ପୃଥିବୀର ବିଭିନ୍ନ ପ୍ରାନ୍ତରେ ସମୟାନ୍ତରରେ ହୋଇଥିବା ଗବେଷଣାକୁ ଆଧାର  କରି ସୁଷମ ଖାଦ୍ୟ (ବିଏମ୍‌ଆଇ), ନିୟମିତ ବ୍ୟାୟାମ, ଗାଢ଼ ନିଦ, ସ୍ୱାଭାବିକ  ଯୌନକ୍ରିୟା,। ମାଦକ ଦ୍ରବ୍ୟର ବର୍ଜନ, ନିହାତି ଦରକାର ହେଲେ ହିଁ ଔଷଧ ସେବନ,  କମ୍ପୁଟର ଓ ମୋବାଇଲ ପରି ଜିନିଷର କମ୍‌ରୁ କମ୍‌ ବ୍ୟବହାର, ଅବସର ବିନୋଦନ  ଏବଂ ପଢ଼ାଶୁଣା କରିବାର ଅଭ୍ୟାସକୁ ଏକ ବ୍ୟବସ୍ଥିତ ଜୀବନଶୈଳୀର ଅଧୀନ  ବୋଲି ବ୍ୟାଖ୍ୟା କରାଯାଇଅଛି।


ଏଇ କିଛିଦିନ ତଳେ ସବୁଦିନିଆ ତେଜରାତି  ଦୋକାନୀକୁ ଉତ୍ସୁକତାର ସହ ମୁଁ ପଚାରିଲି- କାଇଁ,  ଆଉ ଦାନୀବାବୁ ଦେଖାଯାଉନାହାଁନ୍ତି, କିଛି ଦେହପା’  ଖରାପ ହେଲା କି? ରିଟାୟାର୍ଡ ହେଡମାଷ୍ଟର ଦାନୀବାବୁଙ୍କ  ସାଙ୍ଗେ ମୋର ପରିଚୟ ବହୁତ ପୁରୁଣା । ତାଙ୍କ ପୁଅ ଓ  ଝିଅ ଦୁହିଁଙ୍କୁ ମୁଁ ଏକଦା ପାଠ ପଢ଼ାଉଥିଲି, ସେମାନେ  କଲେଜ ପଢ଼ିଲା ବେଳକୁ ଏବେ ପୁଅକୁ ହୁଏତ ବୟାଳିଶ  ହୋଇଥିଲେ, ଝିଅକୁ ବି ଚାଳିଶ ଟପିବଣି। ଝିଅ-ଜ୍ୱାଇଁଙ୍କ  ଆସ୍ଥାନ ହେଉଛି ବେଙ୍ଗାଲୁରୁ କମ୍ପୁଟର ଇଞ୍ଜିନିୟର ଯୋଡ଼ି  ହିସାବରେ । ମୁଁ ଜାଣିବାରେ ଦାନୀବାବୁଙ୍କ ଜୀବନଚର୍ଯ୍ୟାଟି  ଉଦାହରଣଯୋଗ୍ୟ । ଦୋକାନୀ ଗପିଲା- କିସ କହିବି  ସାର୍‌, ତାଙ୍କ ଭେଣ୍ଡା ଜୋଇଁଙ୍କ ହାର୍ଟ କଥା ଶୁଣି ମାସେ  ହେବ ସେମାନେ ଯାଇ ବେଙ୍ଗାଲୁରୁରେ । ମୋର ମନେ  ପଡିଯାଉଥାଏ ଦାନୀବାବୁଙ୍କ ମୁହଁରୁ ଶୁଣିଥିବା ତାଙ୍କ  ଝିଅଘର କଥା । ଆଜିକାଲିର ମଲ୍ଟିନାସନାଲ୍‌ ବୋଲାଉଥିବା  ଦୁଇଟି ଭିନ୍ନ କମ୍ପାନୀରେ ଉଭୟଙ୍କର ସିଫ୍‌ଟ ଡିଉଟି ।  