚୀନ୍‌ର ବାଣିଜ୍ୟ ମନ୍ତ୍ରାଳୟ ପ୍ରକାଶ  କରିଛି ଯେ, ଏହା ୧୬ ଆମେରିକୀୟ କମ୍ପାନିଙ୍କୁ ନିଜର  ରପ୍ତାନି ନିୟନ୍ତ୍ରଣ ତାଲିକାରେ ପକାଇଛି । ଏହାର ଅର୍ଥ  ହେଉଛି ଏହି କମ୍ପାନିଗୁଡ଼ିକୁ ଏବେ ଚୀନ୍‌ ବଜାର ଏବଂ  ଟେକ୍ନୋଲୋଜି ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟକର ହେବ ।  

ଏହାବ୍ୟତୀତ ୧୧ ଆମେରିକୀୟ କମ୍ପାନିଙ୍କୁ ଚୀନ୍‌ର  ‘ଅବିଶ୍ୱସନୀୟ କମ୍ପାନି’ ତାଲିକାରେ ରଖାଯାଇଛି । ଚୀନ୍‌  କିଛି ସାମଗ୍ରୀର ରପ୍ତାନି ଉପରେ ବି ରୋକ୍‌ ଲଗାଉଛି । ଏହି  ସାମଗ୍ରୀ ହାଇଟେକ୍‌ ଶିଳ୍ପଗୁଡ଼ିକ ପାଇଁ ଅତି ଜରୁରୀ । ଏଥିରେ  ସାମାରିୟମ, ଗ୍ୟାଡୋଲିନିୟମ, ଟର୍ବିୟମ, ଡିସ୍ପ୍ରୋସିୟମ,  ସ୍କାଣ୍ଡିୟମ ଆଦି ରହିଛି । ଏହି ସାମଗ୍ରୀଗୁଡ଼ିକ ସେମିକଣ୍ଡକ୍ଟର, ଇଲେକ୍ଟ୍ରିକ୍‌ ଯାନ ଏବଂ ସେନା ଉପକରଣ ପ୍ରସ୍ତୁତିରେ  ବ୍ୟବହାର ହୋଇଥାଏ । 

ରାଷ୍ଟ୍ରୀୟ ସୁରକ୍ଷା ହିତରେ ଏସବୁ ପଦକ୍ଷେପ ନିଆଯାଇଛି ବୋଲି ଚୀନ୍‌ର ବାଣିଜ୍ୟ ମନ୍ତ୍ରାଳୟ ପ୍ରକାଶ କରିଛି । ସେହିଭଳି  ଆମେରିକାର ଅଟୋ ଆମଦାନି ଉପରେ କାନାଡ଼ା ଲଦିଛି  ୨୫% ଟାରିଫ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.