ନୂଆଦିଲ୍ଲୀ,୧୦/୦୬: ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଦୀର୍ଘ ସମୟ ନିରନ୍ତର କାର୍ଯ୍ୟ କରିଥିବା ନିର୍ବାଚିତ ଶାସନ ମୁଖ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଭାବେ ସେ କ୍ରମାଗତ ୧୨ ବର୍ଷ ବା ୪,୩୯୯ ଦିନ ପୂରଣ କରିଛନ୍ତି । ଏହି ଗୌରବମୟ ତଥା ଐତିହାସିକ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ହୌଜ୍ ଖାସ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ନିମନ୍ତେ ପ୍ରାର୍ଥନା କରିଛନ୍ତି ।
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦେଶର ସେବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ଦିନରାତି ଏକ କରି ଅକଥ ପରିଶ୍ରମ ମାଧ୍ୟମରେ ଦେଶର ଗରିବ, ମହିଳା, ଯୁବକ ଓ କୃଷକମାନଙ୍କ କଲ୍ୟାଣ କରିବା ସହ ଦେଶର ସର୍ବାଙ୍ଗୀନ ବିକାଶ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଛି। ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଓ ଅନୁଗାମୀ । ତାଙ୍କର ସାମାଜିକ ଜୀବନ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଗଢ଼ିଉଠିଛି । ବହୁ ବର୍ଷ ପୂର୍ବେ ଅହମ୍ମଦାବାଦର ଶ୍ରୀ ଜଗନ୍ନାଥ ମନ୍ଦିରରୁ ହିଁ ସେ ନିଜର ସାମାଜିକ ଜୀବନର ଯାତ୍ରା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଓ ପରେ, ସେ ଯେତେବେଳେ ବି ଓଡ଼ିଶା ଯିବାର ସୁଯୋଗ ପାଇଛନ୍ତି, ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ଆଶୀର୍ବାଦ ଭିକ୍ଷା କରିବାକୁ କେବେ ହେଲେ ଭୁଲିନାହାନ୍ତି ।
ମହାପ୍ରଭୁଙ୍କ ଶ୍ରୀଚରଣରେ ପ୍ରାର୍ଥନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ମହାପ୍ରଭୁଙ୍କ କୃପା ସମଗ୍ର ଦେଶବାସୀଙ୍କ ଉପରେ ରହିଛି ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ବଜାୟ ରହୁ । ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଆମ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱକୁ ସଫଳତାର ସହ ଆଗକୁ ବଢୁ । ତାଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତ ଆହୁରି ବିକଶିତ, ସମୃଦ୍ଧ ଓ ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକଟ କରିଛନ୍ତି।