ଝିଅ ଆଠଟାରେ ଘର ଛାଡ଼େ ଆଉ ଫେରେ ରାତି ନଅଟା  ବେଳକୁ । ଜୋଇଁ ମହାଶୟ ସେତେବେଳକୁ ଅଫିସ  ଯିବା ବାଟରେ ଥାଆନ୍ତି । ସିଏ ଆସୁ ଆସୁ ତା’ ଆରଦିନ  ଦଶଟା । ସପ୍ତାହାନ୍ତ ଦୁଇଦିନ ଖାଲି ଭେଟ ଯେ, ସିଏ  ବି ନିର୍ଧୁମ୍‌ ଶୋଇବା, ଲୁଗା ଧୁଆଧୋଇ, ରେଷ୍ଟୁରେଣ୍ଟ  କି ହାଟ ବଜାରରେ ବିତେ । ପିଲାଛୁଆ କଥା ଏପର୍ଯ୍ୟନ୍ତ  କୁଆଡ଼େ ଚିନ୍ତା କରିନାହାଁନ୍ତି ସେମାନେ? ହାୟରେ!  ଶେଷକୁ ଆଦର୍ଶବାଦୀ ଜୀବନଶୈଳୀର ମୂର୍ତ୍ତିମନ୍ତ ପ୍ରତୀକ  ମଣିଷଟି ଭାଗ୍ୟରେ ଏପରି ହେବାର ଥିଲା ବୋଲି ମୋ  ପାଟିରୁ ଆପେ ଆପେ ଖସିଗଲା, ଆଉ ମନ ଉବୁଟୁବୁ  ହୋଇଉଠିଲା ଏ ‘ଜୀବନଶୈଳୀ' ବୋଲାଉଥିବା ବିଷୟଟି  ଉପରେ ଅଳ୍ପ ଟିକିଏ ଗପିବାକୁ ।  

ବେଶୀ ଗଭୀରକୁ ନଯାଇ ଆପାତତଃ ଲୋକର ବଞ୍ଚିବାର  ଢଙ୍ଗକୁ ହୁଏତ ଜୀବନଶୈଳୀର ନାମ ଦିଆଯାଇପାରେ ।  କାହିଁ କେତେକାଳୁ ଚଳିଆସୁଥିବା ପୂର୍ବଜମାନଙ୍କର  ପରମ୍ପରାଗତ ତଥା ବ୍ୟବସ୍ଥିତ ଜୀବନଯାପନ ପ୍ରଣାଳୀର  କାଣିଚାଏ ସୁଦ୍ଧା ନାହିଁ ଆଧୁନିକତାର ରଙ୍ଗୀନ ଚାଦରଓଢ଼ା  ଆଜିକାର ଏ ସଭ୍ୟତାରେ । ଏଣୁ ଏହି ବିକାରଗ୍ରସ୍ତ  ଆଧୁନିକ ଜୀବନଶୈଳୀ ଆପଣେଇଥିବା ମାନବର  ସ୍ୱାସ୍ଥ୍ୟଗତ ଦିଗ ପ୍ରତି ଗବେଷକମାନଙ୍କ ଧ୍ୟାନ ଯିବା ନିହାତି  ସ୍ୱାଭାବିକ । ଏହି ପରିପ୍ରେକ୍ଷୀରେ ଜଣାଇ ଦିଆଯାଇପାରେ  ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଆକଳନ ଅନୁଯାୟୀ  ଆମ ସ୍ୱାସ୍ଥ୍ୟ ତଥା ମୂଲ୍ୟଭିତ୍ତିକ ଜୀବନ ସହ ଜଡ଼ିତ ପ୍ରାୟ  ୬୦% ସମସ୍ୟା ଏଭଳି ଅବ୍ୟବସ୍ଥିତ ଜୀବନଶୈଳୀର  ଦାନ। ଜର୍ଜ ସିମେଲ୍‌ଙ୍କ ‘ଦ ଫିଲୋସେଫି ଅଫ୍‌ ମନି'  ନାମକ ପୁସ୍ତକରୁ ଜୀବନଶୈଳୀ ଉପରେ ଚର୍ଚ୍ଚା ଆରମ୍ଭ  ହୋଇଥିବା କଥାଟି ଅନେକ ମନେକରନ୍ତି । 

