ନୂଆଦିଲ୍ଲୀ, ୨୬।୭: ଦୀର୍ଘ ୨୦ ବର୍ଷ ପରେ ପରେ, ଏବେ ପୁଣି ଥରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ସତର୍କତା ଜାରି କରିଛି । ଏପରି ପରିସ୍ଥିତିରେ ଭାରତ ଭଳି ଦେଶରେ, ଯେଉଁଠାରେ ବର୍ଷା ଦିନେ ମଶା ଉପଦ୍ରବ ଖୁବ୍ ସାଧାରଣ କଥା । ଏହି ସମୟରେ ଚିକନଗୁନିଆ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ଚିକନଗୁନିଆ ଏପରି ଏକ ରୋଗ ଯାହା ବିଷୟରେ ଅଧିକାଂଶ ଲୋକ ସଚେତନ ନୁହଁନ୍ତି । କିନ୍ତୁ, ଏପର୍ଯ୍ୟନ୍ତ ୧୧୯ ଟି ଦେଶରେ ଏହି ରୋଗ ଦେଖାଯାଇଥିବା ବେଳେ ଏଥିଯୋଗୁଁ ପ୍ରାୟ ୫.୬ ବିଲିୟନ ଲୋକଙ୍କ ଜୀବନ ବିପଦରେ । ତେବେ ଭାରତକୁ କେତେ ବିପଦ ଅଛି ଆସନ୍ତୁ ଜାଣିବା ।
ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ସମୀର ଭାଟି କୁହନ୍ତି ଯେ, ଭାରତରେ ବର୍ଷା ଋତୁରେ ମଶା ଜନିତ ରୋଗ ଖୁବ୍ ସାଧାରଣ ଏବଂ ଏହା ଚିକନଗୁନିଆ ବ୍ୟାପିବାର ସବୁଠାରୁ ବଡ଼ କାରଣ । ଯଦିଓ ଏଠାରେ ଚିକନଗୁନିଆର ଅଧିକ ବିପଦ ନାହିଁ, କିନ୍ତୁ ଏ ବିଷୟରେ ସତର୍କ ରହିବାକୁ ପଡ଼ିବ । ଡାକ୍ତର ଭାଟିଙ୍କ କହିବାନୁସାରେ, ଚିକନଗୁନିଆ ରୋଗ ଏଡିସ୍ ଏଜିପ୍ଟି ଏବଂ ଏଡିସ୍ ଆଲବୋପିକ୍ଟସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ, ଯାହା ଦିନରେ ଅଧିକ ସକ୍ରିୟ ଥାଏ । ଯେତେବେଳେ ଏକ ସଂକ୍ରମିତ ମଶା ଜଣେ ବ୍ୟକ୍ତିଙ୍କୁ କାମୁଡ଼େ, ସେତେବେଳେ ଭାଇରସ ତାଙ୍କ ରକ୍ତରେ ପ୍ରବେଶ କରି ଶରୀରରେ ଦ୍ରୁତ ଗତିରେ ବ୍ୟାପିଯାଏ । ଏହା ଶରୀରର ମାଂସପେଶୀ ଏବଂ ସ୍ନାୟୁକୁ ସର୍ବାଧିକ ପ୍ରଭାବିତ କରେ, ଯାହା ଫଳରେ ରୋଗୀଙ୍କୁ ପ୍ରବଳ ଯନ୍ତ୍ରଣା ଏବଂ ଦୁର୍ବଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ଚିକନଗୁନିଆର ଲକ୍ଷଣ କ’ଣ ?
ଚିକନଗୁନିଆର ଇନକ୍ୟୁବେସନ୍ ଅବଧି ୨ ରୁ ୭ ଦିନ ଅର୍ଥାତ୍ ଭାଇରସ୍ ସଂକ୍ରମଣର କିଛି ଦିନ ପରେ ଲକ୍ଷଣଗୁଡ଼ିକ ଦେଖାଦେବା ଆରମ୍ଭ କରେ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଅତ୍ୟଧିକ ଜ୍ୱର, ତୀବ୍ର ଗଣ୍ଠି ଯନ୍ତ୍ରଣା ଏବଂ ମାଂସପେଶୀ ବିନ୍ଧିବା ଭଳି ଲକ୍ଷଣ ଦେଖାଯାଏ । ଏହି ଗଣ୍ଠି ଯନ୍ତ୍ରଣା ସପ୍ତାହରୁ ମାସ ପର୍ଯ୍ୟନ୍ତ ରହିପାରେ । ଏହା ବ୍ୟତୀତ ମୁଣ୍ଡବିନ୍ଧା, ଥକ୍କାପଣ, ଥଣ୍ଡା ଲାଗିବା, ବାନ୍ତି ଏବଂ ପୂରା ଶରୀରରେ ଲାଲ ରଙ୍ଗର ଫୋଟକା ଭଳି ଦେଖାଦେଇପାରେ । ଆଖିରେ ଯନ୍ତ୍ରଣା ଏବଂ ଫୁଲା ମଧ୍ୟ ସାଧାରଣ ଲକ୍ଷଣ । ଅନେକ କ୍ଷେତ୍ରରେ ଲକ୍ଷଣଗୁଡ଼ିକ ଡେଙ୍ଗୁ ପରି, ଯାହା ରୋଗୀଙ୍କୁ ସଠିକ୍ ଭାବରେ ଚିହ୍ନଟ କରିବାରେ ବିଳମ୍ବ ହୋଇପାରେ । ଏହି ସଂକ୍ରମଣ ପିଲା, ବୟସ୍କ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କଠାରେ ଗମ୍ଭୀର ରୂପ ନେଇପାରେ, ଯାହା ଦୀର୍ଘ ସମୟ ପାଇଁ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ ।
ନିଜକୁ କିପରି ସୁରକ୍ଷିତ ରଖିବେ ?
-ଘର ଭିତରେ ଏବଂ ଘର ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ ।
-ଶରୀରକୁ ଘୋଡ଼ାଇ ରଖିଥିବା ପୋଷାକ ପିନ୍ଧନ୍ତୁ ।
-ମଶା ମାରିବା ଔଷଧ ଏବଂ କଏଲ୍ ବ୍ୟବହାର କରନ୍ତୁ ।
-ଘରେ କବାଟ ଏବଂ ଝରକାରେ ମଶାରୀ କିମ୍ବା ଜାଲି ଲଗାନ୍ତୁ ।
-ଯଦି ଜ୍ୱର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।