‘ଅପରେସନ ସିନ୍ଦୂର’ର ସଫଳତା କେବଳ ପାକିସ୍ତାନରେ ଆତଙ୍କୀ ଶିବିର ଧ୍ୱଂସଲୀଳାରେ ସୀମିତ ରହିନାହିଁ, ଦେଶର ସାମରିକ ପରାକାଷ୍ଠାର ଏହା ସଦ୍ୟତମ ନିଦର୍ଶନ । ଆମେ ଜାଣିଛନ୍ତି, ସମ୍ମୁଖ ଯୁଦ୍ଧରେ ନଥିଲେ ମଧ୍ୟ ଚୀନ ହେଉଛି ପାକିସ୍ତାନର ଶକ୍ତି । ପାକିସ୍ତାନର ବିଫଳତା ଓ ପରାଜୟ କିଛି ମାତ୍ରାରେ ଚୀନକୁ ମଧ୍ୟ ପ୍ରଭାବିତ କରିଥିବ ।
"ଅପରେସନ ସିନ୍ଦୂର'ର ପ୍ରଚଣ୍ଡ ସଫଳତା ପରେ ସାରା ଦେଶରେ ଅଭୂତପୂର୍ବ ଉନ୍ମାଦନା ଓ ନୂତନ ଶିହରଣ ଖେଳିଯାଇଛି । ଚାରିଆଡ଼େ ତ୍ରିରଙ୍ଗା ଶୋଭାଯାତ୍ରା । କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ମୁହଁରେ ଭାରତମାତାର ଜୟ ଜୟ ଧ୍ୱନି ଓ ଭାରତୀୟ ସେନାଙ୍କ ପ୍ରତି କୃତଜ୍ଞତାର ନମ୍ର ପ୍ରଣିପାତ । ରାଷ୍ଟ୍ରପ୍ରେମ-ସଂଶ୍ଳିଷ୍ଟ ପ୍ରତିହିଂସା, ଶତ୍ରୁ ନିମନ୍ତେ କେତେ ଭୟଙ୍କର ରୂପ ନେଇପାରେ "ଅପରେସନ ସିନ୍ଦୂର' ତାହାର ଜ୍ୱଳନ୍ତ ନିଦର୍ଶନ । ଚଳିତ ମାସ ଏପ୍ରିଲ ୨୨ ତାରିଖରେ ପଡ଼ୋଶୀ ରାଷ୍ଟ୍ରରେ ଲାଳିତପାଳିତ ଆତଙ୍କବାଦୀମାନେ କାଶ୍ମୀରର ପହଲଗାଓଁ ଠାରେ ଧର୍ମଭିତ୍ତିରେ ବାଛି ବାଛି ୨୬ଜଣ ନିରୀହ ଜନତାଙ୍କୁ ନିର୍ମମ ହତ୍ୟା କରିବା ପରେ ସାରା ଦେଶ କ୍ରୋଧ ଏବଂ ପ୍ରତିଶୋଧ ବହ୍ନିରେ ପ୍ରଜ୍ୱଳିତ ହୋଇଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା- ବାସ୍ ବହୁତ ହେଇଗଲା । ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସାନ୍ତ୍ୱନା ଦେବା ଆଳରେ କହିଥିଲେ "ଏବେ ସମୟ ଆସିଛି, ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରି ସେମାନଙ୍କୁ ମାଟିରେ ମିଶାଇ ଦେବା' । ବାସ୍ତବରେ ଏହା ପ୍ରଧାନମନ୍ତ୍ରୀଙ୍କର ସାନ୍ତ୍ୱନା ନଥିଲା, ଏହା ଥିଲା ଅଟଳ ସଂକଳ୍ପ।
ମଇ ମାସ ୭ ତାରିଖରେ "ଅପରେସନ ସିନ୍ଦୂର' ଥିଲା ସେହି ସଂକଳ୍ପର ସଫଳ ରୂପକଳ୍ପ । ନିର୍ଭୁଲ ପ୍ରକ୍ରିୟାରେ ପ୍ରସ୍ତୁତି, ଗଭୀର ରଣନୀତିକ ଯୋଜନା ଏବଂ ଲକ୍ଷ୍ୟସ୍ଥଳରେ ଉପନୀତ ହେବା ନିମନ୍ତେ ଲୌହସଂକଳ୍ପ- ଏହାରି ଆଧାରରେ ସଫଳତା ମିଳିଥିଲା । ଆମେ ଯଦି ଶତ୍ରୁପକ୍ଷର ଧ୍ୱଂସଲୀଳାରେ ଅପରେସନ ସିନ୍ଦୂରର ସଫଳତା ମାପିବା ତାହା ଏହିଭଳି- ପ୍ରଥମତଃ, ୧୧ଟି ପାକିସ୍ତାନୀ ବାୟୁସେନା ଘାଟୀକୁ ନିଷ୍କ୍ରିୟ କରିବା ସହିତ ଘାଟୀର ଏୟାରଷ୍ଟ୍ରିପ୍, ଡ୍ରୋନ୍ ଲଞ୍ଚପ୍ୟାଡ୍, ରାଡାର ଷ୍ଟେସନ ଏବଂ ସଂନୀରିକ୍ଷଣ ଉପକରଣଗୁଡ଼ିକୁ ଅକାମି କରିଦିଆଯାଇଥିଲା। ଦ୍ୱିତୀୟତଃ, ମୁଜାଫରାବାଦ, କୋଟଲି ଏବଂ ବାଲାକୋଟରେ ଅବସ୍ଥିତ ୯ଟି ଉଚ୍ଚ ଶକ୍ତିସଂପନ୍ନ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା । ଏଥିରେ କଠୋର ଆତଙ୍କବାଦୀ ଫିଦାୟେଁ ଏବଂ ସୀମାପାର ଆତଙ୍କବାଦୀଙ୍କୁ ତାଲିମ ପ୍ରଦାନ କରାଯାଉଥିଲା । ତୃତୀୟତଃ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ୧୦୦ରୁ ଊଦ୍ଧ୍ୱର୍ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ଏବଂ ସେଥିମଧ୍ୟରୁ ପାକିସ୍ତାନର ଆଇଏସ୍ଆଇ ସଂସ୍ଥା ନିର୍ଦ୍ଦେଶରେ କାର୍ଯ୍ୟରତ ୫ଜଣ ଗୁରୁତ୍ୱପୂର୍ଣ୍ଣ ଉଚ୍ଚ ପଦାଧିକାରୀ ଅନ୍ତର୍ଭୁକ୍ତ । "ଅପରେସନ ସିନ୍ଦୂର' ସାମରିକ ଶକ୍ତି ପ୍ରଦର୍ଶନର ପ୍ରତୀକାତ୍ମକ ସନ୍ତକ ନୁହେଁ, ଏହା ହେଉଛି ପାକିସ୍ତାନରେ ପ୍ରତିପାଳିତ ଆତଙ୍କୀ ଶିବିର ଉପରେ ନିର୍ଭୁଲ, ଯୋଜନାବଦ୍ଧ ପ୍ରଚଣ୍ଡ ପ୍ରହାର ।
ଚଳିତ ମାସ ୧୨ ତାରିଖ ପବିତ୍ର ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍ବୋଧନ ଅବସରରେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି “ପାକିସ୍ତାନ ସରକାର ଓ ପାକିସ୍ତାନୀ ସେନା ଯେଉଁଭଳି ଭାବେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ତାହାହିଁ ଦିନେ ପାକିସ୍ତାନକୁ ଧ୍ୱଂସ କରିଦେବ । ଯଦି ପାକିସ୍ତାନ ତିଷ୍ଠି ରହିବାକୁ ଚାହେଁ, ତାହେଲେ ନିଜସ୍ୱ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ପଡ଼ିବ । ଶାନ୍ତି ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ । ଆତଙ୍କବାଦ ଓ ଆଲୋଚନା, ଆତଙ୍କବାଦ ଓ ବାଣିଜ୍ୟ ହାତ ଧରାଧରି ହୋଇ ଚାଲିପାରିବେ ନାହିଁ । ପାଣି ଏବଂ ରକ୍ତ ଗୋଟିଏ ସ୍ରୋତରେ ପ୍ରବାହିତ ହେବେନାହିଁ” ।