‘ଜୀବନ’ ନାମକ ଏ ନିତ୍ୟବ୍ୟବହୃତ ଶବ୍ଦଟିକୁ  ଗୋଟିଏ ବାକ୍ୟରେ ବୁଝାଇଦେବା ଏକ ଅସମ୍ଭବ କାମ  ହୋଇଥିଲେ ହେଁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା କିଛି  ଅତ୍ୟନ୍ତ ନିୟନ୍ତ୍ରିତ ଭୌତିକ ଏବଂ ରାସାୟନିକ ପ୍ରକ୍ରିୟାର  ସମାହାର ବୋଲି ବିଚାର କରାଯାଇପାରେ । କୌଣସି କାରଣରୁ ଏହି ପ୍ରକ୍ରିୟା ଗୁଡ଼ିକରେ ବାଧା ସୃଷ୍ଟିହେଲେ ବା  ଏଗୁଡ଼ିକ ଅନିୟନ୍ତ୍ରିତ ହୋଇପଡ଼ିଲେ ଆମଠେଇଁ ରୋଗ  ଦେଖାଦେଇ ଲକ୍ଷଣଗୁଡ଼ିକ ପ୍ରକାଶ ପାଏ । କହିବାର  କଥା ଯେ, ଆମ ଜୀବନଶୈଳୀଟି  ସିଧାସଳଖ ଦେହରେ ହେଉଥିବା  ପ୍ରକ୍ରିୟାଗୁଡ଼ିକୁ ପ୍ରଭାବିତ କରିବାର  ସାମର୍ଥ୍ୟ ରଖେ । ଏହାର ଏକ  ସୁନ୍ଦର ବର୍ଣ୍ଣନା ଆମେ ଇରାନ୍‌  ଜର୍ଣ୍ଣାଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ନାମକ  ପତ୍ରିକାରେ ପ୍ରକାଶିତ ଦାରିଉସ୍‌  ଫାର୍ହୁଡଙ୍କ ଲେଖାରୁ ପାଇପାରିବା ।  ଏଥିରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ  ସମୟାନ୍ତରରେ ହୋଇଥିବା  ଗବେଷଣାକୁ ଆଧାର କରି ସୁଷମ  ଖାଦ୍ୟ (ବିଏମ୍‌ଆଇ), ନିୟମିତ  ବ୍ୟାୟାମ, ଗାଢ଼ ନିଦ, ସ୍ୱାଭାବିକ  ଯୌନକ୍ରିୟା, ମାଦକ ଦ୍ରବ୍ୟର ବର୍ଜନ, ନିହାତି ଦରକାର  ହେଲେ ହିଁ ଔଷଧ ସେବନ, କମ୍ପୁଟର ଓ ମୋବାଇଲ ପରି  ଜିନିଷର କମ୍‌ରୁ କମ୍‌ ବ୍ୟବହାର, ଅବସର ବିନୋଦନ  ଏବଂ ପଢ଼ାଶୁଣା କରିବାର ଅଭ୍ୟାସକୁ ଏକ ବ୍ୟବସ୍ଥିତ  ଜୀବନଶୈଳୀର ଅଧୀନ ବୋଲି ବ୍ୟାଖ୍ୟା କରାଯାଇଅଛି । 

