ନୂଆଦିଲ୍ଲୀ ୦୫/୦୭: ଗର୍ଭାବସ୍ଥା ସମୟରେ ଅଧିକ ପ୍ରଦୂଷଣ ସଂସ୍ପର୍ଶରେ ରହିଲେ, କମ୍‌ ଓଜନର ଶିଶୁ ଜନ୍ମ ହେବାର ଆଶଙ୍କା ୪୦ ପ୍ରତିଶତ ବଢ଼ିପାରେ । ସେତିକି ନୁହେଁ, ଅପରିପକ୍ୱ ପ୍ରସବର ଆଶଙ୍କା ଆଶ୍ଚର୍ଯ୍ୟଜନକ ଭାବେ ୭୦ ପ୍ରତିଶତ ବଢ଼ିପାରେ । ଆଇଆଇଟି ଓ ଭାରତର ଅନ୍ୟ ଶୀର୍ଷ ପ୍ରତିଷ୍ଠାନ ସମେତ ବିଦେଶର ବିଶେଷଜ୍ଞଙ୍କ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତର ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧ ସ୍ପଷ୍ଟ କରିଛି, ୧୩ ପ୍ରତିଶତ ପିଲା ଅପରିପକ୍ୱ ଅବସ୍ଥାରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୭ ପ୍ରତିଶତ କମ୍‌ ଓଜନର ପିଲା ଜନ୍ମ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି । ଏଥିପାଇଁ ବାୟୁ ପ୍ରଦୂଷଣ ଦାୟୀ । ଜଳବାୟୁ ସ୍ଥିତି ଯଥା- ବୃଷ୍ଟିପାତ ଓ ତାପମାତ୍ରାର ମଧ୍ୟ ଏହା ସହ ସମ୍ପର୍କ ଥିବା ଜଣାପଡ଼ିଛି । 

ଗର୍ଭାବସ୍ଥା ସମୟରେ ବାୟୁ ପ୍ରଦୂଷଣର ପ୍ରଭାବକୁ ବିଶ୍ଳେଷଣ କରିବା ଲାଗି ଆଇଆଇଟି ଦିଲ୍ଲୀ, ମୁମ୍ବାଇର ଇଣ୍ଟରନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପପୁଲେସନ୍‌ ସାଇନ୍ସେସ୍‌ ଏବଂ ବ୍ରିଟେନ ଓ ଆୟରଲାଣ୍ଡ୍‌ର ପ୍ରତିଷ୍ଠାନଗୁଡ଼ିକ ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ୫ ଓ ରିମୋଟ୍‌ ସେନ୍ସିଂ ତଥ୍ୟ ଉପରେ ଆଲୋକପାତ କରିଥିଲେ । ଆଉ ଏକ ତଥ୍ୟ ଉତ୍ତର ଭାରତ ଉପରେ ଫୋକସ୍‌ କରିଛି, ଯେଉଁଠି ଦିଲ୍ଲୀ ଓ ଅନ୍ୟ ସହର ମୌସୁମୀ ପରବର୍ତ୍ତୀ ମାସ ଅଗଷ୍ଟ-ନଭେମ୍ବରରେ ବ୍ୟାପକ ପ୍ରଦୂଷଣ ବୃଦ୍ଧିର ସମ୍ମୁଖୀନ ହୋଇଛି । ବର୍ଷର ବାକି ଦିନମାନଙ୍କରେ ମଧ୍ୟ ପ୍ରଦୂଷଣରେ ଖାସ୍‌ ହ୍ରାସ ପରିଲକ୍ଷିତ ହୋଇନାହିଁ ।

୨.୫ ମାଇକ୍ରନ୍‌ ବ୍ୟାସ ଅଧୀନସ୍ଥ ସୂକ୍ଷ୍ମ ପାର୍ଟିକୁଲେଟ୍‌ ମ୍ୟାଟର୍‌ (ପିଏମ୍‌୨.୫) କୁ ଅନ୍ୟତମ ସବୁଠୁ କ୍ଷତିକାରକ ବାୟୁ ପ୍ରଦୂଷକ ଭାବେ ବିବେଚନା କରାଯାଏ । ଜୀବାଶ୍ମ ଇନ୍ଧନ ଓ ବାୟୋମାସ ଦହନ ଏହି ହାନିକାରକ ପ୍ରଦୂଷକର ଉତ୍ସ । ଗବେଷକମାନେ ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ପିଏମ୍‌୨.୫ର ଉଚ୍ଚ ସ୍ତର ଏବଂ ଦକ୍ଷିଣ ଓ ଉତ୍ତର-ପୂର୍ବରେ ନିମ୍ନତର ପ୍ରଦୂଷଣ ସ୍ତର ପାଇଛନ୍ତି । ଏହି ତଥ୍ୟ ସହିତ ହିମାଚଳପ୍ରଦେଶରେ ଅଧିକ ଅପରିପକ୍ୱ ଶିଶୁ (୩୯ ପ୍ରତିଶତ) ଜନ୍ମ ହୋଇଥିଲେ । ସେହିପରି ଉତ୍ତରାଖଣ୍ଡରେ ୨୭ ପ୍ରତିଶତ, ରାଜସ୍ଥାନରେ ୧୮ ପ୍ରତିଶତ ଏବଂ ଦିଲ୍ଲୀରେ ୧୭ ପ୍ରତିଶତ ଅପରିପକ୍ୱ ଶିଶୁ ଜନ୍ମ ହୋଇଥିଲେ । ପ୍ରଭାବୀ ଯୋଜନା ସହିତ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ତ୍ୱରାନ୍ୱିତ କରିବାକୁ ଅଧ୍ୟୟନକର୍ତ୍ତା ଆହ୍ୱାନ ଦେଇଛନ୍ତି ।