ହ୍ୟୁଷ୍ଟନ, ୧୯/୦୬: ପର୍ତ୍ତୁଗାଲ୍‌  ବିପକ୍ଷରେ ଗୋଲ୍‌ ସ୍କୋର କରିଥିବା ଡେମୋକ୍ରେଟିକ ରିପବ୍ଲିକ ଅଫ୍‌ କଙ୍ଗୋ  (ଡିଆର କଙ୍ଗୋ) ୟୋଆନେ ୱିସାଙ୍କ ପାଇଁ ସ୍ୱଦେଶରେ ଅପେକ୍ଷା କରିଛି ଏକ ୩ ଶୟନ କକ୍ଷ ବିଶିଷ୍ଟ ଘର ଓ ଏକ  କାର । ବିଶ୍ୱକପ୍‌ ପୂର୍ବରୁ ଏକ ରିୟଲ  ଇଷ୍ଟେଟ କମ୍ପାନୀ ପକ୍ଷରୁ ଡିଆର କଙ୍ଗୋ ଫୁଟବଲ୍‌ ଦଳ ପାଇଁ ଉପହାର ଘୋଷଣା କରାଯାଇଥିଲା । ବିଶ୍ୱକପରେ ପ୍ରତ୍ୟେକ ଗୋଲ କରୁଥିବା ଖେଳାଳିଙ୍କୁ ରହିବା ପାଇଁ ଘର ଓ ଏକ କାର୍‌ ଉପହାର ଦେବାକୁ ଉକ୍ତ ରିୟଲ ଇଷ୍ଟେଟ  କମ୍ପାନୀ ଘୋଷଣା କରିଥିଲା । ୱିସା ପ୍ରଥମ ଡିଆର କଙ୍ଗୋ ଖେଳାଳି ଭାବେ ବିଶ୍ୱକପ୍‌ରେ ଗୋଲ୍‌ କରି ଇତିହାସ ରଚିଛନ୍ତି ।

​​​​​​​

ଅଧିକ ପଢ଼ନ୍ତୁ :-  IND vs ENG: କେବେ ହେବ ଭାରତୀୟ ଦଳ ଘୋଷଣା ? ବିରାଟ କୋହଲିଙ୍କୁ ନେଇ ଆସିଲା ବଡ଼ ଖବର

ସୂଚନାଯୋଗ୍ୟ, ମ୍ୟାଚ୍‌ର  ୪୫+ ୫ତମ ମିନିଟ୍‌ରେ ଆର୍ଥର ମାସୁଆକୁଙ୍କ ଏକ ପାସ୍‌କୁ ୟୋଆନେ  ୱିସା ହେଡ୍‌ କରି ଗୋଲ୍‌ରେ ପରିଣତ  କରିଥିଲେ । ୧-୧ରେ ସ୍ଥିତି ବରାବର ହୋଇଥିଲା । ଦୀର୍ଘ ୫୨ବର୍ଷ ପରେ  ଡିଆର କଙ୍ଗୋ ବିଶ୍ୱକପ୍‌ରେ ଏକ  ଗୋଲ କରିବାରେ ସଫଳ ହୋଇଥିଲା । ଆଫ୍ରିକା ମହାଦେଶରେ କଙ୍ଗୋ  ନାମରେ ୨ଟି ସ୍ୱାଧୀନ ଦେଶ ରହିଛି ।  ଗୋଟିଏ ଦେଶର ନାମ ରିପବ୍ଲିକ୍‌  ଅଫ୍‌ କଙ୍ଗୋ ଓ ଅନ୍ୟ ଦେଶର ନାମ  ଡେମୋକ୍ରେଟିକ ରିପବ୍ଲିକ୍‌ ଅଫ୍‌ କଙ୍ଗୋ  (ଡିଆର କଙ୍ଗୋ) । ଡିଆର କଙ୍ଗୋର ରାଜଧାନୀ କିନସାସା । ରିପବ୍ଲିକ ଅଫ୍‌  କଙ୍ଗୋର ରାଜଧାନୀର ନାମ ହେଉଛି  ବ୍ରାଜାଭିଲ୍‌ । ଉଭୟ ଦେଶର ରାଜଧାନୀ  ପରସ୍ପରର ଅତ୍ୟନ୍ତ ନିକଟତର ।  ବିଶ୍ୱର ସବୁଠୁ କମ୍‌ ଦୂରତା ବିଶିଷ୍ଟ  ଦୁଇ ସ୍ୱାଧୀନ ରାଷ୍ଟ୍ରର ରାଜଧାନୀ ।  ଉଭୟ ରାଜଧାନୀ ମଧ୍ୟରେ କେବଳ  କଙ୍ଗୋ ନଦୀ ବହି ଯାଇଛି ।