ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟ୍ରମ୍ପଙ୍କ ପାଲଟା ଶୁଳ୍କ ନିଷ୍ପତ୍ତି ପରେ ଆମେରିକୀୟ ଷ୍ଟକ୍ ମାର୍କେଟ ଧରାଶୟ; ମାନ୍ଦାବସ୍ଥା ଆଶଙ୍କା ବୃଦ୍ଧି

Published By : Bijay Swain | April 3, 2025 11:53 PM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଲଟା ଶୁଳ୍କ(reciprocal tariffs) ଘୋଷଣା ପରେ ଆମେରିକାର ଷ୍ଟକ୍ ମାର୍କେଟରେ ବଡ଼ ଧରଣର ପତନ ଦେଖାଦେଇଛି। ଏହି ଘୋଷଣା ବିଶ୍ୱବ୍ୟାପୀ ଅର୍ଥନୀତିରେ ମାନ୍ଦାବସ୍ଥା ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ମାର୍କେଟ ଖୋଲିବାର କିଛି ସମୟ ମଧ୍ୟରେ ଡାଉ ଜୋନ୍ସ ଇଣ୍ଡଷ୍ଟ୍ରିଆଲ ଇଣ୍ଡେକ୍ସ (Dow Jones Industrial Index) ୧,୧୦୦ରୁ ଅଧିକ ପଏଣ୍ଟ ଖସି ଯାଇଥିବା ବେଳେ ନାସଡାକ (Nasdaq) ୮୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏସଏଣ୍ଡପି ୫୦୦ ମଧ୍ୟ ପ୍ରାୟ ୪% ତଳକୁ ଖସି ଆସିଛି।

ଟ୍ରମ୍ପ ଏହି ଶୁଳ୍କକୁ ଆମେରିକୀୟ ଅର୍ଥନୀତିକୁ ସୁଦୃଢ଼ କରିବାର ଏକ ପଦକ୍ଷେପ ବୋଲି ଦାବି କରିଛନ୍ତି। କିନ୍ତୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ବାଣିଜ୍ୟ ଯୁଦ୍ଧକୁ ଆମନ୍ତ୍ରଣ ଦେଇପାରେ ଓ ବିଶ୍ୱ ଅର୍ଥନୀତିକୁ ମାନ୍ଦାବସ୍ଥାରେ ପକାଇ ଦେଇପାରେ। ଏହି ପାଲଟା ଶୁଳ୍କ ଅନ୍ୟ ଦେଶମାନଙ୍କ ସହ ଆମେରିକାର ବାଣିଜ୍ୟ ସମ୍ପର୍କକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିଛି। ଯାହା ବିଶେଷ କରି ଟେକ୍ନୋଲୋଜି ଓ ରିଟେଲ କ୍ଷେତ୍ରରେ ବଡ଼ ଧରଣର କ୍ଷତି ଆଣିଛି।

ବଡ଼ କମ୍ପାନୀଗୁଡ଼ିକ ଉପରେ ପ୍ରଭାବ

ଏହି ପତନରେ ଆମେରିକାର ପ୍ରମୁଖ କମ୍ପାନୀଗୁଡ଼ିକ ଯଥା ଆପଲ୍, ନାଇକି, ଏନଭିଡିଆ, ଆମାଜନ, ଓ ଓ୍ୱାଲମାର୍ଟ ଭଳି ସଂସ୍ଥାଗୁଡ଼ିକର ଷ୍ଟକ୍ ମୂଲ୍ୟ ତଳକୁ ଖସିଛି। ଆପଲ୍‌ର ଷ୍ଟକ୍ ୯%ରୁ ଅଧିକ ଓ ନାଇକିର ଷ୍ଟକ୍ ୧୩% ପର୍ଯ୍ୟନ୍ତ ହ୍ରାସ ପାଇଛି। ପିସି ନିର୍ମାତା ଡେଲ୍  ଓ ଏଚପି ମଧ୍ୟ ୧୭% ପର୍ଯ୍ୟନ୍ତ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ରୋଜେନବ୍ଲାଟ ସିକ୍ୟୁରିଟିଜ୍ ଅନୁସାରେ, ଆପଲ୍‌କୁ ଏହି ଶୁଳ୍କ ଯୋଗୁଁ ପ୍ରାୟ ୪୦ ବିଲିୟନ ଡଲାରର ଅତିରିକ୍ତ ଖର୍ଚ୍ଚ ସହିବାକୁ ପଡ଼ିପାରେ। ଏହା କମ୍ପାନୀଗୁଡ଼ିକୁ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ କରିପାରେ, ଯାହା ସେମାନଙ୍କ ଲାଭରେ ମଧ୍ୟ ପ୍ରଭାବ ପକାଇବ।