ପହଲଗାଓଁ ଆକ୍ରମଣ ପରିପ୍ରେକ୍ଷୀରେ ୨୦୦୮ ମସିହା ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ମୁମ୍ବାଇ ନରସଂହାର ଚିତ୍ର ସାମନାକୁ ଆସିଯାଏ । ୨୦୦୮ ମସିହା ନଭେମ୍ବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାରିଦିନ କାଳ ମୁମ୍ବାଇ ସହରର ଆଠଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଆତଙ୍କବାଦୀଙ୍କ କବଳରେ ଥିଲା । ସରକାରୀ ତଥ୍ୟ ଅନୁଯାୟୀ, ଏହି ଆକ୍ରମଣରେ ୯ଜଣ ଆକ୍ରମଣକାରୀଙ୍କ ସମେତ ୧୭୫ ବ୍ୟକ୍ତି ପ୍ରାଣ ହରାଇବା ସହିତ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ଏହି ଆକ୍ରମଣ ନିମନ୍ତେ ଲସ୍କର-ଇ-ତୋଇବାର ୨୪-୨୬ ଜଣ ଆତଙ୍କବାଦୀ ପାକିସ୍ତାନର ମୁଜାଫରାବାଦ ପାର୍ବତ୍ୟ ଅଞ୍ଚଳରେ ତାଲିମ ପାଇଥିଲେ । ସେଥିରୁ ବଛା ବଛା ଦଶ ଜଣଙ୍କୁ ମୁମ୍ବାଇ ଆକ୍ରମଣ ନିମନ୍ତେ ପଠାଯାଇଥିଲା । ସେମାନେ ଡଙ୍ଗାରେ ଆସି କୋଲାବାରେ ପହଞ୍ଚିଥିଲେ ଏବଂ ସେଠାରୁ ଭିନ୍ନ ଭିନ୍ନ ସ୍ଥାନକୁ ଯାଇଥିଲେ । ପାକିସ୍ତାନର ସଂପୃକ୍ତି ନେଇ ଭାରତର ହାଇକମିଶନର ଇସଲାମାବାଦରେ ଅବସ୍ଥିତ ବୈଦେଶିକ ବ୍ୟାପାର ଅଫିସରେ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପାକିସ୍ତାନର ହାଇକମିଶନରଙ୍କୁ ଦୁଇଟି ପୃଥକ ଦସ୍ତାବିଜ ପ୍ରଦାନ କରାଯାଇଥିଲା । ଏଥିରେ ଭାରତରେ ସଂଗଠିତ ସଂହାରଲୀଳାରେ ସଂପୃକ୍ତ ୨୦ଜଣ ପାକିସ୍ତାନୀ ଦୁର୍ଦ୍ଧର୍ଷ ଆତଙ୍କବାଦୀଙ୍କୁ ଭାରତ ପ୍ରତ୍ୟର୍ପଣ ନିମନ୍ତେ ଅନୁରୋଧ କରାଯାଇଥିଲା । କିନ୍ତୁ ପାକିସ୍ତାନ ସରକାର ଆତଙ୍କଲୀଳାରେ ପାକିସ୍ତାନୀଙ୍କ ସଂପୃକ୍ତି ନେଇ ପ୍ରଥମରୁ ମନା କରିବା ସହିତ ସେ ସଂପର୍କରେ ଠୋସ୍ ତଥ୍ୟ ପ୍ରମାଣ ଦାବି କରିଥିଲା । ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ସମସ୍ତ ଆତଙ୍କବାଦୀ ପାକିସ୍ତାନର ନାଗରିକ, ଭାରତ ସରକାର ଏ ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ପ୍ରଦାନ କରିଥିବା ସତ୍ତେ୍ୱ ପାକସ୍ତାନ ନିରବ ରହିଥିଲା ।
