ନୂଆଦିଲ୍ଲୀ,୯।୪: ଭାରତୀୟ କ୍ରିକେଟର ଜସପ୍ରିତ ବୁମରାହଙ୍କ ବିପକ୍ଷରେ ଖେଳିବାକୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟରମାନେ ମଧ୍ୟ ଭୟଭୀତ ହୁଅନ୍ତି। ତାଙ୍କର ସଠିକ୍ ୟର୍କର କୌଣସି ଗୁଳି ପରି ଶକ୍ତିଶାଳୀ। ବ୍ୟାଟରମାନେ ବୁମରାହଙ୍କ ସ୍ପେଲ୍ ଶେଷ ହେବାକୁ ଅପେକ୍ଷା କରିଥାନ୍ତି, କିନ୍ତୁ ଯେତେବେଳେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ବ୍ୟାଟିଂ କରିବାକୁ ଆସିଥିଲେ, ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ବୁମରାହଙ୍କ ଓଭରରେ ଦୁଇଟି ଛକା ମାରି ବୈଭବ ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ।
ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଦେଖି ବୁମରାହ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ, ବୈଭବ ସୂର୍ଯ୍ୟବଂଶୀ ବୁମରାହଙ୍କ ବିପକ୍ଷରେ ବ୍ୟାଟିଂ କରିବା ସମୟରେ କ’ଣ ଭାବୁଥିଲେ ତାହା ପ୍ରକାଶ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି, ‘ମୁଁ କେବଳ ବୋଲରଙ୍କୁ ନ ଦେଖି କେବଳ ବଲ୍ ଉପରେ ଧ୍ୟାନ ଦେଉଥିଲି। ଜଣେ ମହାନ ବୋଲରଙ୍କୁ ସାମ୍ନା କରିବା ବିଷୟରେ ମୁଁ ଟିକେ ନର୍ଭସ ଥିଲି, କିନ୍ତୁ ମୁଁ ମୋର ନାଚୁରାଲ ଗେମ୍ ଉପରେ ଧ୍ୟାନ ଦେଉଥିଲି।’
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ, ବୈଭବ ସୂର୍ଯ୍ୟବଂଶୀ ୧୪ ବଲ୍ରେ ୩୯ ରନ୍ରେ ଏକ ଧୂଆଁଧାର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୫ଟି ଛକା ଏବଂ ଗୋଟିଏ ଚୌକା ମଧ୍ୟ ମାରିଥିଲେ। ବର୍ଷା ଯୋଗୁଁ ମ୍ୟାଚ୍କୁ ୧୧ ଓଭରକୁ ହ୍ରାସ କରାଯାଇଥିଲା। ରାଜସ୍ଥାନ ପାଇଁ ଇନିଂସ ଆରମ୍ଭ କରି, ବୈଭବ ଏବଂ ଯଶସ୍ୱୀ ଜୟସ୍ୱାଲ ମିଳିତ ଭାବରେ ୩୦ ବଲ୍ରେ ୮୦ ରନ୍ କରିଥିଲେ। ବୈଭବଙ୍କ ବ୍ୟତୀତ, ଯଶସ୍ୱୀ ମଧ୍ୟ ରାଜସ୍ଥାନ ପାଇଁ ଅପରାଜିତ ରହି ୩୨ ବଲ୍ରେ ୭୭ ରନ୍ କରିଥିଲେ।
ବୈଭବ ଏବଂ ଯଶସ୍ୱୀଙ୍କ ବିସ୍ଫୋରକ ଇନିଂସ ଦମ୍ରେ ରାଜସ୍ଥାନ ଟିମ୍ ନିର୍ଦ୍ଧାରିତ କରାଯାଇଥିବା ଓଭରରେ ୩ ଓ୍ବିକେଟ୍ରେ ୧୫୦ ରନ୍ର ବିଶାଳ ସ୍କୋର କରିଥିଲେ। ରାଜସ୍ଥାନକୁ ଟାର୍ଗେଟର ପିଛା କରି ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ଖୁବ୍ ଖରାପ ଖେଳ ପ୍ରଦର୍ଶନ କରିଥିଲା। ମୁମ୍ବାଇର ତିନି ଟପ୍ ଅର୍ଡର ବ୍ୟାଟର ରୋହିତ ଶର୍ମା, ରିଆନ୍ ରିକେଲଟନ୍ ଏବଂ ସୂର୍ଯ୍ୟକୁମାର ଯାଦବ ସେମାନଙ୍କର ଖାତା ଖୋଲିପାରିଲେ ନାହିଁ। ତେଣୁ ମୁମ୍ବାଇ ଇଣ୍ଡିଆନ୍ସ ୧୧ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୯ ରନ୍ କରିପାରିଲା, ଯାହା ଫଳରେ ରାଜସ୍ଥାନ ୨୭ ରନ୍ ରେ ମ୍ୟାଚ୍ ଜିତି ପାରିଥିଲା।
ଆହୁରି ପଢନ୍ତୁ : ବୁମରା ଭର୍ସେସ୍ ବୈଭବ : ୨ଟି ଛକା ହିଁ ପୁରା କାହାଣୀର ଅନ୍ତ ନୁହେଁ, ୟର୍କର କିଙ୍ଗ୍ଙ୍କ ଶେଷ ଦୁଇଟି ବଲ୍ ଥିଲା ଖୁବ୍ ଘାତକ