ଭୁବନେଶ୍ୱର,୨୬/୦୭: ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢ଼ିଛି । ଡ୍ୟାମ୍‌କୁ ପ୍ରତି ସେକେଣ୍ଡରେ ସାଢ଼େ ୩ ଲକ୍ଷ କ୍ୟୁସେକ୍‌ ଜଳ ପଶୁଛି । ହୀରାକୁଦର ୨୦ଟି  ଗେଟ୍‌ ଖୋଲିଛି । ବର୍ଷା ପାଇଁ ମହାନଦୀ ସମେତ ବ୍ରାହ୍ମଣୀ  ଓ ବୁଢ଼ାବଳଙ୍ଗ ନଦୀ ଫୁଲୁଛି। ଶନିବାର ରାଜ୍ୟରେ  ପ୍ରବଳ ବର୍ଷା ହୋଇପାରେ । ଝାରସୁଗୁଡ଼ା, ସମ୍ବଲପୁର  ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ଢାଳିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ।  

ରାଜ୍ୟରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜରୁରୀ ବୈଠକ  କରିଛନ୍ତି । ପ୍ରବଳ ବର୍ଷାରେ ମହାନଦୀ ଓ ବ୍ରାହ୍ମଣୀ  ନଦୀରେ ବନ୍ୟା ଆଶଙ୍କା ରହିଛି । ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ  ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇଛି ।  ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର ପଶ୍ଚିମ  ବଙ୍ଗୋପସାଗର ଓ ବାଲାଂଦେଶ ଉପକୂଳରେ ଏହି  ଅବପାତ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଶନିବାର  ବରଗଡ଼, ଦେବଗଡ଼, କେନ୍ଦୁଝର ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ାରେ  ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶା  ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି  ସହ ବର୍ଷା ଆଶଙ୍କା ଅଛି ।  

ରବିବାର (୨୭ ତାରିଖ) ମୟୂରଭଞ୍ଜ,  କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା  ହୋଇପାରେ । ୨୮ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ  ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା  ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହୋଇପାରେ । ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ମୁହାଁ  ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର  ଓଡ଼ିଶା ଆଡ଼କୁ ଗତିବ ବୋଲି ବୋଲି ପାଣିପାଗ  ବିଭାଗ ଆକଳନ କରିଛି । ବର୍ଷା ପାଇଁ ସ୍ୱତନ୍ତ୍ର ରିଲିଫ  କମିଶନର ସମସ୍ତ ବିଭାଗ ସମେତ ବର୍ଷା ଆଶଙ୍କା ଥିବା  ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମକୁ ସତର୍କ  କରାଇଛନ୍ତି । କୌଣସି ଜରୁରୀ ସ୍ଥିତିକୁ ଏଡ଼ାଇବା  ପାଇଁ ପ୍ରଶାସନ ପ୍ରସ୍ତୁତ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । 

ତିନି ଦିନ ପୂର୍ବରୁ ହୀରାକୁଦର ମାତ୍ର ୨ଟି ଗେଟ୍‌  ଖୋଲାଥିଲା । କିନ୍ତୁ ଗତ ଦୁଇଦିନ ହେଲା ପ୍ରବଳ  ବର୍ଷା ପରେ ଅଧିକ ଗେଟ୍‌ ଖୋଲାଯାଇଛି। ପ୍ରଥମେ  ୪ଟି ଏବଂ ପରେ ପର୍ଯ୍ୟାୟକ୍ରମେ ୮, ୧୨ ଓ ୧୬ଟି  ଖୋଲାଯାଇଥିଲା । ଶୁକ୍ରବାର ୨୦ ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି । ବର୍ଷା ଜାରି ରହିଥିବାରୁ ଗେଟ୍‌  ସଂଖ୍ୟା ବଢ଼ିବା ସମ୍ଭାବନା ଅଛି । ରାତି ୯ଟା ସୁଦ୍ଧା  ଜଳଭଣ୍ଡାର ଜଳସ୍ତର ୬୦୯.୩୯ ଫୁଟ୍‌ ରହିଛି । 

ଗତ ୨୪ ଘଣ୍ଟାରେ ଉପର ମୁଣ୍ଡରେ ୩୯.୩୭  ମିମି ବର୍ଷା ରେକର୍ଡ କରାଯାଇଛି । ଇବ୍‌ରେ ପ୍ରବଳ  ବନ୍ୟା ଜଳ ପ୍ରବାହିତ ହେଉଛି । ଭେଡେନ୍‌ ନଦୀର  ଜଳସ୍ତର କମିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ  ୩ ଲକ୍ଷ ୩୫ ହଜାର ୧୬୬ କ୍ୟୁସେକ୍‌ ଜଳ ପ୍ରବେଶ  କରୁଛି । ମୋଟ ୩ ଲକ୍ଷ ୩୫ ହଜାର ୧୬୬ କ୍ୟୁସେକ୍‌  ଜଳ ନିଷ୍କାସିତ ହେଉଛି । ରାତି ୯ଟା ସୁଦ୍ଧା ବେଲଗାଁ  ଦେଇ ୧୫,୬୦୦, ପଥର୍ଲା ଦେଇ ୩୮,୪୫୨,  ଖଇରମାଲ ଦେଇ ୨ ଲକ୍ଷ ୮୨ ହଜାର, ବାରମୂଳ  ଦେଇ ୧ ଲକ୍ଷ ୪୧ ହଜାର ଓ ମୁଣ୍ଡଳୀ ଦେଇ ୧  ଲକ୍ଷ ୮୪ ହଜାର ୨୩୮ କ୍ୟୁସେକ୍‌ ଜଳ ପ୍ରବାହିତ  ହେଉଛି । 

ମହାନଦୀର ନରାଜଠାରେ ଜଳସ୍ତର ବିପଦ ସଙ୍କେତଠାରୁ ପ୍ରାୟ ଅଢ଼େଇ ମିଟର ତଳେ ପ୍ରବାହିତ ହେଉଛି । ବ୍ରାହ୍ମଣୀ ନଦୀର ଜେନାପୁରଠାରେ ନଦୀ  ଜଳସ୍ତର ୨୦.୫୦ ମିଟର ରହିଛି । ଜଳସ୍ତର କ୍ରମଶଃ  ବଢ଼ିଚାଲିଛି । ବୁଢ଼ାବଳଙ୍ଗ ନଦୀର ଏନ୍‌ଏଚ-୫  ଗୋବିନ୍ଦପୁରଠାରେ ଜଳସ୍ତର ୨୦.୫୦ ମିଟର  ରହିଥିଲା । ଏଠାରେ ବି ଜଳସ୍ତର ବଢୁଛି ।  ରାଜୀବ ଭବନରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ  ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ  ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ,  ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର  ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସମ୍ଭାବ୍ୟ  ବନ୍ୟା ମୁକାବିଲା ନେଇ ବୈଠକରେ ଆଲୋଚନା  ହୋଇଥିଲା । ସମସ୍ତେ ଆଗୁଆ ପ୍ରସ୍ତୁତି ଚଳାଇବାକୁ  ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

ଶୁକ୍ରବାର ସକାଳରୁ  ନେଇ ସନ୍ଧ୍ୟା ଭିତରେ ବାରିପଦାରେ ସର୍ବାଧିକ  ୧୩୦ମିମି ବର୍ଷା ଢାଳିଛି । ଜଗତସିଂହପୁରରେ  ୮୪, ସୋନପୁରରେ ୪୧ମିମି, ବଲାଙ୍ଗୀରରେ ୨୭,  ନୂଆପଡ଼ାରେ ୨୩.୬, ଝାରସୁଗୁଡ଼ାରେ ୧୬.୪,  ସୁନ୍ଦରଗଡ଼ରେ ୧୫.୬, ବାଲେଶ୍ୱରରେ ୧୧.୧, ଢେଙ୍କାନାଳରେ ୮.୨ମିମି ବର୍ଷା ରେକର୍ଡ ହୋଇଛି । 

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇ କହିଛନ୍ତି, ନଦୀକୁ ଅଧିକ ଜଳ  ପ୍ରବେଶ କରୁଛି । ତଳିଆ ଅଞ୍ଚଳରେ ଅଧିକ ପାଣି  ଜମିପାରେ । ଏବେ ସମସ୍ତ ନଦୀର ଜଳ ସ୍ତର ବିପଦ  ସଙ୍କେତ ତଳେ ରହିଛି ବୋଲି ସେ କହିଛନ୍ତି ।