ବିଶେଷଜ୍ଞଙ୍କ ମତ

ଡଏଚେ ବ୍ୟାଙ୍କର ସିନିୟର ଅର୍ଥନୀତିବିଦ୍ ବ୍ରେଟ ରାୟନ ଖବର ସରବରାହ ସଂସ୍ଥା ରୟଟର୍ସକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଟ୍ରମ୍ପଙ୍କ ଶୁଳ୍କ ଆମେରିକାର ଅର୍ଥନୈତିକ ଅଭିବୃଦ୍ଧିରୁ ୧-୧.୫ ପ୍ରତିଶତ ପଏଣ୍ଟ କମାଇ ଦେଇପାରେ। ଯାହା ଆଉ ଏକ ମାନ୍ଦାବସ୍ଥାର ଆଶଙ୍କାକୁ ଆଗକୁ ବଢାଇ ନେଉଛି ବୋଲି ସେ କହିଛନ୍ତି। ଏହା ସହିତ ବ୍ୟାଙ୍କ ଓ ଅଟୋମୋବାଇଲ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼ିଛି। ଜେପି ମର୍ଗାନ ଚେଜ୍ ଏବଂ ବ୍ୟାଙ୍କ ଅଫ୍ ଆମେରିକା ଭଳି ବଡ଼ ବ୍ୟାଙ୍କଗୁଡ଼ିକର ଷ୍ଟକ୍ ମଧ୍ୟ ହ୍ରାସ ପାଇଛି।

ବିଶ୍ୱବ୍ୟାପୀ ପ୍ରଭାବ

ଏହି ଶୁଳ୍କ ଘୋଷଣା କେବଳ ଆମେରିକା ସୀମିତ ନ ରହି ଏସିଆ ଦେଶମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପକାଇଛି। ଚୀନ୍ ଭଳି ଦେଶମାନଙ୍କଠାରୁ ସାମଗ୍ରୀ ଆମଦାନୀ ଉପରେ ନିର୍ଭରଶୀଳ ଆମାଜନ, ଟାର୍ଗେଟ ଓ ଓ୍ୱାଲମାର୍ଟ ଭଳି ରିଟେଲ କମ୍ପାନୀଗୁଡ଼ିକ ଏହାର ପ୍ରଭାବରେ ପଡ଼ିଛନ୍ତି। ଏହା ଦ୍ୱାରା ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ଗ୍ରାହକଙ୍କ ଉପରେ ଅତିରିକ୍ତ ଖର୍ଚ୍ଚର ବୋଝ ପଡ଼ିବାର ସମ୍ଭାବନା ରହିଛି।

ଏହି ପରିସ୍ଥିତିରେ ବିନିୟୋଗକାରୀ ଓ ଅର୍ଥନୀତିବିଦ୍‌ମାନେ ଆଗାମୀ ଦିନରେ ଅର୍ଥନୈତିକ ଅନିଶ୍ଚିତତା ଏବଂ ଅଧିକ ଅସ୍ଥିରତାର ଆଶଙ୍କା ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.