ଭୁବନେଶ୍ୱର, ୨୬/୦୭ : ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ୯୫୦ ବର୍ଷ ତଳର ଛିନ୍ଦକ ନାଗବଂଶୀ ଶିଳାଲେଖା ଉଦ୍ଧାର। ଏହା ଛିନ୍ଦକ ନାଗବଂଶୀ ରାଜା ଓ ଗୁଣ୍ଡ ମହାଦେବୀଙ୍କ ପୁତ୍ର ସୋମେଶ୍ଵର ଦେବଙ୍କ ସମୟର ଶିଳାଲେଖ। ପାରଳାଖେମୁଣ୍ଡିର ଯୁବ ଲିପିତତ୍ତ୍ୱ ଗବେଷକ ବିଷ୍ଣୁ ମୋହନ ଅଧିକାରୀ ଏହାକୁ ଜୟପୁର ସଂଗ୍ରହାଳୟରେ ପାଇଛନ୍ତି । ଏହା ୧୦୬୯ ରୁ ୧୧୧୦ ସମୟର ହୋଇଥିବା ଜଣାପଡ଼ିଛି। ଏହି ଅଭିଲେଖ ଏକାଦଶ ଶତାବ୍ଦୀର ସଂସ୍କୃତ ମିଶା ଓଡ଼ିଆ ଭାଷାରେ ଲେଖାଯାଇଛି। ଓଡ଼ିଶାରେ ବ୍ୟବହାର ହୋଇଥିବା ନାଗରି ଲିପିରେ ଏହାର ବ୍ୟବହାର କରାଯାଇଛି। ଏଥିରେ ଅନେକ ତତ୍କାଳୀନ ଓଡ଼ିଆ ଲିପିର କ୍ରମ ବିକାଶ ଦେଖାଯାଏ। ଏଯାବତ୍ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ପ୍ରାପ୍ତ ହୋଇଥିବା ଶିଳାଲେଖ ମଧ୍ୟରେ ଏହା ପ୍ରଥମ ଛିନ୍ଦକ ନାଗବଂଶୀ ଶିଳାଲେଖ। ଏହାକୁ ଧରମେଶ୍ୱର ନାମକ ଶିବ ମନ୍ଦିର ନିମିତ୍ତ ଦାନ କରାଯାଇଥିଲା । ପରେ ଏହା ସଂଗ୍ରହାଳୟକୁ ଆସିଛି ବୋଲି ବିଷ୍ଣୁ କହିଛନ୍ତି ।
ଶରତ ରାଉତରାୟ ଓ ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ ବିଷ୍ଣୁମୋହନ ଅଧିକାରୀ ଜୟପୁର ସଂଗ୍ରହାଳୟ ଭ୍ରମଣ କରିବା ସମୟରେ ଏହାର ସନ୍ଧାନ ପାଇଥିଲେ। ଯାହାର ପ୍ରାପ୍ତିସ୍ଥଳ ଭୈରବ ସିଂହପୁର ଏବେକାର ବୋରିଗୁମ୍ମା ବ୍ଲକର ବିସିଂପୁଟ ଅଞ୍ଚଳର ବୋଲି ଜଣାପଡ଼ିଛି। କୋରାପୁଟ ଜିଲ୍ଲାର ବର୍ତ୍ତମାନ ପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ଶିଳାଲେଖ ମଧ୍ୟରେ ଏହା ପ୍ରଥମ ବୋଲି ଖରିଆର କଲେଜର ଇତିହାସ ଅଧ୍ୟାପକ ରାଜ କୁମାର ରତେ ମଦ ଦେଇଛନ୍ତି।
ଖୋଦିତ ପଥର ସ୍ତମ୍ଭଟି ମୂଳତଃ ଇନ୍ଦ୍ରାବତୀ ଉପତ୍ୟକାର ଭୈରବସିଂହପୁର-କୁମୁଲି-କାମତା ଅଞ୍ଚଳରୁ ଅଣାଯାଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ଅଧିକାରୀ ଏହା ପୂର୍ବରୁ ୧୨୪ଟି ଅଭିଲେଖ ପାଠ କରିଥିବା ବେଳେ ଏହା ତାଙ୍କର ୧୨୫ତମ ପାଠ ଉଦ୍ଧାର। ଏହି ନୂତନ ଆବିଷ୍କାର ନିମନ୍ତେ ଛତିଶଗଡ଼ ସୁକମାର ବିଶିଷ୍ଟ ଐତିହାସିକ ଓମ୍ ସୋନି ଶ୍ରୀ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି।
ବିଷ୍ଣୁଙ୍କ କହିବା ଅନୁସାରେ ଏହା ପୂର୍ବରୁ ନବରଙ୍ଗପୁରରୁ ନଳବଂଶୀ ଶିଳାଲେଖ ମିଳିଥିଲା । କୋରାପୁଟର ପୁରୁଣା କେଚେଲା ତାମ୍ର ଶାସନ ପୂର୍ବରୁ ଏହା ମିଳିବା ଅନ୍ୟତମ ପୁରାତନ ଅଭିଲେଖ । ଏହି ନାଗବଂଶୀ ରାଜାମାନେ ଚକ୍ରକୋଟ (ବର୍ତ୍ତମାନ ଛତିଶଗଡର ବସ୍ତର) ଅଞ୍ଚଳ ସହ ଇନ୍ଦ୍ରାବତୀ ନଦୀ ଉପତ୍ୟକାରେ ରାଜୁତି କରିଥିଲେ । ଓଡ଼ିଶାର ସୋମବଂଶୀ ଶାସକ ଜନ୍ମେଜୟ ଏହାଙ୍କ ମିତ୍ର ଥିବା ବେଳେ ଏହି ରାଜବଂଶ ପୂର୍ବଗଙ୍ଗ ସାମ୍ରାଜ୍ୟ ଅଧୀନରେ ରହି କାଳଚୁରି ମାନଙ୍କ ସହ ଏକତ୍ର ସଂଘର୍ଷ କରିଥିବା ଐତିହାସିକ ପ୍ରମାଣ ମିଳେ ବୋଲି ଶ୍ରୀ ଅଧିକାରୀ କହିଛନ୍ତି।