ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପୁଟିନ୍‌ଙ୍କ ବଡ଼ ଘୋଷଣା: ଭାରତରେ ବିନିର୍ମାଣ ୟୁନିଟ୍‌ ସ୍ଥାପନ କରିବ,୫ ବର୍ଷରେ ୫ ଗୁଣା ବଢ଼ିଛି କାରବାର

Published By : Prameya | December 6, 2024 9:31 AM

ନୂଆଦିଲ୍ଲୀ,୦୬/୧୨: ଭାରତର ସାମର୍ଥ୍ୟକୁ ନେଇ ସମଗ୍ର ବିଶ୍ୱ ଅବଗତ । ଏଥିରୁ ବାଦ୍‌ ପଡ଼ିନି ରୁଷ । ଭାରତରେ ଥିବା ସମ୍ଭାବନାକୁ ଆଖି ଆଗରେ ରଖି ଏହା ସହିତ ଅର୍ଥନୈତିକ ସମ୍ପର୍କକୁ  ଆହୁରି ମଜଭୁତ କରିବାକୁ ଚାହୁଁଛି ରୁଷ । ଭାରତ ନିର୍ମାଣରେ ନିଜର ଯୋଗଦାନ ଦେବାକୁ ଆଗ୍ରହୀ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର ଭାରତର ‘ମେକ୍‌ ଇନ୍‌  ଇଣ୍ଡିଆ’ ଅଭିଯାନକୁ ଢ଼େର ପ୍ରଶଂସା  କରିବା ସହ ଭାରତରେ ବିନିର୍ମାଣ ୟୁନିଟ୍‌ ଲଗାଇବା ପାଇଁ ଆଗ୍ରହ ପ୍ରକାଶ କରିଥିବା  ଜଣାପଡ଼ିଛି ।   

ରୁଷ୍‌ର ଏ ପଦକ୍ଷେପ ଉଭୟ ଦେଶ ମଧ୍ୟରେ ବଢୁଥିବା ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜଭୂତ କରିବ । ଚଳିତବର୍ଷ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି  ପୁଟିନ୍‌ଙ୍କୁ ଦୁଇ ଦୁଇ ଥର ଭେଟିବା ପରେ  ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ  ହୋଇଛି । ୧୫ ତମ ଭିଟିବି ରୁଷ କଲିଂ  ନିବେଶ ଫୋରମ୍‌ରେ ଉଦ୍‌ବୋଧନ  ଦେଇ ପୁଟିନ୍‌ ଭାରତର ‘ଇଣ୍ଡିଆ ଫାର୍ଷ୍ଟ’  ନୀତିର ପ୍ରଶଂସା କରିଛନ୍ତି । ସେ କ୍ଷୁଦ୍ର ଏବଂ  ମଧ୍ୟମ ଧରଣ ଉଦ୍ୟୋଗ(ଏସ୍‌ଏମ୍‌ଇ)ର  ବିକାଶ ପାଇଁ ସ୍ଥିର ପରିସ୍ଥିତି ଗଠନରେ  ଭାରତ ସରକାରଙ୍କ ସଫଳତା ଉପରେ  ଆଲୋକପାତ କରିଥିବା ବାଣିଜ୍ୟ ଏବଂ ଶିଳ୍ପ  ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ  ଉଲ୍ଲେଖ କରାଯାଇଛି ।   

ଏ ଅବସରରେ ରାଷ୍ଟ୍ରପତି ପୁଟିନ୍‌  ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନକୁ ଭାରତର  ଅର୍ଥନୈତିକ ଅଭିବୃଦ୍ଧିର ଉତ୍‌ପ୍ରେରକ  ଦର୍ଶାଇଛନ୍ତି । ଉକ୍ତ ଅଭିଯାନକୁ ସେ  ରୁଷ୍‌ର ‘ଇମ୍ପୋର୍ଟ ସବ୍‌ଷ୍ଟିଚ୍ୟୁସନ୍‌ ପ୍ରୋଗ୍ରାମ’  ସହ ତୁଳନା କରିଥିବା ଜଣାପଡ଼ିଛି । ସେ  କହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ  ପାଖରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ନାମକ  ଏକ ସମାନ କାର୍ଯ୍ୟକ୍ରମ ଅଛି । ଆମେ  ବି ଭାରତରେ ଆମର ବିନିର୍ମାଣ ୟୁନିଟ୍‌  ସ୍ଥାପନ କରିବାକୁ ପ୍ରସ୍ତୁତ ଅଛୁ । ଆମେ  ଏହା ମାନୁଛୁ ଯେ, ଭାରତରେ ନିବେଶ  କରିବା ଲାଭଦାୟକ ।   

