ଅଜାଙ୍କ ବଙ୍କୁଲି ବାଡ଼ିର ଶାସନ ଆମ୍ବତୋଟାରେ  ଆମ୍ବ ଜଗିବା ସହ ସମାନ ହେଉଥିବା ବେଳେ  ଶିକ୍ଷକଙ୍କ ପାଞ୍ଚଣ ବାଡ଼ିର ଶାସନ ବା ଚାଷୀର  ପାଞ୍ଚଣ ବାଡ଼ିର ଶାସନ ନିର୍ମାଣ କରିଥାଏ ଶାସନର  ଉତ୍ତରଦାୟିତ୍ୱ ଓ ଫଳପ୍ରସୂ ଚିନ୍ତାଧାରାର କର୍ମଠ  ଜୀବନଶୈଳୀ । ନିଜ ମଧ୍ୟରେ ଥିବା ଶାସନ ଓ  ଅନୁଶାସନର ଜୀବନକୁ ଯଦି ବ୍ୟକ୍ତି ବଙ୍କୁଲି ବାଡ଼ିର  ସୀମା ମଧ୍ୟରେ ପ୍ରତିବିମ୍ବିତ କରେ, ତେବେ ତାହା  ଧୀରେ ଧୀରେ ଜାଗରଣରୁ ସୁପ୍ତରେ ପରିଣତ  ହୋଇଯିବ  ।

ସାମାଜିକ ଜୀବନକୁ ଅଧିକ କ୍ରିୟାଶୀଳ ତଥା  ବ୍ୟବସ୍ଥିତ କରିବାପାଇଁ ମଣିଷ ବୈଧାନିକ  ଜୀବନ ଗଠନ କରିଅଛି, ଯେଉଁଥିରେ ମଣିଷ ନିଜର ତଥା ସାମାଜିକ ପୃଷ୍ଠଭୂମିରେ ଏକ ସୁସ୍ଥ  ପରିଚୟ ସୃଷ୍ଟି କରିଅଛି । ଜୀବନରେ ଶାସନ,  ଅନୁଶାସନ, ଆତ୍ମାନୁଶାସନ ଆଦି ଏକ ଏକ ନିୟନ୍ତ୍ରିତ  ବିଚାରଧାରା । ଶାସନର ଅର୍ଥ ପ୍ରକ୍ରିୟାର ନିଷ୍ପତ୍ତି  ଗ୍ରହଣ ଓ ପ୍ରକ୍ରିୟା ଦ୍ୱାରା କେଉଁ ନିଷ୍ପତ୍ତି କାର୍ଯ୍ୟକାରୀ  ହୁଏ ବା କାର୍ଯ୍ୟକାରୀ ହୁଏନାହିଁ  ତାହା ନିର୍ଣ୍ଣୟ ହୋଇଥାଏ ।  କର୍ପୋରେଟ୍‌ ଶାସନ,  ଅନ୍ତର୍ଜାତୀୟ ଶାସନ, ଜାତୀୟ  ଶାସନ ବା ସ୍ଥାନୀୟ ଶାସନ ପରି  ଶାସନକୁ ବିଭିନ୍ନ ପ୍ରସଙ୍ଗରେ  ବ୍ୟବହାର କରାଯାଇଥାଏ, ମାତ୍ର  ଶାସନରେ ଦୁଇଟି ଦିଗ ପରିଲକ୍ଷିତ ହୁଏ ଯାହା  ଉତ୍ତମ ଶାସନ ଓ ନିକୃଷ୍ଟ ଶାସନ ବୋଲି ପରିଚୟ  ହୋଇଥାଏ । ଯେଉଁ ଶାସନରେ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ  ଓ କ୍ଷମତା ନ୍ୟସ୍ତ ହୋଇଥାଏ ଓ ଉତ୍ତରଦାୟିତ୍ୱକୁ  ଅନ୍ତର୍ଭୁକ୍ତ କରେ ତାହା ହୋଇଥାଏ ଉତ୍ତମ ଶାସନ ।  

