ପୁରୀ ୦୬/୦୭: ଚତୁର୍ଦ୍ଧାମୂର୍ତ୍ତି ସକଳ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ମିଳିତ ବିଗ୍ରହ । ଏଣୁ ଶ୍ରୀବିଗ୍ରହଙ୍କ ରୀତିନୀତି ଓ ବେଶରେ ପରିଲକ୍ଷିତ ହୁଏ ରାଜକୀୟ ଠାଣି । ଦାରୁଦିଅଁଙ୍କ ସୁନାବେଶ ଏହାର ଏକ ନିଦର୍ଶନ । ଆଷାଢ ଶୁକ୍ଳ ଏକାଦଶୀରେ ରଥାରୂଢ ଶ୍ରୀବିଗ୍ରହଙ୍କ ସୁନାବେଶ । ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ଶ୍ରୀବିଗ୍ରହ ଶ୍ରୀଭୂଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର କଟି ମେଖଳା ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବେ । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିବ । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଜଗନ୍ନାଥ ପ୍ରେମୀ ଅସରନ୍ତି ଆନନ୍ଦ ପାଏ ।
ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତି ମାଳି, ତ୍ରିଖଣ୍ଟିକା କମରପଟି ଲାଗି କରାଯିବ । ଦେବୀ ସୁଭଦ୍ରା କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତି ମାଳି ଆଦି ଅଳଙ୍କାର ଲାଗି ହେବେ । ସେହିଭଳି ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାର ଲାଗି ହୁଅନ୍ତି । ଏଥିସହ ଶ୍ରୀମନ୍ଦିର ରତ୍ନସିଂହାସନରେ କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା(ବିଜୟ ଦଶମୀ)ରେ ମଧ୍ୟ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୁଏ ।
୧୬ ହସ୍ତୀରେ ଆସିଥିଲା ବିପୁଳ ରତ୍ନ
ଇତିହାସ କୁହେ ତତ୍କାଳୀନ ଗଜପତି ମହାରାଜା କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ୧୪୬୦ ଖ୍ରୀଷ୍ଟାଦ୍ଦରେ ସମଗ୍ର ଦକ୍ଷିଣ ଜୟ କରି ୧୬ଗୋଟି ହସ୍ତୀରେ ବିପୁଳ ରତ୍ନ ଅଳଙ୍କାର ଆଣିଥିଲେ । ଠାକୁରଙ୍କୁ ଏ ସମସ୍ତ ଅଳଙ୍କାର ଗଜପତି ଉତ୍ସର୍ଗ କରିବା ସହିତ ଆଗ୍ରହ କରିଥିଲେ ଠାକୁରଙ୍କୁ ଏସବୁ ଲାଗି କରିବା ପାଇଁ । ପରେ ବଡ଼ ତଢ଼ାଉ ଶ୍ରୀଛାମୁ(ଗଜପତି) ଙ୍କୁ ରଥ ଉପରେ ସର୍ବ ସମ୍ମୁଖରେ ଠାକୁରଙ୍କ ସୁନାବେଶ କରିବା ପାଇଁ ଅନୁରୋଧ କରିଥିଲେ । ଏଣୁ ରଥ ଉପର ସୁନାବେଶକୁ ବଡ଼ ତଡ଼ାଉ ବେଶ ମଧ୍ୟ କୁହାଯାଏ ।