ନୂଆଦିଲ୍ଲୀ ୧୭/୦୫: ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ଏକ ବଡ଼ ‘ଗଧ  ଅର୍ଥନୀତି’ର ପ୍ରସାର ହେଉଛି । ଏହି ଅର୍ଥନୀତି  କ’ଣ? ପାକିସ୍ତାନ କିଭଳି ଏହାକୁ ଆର୍ଥିକ ରୂପେ ଆତ୍ମନିର୍ଭର ହେବାର ଅବସର ରୂପେ ଦେଖୁଛି  ଏବଂ ଚୀନ୍‌ କାହିଁକି ପାକିସ୍ତାନ ଗଧଙ୍କ ଉପରେ  ନିର୍ଭରଶୀଳ? ବର୍ତ୍ତମାନ ସ୍ଥିତିରେ ଏହା ଜାଣିବା ଜରୁରି ହୋଇପଡ଼ିଛି ।  

ଚୀନ୍‌-ପାକିସ୍ତାନ ମଧ୍ୟରେ କେବଳ ଅସ୍ତ୍ର  ଚୁକ୍ତି ହୁଏ ନାହିଁ । ଚୀନ୍‌ ପାକିସ୍ତାନକୁ ଅସ୍ତ୍ର ଦେଉଥିବାବେଳେ ପାକିସ୍ତାନ ଚୀନ୍‌ ଜନତାଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ଗଧ ଯୋଗାଏ । ଭାରତରେ ଗଧ ବ୍ୟବସାୟ କଥା ଶୁଣିଲେ ଅଜବ ଲାଗେ, କିନ୍ତୁ ଏହା ସତ ।  ଚୀନ୍‌ରେ ଗଧଙ୍କ ସଂଖ୍ୟା ଦ୍ରୁତ କମିବାର କାରଣ ଚମଡ଼ା ବ୍ୟବସାୟର ଏଜେଣ୍ଟ୍‌ ଆଫ୍ରିକା ଓ ବ୍ରାଜିଲରୁ  ଚୀନ୍‌କୁ ଗଧ ଯୋଗାଉଥିଲେ । ଆଫ୍ରିକାର ସମସ୍ତ ଦେଶରେ ଗଧଙ୍କ ଚମଡ଼ା ପାଇଁ ସେମାନଙ୍କ ହତ୍ୟା ଉପରେ କଟକଣା ଲାଗୁ ହେଲା । ବ୍ରାଜିଲରେ ମଧ୍ୟ ଗଧଙ୍କ ହତ୍ୟା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନ ଯୋଗୁ ଚୀନ୍‌ର ଏଜିଆଓ (ଏକ  ପାରମ୍ପରିକ ଔଷଧ) ଉଦ୍ୟୋଗ ଏବେ ପାକିସ୍ତାନ  ଗଧଙ୍କ ଉପରେ ନିର୍ଭରଶୀଳ। ଏହି କାରଣରୁ  ପାକିସ୍ତାନ ସାହାଯ୍ୟରେ ଗଧଙ୍କ ଅଭାବ ପୂରଣ  ପାଇଁ ଚୀନ୍‌ ନୂଆ ସମୀକରଣ କରିଛି ।  

ପାକିସ୍ତାନ ଚୀନ୍‌କୁ ଉଭୟ ଗଧ ଓ ଗଧ ମାଂସ  ରପ୍ତାନି କରୁଛି । ଚୀନ୍‌କୁ ଗଧ ମାଂସ ପଠାଇବା ପାଇଁ  ପାକିସ୍ତାନ ଗ୍ୱାଦରରେ ଗଧ ଫାର୍ମ ଖୋଲିଛି । ଚୀନ୍‌ରେ ଲୋକେ ଅତି ଆନନ୍ଦରେ ଗଧ ମାଂସ ଖାଆନ୍ତି ।  ପାକିସ୍ତାନର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଏବଂ ଅନୁସନ୍ଧାନ  ମନ୍ତ୍ରାଳୟର ଅଧିକାରୀମାନେ ଗତ ଫେବ୍ରୁଆରୀରେ  କହିଥିଲେ, ଗ୍ୱାଦରର କଂସେଇଖାନାରେ ଉତ୍ପାଦନ  କାମ ଚାଲୁ ହୋଇସାରିଛି । ଏଠାରୁ ଉତ୍ପାଦିତ ଗଧଙ୍କୁ  ପାକିସ୍ତାନ ଚୀନ୍‌ ପଠାଇବ ।  

ପାକିସ୍ତାନରେ ଗଧଙ୍କ ଆନୁମାନିକ ସଂଖ୍ୟା ୫.୯  ମିଲିଅନ । ସେଥିପାଇଁ ଏହା ଚୀନ୍‌କୁ ପ୍ରମୁଖ ବଜାର ରୂପେ ଦେଖୁଛି, ଯେଉଁଠି ଗଧ ମାଂସର ଉପଯୋଗ ଭୋଜନ ଓ ପାରମ୍ପରିକ ଚୀନୀ ଔଷଧ ପ୍ରସ୍ତୁତିରେ କରାଯାଏ । ପାକିସ୍ତାନର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଏବଂ ଅନୁସନ୍ଧାନ ମନ୍ତ୍ରାଳୟ ଅନୁସାରେ, ପାକିସ୍ତାନ ଚୀନ୍‌  ସହ ୨,୧୬,୦୦୦ ଗଧଙ୍କ ଚମଡ଼ା ଓ ମାଂସର ବାର୍ଷିକ ପୂର୍ତ୍ତି ପାଇଁ ଚୁକ୍ତି କରିଛି । ଏହି ଚୁକ୍ତିର ବଜାର ମୂଲ୍ୟ ହାରାହାରି ୮ ମିଲିଅନ ଡଲାର ।  

ଗଧ ଅର୍ଥନୀତି ସାମାଜିକ ଓ ସାଂସ୍କୃତିକ ବିତର୍କକୁ ଜନ୍ମ ଦେଇଛି । ପାକିସ୍ତାନର ଅନେକ ପଶୁପ୍ରେମୀ ଓ ବେସରକାରୀ ସଂଗଠନ  ଏହି ବ୍ୟବସାୟକୁ ଅନୁଚିତ୍‌ କହୁଛନ୍ତି । ଏହା ବିରୋଧରେ ସେମାନେ ଅଭିଯାନ ମଧ୍ୟ ଚଳାଉଛନ୍ତି । ଗ୍ୱାଦରରେ କଂସେଇଖାନା ନିର୍ମାଣ  ପରେ ବେଲୁଚିସ୍ତାନର ଲୋକେ ଏହାକୁ ବିରୋଧ  କରୁଛନ୍ତି । ଗ୍ୱାଦର ବେଲୁଚିସ୍ତାନରେ ଅବସ୍ଥିତ ଏବଂ  ସ୍ଥାନୀୟ ଲୋକେ ଚୀନୀ ପ୍ରୋଜେକ୍ଟକୁ ସର୍ବଦା ବିରୋଧ କରିଆସିଛନ୍ତି ।