ଭୂବନେଶ୍ୱର ୧୮/୦୪: ସାଧାରଣରେ ଧାରଣ ରହିଛି ଯେ ଆଖି ଡେଇଁବା କେବଳ ଶୁଭ-ଅଶୁଭର ସଙ୍କେତ ଦେଇଥାଏ । କିନ୍ତୁ ଏହା ପଛରେ ବାସ୍ତବତା ରହିଛି ନା' କେବଳ ଅନ୍ଧବିଶ୍ୱାସ । ତାହାର କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ବିଶେଷଜ୍ଞଙ୍କ ମତରେ ଆଖି ଡେଇଁବା କେତେକ ରୋଗର ପୂର୍ବାଭାସ ହୋଇପାରେ । ଚାଲନ୍ତୁ ଜାଣିବା ଏ ବିଷୟରେ ଅଧିକ କିଛି...

ଜ୍ୟୋତିଷ ବିଜ୍ଞାନ ଅନୁସାରେ ଆଖି ଡେଇଁବା ଅର୍ଥାତ ଜୀବନରେ କିଛି ଶୁଭଅଶୁଭ ଘଟଣା ଘଟିବାର ସଙ୍କେତ ମିଳିଥାଏ । ଅନ୍ଧବିଶ୍ୱାସଠାରୁ ଦୂରେଇ ରୁହନ୍ତୁ । ଆଖି ଡେଇଁବା ଖୁବ୍‌ ସାଧାରଣ । କେତେକ ସ୍ଥିତିରେ ଏହା କୌଣସି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ । ମହିଳାଙ୍କ ଆଖି ପୁରୁଷଙ୍କ ତୁଳନାରେ ଅଧିକ ଡେଇଁଥାଏ । 

ଆଖି ଡେଇଁବାର ଲକ୍ଷଣ :

ଅଧିକ ଚିନ୍ତା , ଅଧିକ ଥକ୍କାପଣ ଅନୁଭବ ହେବା , ଠିକ୍‌ ଭାବେ ନିଦ ନ ହେବା , ଆଖି ଉପରେ ଚାପ ପଡିବ ଯୋଗୁ ଆଖିରେ ଜ୍ୱଳନ ହେବା, ପ୍ରଦୂଷିତ ପବନ , ଔଷଧର ପାଶ୍ୱର୍ ପ୍ରତିକ୍ରିୟା , ଶରୀରରେ ପୋଷକ ତତ୍ତ୍ୱର ଅଭାବ, ଅଟୋଇମ୍ୟୁନ୍‌ ଡିଜଅର୍ଡର କିମ୍ବା ମେଟାବଲିକ୍‌ ଡିଜଅର୍ଡର ହେଲେ, ଅଧିକ କ୍ୟାଫିନ୍‌ ବ୍ୟବହାର, ଡିଷ୍ଟେନିଆ, ସର୍ଭାଇକାଲ୍‌ ଡିଷ୍ଟେନିଆ, ମଲ୍ଟିପଲ୍‌ ସ୍କୋଲେରୋସିସ୍‌, ପାର୍କିନସନ୍‌ ଆଦି ସ୍ନାୟବିକ ସମସ୍ୟା ରହିଥିଲେ । 

‘ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ' ଅନୁସାରେ ଯଦି ଦୀର୍ଘଦିନ ଧରି ଆଖି ଡେଉଁଥାଏ, ତେବେ ଏହା କୌଣସି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ । ଚିକିତ୍ସା କ୍ଷେତ୍ରରେ ଆଖି ଡେଇଁବାର ୩ଟି ସ୍ଥିତି ରହିଥାଏ । ପ୍ରଥମମାୟୋକିମିୟା, ଦ୍ୱିତୀୟ- ବ୍ଲେଫାରୋସ୍ପାମ୍‌, ତୃତୀୟ- ହେମିଫେସିଆଲ୍‌ ସ୍ପାମ୍‌ । 

ଆଇଲିଡ୍‌ ମାୟୋକିମିଆ :

ଏହି ସ୍ଥିତିରେ ଆଖି ଡେଇଁଥାଏ, କିନ୍ତୁ ହାଲ୍‌କାଫୁଲକା । ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ କେବେ କେବେ ଏମିତି ଗୋଟିଏ ବା ଦୁଇଟି ଦିନ କିମ୍ବା କେତେ ଘଣ୍ଟା ପାଇଁ ଆଖି ଡେଇଁଥାଏ । ଏହା ଧୀରେ ଧୀରେ ଠିକ୍‌ ହୋଇଥାଏ । ଏହି ସ୍ଥିତି ଷ୍ଟ୍ରେସ୍‌, ଆଖିର ଥକ୍କାପଣ, ଅଧିକ କ୍ୟାଫିନ୍‌ଯୁକ୍ତ ପାନୀୟ ବ୍ୟବହାର, ନିଦ ପୁରା ନ ହେବା ଓ ଅଧିକ ମୋବାଇଲ ବା କମ୍ପ୍ୟୁଟର ବ୍ୟବହାର ଦ୍ୱାରା ଉପୁଜିଥାଏ । 

