ନୂଆଦିଲ୍ଲୀ – ଆମେରିକାର ଐତିହାସିକ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମଙ୍ଗଳବାର( ୫ ନଭେମ୍ୱର) ମତଦାନ ହୋଇଛି। ପୂ୍ର୍ବତନ ରାଷ୍ଟ୍ରପତି ଓ ରିପବ୍ଲିକାନ ପାର୍ଟିର ନେତା ଡୋନାଲ୍ ଟ୍ରମ୍ପ ଓ ବର୍ତ୍ତମାନର ଉପ ରାଷ୍ଟ୍ରପତି ତଥା ଡେମୋକ୍ରେଟିକ୍‌ ପାର୍ଟିର ପ୍ରାର୍ଥୀ କମଳା ହାରିସଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି। ସମଗ୍ର ଆମେରିକାରେ ପ୍ରାରମ୍ଭିକ ମତଦାନ ଓ ପୋଷ୍ଟାଲ ଭୋଟିଂ ଉପରେ ନଜର ରଖିଥିବା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଇଲେକ୍ସନ ଲ୍ୟାବ୍‌  ଅନୁସାରେ,  ୭.୮ କୋଟିରୁ ଅଧିକ ଆମେରିକୀୟ ଔପଚାରିକ ମତଦାନ ପୂର୍ବରୁ ନିଜର ଭୋଟ୍‌ ଦେଇ ସାରିଛନ୍ତି। ୭ଟି ପ୍ରମୁଖ ରାଜ୍ୟରୁ ପେନସିଲଭେନିଆ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ରାଜ୍ୟ ହୋଇ ବାହାରିଛି, ଯାହା ପାଖରେ ୧୯ ଇଲେକ୍ଟୋରାଲ ଭୋଟ୍‌ ଅଛି। ଏହାପରେ ନର୍ଥ କେରୋଲାଇନା ଓ ଜର୍ଜିଆରେ ୧୬-୧୬ , ମିଶିଗନରେ ୧୫ ଓ ଏରିଜୋନାରେ ୧୧ ଇଲେକ୍ଟୋରାଲ ଭୋଟ୍‌ ଅଛି। ଅନ୍ୟ ପ୍ରମୁଖ ରାଜ୍ୟ ୱିସ୍କୋନ୍ସିନରେ ୧୦ ଓ ନେୱାଦାରେ ୬ଟି ଇଲେକ୍ଟୋରାଲ ଭୋଟ୍‌ ଅଛି। 

ମଜାଦାର କଥା ଏହା ଯେ, ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ଗଧ ଓ ହାତୀ ମଧ୍ୟରେ ମୁକାବିଲା ମଧ୍ୟ କୁହାଯାଏ। ଏହା ପଛର କାହାଣୀ ମଧ୍ୟ ମଜାଦାର। ଏହି   ନିର୍ବାଚନରେ ଦୁଇ ପ୍ରମୁଖ ରାଜନୀତିକ ଦଳ ରିପବ୍ଲିକାନ ପାର୍ଟି ଓ ଡେମୋକ୍ରେଟିକ୍‌ ପାର୍ଟି ମଧ୍ୟରେ ମୁକାବିଲା ହୋଇ ଆସିଛି। ଦୁଇ ଦଳର ପ୍ରତୀକ ଚିହ୍ନ ମଧ୍ୟ କ୍ରମଶଃ ହାତୀ ଓ ଗଧ। ଏଥିପାଇଁ , ଏହାକୁ ହାତୀ ବନାମ ଗଧର ମୁକାବିଲା କୁହାଯାଏ। ପ୍ରସିଦ୍ଧ ଆମେରିକାର ରାଜନୀତିକ କାର୍ଟୁନିଷ୍ଟ ଥମସ୍‌ ନାଷ୍ଟ ( ୧୮୪୦-୧୯୦୨ଙ୍କୁ ୧୯ତମ ଶତାବ୍ଦୀର ଶେଷରେ ଦୁଇ ପଶୁଙ୍କ ମଧ୍ୟରେ ପ୍ରମୁଖ ଦଳ ଗୁଡ଼ିକର ଚିତ୍ରଣକୁ ଲୋକପ୍ରିୟ କରିବାର ଶ୍ରେୟ ଦିଆଯାଏ।