ପ୍ରଥମତଃ, ମୁମ୍ବାଇ ସଂହାରଲୀଳାରେ ପାକିସ୍ତାନର ସଂପୃକ୍ତି ସଂପର୍କରେ ଅବଗତ ହେବା ପରେ ମଧ୍ୟ ଭାରତ ସରକାର ପାକିସ୍ତାନ ବିରୋଧରେ କୌଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିନଥିଲା । ଦ୍ୱିତୀୟତଃ, ମୁମ୍ବାଇ ଆକ୍ରମଣରେ ସାରା ଦେଶ କ୍ଷୁବ୍ଧ ହୋଇଥିଲେ ମଧ୍ୟ ତତ୍କାଳୀନ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କର ଆଚରଣ ଓ ମନୋଭାବ ଥିଲା ସମ୍ବେଦନହୀନ ଓ ଅମାନବୀୟ । କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାତିଲଙ୍କ ବିରୋଧରେ ଜନଅସନ୍ତୋଷ ଏତେ ତୀବ୍ର ହେଲା ଯେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପାଇଁ ବାଧ୍ୟ ହେଲେ । ସାରା ଦେଶ ଶୋକରେ ମ୍ରିୟମାଣ ଥିବାବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ପୁତ୍ର ରିତେଶ ଓ ଚଳଚ୍ଚିତ୍ର ନିର୍ମାତା ରାମଗୋପାଳ ବର୍ମା ଧ୍ୱସ୍ତବିଧ୍ୱସ୍ତ ତାଜ୍ ହୋଟେଲରେ ଏକ ଚଳଚ୍ଚିତ୍ର ନିର୍ମାଣ ସଂପର୍କରେ ଯୋଜନା କରିଥିଲେ । ଦୁଃଖର କଥା, ଏମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ମଧ୍ୟ ଉପସ୍ଥିତ ଥିଲେ ।
ରାଜ୍ୟର ଉପମୁଖ୍ୟମନ୍ତ୍ରୀ ରାଓସାହେବ ରାମରାଓ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ ଆତଙ୍କୀ ସଂହାରଲୀଳାକୁ ନ୍ୟୁନ ଦେଖାଇବାକୁ ପ୍ରୟାସ କରି ଫିଲ୍ମ ସଂଳାପ ଆଧାରରେ କହିଥିଲେ "ବଡ଼ ବଡ଼ ସହରରେ ଏହିଭଳି ଛୋଟ ଛୋଟ ଘଟଣା ଘଟୁଥାଏ । ଆତଙ୍କବାଦୀମାନେ ୫୦୦୦ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ, କିନ୍ତୁ ଆମ ଉଦ୍ୟମରେ ତାହା ସର୍ବନିମ୍ନ ସ୍ତରରେ ରହିଛି ।' ଫଳରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗଣଉତ୍ତେଜନା ଓ ଅସନ୍ତୋଷ ଭୟଙ୍କର ରୂପ ନେବାରୁ ସେମାନେ ମଧ୍ୟ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ଯଦି ସେହି ସମୟରେ କେନ୍ଦ୍ର ସରକାର ପାକିସ୍ତାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ, ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ କ୍ରମଶଃ ହ୍ରାସ ପାଇଥାନ୍ତା । ଯେତେବେଳେ ଆମେ ମୁମ୍ବାଇ ଆକ୍ରମଣ ଓ ପହଲଗାଓଁ ଆକ୍ରମଣ ପରିପ୍ରେକ୍ଷୀରେ ସରକାରୀ କାର୍ଯ୍ୟାନୁଷ୍ଠାନର ତୁଳନାତ୍ମକ ବିଶ୍ଳେଷଣ କରନ୍ତି, ସେ ସରକାରଙ୍କ ସମ୍ବେଦନହୀନ ନିଷ୍କ୍ରିୟତା ପାଇଁ ମଥା ଲଜ୍ଜାରେ ଅବନତ ହୋଇଯାଏ ।
"ଅପରେସନ ସିନ୍ଦୂର'ର ସଫଳତା କେବଳ ପାକିସ୍ତାନରେ ଆତଙ୍କୀ ଶିବିର ଧ୍ୱଂସଲୀଳାରେ ସୀମିତ ରହିନାହିଁ, ଦେଶର ସାମରିକ ପରାକାଷ୍ଠାର ଏହା ସଦ୍ୟତମ ନିଦର୍ଶନ । ଆମେ ଜାଣିଛନ୍ତି, ସମ୍ମୁଖ ଯୁଦ୍ଧରେ ନଥିଲେ ମଧ୍ୟ ଚୀନ ହେଉଛି ପାକିସ୍ତାନର ଶକ୍ତି । ପାକିସ୍ତାନର ବିଫଳତା ଓ ପରାଜୟ କିଛି ମାତ୍ରାରେ ଚୀନକୁ ମଧ୍ୟ ପ୍ରଭାବିତ କରିଥିବ । ଆଉ ଦୁଇବର୍ଷ ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ । ପାକିସ୍ତାନର ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଏବେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ୧୦୦ କୋଟି ଡଲାର ଋଣ ଦେବା ସହ ପାକିସ୍ତାନ ଉପରେ ୫୦ଟି ସର୍ତ୍ତ ଲଦି ଦେଇଛି, ଯାହା ପାଳନ କରିବା ବହୁ କଠିନ । ଏଥିସହିତ ଯଦି ଯୁଦ୍ଧର ବୋଝ ଲଦି ହୋଇଗଲେ, ପାକିସ୍ତାନ ପକ୍ଷେ ସଳଖି ଉଠିବା କଷ୍ଟସାଧ୍ୟ ହେବ । ଦ୍ୱିତୀୟତଃ, "ଅପରେସନ ସିନ୍ଦୂର' ପ୍ରଭାବରେ ପାକିସ୍ତାନ ଦୁର୍ବଳ ହେବା ଫଳରେ ବାଲୋଚିସ୍ତାନ ରାଜ୍ୟ ସ୍ୱାଧୀନ ରାଷ୍ଟ୍ର ଭାବେ ଉଭା ହୋଇଛି । ଯଦିଓ ବିଶ୍ୱର କୌଣସି ରାଷ୍ଟ୍ର କିମ୍ବା ମିଳିତ ଜାତିସଂଘ ଏହାକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିନାହାନ୍ତି, ଆଶା କରାଯାଏ ସମୟକ୍ରମେ ଏହା ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହେବ । ବାଲୋଚିସ୍ତାନ ହେଉଛି ଆୟତନରେ ପାକିସ୍ତାନର ୪୦% ଏବଂ ପାକିସ୍ତାନର ସର୍ବବୃହତ ରାଜ୍ୟ । ପ୍ରାକୃତିକ ଖଣିଜ ସଂପଦରେ ଭରପୂର ଏବଂ ଦେଶର ଫଳବଗିଚା ନାମରେ ଅଭିହିତ ଏହି ରାଜ୍ୟ ପାକିସ୍ତାନରୁ ଓହରିଗଲେ ଦେଶର ଅର୍ଥନୀତି ଆହୁରି ଭୁଶୁଡ଼ି ପଡ଼ିବ ।