ଏକଥା ନିଶ୍ଚିତ ଯେ ବେଶୀ ତେଲ, ମସଲା ଓ  ମରିଚଯୁକ୍ତ ଖାଦ୍ୟ, ବଜାରରେ ମିଳୁଥିବା ଫାଷ୍ଟଫୁଡ ଅବା  ପ୍ୟାକେଟରେ ଆସୁଥିବା ଖାଇବା ଜିନିଷ ଏବଂ ମୃଦୁପାନୀୟ  ଆଦି ତ ଏ ସୁଷମ ଖାଦ୍ୟ ତାଲିକାରେ ଆସିପାରନ୍ତି  ନାହିଁ, ଏଥିସହ ରାସାୟନିକ ସାର ବା କୀଟନାଶକ ଆଦି  ପ୍ରୟୋଗ କରି ଉତ୍ପାଦିତ ଶସ୍ୟ, ପନିପରିବା ଓ ଫଳ  ଆଦିକୁ ମଧ୍ୟ ଏଥିରୁ ବାଦ୍‌ ଦେବାକୁ ହୋଇଥାଏ । ନିଜ  ଅଞ୍ଚଳରେ ମିଳୁଥିବା ଶସ୍ୟ ହେଉ କି ପନିପରିବା ବା  ଆମ୍ବ, କେନ୍ଦୁ, ଆତ କି ପିଜୁଳି ପରି ଋତୁ ମୁତାବକ  ଫଳ ଉପରେ ଯଥାସମ୍ଭବ ନିର୍ଭର କରିବା ବିଜ୍ଞତାର  କାର୍ଯ୍ୟ ହୋଇଥାଏ । ଠିକ୍‌ ଧରଣର ବ୍ୟାୟାମ ନିୟମିତ  କରିପାରିଲେ ଶରୀରର ସୁସ୍ଥତା ପାଇଁ ବରଦାନ ସଦୃଶ  ହୋଇଥାଏ । ନିଜ ସୁବିଧା ଅନୁସାରେ ଏଥିରେ ଯୋଗ,  ଏରୋବିକ୍ସ, ଚାଲିବା, ସାଇକେଲ ଚଳାଇବା, ପାହାଚ  ଚଢ଼ିବା, ପହଁରିବା, ହକି ବା ଫୁଟବଲ ପରି ବାହାରର  ଖେଳ ଖେଳିବା, ଆଖଡ଼ା ବା କସରତ କରିବା ପରି  ଜିନିଷଗୁଡ଼ିକୁ ଜୀବନର ଚଉହଦି ଭିତରକୁ ଟାଣି ଆଣିବାକୁ  ହୁଏ । ଜଣେ ଦକ୍ଷ ଗୁରୁଙ୍କ ତତ୍ତ୍ୱାବଧାନରେ ଦିନକୁ ଘଣ୍ଟାଏ  ଆସନ-ପ୍ରାଣାୟାମ ସମ୍ମିଳିତ ଯୋଗାଭ୍ୟାସ ଶରୀରତନ୍ତ୍ର  ପାଇଁ ସବୁଠୁ ଭଲ ବୋଲି ଆମେ କହିପାରିବା । କିନ୍ତୁ ଅନ୍ୟ  ସବୁ ମାର୍ଗ ପାଇଁ ବ୍ରିଟେନର ‘ନେସନାଲ୍‌ ହେଲ୍‌ଥ ସର୍ଭିସ୍‌'  ତରଫରୁ ଜାରି କରାଯାଇଥିବା ତଥ୍ୟ ବେଶ୍‌ ଉପାଦେୟ  ହେବ, ଯାହାକି ୧୯ରୁ ୬୪ବର୍ଷ ବୟସ୍କ ଏକ ସାଧାରଣ  ମଣିଷ ପାଇଁ ସପ୍ତାହକ ଭିତରେ  ଅତିକମ୍‌ରେ ଚାରିରୁ ପାଞ୍ଚଦିନ  ନେଇ ସମାନୁପାତିକ ୧୫୦ ମିନିଟର  ମଧ୍ୟମ ଅବା ୭୫ ମିନିଟର ଶ୍ରମସାଧ୍ୟ  ବ୍ୟାୟାମ ମୋଟାମୋଟି ଲୋଡ଼ା ବୋଲି  ଜଣାଇଦିଏ ।