ଆମେରିକାର କ୍ଷମତାଧାରୀ ଡେମୋକ୍ରେଟିକ୍‌ ପାର୍ଟିର ପ୍ରତୀକ ଗଧ। ୧୮୨୮ର ନିର୍ବାଚନରେ ପ୍ରଥମ ଥର ଏହି ପ୍ରତୀକ ସେତେବେଳେ ଆସିଲା , ଯେତେବେଳେ ଏଣ୍ଡ୍ରୟୁ ଜ୍ୟାକସନ ପାର୍ଟିର ପ୍ରାର୍ଥୀ ଥିଲେ। ତାଙ୍କର ବିରୋଧୀମାନେ ତାଙ୍କୁ ଜ୍ୟାକସ ଅର୍ଥାତ୍‌ ଗଧ କହିବା ଆରମ୍ଭ କରି ଦେଲେ। ଜ୍ୟାକ୍ସନ ଏହାକୁ ନିଜର ଅପମାନଭାବିବା ପରିବର୍ତ୍ତେ ଏହି ନାଁକୁ ଗର୍ବରେ ଆପଣାଇ ନେଲେ ଏବଂ ନିଜର ନିର୍ବାଚନ ପ୍ରଚାରରେ ଗଧର ଉପଯୋଗ କରିବାକୁ ଲାଗିଲେ। 

ଏହାପରେ ପ୍ରସିଦ୍ଧ ଆମେରିକାର ରାଜନୀତିକ କାର୍ଟୁନିଷ୍ଟ ଥମସ୍‌ ନାଷ୍ଟ ୧୮୭୦ ଦଶକରେ ‘ହାର୍ପର୍ସ ୱିକଲି’  ମାଗାଜିନ ପାଇଁ ତିଆରି କରାଯାଇ ଥିବା ନିଜର ରାଜନୀତିକ କାର୍ଟୁନରେ ଡେମୋକ୍ରେଟ୍ସ ପାଇଁ ଗଧର ବ୍ୟବହାର କରିବା  ଆରମ୍ଭ କରିଥିଲେ , ଯାହା ଧିରେ ଧିରେ ଡେମୋକ୍ରେଟିକ୍‌ ପାର୍ଟିର ସ୍ଥାୟୀ ପ୍ରତୀକ ହୋଇଗଲା। ଏବେ ସେହି ଗଧ , ଡେମୋକ୍ରେଟିକ୍‌ ପାର୍ଟିର ସରଳତା , କଠିନ ପରିଶ୍ରମ ଓ ଜନସାଧାରଣଙ୍କ ପ୍ରତି ନିଷ୍ଠାର ପ୍ରତୀକ ହୋଇ ଯାଇଛି। 

ଅନ୍ୟପଟେ ଆମେରିକାର ବର୍ତ୍ତମାନର ମୁଖ୍ୟ ବିରୋଧୀ ଦଳ ରିପବ୍ଲିକାନ ପାର୍ଟିର ପ୍ରତୀକ ଚିହ୍ନ ହାତୀ। ଏହାର ଆରମ୍ଭ ମଧ୍ୟ ୧୯ ତମ ଶତାବ୍ଦୀର ଶେଷରେ ହୋଇଥିଲା। ଏହି ପ୍ରତୀକ ଚିହ୍ନକୁ ଗଢିବାର ମଧ୍ୟ ଶ୍ରେୟ କାର୍ଟିନିଷ୍ଟ ଥମସ୍‌ ନାଷ୍ଟଙ୍କୁ ଯାଏ, ଯିଏକି ୭ ନଭେମ୍ୱର , ୧୮୭୪ ରେ ପ୍ରକାଶିତ ହାର୍ପର୍ସ ୱିକଲି ମାଗାଜିନ୍‌ରେ ନିଜର କାର୍ଟୁନରେ ହାତୀକୁ ରିପବ୍ଲିକାନ ଭୋଟ୍‌ ଭାବେ ଦର୍ଶାଇ ଥିଲେ। ଏହାପରେ ଏହା ରିପବ୍ଲିକାନର ପ୍ରତୀକ ଚିହ୍ନ ହୋଇଗଲା। ଏହା ପଛରେ ମୁଖ୍ୟ ବିଚାର ଥିଲା ଯେ ହାତି ଏକ ମଜବୁତ , ସ୍ଥିର ଓ ଗୌରବଶାଳୀ ଜୀବ, ଯିଏ ରିପବ୍ଲିକାନ ପାର୍ଟିର ନୀତି ଓ ବିଚାରଧାରାର ପ୍ରତୀକ।