ନବରଙ୍ଗପୁର, ୨।୧୦: ଦିନେ କି ୨ ଦିନ ନୁହେଁ । ଟାଟାପାୱାରର ମନମୁଖୀ କାର୍ଯ୍ୟ ନିୟମିତ ଚାଲିଛି । ଅଘୋଷିତ ବିଦ୍ୟୁତକାଟ୍‌ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଅନ୍ତେବାସୀ ଛାତ୍ରଛାତ୍ରୀ ଅନ୍ଧାରରେ ରାତି ବିତାଉଛନ୍ତି । ନବରଙ୍ଗପୁର ସରକାରୀ ପଲିଟେକ୍ନିକ୍‌ ଅନ୍ଧାରରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।  ସହରରରୁ ପ୍ରାୟ ୮ କିମି ଦୂର ଟିର୍ଲିଆମ୍ବଗୁଡାରେ ରହିଛି ଏହି ପଲିଟେକନିକ୍‌ କଲେଜ । ଏଠାକୁ ଗ୍ରାମାଞ୍ଚଳ ଫିଡର୍‌ରୁ ବିଦ୍ୟୁତ ସଂଯୋଗ ହୋଇଥିବାରୁ କେତେ ବେଳେ ଦିନରେ ବିଦ୍ୟୁତ କାଟ୍‌ ହେଉଛି ତ’ ଆଉ କେତେବେଳେ ରାତିରେ । ଏଥିପାଇଁ ପଲିଟେକ୍‌ନିକ୍‌ କଲେଜ୍‌ର ଇଞ୍ଜିନିୟରିଂ, ମେକାନିକାଲ ଓ ଇଲେକ୍ଟ୍ରିକାଲ୍‌ ଶିକ୍ଷାଦାନ ପାଇଁ ରହିଥିବା କୋଟି କୋଟି ଟଙ୍କାର ଉପକରଣ ଅବ୍ୟବହୃତ ହୋଇପଡ଼ିରହିଛି । 

ବିଦ୍ୟୁତକାଟ ଯୋଗୁ ପ୍ରାକ୍ଟିକାଲ କ୍ଲାସ୍‌ ହୋଇପାରୁନି । ସ୍ମାର୍ଟକ୍ଲାସ୍‌ ରୁମ୍‌ରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଅନୁଷ୍ଠାନ ତରଫରୁ ବିଦ୍ୟୁତ୍‌ ବିଲ୍‌ ବାବାଦରେ ମାସକୁ ଲକ୍ଷାଧିକ ଟଙ୍କା ଜମା କରାଯାଉଛି । କିନ୍ତୁ ଟାଟାପାୱାର ପକ୍ଷରୁ ଉତ୍ତମ ସେବା ମିଳୁ ନଥିବା ପଲିଟେକ୍‌ନିକ୍‌ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କଲେ ବି କେହି କର୍ଣ୍ଣପାତ କରୁନଥିବା କ୍ଷୋଭର ସହ କହିଛନ୍ତି । ବିଦ୍ୟୁତ ସେବା ନଥିବାରୁ ପାଠପଢ଼ା ହୋଇପାରୁନି । ଆବଶ୍ୟକ ଫ୍ୟାକଲ୍ଟି ଶିକ୍ଷକ ଅଭାବ ଆଉ ଏକ ପ୍ରମୁଖ ସମସ୍ୟା । ଏହି ଅନୁଷ୍ଠାନରେ ମୁଖ୍ୟତଃ ୪ଟି ଟ୍ରେଡ୍‌ରେ ଶିକ୍ଷାଦାନ କରାଯାଉଛି । ସିଭିଲ, ଇଲେକ୍ଟିକାଲ, ମେକାନିକାଲ ଓ ଅଟୋମୋବାଇଲ ପାଠ୍ୟକ୍ରମ । ଏଥିପାଇଁ ୨୬ଜଣ ଫ୍ୟାକଲ୍ଟି ଶିକ୍ଷକ ଦରକାର । ଅଥଚ ୧୭ ପଦବି ଖାଲିପଡ଼ିଛି । ସେମାନଙ୍କ ମଧ୍ୟରୁ ୪ଜଣ ଫ୍ୟାକଲ୍ଟି ଶିକ୍ଷକ ଦରମା ଏଠାରୁ ଉଠାଉଥିବା ବେଳେ ସେମାନେ ଜିଲ୍ଲାବାହାର ଅନ୍ୟାନ୍ୟ ପଲିଟେକ୍‌ନିକ୍‌ ଅନୁଷ୍ଠାନରେ ଶିକ୍ଷାଦାନ କରୁଛନ୍ତି । ୧୭ ଫ୍ୟାକଲ୍ଟି ଶିକ୍ଷକ ଖାଲିପଡିଥିବାରୁ ସେମାନଙ୍କ ସ୍ଥାନରେ ୧୧ଜଣ ଗେଷ୍ଟ ଫ୍ୟାକଲ୍ଟି ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । 

ଏ ସଂପର୍କରେ ପଲିଟେକ୍‌ନିକ କର୍ତ୍ତୃପକ୍ଷ ପି.କେ ଦାଶଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ସବୁ ପଲିଟେକ୍‌ନିକ୍‌ କଲେଜରେ ଫ୍ୟାକଲ୍ଟି ଶିକ୍ଷକ ଅଭାବ ରହିଛି । ତଥାପି ଗେଷ୍ଟ ଫ୍ୟାକଲ୍ଟିରେ ଶିକ୍ଷାଦାନ କରାଯାଉଛି । ପଲିଟେକ୍‌ନିକ୍‌ କଲେଜ ଗ୍ରାମାଞ୍ଚଳରେ ଥିବାରୁ ଅଘୋଷିତ ବିଦ୍ୟୁତକାଟ୍‌ ଚାଲିଛି । ଫଳରେ ୨୦୦ରୁ ଅଧିକ ଅନ୍ତେବାସୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ପ୍ରାକ୍ଟିକାଲ ବେଳେ କୌଣସି ମେସିନ୍‌ ଚାଲିପାରୁନି । ସ୍ମାର୍ଟକ୍ଲାସ୍‌ରେ ଶିକ୍ଷାଧାନ ବାଧାପ୍ରାପ୍ତ ହେଉଛି । ଏଥିପାଇଁ ବାରମ୍ବାର ଟାଟାପାୱାର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ବି ପ୍ରତିକାର ବ୍ୟବସ୍ଥା କରାଯାଉନି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି ।