ନୂଆଦିଲ୍ଲୀ: ଏଣିକି ବିମାନରେ ୧୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ବାପା-ମା’ଙ୍କ ପାଖରେ ବସିବାକୁ ସିଟ୍ ମିଳିବ ।ଏନେଇ ଭାରତୀୟ ଏୟାର ଳାଇନ୍ସକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ(ଡିଜିସିଏ) ।ଏହା ସହ ପିଲାମାନଙ୍କୁ ସମାନ ପିଏନଆରରେ ଟିକେଟ ଆଲର୍ଟ କରିବାକୁ କୁହାଯାଇଛି ।ଡିଜିସିଏର ନିର୍ଦ୍ଦେଶ ଅନୁସାରେ, ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ନିଜ ଅଭିଭାବକଙ୍କ ପାଖରେ ବସିବାକୁ ସିଟ୍ ଆଲର୍ଟ କରିବାକୁ ହେବ । ଅର୍ଥାତ ପିଲାମାନଙ୍କୁ ବାପା କିମ୍ବା ମାଙ୍କ ପାଖରେ ବସିବାକୁ ଦିଆଯିବ ।ଏହାକୁ ରେକର୍ଡରେ ସାମିଲ କରାଯିବା ସହ ସେମାନଙ୍କୁ ବାପା-ମାଙ୍କ ସହିତ ସମାନ ପିଏନଆର ଦେବାକୁ କହିଛି ଡିଜିସିଏ ।
ସୂଚନା ଅନୁସାରେ, ଗ୍ରୁପରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଭିଯୋଗ ଥିଲା ଯେ ସେମାନଙ୍କ ପିଲାମାନଙ୍କୁ ଅଲଗା ସିଟ୍ ମିଳୁଛି । ସିଟ୍ ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ମନା କରିବା ପରେ ଏୟାର ଲାଇନ୍ ଏଭଳି କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି ।ନିକଟରେ ଜଣେ ପିଲା ବାପା-ମାଙ୍କ ପାଖରୁ ଅଲଗା ଅନ୍ୟତ୍ର ସିଟ୍ରେ ବସି ବିମାନ ଯାତ୍ରା କରିଥିଲା ।ଏନେଇ ଜଣାପଡ଼ିବା ପରେ ଡିଜିସିଏ ତତ୍ପରତା ପ୍ରକାଶ କରିଛି ।
୨୦୨୪ର ଏୟାର ଟ୍ରାନ୍ସପୋର୍ଟ ସର୍କୁଲାର (ଏଟିସି)-୦୧ ଅନ୍ତର୍ଗତ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ନିଜ ବାପା-ମାଙ୍କ ପାଖରେ ବସିବାକୁ ସିଟ୍ ଆଲର୍ଟ କରାଯାଉ । ବିଶ୍ବ ସ୍ତରରେ ଏୟାର ଲାଇନ୍ସ ଯାତ୍ରୀଙ୍କ ପସନ୍ଦର ସିଟ୍ ଦେବାକୁ ଅତିରିକ୍ତ ଚାର୍ଜ ଆଦାୟ କରୁଛନ୍ତି ।ଏଭଳି ସ୍ଥିତିରେ ଗ୍ରୁପରେ ଯାତ୍ରା କରୁଥିବ ଯାତ୍ରୀଙ୍କ ପିଲାମାନଙ୍କୁ ଅଲଗା ବସିବାକୁ ପଡ଼ୁଛି । ଆଉ ଏବେ ଡିଜିସିଏର ନିର୍ଦ୍ଦେଶ ପରେ ପିଲାମାନେ ନିଜ ବାପା-ମାଙ୍କ ପାଖରେ ବସି ବିମାନରେ ଯାତ୍ରା କରିପାରିବେ ।