ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଶ୍ୱ ତମାଖୁ ବର୍ଜନ ଦିବସ: କଟକଣା ପ୍ରହସନ, ଚେତିବେ କେବେ ?

Published By : Prameya | May 31, 2025 9:11 AM

ଭୁବନେଶ୍ୱର,୩୧/୦୫: ସଚେତନତା ଚାଲିଛି । କଟକଣା ପାଇଁ ନିୟମ ଆସୁଛି । ଜରିମାନା ଆଦାୟ ହେଉଛି । ହେଲେ ସବୁ ପରେ ବି ସ୍ଥିତି ସେମିତି । ତମାଖୁ  ବିକ୍ରି ବେଧଡ଼କ ଚାଲିଛି । ସହରରୁ ଗାଁ, ଛୋଟ ପିଲାଙ୍କ ଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ତମାଖୁର ମାୟା ଜାଲରେ । ତମାଖୁ ସେବନ ଦ୍ୱାରା ମାରାତ୍ମକ  ରୋଗର ଚେତାବନୀକୁ ବି ଖାତର ନାହିଁ । ବିଶ୍ୱ ତମାଖୁ ବର୍ଜନ ଦିବସରେ ଏକ ତମାଖୁ ମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ ହେଉନି ତମାଖୁମୁକ୍ତ

ଶିକ୍ଷାନୁଷ୍ଠାନକୁ ତମାଖୁମୁକ୍ତ କରାଯିବ । ସେଥିପାଇଁ  ନିୟମ ଆସିଲା, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ  ଭଳି ଶିକ୍ଷାନୁଷ୍ଠାନର ୧୦୦ମିଟର ପରିଧି  ମଧ୍ୟରେ କୌଣସି ତମାଖୁ ସଂପର୍କିତ ସାମଗ୍ରୀ  ବିକ୍ରି ହେବନି । କୋଟ୍‌ପା-ଆଇନ୍‌ ଓ ୟୁଜିସିର  ଗାଇଡ୍‌ଲାଇନ୍‌ ମଧ୍ୟ ସମାନ କଥା କହିଛି । ହେଲେ  ସବୁଠି ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।  

ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା  ବିଶ୍ୱବିଦ୍ୟାଳୟଠୁ ନେଇ ରାଜଧାନୀ କଲେଜ,  ମହର୍ଷି, ବିଜୁ ପଟ୍ଟନାୟକ, ବିଜେବି କଲେଜର ଚାରି ପାଖରେ ମାଳମାଳ ଦୋକାନ ଅଛି । ସ୍କୁଲ  କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି । ପୁଲିସ, ବିଏମସି  ଓ ସ୍ୱାସ୍ଥ୍ୟ ବିଭାଗ ଏସବୁକୁ ଦେଖି ନଦେଖିବା  ଭଳି ହେଉଛନ୍ତି । କେବଳ ଶିକ୍ଷାନୁଷ୍ଠାନ ନୁହେଁ,  ଚିକିତ୍ସାଳୟ, ରେଳ ଷ୍ଟେସନ, ସରକାରୀ  ଅଫିସରେ ମଧ୍ୟ ସର୍ବସମ୍ମୁଖରେ ତମାଖୁ ସେବନ  କରାଯାଉଛି । ସର୍ବସାଧାରଣ ସ୍ଥାନରେ ଏସବୁ  ବେଆଇନ ଘୋଷିତ ହୋଇଥିଲେ ହେଁ କେହି  ଏହାକୁ ମାନୁନାହାନ୍ତି । ତେବେ ଜାତୀୟ ତମାଖୁ  ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରତିବର୍ଷ  ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।  ହେଲେ ବର୍ଷକୁ ବର୍ଷ ଏହା ଧିମେଇ ଯାଉଛି ।  

୨୦୨୩-୨୪ରେ ସରକାରଙ୍କ ପକ୍ଷରୁ ୩୬୧୦ଟି  ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମ ହୋଇଥିଲା ।  ହେଲେ ୨୦୨୪-୨୫ରେ ଏହି ସଂଖ୍ୟା ମାତ୍ର  ୨୩୨୭ରେ ସୀମିତ ରହିଛି । ସେହିପରି ୨୦୨୩- ୨୪ରେ ୬୭୦ଟି ସ୍ଥାନରେ ଏନଫୋର୍ସମେଣ୍ଟ  ଧରପଗଡ଼ କରିଥିବା ବେଳେ ୨୦୨୪-୨୫ରେ  ୪୭୯ଟି ସ୍ଥାନରେ ଧରପଗଡ଼ ହୋଇଛି । ୨୩- ୨୪ରେ ୮୧୬୪ଜଣ ଆଇନ ଉଲ୍ଲଂଘନକାରୀଙ୍କ  ଠାରୁ ୧୩ଲକ୍ଷ ୨୮ ହଜାର ୧୫୩ଟଙ୍କା ଜରିମାନା  ଆଦାୟ ହୋଇଛି ।

ତମାଖୁ ବିରତି କେନ୍ଦ୍ର  ସଂପର୍କରେ ଅଜ୍ଞ 

ଲୋକମାନେ ତମାଖୁ ଛାଡିବେ । ସେମାନଙ୍କୁ କାଉନସେଲିଂ  କରାଯିବ । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର  ମିଳିତ ସହଯୋଗରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,  କ୍ୟାପିଟାଲ ହସ୍ପିଟାଲ, ରାଉରକେଲାର ଆରଜିଏଚ୍‌ରେ ତମାଖୁ  ବିରତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି କେନ୍ଦ୍ରରେ ଦନ୍ତ  ବିଭାଗର ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ମିଳିଛି ।  ସେମାନେ ପ୍ରତ୍ୟେକ ତମାଖୁ ସେବନକାରୀଙ୍କ କାଉନସେଲିଂ  କରିବା ସହ ସେମାନେ କିପରି ତମାଖୁ ଛାଡ଼ିବେ ସେନେଇ  କାର୍ଯ୍ୟ କରିବେ । ହେଲେ ଏଭଳି ଏକ କେନ୍ଦ୍ର ଅଛି ବୋଲି  ଲୋକେ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି । ଏଦିଗରେ ସଚେତନ  ମଧ୍ୟ ହେଉନି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ୨୦୨୩- ୨୪ରେ ରାଜ୍ୟରେ ମୋଟ ୮୪ହଜାର୮୬୩ଜଣ ବ୍ୟକ୍ତିଙ୍କ  କାଉନସେଲିଂ ହୋଇଥିବା ବେଳେ ୨୦୨୪-୨୫ରେ ଏହି  ସଂଖ୍ୟା ଖସିଛି । ଗତବର୍ଷ ମାତ୍ର ୭୩ହଜାର୭୬୩ଜଣଙ୍କ  କାଉନସେଲିଂ କରାଯାଇଛି । ୧୦% ତମାଖୁ ଛାଡ଼ିପାରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.