ସୂଚନାଯୋଗ୍ୟ, ୨୦୨୪ରେ ରୁଷ  ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପାର  ୬୬୦୦ କୋଟି ଡଲାରରେ ପହଞ୍ଚିଛି ।  ଏହା ଏକ ରେକର୍ଡ। ୫ ବର୍ଷରେ ଉଭୟ  ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପାର ୫  ଗୁଣା ବଢ଼ିଛି । ଦୁଇ ଦେଶ ଲକ୍ଷ୍ୟ ରଖିଛନ୍ତି  ଯେ, ୨୦୩୦ ସୁଦ୍ଧା ଏହାକୁ ୧୦,୦୦୦  କୋଟି ଡଲାରରେ ପହଞ୍ଚାଇବେ । ଦୁଇ  ଦେଶ ମଧ୍ୟରେ ଯେଉଁ କ୍ଷେତ୍ରଗୁଡ଼ିକରେ  ବ୍ୟବସାୟିକ ସହଯୋଗ ବଢ଼ାଯାଉଛି  ସେଗୁଡ଼ିକ ହେଲା ରେଳ, ଫାର୍ମା, ସୂଚନା  ପ୍ରଯୁକ୍ତି, ବିମାନ ଏବଂ ସାଇବର ସୁରକ୍ଷା ।  

ରୁଷ୍‌ର ପ୍ରମୁଖ ତୈଳ କମ୍ପାନି  ରୋଜ୍‌ନେଫ୍ଟ ନିକଟରେ ଭାରତରେ  କରିଥିବା ୨୦୦୦ କୋଟି ଡଲାରର  ନିବେଶକୁ ନେଇ ପୁଟିନ୍‌ ଆଲୋକପାତ  କରିଥିଲେ । ସେ କହିଲେ ଯେ, ଭାରତରେ  ନିବେଶ ଲାଭଦାୟକ ।  ପୁଟିନ୍‌ ଆହୁରି କହିଲେ ଯେ, ନୂଆ  ରୁଷୀୟ ବ୍ରାଣ୍ଡଗୁଡ଼ିକର ଉଦୟ ଉକ୍ତ  ପାଶ୍ଚାତ୍ୟ କମ୍ପାନିଗୁଡ଼ିକର ସ୍ଥାନ ନେବାରେ  ସହାୟକ ହେଉଛି, ଯେଉଁମାନେ ନିଜ  ଇଚ୍ଛାରେ ଆମ ବଜାର ଛାଡ଼ିଦେଇଛନ୍ତି ।  ଏଠାରେ ପୁଟିନ୍‌ ପରୋକ୍ଷ ଭାବେ  ଆମେରିକାକୁ ଆକ୍ଷେପ କରିଛନ୍ତି । ଯଦି  ରୁଷ ଭାରତ ବଜାରରୁ ଆମେରିକୀୟ ସାମଗ୍ରୀଗୁଡ଼ିକୁ ପଛରେ ପକାଇଦିଏ  ତେବେ ଆମେରିକାକୁ ବଡ଼ ମାତ୍ରାରେ  କ୍ଷତି ହୋଇପାରେ ।   

ଅନ୍ୟପକ୍ଷରେ, ରୁଷ ରାଷ୍ଟ୍ରପତି  ଏସ୍‌ଏମ୍‌ଇ ବିକାଶ ଦିଗରେ ବ୍ରିକ୍‌ସ  ଦେଶଗୁଡ଼ିକର ସହଯୋଗକୁ ସମର୍ଥନ  କରିଛନ୍ତି । ଏହାସହିତ ଗ୍ଲୋବାଲ ସାଉଥ୍‌ରେ  ସହଜ ବ୍ୟବସାୟିକ କାରବାର ନେଇ  ସଦସ୍ୟ ରାଷ୍ଟ୍ରଗୁଡ଼ିକର ଉଦ୍ୟମକୁ ପ୍ରଶଂସା  କରିଛନ୍ତି ।   

ପ୍ରକାଶଯୋଗ୍ୟ, ଆମେରିକାର  ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ବ୍ରିକ୍‌ସ ଦେଶଗୁଡ଼ିକୁ ଧମକ ଦେଇଥିଲେ ।  ଟ୍ରମ୍ପ କହିଥିଲେ ଯେ, ବ୍ରିକ୍‌ସ ଦେଶଗୁଡ଼ିକ  ଯଦି ଡଲାର ବ୍ୟତୀତ ଅନ୍ୟ କୌଣସି  କରେନ୍ସିରେ କାରବାର କରନ୍ତି ତେବେ  ସେମାନଙ୍କ ଉପରେ ୧୦୦% ଟାରିଫ୍‌ ଲଗାଯାଇପାରେ । ଏହାର ପ୍ରତିକ୍ରିୟାରେ  ପୁଟିନ୍‌ କହିଲେ ଯେ, ଆମେରିକାର ଏହି  ବୟାନ୍‌ ଯୁକ୍ତରାଷ୍ଟ୍ର ପାଇଁ ନୂଆ ଆହ୍ୱାନ  ପାଲଟିପାରେ । ଆଗାମୀ ବର୍ଷ ବ୍ରାଜିଲରେ ହେବାକୁ ଥିବା  ବ୍ରିକ୍‌ସ ସମ୍ମିଳନୀରେ ସହଯୋଗର ପ୍ରମୁଖ  କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ପୁଟିନ୍‌  ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.