ଉକ୍ତ ଶାସନରେ ନିର୍ବାଚିତ  ପ୍ରତିନିଧିଙ୍କ ମାଧ୍ୟମରେ ଓ  ନିଯୁକ୍ତ ନିଷ୍ପତ୍ତି ଗ୍ରହଣକାରୀଙ୍କ  ମାଧ୍ୟମରେ ନିଷ୍ପତ୍ତି ନେବାରେ  ଜନସାଧାରଣ ଅଂଶଗ୍ରହଣ  କରନ୍ତି ଓ ଏହି ନିଷ୍ପତ୍ତି  ନିର୍ମାତାମାନେ ସେମାନଙ୍କ  କ୍ଷମତାର ବ୍ୟବହାର ପାଇଁ  ଜନସାଧାରଣଙ୍କ ନିକଟରେ  ଉତ୍ତରଦାୟୀ ଅଟନ୍ତି,  ଯାହା ଉତ୍ତମ ଶାସନ ।  ଅନ୍ୟପକ୍ଷରେ ଯେଉଁ ଶାସନ  ବର୍ଷ ବର୍ଷ ଧରି ଅନବରତ  ଜନସାଧାରଣଙ୍କୁ ଉପେକ୍ଷା କରି ବ୍ୟକ୍ତିସ୍ୱାର୍ଥକୁ  ପ୍ରାଧାନ୍ୟ ଦେଇ ବାକ୍ୟରେ ଗୋଟିଏ ଓ କାର୍ଯ୍ୟରେ  ଅନ୍ୟ ଗୋଟିଏ ହୁଏ, ଉକ୍ତ ଶାସନକୁ ନିକୃଷ୍ଟ ଶାସନ  ବୋଲି ସ୍ୱୀକାର କରାଯାଏ । ସାର୍ବଜନୀନ କ୍ଷେତ୍ରକୁ  ବୃଦ୍ଧି କରିବା ପାଇଁ ଶାସନ ବ୍ୟବସ୍ଥାର ସୁଚିନ୍ତିତ  ଓ ସଚେତନ ପରିଚାଳନା ହେଉଛି ସୁଶାସନ,  ଯାହା ସାମାଜିକ, ରାଜନୈତିକ ଓ ଅର୍ଥନୈତିକ  ଦୃଷ୍ଟିକୋଣରୁ ଶାସନକୁ ଦୃଶ୍ୟ କରାଯାଇଥାଏ ।  ପ୍ରକୃତରେ ବିକାଶ ପ୍ରକ୍ରିୟାରେ ଉତ୍ତମ ଶାସନ  ଗୁରୁତ୍ୱପୂର୍ଣ୍ଣ ଯାହା ଏକ ଦୀର୍ଘମିଆଦି ଯୋଜନାର  ସଫଳ ପ୍ରକ୍ରିୟାକରଣ । ଶାସନ କେବଳ "ନିୟମ'  ବା "ପ୍ରଶାସନ' ପାଇଁ ସୀମିତ ନୁହେଁ ବରଂ କ୍ଷମତାକୁ  କିପରି ବ୍ୟବହାର କରାଯାଏ ତାହା ସୂଚାଇବା ପାଇଁ  ଏକ ବ୍ୟାପକ ଅର୍ଥରେ ବ୍ୟବହୃତ ହୁଏ । ଯେହେତୁ  ଇଚ୍ଛା ଅନୁସାରେ ଯେକୌଣସି ପ୍ରକାରେ ଶକ୍ତିର  ପ୍ରୟୋଗ କରାଯାଇପାରେ, ତେଣୁ ନିର୍ଦ୍ଦିଷ୍ଟ ମାନଦଣ୍ଡ  ଓ ଆଦର୍ଶ ଅନୁଯାୟୀ ଶକ୍ତିର ପ୍ରୟୋଗ କରାଯାଇଛି  କି ନାହିଁ ତାହା ବିଚାର କରିବାପାଇଁ କେତେକ ନିର୍ଦ୍ଦିଷ୍ଟ  ନୀତି ଆବଶ୍ୟକ ହୋଇଥାଏ ।  

ଶାସନ ଏକ ଯନ୍ତ୍ର ନୁହେଁ କିମ୍ବା ଏକ ଜୀବନ  ନୁହେଁ, ଯାହା ସ୍ୱୟଂଚାଳିତ ହୋଇ ବିବେକ ଅନୁଯାୟୀ  ଧାବମାନ କରିବ । ଶାସନକୁ ପରିଚାଳନା ବା  ଗତିଶୀଳ କରିବାପାଇଁ ଆବଶ୍ୟକ ହୋଇଥାଏ ବଳିଷ୍ଠ  ନେତୃତ୍ୱ ଓ ଆନ୍ତରିକତା, ଯେଉଁଥିରେ ଶାସନରେ  ପ୍ରାଣସଞ୍ଚାର ହୋଇ ଜୀବନ୍ୟାସ ହୋଇଥାଏ । ଶାସନ  ଯେତେବେଳେ ନିୟନ୍ତ୍ରଣ ହୁଏ ସେତେବେଳେ  ଏକ ନୈତିକ ଭିତ୍ତିଭୂମିରେ ପରିଚାଳିତ ହୁଏ ଓ  ସେଥିପାଇଁ ଆବଶ୍ୟକ ହୋଇଥାଏ କେତେକ ସଂହିତା  ଓ ଅନୁସଂହିତା, ଅନୁଶାସନ ଓ ଆତ୍ମାନୁଶାସନ ।  ଯେତେବେଳେ ବୈଧାନିକ ପରିଧି ମଧ୍ୟରେ ଚଞ୍ଚଳ  ହୁଏ ଶାସନ, ସେତେବେଳେ ବିବେକର ନୈତିକ  ମୂଲ୍ୟବୋଧରେ ପରିଚାଳିତ ହୁଏ ଅନୁଶାସନ ।  ଅନେକ ସମୟରେ ଶାସନର ବୈଧାନିକ ପୃଷ୍ଠଭୂମି  ନିକଟରେ ଅନୁଶାସନର ନୈତିକ ଦୃଷ୍ଟିକୋଣ ଉନ୍ନତ  ସୁଶାସନର ସ୍ଥାନ ଅଧିକୃତ କରିଥାଏ ସେତେବେଳେ ଶାସନ ହୋଇଥାଏ ବିଚାର କ୍ଷେତ୍ରର ନୈତିକ  ମୂଲ୍ୟବୋଧର ପ୍ରକ୍ରିୟା । ମାତ୍ର ଏସବୁର ପରିଚାଳନା  ପାଇଁ ଦରକାର ହୋଇଥାଏ ଗୁଣାତ୍ମକ ଶାସନର  ମନୋଭାବ ତଥା ପ୍ରଜାବତ୍ସଳ ଚିନ୍ତାଧାରା । 

ଅନେକ  କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ ଯେ ବିଦ୍ୟାଳୟରେ  ଯେଉଁ ଶିକ୍ଷକ ଅଧିକ କୋପୀ ବା ନୀତି ନିୟମ ତଥା  ବ୍ୟବସ୍ଥିତ ବିଚାରଧାରା ଅନୁଶାସନରେ ପରିଚାଳିତ,  ଉକ୍ତ ଶିକ୍ଷକଙ୍କୁ ପ୍ରାୟ ପିଲାମାନେ ଭୟ କରିଥାନ୍ତି ଓ ଉକ୍ତ ଶିକ୍ଷକଙ୍କ ଦ୍ୱାରା ଦିଆଯାଇଥିବା ପାଠଗୁଡ଼ିକ ପିଲାମାନେ ପ୍ରାୟ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ  ସମାପ୍ତ କରିଥାନ୍ତି । ବାସ୍ତବ ଦୃଷ୍ଟିକୋଣରୁ ଅନୁଧ୍ୟାନ  କଲେ ଏହା ନିଶ୍ଚିତ ଯେ, ଏଥିରେ ଶିକ୍ଷକଙ୍କର  କୌଣସି ଉପକାର ହୋଇନଥାଏ, ମାତ୍ର ଉପକାର  ହୋଇଥାଏ ପିଲାମାନଙ୍କ ଭବିଷ୍ୟତର । ଯଦି  କୌଣସି ପିଲା ଉପଯୁକ୍ତ ନିର୍ଦ୍ଦିଷ୍ଟ ପାଠ କରିନଥାଏ,  ତେବେ ଶିକ୍ଷକଙ୍କର ପାଞ୍ଚଣ ବାଡ଼ି ଭୟରେ ତାହା  ସିଦ୍ଧ ହୋଇଥାଏ। ଉକ୍ତ ଶିକ୍ଷକ ଅତ୍ୟନ୍ତ ଦୟାଳୁ  ଓ ଛାତ୍ରବତ୍ସଳ ହୋଇଥିଲେ ମଧ୍ୟ ବାହ୍ୟରୂପରେ  ସେ ପାଞ୍ଚଣ ବାଡ଼ି ସହାୟତାର ଶାସନରେ ଦୀକ୍ଷିତ  ହୋଇ କର୍ମକୁ ସୁଶାସନ ଦେଇଥାନ୍ତି, ଯେଉଁଥିରେ  ନିହିତ ଥାଏ ଅନୁଶାସନର ବିଚାରଧାରା । କିନ୍ତୁ  ଯେଉଁ ଶିକ୍ଷକ ଶାସନର ଭିତ୍ତିଭୂମିରେ ନିଜକୁ ଅସହାୟ ମନେ କରିଥାନ୍ତି ଓ ବର୍ତ୍ତମାନର ବ୍ୟବସ୍ଥାକୁ  ଉତ୍ତରଦାୟିତ୍ୱ ଭାବେ ଗ୍ରହଣ କରିନଥାନ୍ତି ସେ ବଙ୍କୁଲି  ବାଡ଼ି ସହାୟତାରେ ଜୀବନ ନିର୍ବାହ କଲାଭଳି  କେବଳ ସାହାରାରେ ଜୀବନ ନିର୍ମାଣ କରିଥାନ୍ତି ।  ଉକ୍ତ ପରିପ୍ରେକ୍ଷୀରେ ବଙ୍କୁଲି ବାଡ଼ିର କୋମଳ  ଶାସନ ପିଲାଙ୍କ ନିକଟରୁ ପାଠ ଆଦାୟ କରିବାରେ  ଅସମର୍ଥ ପ୍ରକାଶ କରିଥାଏ, କାରଣ ସେ ଶାସନର  ବଳିଷ୍ଠତାକୁ କାର୍ଯ୍ୟକାରୀ କରିବାରେ ସାମର୍ଥ୍ୟ ପ୍ରକାଶ  କରିପାରିନଥାନ୍ତି । 

କ୍ଷେତରେ ଚାଷୀଟିଏ ଅଧିକ ମୂଲ୍ୟର ହୃଷ୍ଟପୁଷ୍ଟ  ଦାମୀ ବଳଦ କିଣିଥିଲେ ହେଁ, କ୍ଷେତରେ ହଳ କରିବା  ପାଇଁ ବଳଦକୁ ଅଧିକ ଗତିଶୀଳ କରିବାକୁ ହେଲେ  ଉକ୍ତ ବଳଦ ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ ପାଞ୍ଚଣ  ବାଡ଼ିର ଭୟ, ଯେଉଁଥିରେ ଶାସନ ସହିତ ଅନୁଶାସନ  ମଧ୍ୟ ସନ୍ନିବେଶିତ ହୋଇଥାଏ । ଉକ୍ତ କ୍ଷେତ୍ରରେ  ଚାଷୀ ତାହାର ବଳଦ ପ୍ରତି ଯଥେଷ୍ଟ ଅନୁକମ୍ପା ଓ  ସଦୟ ଥାଏ, ମାତ୍ର ପାଞ୍ଚଣ ବାଡ଼ିର ଅନୁଶାସନାତ୍ମକ  ଭୟ ଶାସନର ଭୟଠାରୁ ଅଧିକ କ୍ରିୟାଶୀଳ ହେତୁ  ଚାଷୀ ନିଜର ଉଦ୍ଦେଶ୍ୟ ସାଧନ କରିଥାଏ । କ୍ଷେତକୁ  ଶସ୍ୟ ଶ୍ୟାମଳା କରିବାରେ ଯଦି ଚାଷୀ ବଙ୍କୁଲି  ବାଡ଼ି ସହାୟତାରେ କ୍ଷେତରେ ବଳଦ ନିକଟରେ ଶାସନ ପରିଚାଳନା କରେ, ତେବେ କ୍ଷେତରେ  ହଳ ନହୋଇ ବରଂ ବଳଦ ଦ୍ୱାରା ଚାଷୀ ଆଘାତ  ପାଇବା ନିଶ୍ଚିତ ହୋଇଥାଏ । ସୁନା, ହୀରା, ମୋତି,  ମାଣିକ ଆଦି ଦ୍ୱାରା ନିର୍ମିତ ଜୋତା ହୋଇଥିଲେ  ହେଁ ତାହା ପାଦରେ ସ୍ଥାନିତ ହୋଇଥାଏ । ମାତ୍ର  ସେହି ଧାତୁରେ ନିର୍ମିତ ଅଳଙ୍କାର ମଧ୍ୟ ମଣିଷର  ଶରୀରରେ, ମସ୍ତକରେ ଶୋଭା ପାଇଥାଏ ଓ ତାହା  ପୁଣି ଭଗବାନଙ୍କ ନିକଟରେ ପୂଜାରେ ସ୍ଥାନିତ  ହୋଇ ମାନ୍ୟ ହୋଇଥାଏ । ଅତଏବ ପ୍ରୟୋଗ ଓ  ପରିଚାଳନା ଦ୍ୱାରା ଶାସନ ହୋଇଥାଏ ଗତିଶୀଳ ଓ  ଦୁର୍ବଳ ଶାସନ ତଥା ଅନ୍ୟ ଉପରେ ନିର୍ଭରଶୀଳ  ଶାସନ ସବୁବେଳେ ହୋଇଥାଏ ବଙ୍କୁଲି ବାଡ଼ିର ଶାସନ, ଯେଉଁଥିରେ ସାମାଜିକ ଜୀବନ ହୋଇଥାଏ  ଅନ୍ୟ ଉପରେ ନିର୍ଭରଶୀଳ । ଆତ୍ମନିର୍ଭରଶୀଳ  ହେଉଛି ଜୀବନର ଆଧାର ଓ ତାହା ଶିକ୍ଷା ଦେଇଥାଏ  ନୈତିକ ସ୍ୱାଭିମାନର ବିଚାରଧାରା । ମାତ୍ର ଯେଉଁ  ସମାଜରେ ବ୍ୟକ୍ତି ସ୍ୱାଭିମାନର ନିକିତି ଦଣ୍ଡରେ  ଆନନ୍ଦିତ, ସେଠାରେ ନଥାଏ ନିକୃଷ୍ଟ ଶାସନର ଦୃଷ୍ଟି ।  

ମଣିଷ ଅନେକ ସମୟରେ ନିଜର ଆଧିପତ୍ୟ,  ଲୋଭ, କ୍ଷମତା ଆଦିକୁ ଉପଭୋଗ କରିବାପାଇଁ  ତତ୍ପର ହୋଇଥାଏ କେବଳ ଇନ୍ଦ୍ରିୟର ସନ୍ତୁଷ୍ଟି  ପାଇଁ । ସେଠାରେ ନଥାଏ ବିବେକ ଓ ନୈତିକତାର  ଶାସନ । ଅତଏବ ଅଜାଙ୍କ ବଙ୍କୁଲି ବାଡ଼ିର ଶାସନ  ଆମ୍ବତୋଟାରେ ଆମ୍ବ ଜଗିବା ସହ ସମାନ ହେଉଥିବା  ବେଳେ ଶିକ୍ଷକଙ୍କ ପାଞ୍ଚଣ ବାଡ଼ିର ଶାସନ ବା  ଚାଷୀର ପାଞ୍ଚଣ ବାଡ଼ିର ଶାସନ ନିର୍ମାଣ କରିଥାଏ  ଶାସନର ଉତ୍ତରଦାୟିତ୍ୱ ଓ ଫଳପ୍ରସୂ ଚିନ୍ତାଧାରାର  କର୍ମଠ ଜୀବନଶୈଳୀ । ନିଜ ମଧ୍ୟରେ ଥିବା ଶାସନ  ଓ ଅନୁଶାସନର ଜୀବନକୁ ଯଦି ବ୍ୟକ୍ତି ବଙ୍କୁଲି  ବାଡ଼ିର ସୀମା ମଧ୍ୟରେ ପ୍ରତିବିମ୍ବିତ କରେ, ତେବେ  ତାହା ଧୀରେ ଧୀରେ ଜାଗରଣରୁ ସୁପ୍ତରେ ପରିଣତ  ହୋଇଯିବ । ତେଣୁ ସମୟର ପରିଧି ମଧ୍ୟରେ ବଙ୍କୁଲି  ବାଡ଼ିର ଅନୁଶାସନକୁ ଦୃଷ୍ଟିରେ ରଖି ପାଞ୍ଚଣ ବାଡ଼ିର  ନୈତିକ ତଥା ଉତ୍ତରଦାୟୀ ଶାସନ ଉପରେ ମଣିଷ  ନିର୍ଭର କରିବା ଉଚିତ, ଯେଉଁଠି ବାକ୍ୟ, କର୍ମ ଓ ଫଳ  ସଂଯୋଗର ସମନ୍ୱୟରେ ଶାସନ ହୋଇଯିବ ବାସ୍ତବ  ଅନୁଶୀଳନର ଅନୁଶାସନ ଓ ଆତ୍ମାନୁଶାସନ ।