ବିନାଇନ୍‌ ଇସେନସିଆଲ୍‌ ବ୍ଲେଫାରୋସ୍ପାମ୍ :

ଏହି ସ୍ଥିତି ଆଖି ସହ ଯୋଡି ହୋଇଥିବା ଏକ ଗମ୍ଭୀର ସମସ୍ୟା । ଏହି ସମସ୍ୟା ହେବା ଦ୍ୱାରା ଆଖିର ମାଂସପେଶୀ ସଙ୍କୁଚିତ ହୋଇଚାଲେ । ଫଳରେ ଆଖି କ୍ଷତିଗ୍ରସ୍ତ ହୋଇଚାଲେ । ଏହି ରୋଗ ହେବା ପରେ ଆଖି ପତା ଖୋଲିବା ଓ ବନ୍ଦ କରିବା ସମୟରେ ଯନ୍ତ୍ରଣା ଅନୁଭବ ହେବା ସହ ଆଖି ଫୁଲିବା ଓ ଝାପ୍‌ସା ଦେଖାଯିବା ପରି ସମସ୍ୟାମାନ ଉପୁଜିଥାଏ । ପରବର୍ତ୍ତୀ ସମୟରେ ଆଖି ଆଖପାଖ ମାଂସପେଶୀ ଡେଇଁବା ଆରମ୍ଭ ହୋଇଥାଏ । 

'ଣ କରିବେ

-ଯଦି ଲଗାତାର ସ୍କ୍ରିନ୍‌ରେ କାମ କରୁଥାନ୍ତି, ତେବେ ପ୍ରତି ୨ ଘଣ୍ଟା ପରେ ୨୦ ମିନିଟ୍‌ ପାଇଁ ଆରାମ ନେବା ଆବଶ୍ୟକ । 

-ଦୁଇ ହାତକୁ ପରସ୍ପର ସହ ଘସି ଆଖି ଉପରେ କିଛି ସମୟ ପାଇଁ ରଖିଲେ ଆରାମ ମିଳିଥାଏ । 

-ଶାନ୍ତିରେ ଶୋଇବା ଦ୍ୱାରା ଆଖିକୁ ଆରାମ ମିଳିବା ସହ ଆଖି ଡେଇଁବା କମ୍‌ ହୋଇଥାଏ ।

-ମାତ୍ରାଧିକ ସମୟ ମୋବାଇଲ, ଭିଡିଓଗେମ୍‌, ଲାପଟପ୍‌ ଓ କମ୍ପ୍ୟୁଟର୍‌ ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁ । 

-ଡାଏଟ୍‌ରେ ଜଙ୍କ୍‌ ଫୁଡ୍‌ କମାଇବା ସହ ସବୁଜ ପରିବାପତ୍ର ଓ ଫଳମୂଳ ସାମିଲ୍‌ କରନ୍ତୁ ।

-ଦିନକୁ ୮-୧୦ ଗ୍ଲାସ୍‌ ପାଣି ପିଅନ୍ତୁ, ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିବା ସହ ଜଳଶୁଷ୍କତାରୁ ଦୂରେଇ ରଖିବ । 

-ଆଖିରେ ଶୁଷ୍କତା ଅନୁଭବ କରୁଥିଲେ ଡାକ୍ତରଙ୍କ ପରାମର୍ଶକ୍ରମେ ମଝିରେ ମଝିରେ ଆଇଡ୍ରପ୍‌ ପକାନ୍ତୁ । 

କେବେ ଡାକ୍ତରଙ୍କ ପାଖକୁ ଯିବେ?

-ଯଦି ଆଖି ଡେଉଁବା ୨ ସପ୍ତାହରୁ ଅଧିକ ସମୟ ଲାଗି ରହେ ।

-ଯଦି ଆଖି ଖୋଲିବାରେ ସମସ୍ୟା ହେଉଥାଏ । 

-ଆଖି ଲାଲ୍‌ ଦେଖାଯିବା ସହ ଫୁଲିବା ପରି ଲାଗୁଥିଲେ ।