ନୂଆଦିଲ୍ଲୀ,୧୭/୧୦: ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୧୮ ବର୍ଷରୁ  କମ୍‌ ବୟସର ପିଲାଙ୍କ ପିତାମାତାଙ୍କ ନିମନ୍ତେ ସତର୍କ ଘଣ୍ଟି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ମୁତାବକ, ୨୦୨୩ରେ ହୋଇଥିବା ସଡ଼କ ଦୁର୍ଘଟଣାରେ  ୧୮ ବର୍ଷରୁ କମ୍‌ ବୟସର ୯ ହଜାର ୪୮୯  ପିଲାଙ୍କ ମୃତ୍ୟୁ ଘଟିଛି । ଅର୍ଥାତ୍‌ ପ୍ରତିଦିନ ଦେଶରେ ୨୬ ପିଲା ସଡ଼କ ଦୁର୍ଘଟଣାରେ  ପ୍ରାଣ ହରାଇଛନ୍ତି । 

ବଡ଼ କଥା ହେଉଛି ବିନା ଲାଇସେନ୍ସରେ ଗାଡ଼ି ଚଳାଇ ଗତବର୍ଷ ୨,୫୩୭  ପିଲାଙ୍କ ମୃତ୍ୟୁ ହୋଇଛି । ଏହାର ଅର୍ଥ ପ୍ରତିଦିନ ଦେଶରେ ବିନା ଲାଇସେନ୍ସରେ ଗାଡ଼ି ଚଳାଇ  ୭ ନାବାଳକ ପ୍ରାଣ ହରାଇଛନ୍ତି । ସେହିଭଳି ଗାଡ଼ିରେ ବସିଥିବା ବେଳେ ହୋଇଥିବା ଦୁର୍ଘଟଣାରେ ୪ ହଜାର ୨୪୨ ପିଲାଙ୍କ ମୃତ୍ୟୁ  ହୋଇଥିବା ବେଳେ ଚାଲୁଥିବା ଅବସ୍ଥାରେ ୨ ହଜାର ୨୩୨ ପିଲା ଦୁର୍ଘଟଣାରେ ପ୍ରାଣ  ହରାଇଛନ୍ତି । 

ସଡ଼କ ପରିବହନ ମନ୍ତ୍ରଣାଳୟର ‘ରୋଡ୍‌  ଆକ୍ସିଡେଣ୍ଟ ଇନ୍‌ ଇଣ୍ଡିଆ-୨୦୨୩’ ରିପୋର୍ଟ  ଖୁବଶୀଘ୍ର ଜାରି କରାଯିବ । ରିପୋର୍ଟ ଦର୍ଶାଇଛି ଯେ ଗତବର୍ଷ ହେଲ୍‌ମେଟ୍‌ ନ ପିନ୍ଧିବା ଯୋଗୁ  ୫୪ ହଜାର ୫୬୮ ଲୋକଙ୍କ ମୃତ୍ୟୁ ଘଟିଛି । ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ୨୦୨୩ରେ  ଦେଶବ୍ୟାପୀ ମୋଟ ୪ ଲକ୍ଷ ୮୦ ହଜାରରୁ  ଅଧିକ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୧ ଲକ୍ଷ ୭୨ ହଜାର ୮୯୦ ଲୋକଙ୍କ ମୃତ୍ୟୁ  ହୋଇଥିବା ବେଳେ ୫ ଲକ୍ଷ ୬୨ ହଜାର ୮୨୫  ଜଣ ଗୁରୁତର ଆହତ ହୋଇଥିଲେ । 

ଅଧିକ ବେଗରେ ଗାଡ଼ିଚାଳନା ଯୋଗୁ  ୧ ଲକ୍ଷ ୧୭ ହଜାର ୬୮୨ ଜଣ ପ୍ରାଣ  ହରାଇଥିବା ବେଳେ ରଙ୍ଗ୍‌ ସାଇଡ୍‌ରେ ଗାଡ଼ି  ଚଳାଇବା ଯୋଗୁ ୯ ହଜାର ୪୩୨ ଜଣ ପ୍ରାଣ  ହରାଇଛନ୍ତି । ମଦ୍ୟପାନ ଯୋଗୁ ୩ ହଜାର  ୬୭୪, ମୋବାଇଲରେ କଥା ହେବା ବେଳେ  ଦୁର୍ଘଟଣା ଯୋଗୁ ୨ ହଜାର ୮୮୪ ଜଣଙ୍କ  ମୃତ୍ୟୁ ହୋଇଛି । ତେବେ ସଡ଼କ ଦୁର୍ଘଟଣାରେ  ପିଲାଙ୍କ ମୃତ୍ୟୁ ସଂଖ୍ୟା ୨୦୨୨ ତୁଳନାରେ ୩୯  କମ୍‌ ରହିଛି । ୨୦୨୨ରେ ହୋଇଥିବା ସଡ଼କ  ଦୁର୍ଘଟଣାରେ ୯ ହଜାର ୫୨୮ ପିଲାଙ୍କ ଜୀବନ  ଯାଇଥିଲା । ଦେଶରେ ବର୍ତ୍ତମାନ ପ୍ରତି ଘଣ୍ଟାରେ  ହାରାହାରି ୫୫ ସଡ଼କ ଦୁର୍ଘଟଣା ହେଉଛି ।  ଏଥିରେ ୨୦ ଲୋକଙ୍କ ମୃତ୍ୟୁ ହେଉଛି । ୨୦୨୨  ତୁଳନାରେ ୨୦୨୩ରେ ସଡ଼କ ଦୁର୍ଘଟଣା ୪.୨%  ଏବଂ ମୃତ୍ୟୁ ୨.୬% ବୃଦ୍ଧି ପାଇଛି । ଦେଶରେ  ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ  (୧୩.୭%) ଉତ୍ତର ପ୍ରଦେଶରେ ହୋଇଛି ।