ଚୀନ ବ୍ୟତିରକେ ପାକିସ୍ତାନକୁ ସାମରିକ କ୍ଷେତ୍ରରେ ସହଯୋଗ କରିଥିବା ଆଉ ଦୁଇଟି ପ୍ରମୁଖ ରାଷ୍ଟ୍ର ହେଉଛନ୍ତି- ତୁର୍କୀ ଏବଂ ଆଜେରବୈଜାନ ଏବଂ ଏ ଦୁଇଟି ରାଷ୍ଟ୍ର ବିରୋଧରେ ଭାରତରେ ପ୍ରତିବାଦ ଆରମ୍ଭ ହୋଇଯାଇଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ତୁର୍କୀ ନିମନ୍ତେ ପ୍ରାୟ ୫୦% ଭିସା ଆବେଦନ ହ୍ରାସ ପାଇଛି ଏବଂ ବହୁ ବ୍ୟାବସାୟିକ ସଂଗଠନ ତୁର୍କୀ ଏବଂ ଆଜେରବୈଜାନ ସହ ବାଣିଜ୍ୟ କାରବାରରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେବଳ ସେତିକି ନୁହେଁ, ବହୁ ଖ୍ୟାତନାମା ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଯେଉଁମାନେ ତୁର୍କୀ ଏବଂ ଆଜେରବୈଜାନ ସହ ଶିକ୍ଷା ସଂପର୍କୀୟ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ସେଗୁଡ଼ିକୁ ବାତିଲ କରିଦେଇଛନ୍ତି । ଏଥିରେ ଆଇଆଇଟି ବମ୍ବେ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ମଧ୍ୟ ସାମିଲ ଅଛନ୍ତି । ସମସ୍ତେ ସ୍ୱତସ୍ଫୂର୍ତ୍ତ ଏହି ବିରୋଧ ଓ ପ୍ରତିବାଦରେ ସାମିଲ ହୋଇଛନ୍ତି ।
ଭାରତ ସରକାର ଜାତୀୟ ସୁରକ୍ଷା ଆଧାରରେ ୯ଟି ବିମାନ ବନ୍ଦରରେ ଗ୍ରାଉଣ୍ଡ ହାଣ୍ଡଲିଙ୍ଗ ସେବା ପ୍ରଦାନକାରୀ ତୁର୍କୀର ସେଲେବି କଂପାନୀର ସୁରକ୍ଷା ଅନୁମତି ପ୍ରତ୍ୟାହାର କରିନେଇଛନ୍ତି । ପ୍ରଥମ କୂଟନୈତିକ ପ୍ରହାର ଭାବେ ଭାରତ ତରଫରୁ ପାକିସ୍ତାନ ପାଇଁ ସିନ୍ଧୁ ନଦୀଜଳ ଚୁକ୍ତି ରଦ୍ଦ କରିଦିଆଯାଇଛି, ଏବେ ଆଫଗାନିସ୍ତାନ ଭାରତର ପ୍ରଭାବରେ କୁନାର ନଦୀରେ ଡ୍ୟାମ ନିର୍ମାଣ କରି ପାକିସ୍ତାନକୁ ପାଣି ବନ୍ଦ କରିଦେବା ପାଇଁ ଘୋଷଣା କରିଛି । ଚାରିଆଡ଼େ ରାଷ୍ଟ୍ରପ୍ରେମର ଅଭୂତପୂର୍ବ ଆବେଗର ଲହରୀ । ଏଥିସହିତ ପାକିସ୍ତାନର ଅସଲ ଆତଙ୍କୀ ରୂପ ସାରା ବିଶ୍ୱରେ ପ୍ରସାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅଭିନବ ମାର୍ଗ ଆଦରି ନେଇଛନ୍ତି । ସର୍ବଦଳୀୟ ସାତଟି ସଂସଦୀୟ ଗ୍ରୁପ ବିଶ୍ୱର ପ୍ରମୁଖ ଦେଶମାନଙ୍କରେ ଅପରେସନ ସିନ୍ଦୂରର ସଫଳତା ବୟାନ କରିବା ସହିତ ପାକିସ୍ତାନର ନଗ୍ନ ଆତଙ୍କୀ ଚିତ୍ର ପ୍ରଦାନ କରିବେ । ଫଳରେ ଭାରତମାତାର ରୂପ ଆହୁରି ଝଲସି ଉଠିବ । ଭାରତମାତାର ଜୟ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେବ ।