ନୂଆଦିଲ୍ଲୀ,୨୬/୧୦: ଯମୁନା ନଦୀରେ ପ୍ରତି ବର୍ଷ ଧଳା ଫେଣର ଦୃଶ୍ୟ ଦେଖିବାକୁ ମିଳେ । ଭାରତରେ ଅନ୍ୟ କୌଣସି ନଦୀରେ ବୋଧହୁଏ ଏହି ଦୃଶ୍ୟ ଦେଖାଯାଏ ନାହିଁ । ଦେଶରେ ୮ ପ୍ରମୁଖ ଓ ୪୦୦ରୁ ଅଧିକ ନଦୀ ପ୍ରବାହିତ ହେଉଛି । କିଛି ଆରବ ସାଗର, ଆଉ କିଛି ବଙ୍ଗୋପସାଗରରେ ମିଶିଛି । ଯମୁନାର ଅସ୍ତିତ୍ୱ ଉତ୍ତରାଖଣ୍ଡର ଯମୁନୋତ୍ରୀଠୁ ପ୍ରୟାଗର ସଙ୍ଗମ ପର୍ଯ୍ୟନ୍ତ ଦେଖିବାକୁ ମିଳେ । କିନ୍ତୁ ଦିଲ୍ଲୀରେ ପ୍ରବେଶ ପରେ ଏହାର ଦୃଶ୍ୟ ବଦଳିଯାଏ । ଦିଲ୍ଲୀରେ ପ୍ରବେଶ ମାତ୍ରେ ଯମୁନା ନଦୀ ନୁହେଁ, ବରଂ ନାଳରେ ରୂପାନ୍ତର ହୋଇଯାଏ । ନଦୀକୁ ଦେଖି ଯେଉଁ ଖୁସି ଓ ଶାନ୍ତି ମିଳିବା ଉଚିତ୍, ତାହା ସମ୍ପୂର୍ଣ୍ଣ ଉଭାନ୍ ହୋଇଯାଏ । ଫେଣ, ଦୁର୍ଗନ୍ଧ, ଶୁଷ୍କ କ୍ଷେତ୍ର ଓ ଶୈବାଳ ଆମ ନାକ, ଆଖି ଓ ମସ୍ତିଷ୍କକୁ ଭୟଭୀତ କରେ । ଦିଲ୍ଲୀରେ ଯମୁନା କାହିଁକି ନିଜର ଅସ୍ତିତ୍ୱ ହରାଇଦିଏ? ଏଥିପାଇଁ କିଏ ଦାୟୀ?
୧୩୭୬ କିମି ଲମ୍ବା ଯମୁନା ନଦୀ ୫ ପ୍ରମୁଖ ଭାଗକ୍ଷରେ ବିଭକ୍ତ । ଏହା ଯମୁନୋତ୍ରୀରୁ ହଥିନୀକୁଣ୍ଡ ବ୍ୟାରେଜ୍ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ହିମାଚଳପ୍ରଦେଶର ଅଂଶ,ଯାହାର ଲମ୍ବ ପ୍ରାୟ ୧୭୨ କିମି । ଏଠାରେ ଯମୁନାର କମାଲ, ଗିରି, ଟୋନ୍ସ ଓ ଅସନ ନାମରେ ଶାଖା ରହିଛି । ଏଥିରେ ଦୁଇଟି ବ୍ୟାରେଜ୍ ପଡ଼େ- ଡାକ ପଥର ବ୍ୟାରେଜ୍ ଓ ଅସନ ବ୍ୟାରେଜ୍ । ଏହି ନାଁରେ ଦୁଇଟି କେନାଲ ବି ରହିଛି । ହଥିନୀକୁଣ୍ଡ ବ୍ୟାରେଜ୍ରୁ ୱଜୀରାବାଦ ବ୍ୟାରେଜ୍ ପର୍ଯ୍ୟନ୍ତ ହରିଆଣା ଓ ଉତ୍ତରପ୍ରଦେଶର ଅଂଶ । ଲମ୍ବା ୨୨୪ କିମି । ଏଠାରେ ସୋମ, ଛୋଟ ଓ ଯମୁନା ଡ୍ରେନ୍ ନମ୍ବର-୨ ଓ ୮ ନଦୀର ପ୍ରମୁଖ ଶାଖା । ଏଥିରେ ହଥିନୀକୁଣ୍ଡ ବ୍ୟାରେଜ୍ ପଡ଼େ, ଯେଉଁଥିରେ ପଶ୍ଚିମ ଓ ପୂର୍ବ ଯମୁନା କେନାଲ ଯୋଡ଼ି ହୋଇଛି । ୱଜୀରାବାଦ ବ୍ୟାରେଜ୍ରୁ ଯମୁନା ବ୍ୟାରେଜ୍ ଓଖଲା ପର୍ଯ୍ୟନ୍ତ ୨୨ କିମି ଲମ୍ବା କ୍ଷେତ୍ର ୨୨ ଡ୍ରେନ୍ ଓ ହିଣ୍ଡନ୍ କଟ୍କୁ ଯୋଡୁଛି । ଏଥିରେ ଦୁଇଟି ବ୍ୟାରେଜ୍ୱଜୀରାବାଦ ଓ ଯମୁନା ବ୍ୟାରେଜ୍ ରହିଛି । ଏଥିରୁ ଆଗ୍ରା କେନାଲ ଯାଇଛି । ଏହା ନଦୀର ସବୁଠୁ ପ୍ରଦୂଷିତ କ୍ଷେତ୍ର । ଅଖୋଲା ବ୍ୟାରେଜ୍ରୁ ଚମ୍ବଲ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଓ ହରିଆଣାର ଅଂଶ । ଲମ୍ବା ୪୯୦ କିମି । ଏଥିରେ ହିଣ୍ଡନ, ଭୁରିୟା ନାଳ, ମଥୁରା ଓ ବୃନ୍ଦାବନର ଡ୍ରେନ୍, ଆଗ୍ରାର ଡ୍ରେନ୍ ମିଶିଛି । ଏଥିରେ ଏକମାତ୍ର ଓଖଲା ବ୍ୟାରେଜ୍ ଏବଂ ଆଗ୍ରା ଓ ଗୁଡ଼ଗାଓଁ କେନାଲ ରହିଛି । ପଞ୍ଚମ ଅଂଶ ଉତ୍ତରପ୍ରଦେଶରେ ୪୬୮ କିମି ଲମ୍ବା ଭୌଗୋଳିକ କ୍ଷେତ୍ର ଏଥିରେ ଚମ୍ବଲ, କେନ୍, ସିନ୍ଧ ଓ ବେତବା ନଦୀ ମିଶିଛି ।
ପିଲାଦିନୁ ଆମେ ଏକ କାହାଣୀ ଶୁଣିଆସିଛୁ । ପ୍ରାଚୀନ ସମୟରେ ଯମୁନାରେ କାଳିଆ ନାଗ ରହୁଥିଲା । ତା’ର ବିଷରୁ ଯମୁନା ନଦୀ ଫୁଟୁଥିଲା । ଫଳରେ ନଦୀର ଜଳ ବିଷାକ୍ତ ହେଉଥିଲା । ଏହି ବିପଦରୁ ଶ୍ରୀକୃଷ୍ଣ ଯମୁନାକୁ ରକ୍ଷା କରିଥିଲେ । ସର୍ପ ଦଶଂନରେ ଯେମିତି ମଣିଷ ପାଟିରୁ ଫେଣ ବାହାରେ, ଠିକ୍ ସେମିତି ଯମୁନା ମଧ୍ୟ ପ୍ରତିବର୍ଷ ପ୍ରଦୂଷଣ ରୂପକ ନାଗ ଯୋଗୁ ଫେଣ ଉଦ୍ଗାରିଥାଏ । ୱଜୀରାବାଗରୁ ଯମୁନା ବ୍ୟାରେଜ୍ ଓଖଲା ମଧ୍ୟରେ ପ୍ରଦୂଷଣରୂପୀ ଏହି ନାଗ ଯମୁନାକୁ ଦଂଶେ । ଉତ୍ତରାଖଣ୍ଡରେ ଯମୁନା ନଦୀ ପରିଷ୍କାର । ପଞ୍ଚମ ଅଂଶରେ ମଧ୍ୟ ଏହା ପରିଷ୍କାର । ତେବେ, ଦିଲ୍ଲୀ କ୍ଷେତ୍ରରେ ଏତେ ଦୂଷିତ କାହିଁକି? ଯମୁନା ଦେଶର ଅନ୍ୟତମ ସବୁଠୁ ପ୍ରଦୂଷିତ ନଦୀ । ଅପରିଷ୍କୃତ ଓ ଆଂଶିକ ପରିଷ୍କୃତ ସ୍ୱେରେଜ, ଔଦ୍ୟୋଗିକ ଆବର୍ଜନା, କୃଷି ସମ୍ବନ୍ଧୀୟ ବର୍ଜ୍ୟ ଏହାକୁ ପ୍ରଦୂଷିତ କରୁଛନ୍ତି । ଅନ୍ୟ କାରଣ ପ୍ରାକୃତିକ । ଗ୍ରୀଷ୍ମଦିନେ ଯମୁନା ନଦୀରେ ପାଣି ହାରାହାରି ଶୁଖିଯାଏ । ନଦୀରେ ଓ ନଦୀ ପାଶ୍ୱର୍ରେ ଅସଂଖ୍ୟ ବୃକ୍ଷଲତା, ଆବର୍ଜନା ଓ ଜୀବଜନ୍ତୁଙ୍କ ଶବ ପଡ଼ିରହେ । ବର୍ଷା ପରେ ଯେତେବେଳେ ଏଗୁଡ଼ିକ ପ୍ରବାହିତ ହୁଅନ୍ତି, ପ୍ରଦୂଷଣ ଯୋଗୁ ଭୟଙ୍କର ସ୍ତରରେ ବିଷାକ୍ତ ଫେଣ ଉତ୍ପନ୍ନ ହୁଏ ।