 ଚେଇଁଥିବାବେଳେ  ପୂର୍ଣ୍ଣ ସକ୍ରିୟ ଥିବା ମସ୍ତିଷ୍କରେ କ୍ରମେ  ନାନା ପ୍ରକାରର ବିଷ ବା ବର୍ଯ୍ୟବସ୍ତୁ  ସବୁ ଜମାହେବାରେ ଲାଗେ, ଯାହା  ‘ନିଦ୍ରା' ନାମକ ପ୍ରକ୍ରିୟା ଦ୍ୱାରା  ନିଷ୍କାସିତ ହୋଇଥାଏ । ଏଥିସହ ଆମ  ଶରୀରର ଜୈବ ଘଡ଼ି ସହ ସଂଶ୍ଳିଷ୍ଟ  ଏହି ପ୍ରକ୍ରିୟାଟି ଆମ ହୃଦୟତନ୍ତ୍ର,  ଶ୍ୱସନତନ୍ତ୍ର, ସ୍ନାୟୁବିକତନ୍ତ୍ର, ରୋଗ ପ୍ରତିରୋଧକ କ୍ଷମତା,  ହରମୋନଗୁଡ଼ିକର କାର୍ଯ୍ୟଧାରା ଆଦି ପ୍ରତ୍ୟେକ କ୍ରିୟାକୁ  ପ୍ରଭାବିତ କରିବାର ସାମର୍ଥ୍ୟ ରଖିଥାଏ ବୋଲି ଟ୍ରେଣ୍ଡସ୍‌  ଇନ୍‌ ଇମ୍ୟୁନୋଲୋଜିରେ ଲିଅନ୍‌ ସ୍ମିଥ୍‌ ଓ ସାଥୀ (୨୦୨୫)  ହେଉ କି ଆମେରିକାର ନେସନାଲ୍‌ ହାର୍ଟ, ଲଙ୍ଗ୍‌ ଏଣ୍ଡ୍‌ ବ୍ଲଡ୍‌  ଇନ୍‌ଷ୍ଟିଚ୍ୟୁଟ୍‌ ଭଳି ସଂସ୍ଥାଗୁଡିକ ତରଫରୁ ପ୍ରକାଶିତ ଅନ୍ୟ  ଲେଖା ସବୁରୁ ବେଶ୍‌ ସ୍ପଷ୍ଟ ହୋଇଯାଏ । ଯଦିଓ ସଦ୍ୟଜନ୍ମା  ଶିଶୁଠାରେ ଦୈନିକ ନିଦର ମାତ୍ରା ୧୬-୧୭ ଘଣ୍ଟା  ହୋଇଥାଏ, କ୍ରମେ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହା କମି  କମି ଆସି ଏକ ପ୍ରାପ୍ତବୟସ୍କ ମଣିଷ ପାଇଁ ୭ରୁ ୮ ଘଣ୍ଟାର  ନିଦ ଅନିବାର୍ଯ୍ୟ ହୋଇଥାଏ ଶରୀରକୁ ସନ୍ତୁଳିତ କରି  ରଖିବା ପାଇଁ । ଉଭୟ ଶାରୀରିକ ଏବଂ ମାନସିକ ସ୍ତରକୁ  ବ୍ୟବସ୍ଥିତ କରିବାରେ ସାହାଯ୍ୟ କରୁଥିବା ଏକ ଶୃଙ୍ଖଳିତ,  ସମାନ୍ୟ ତଥା ସୁସ୍ଥ ଯୌନ ଜୀବନର ଆବଶ୍ୟକତାକୁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଠୁ ଆରମ୍ଭ କରି କେ. ମାଇକେଲ୍‌  ଓ ସାଥୀ (୨୦୨୧), ହୁଇ ଲିଉ ଓ ସାଥୀ (୨୦୧୬) ପରି  ଅନେକ ଗବେଷକ ତାଙ୍କ ଲେଖାମାନଙ୍କରେ ଉଜାଗର  କରିଯାଇଛନ୍ତି । ଜୀବନଶୈଳୀକୁ ଅବାଟକୁ ନେବାର  ମାଧ୍ୟମମାନଙ୍କ ଭିତରେ ନିଶା ସେବନ ହୁଏତ ସବୁଠୁ  ଆଗରେ । ସାଧାରଣ ହିସାବରେ ମଦ, କଫ୍‌ ସିରପ୍‌, ନିଦ  ବଟିକା, ତମାଖୁ, ବିଡି, ସିଗାରେଟ ହୋଇ ଏହି ପଦାର୍ଥ ଯାଇ  ପହଞ୍ଚେ ହେରୋଇନ୍‌, ବ୍ରାଉନସୁଗର୍‌ ଭଳି ବେଶ୍‌ ଦାମିକା  ବିଷ ପୁଡ଼ିଆ ପାଖରେ । ହେଲେ ସବୁଠେଇଁ ଗୋଟିଏ କଥା  ସ୍ପଷ୍ଟ ଯେ, ସାମୟିକ ଭାବରେ ଏ ଜିନିଷଗୁଡ଼ା ମାନବର  ମନକୁ ମତୁଆଲା କରି ସପନ ରାଇଜରେ ପହଞ୍ଚାଇ  ଦେଲେ ବି ଶରୀରର ଅଙ୍ଗ ଯେତିକକୁ ଭିତରେ ଭିତରେ ଖିନଭିନ୍‌ କରି ଆୟୁଷ ରେଖାଟିକୁ ଚଉତି ଦେବାରେ  ଲାଗନ୍ତି ବୋଲି ପ୍ରମାଣ ଦେବା ଯେ ନିହାତି ମୁର୍ଖାମି ହେବ  ଏଥିରେ ସନ୍ଦେହ ନାହିଁ । ସେହିପରି ମୁଢ଼ି-ଲିଆ ପରି  ଓଷଦ ଖାଇବାରେ ଲଗାମ ଲାଗିବା ମଧ୍ୟ ନିହାତି ଜରୁରି ।  

ବିଶେଷତଃ ଏଣ୍ଟିବାୟୋଟିକ୍‌ ଓ ପୀଡ଼ା କମାଇବା ଓଷଦ ଆଦି  ଖାଇବା ବେଳକୁ ସାବଧାନତା ଅବଲମ୍ବନ କରି ଡାକ୍ତରଙ୍କ  ତତ୍ତ୍ୱାବଧାନରେ, ପ୍ରକୃତ ଭାଗମାପରେ, ପ୍ରସ୍ତାବିତ ଦିନ  ପର୍ଯ୍ୟନ୍ତ ଏହାର ବ୍ୟବହାର ରୋଗକୁ ଅକ୍ତିଆରକୁ ଆଣିବା  ସଙ୍ଗେ ସଙ୍ଗେ ଏଣ୍ଟିବାୟୋଟିକ୍‌ ସହନକାରୀ ଅଣୁଜୀବ  ତିଆରି ହେବାକୁ ନଦେଇ ସମାଜର ବି ଅଶେଷ କଲ୍ୟାଣ  କରିଥାଏ । ଯଦି ସମ୍ଭବ ହୁଏ, ତେବେ ରୋଗ ବଢ଼ିବା  ଆଗରୁ ଉପଯୁକ୍ତ ପରାମର୍ଶକ୍ରମେ ପ୍ରାକୃତିକ ଉପାୟ  ଅବଲମ୍ବନ କରି ତାର ମୂଳୋତ୍ପାଟନର ଦ୍ୱାର ଖୋଲିଦେବା  ହିଁ ସର୍ବୋତ୍ତମ ପନ୍ଥା ବୋଲି ସ୍ୱୀକାର କରିବାକୁ ହେବ ।  ଆଜିକାଲିର ସୋସିଆଲ ମିଡିଆ ଯୁଗରେ ମୋବାଇଲ,  କମ୍ପ୍ୟୁଟର ଭଳି ଗେଜେଟଗୁଡ଼ିକର ପ୍ରୟୋଜନୀୟତା ଯେ  ଖୁବ୍‌ ବେଶୀ ଏହା କହିବା ବାହୁଲ୍ୟମାତ୍ର । ସାରା ବିଶ୍ୱରେ  ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏଗୁଡ଼ିକର ସମ୍ମୋହନରେ  ଏମିତି ବଶୀଭୂତ ହୋଇଗଲେଣି ଯେ ଇଣ୍ଟରନେଟ୍‌ ବିନା  ଗୋଟିଏ ଦିନ ବି ଚଳିବା ମୁସ୍କିଲ ହୋଇଗଲାଣି ଅନେକଙ୍କ  ପାଇଁ । ସିଏ ସାଧାରଣ ଭାବର ଆଦାନପ୍ରଦାନ ହେଉ କି  ବ୍ୟବସାୟ ଅବା ହେଉ ପାଠପଢ଼ା, ସବୁଠି ୟାର ଭାଉ  କାହିଁରୁ କେତେ । ହେଲେ ‘ଅତିରୁ ଇତି' ନ୍ୟାୟରେ ଏସବୁ  ଆମକୁ ଯେତେ ଦଉଛି ଆମଠୁ ଛଡ଼େଇ ନଉଛି ତା'ଠୁ  ଢେର୍‌ ବେଶୀ, ଆଖି ଖରାପ, ବେକ-ପିଠି ଅସଜ, ଭାବନା  ଶକ୍ତିର ହ୍ରାସ, ଚିଡ଼ିଚିଡ଼ାପଣ, ନିଦ୍ରାହୀନତା, ମାନସିକ ଚାପ  ଆଦିକୁ ଜବରଦସ୍ତି ଆମ ଭିତରେ ପୂରାଇଦେଇ । 

୨୦୨୪  ମସିହାରେ ‘ଦ ଟାଇମ୍‌ସ ଅଫ୍‌ ଇଣ୍ଡିଆ’ ଖବରକାଗଜରେ  ଏହାକୁ ନେଇ ଖୁବ୍‌ ଭଲ ଲେଖାଟିଏ ପ୍ରକାଶିତ ହୋଇଛି ।  ନିୟମିତ ଭାବରେ ପଢ଼ାଶୁଣା ଜାରି ରଖିଲେ ଜ୍ଞାନର  ଭଣ୍ଡାର ତ ସମୃଦ୍ଧ ହୋଇଥାଏ ଏଥିରେ ଦ୍ୱିରୁକ୍ତି ନାହିଁ, କିନ୍ତୁ  ଏହା ବୟସଜନିତ ମସ୍ତିଷ୍କ-ଶିଥିଳତାକୁ ବି ଯେ ଦୂରକୁ  ଠେଲିଦିଏ, ଏ ବିଷୟଟି ଆଉ ଅଜଣା ନୁହେଁ । ପୂର୍ବ ବର୍ଣ୍ଣିତ  ଫାର୍ହୁଡଙ୍କ ଲେଖାରୁ ଆହୁରି ବୁଝାପଡ଼େ ଯେ, ପଢ଼ିବା ଦ୍ୱାରା  ଭୁଲିଯିବା ରୋଗ ବା ଆଲ୍‌ଝାଇମର୍‌ ଭଳି ରୋଗଗୁଡ଼ିକ  ସହଜରେ ଆସିପାରେନାହିଁ ଆମ ଭିତରକୁ । ଦିବାରାତିର  ପ୍ରଭେଦହୀନ ଏ ଆଧୁନିକ ଦୁନିଆରେ କାମର ଚାପ ଯେ  ଖୁବ୍‌ ଅଧିକ ସେକଥା ସମସ୍ତେ ଜାଣନ୍ତି । କିନ୍ତୁ ଗୋଟିଏ  କଥା ଅନେକେ ବୁଝନ୍ତି ନାହିଁ ଯେ କର୍ମମୟ ଜୀବନରେ  ଅବସର ବିନୋଦନର ବି ମହତ୍ତ୍ୱ କାହିଁରୁ କେତେ  ବୋଲି । 

ରୁଚି ମୁତାବକ ଏଥିରେ ଥଟ୍ଟା, ମଜା, ବୁଲାବୁଲି,  ସିନେମା, ନାଚ-ଗୀତ ଆଦିକୁ ସାମିଲ କରାଗଲେ ଜୀବନ  ସରସ ହୋଇଥାଏ । ହସ-ମଜା ଓ ଆମ ସ୍ୱାସ୍ଥ୍ୟକୁ ନେଇ  ଆମେରିକାନ୍‌ ଜର୍ଣ୍ଣାଲ୍‌ ଅଫ୍‌ ଲାଇଫ୍‌ଷ୍ଟାଇଲ୍‌ ମେଡିସିନ୍‌ରେ  ୨୦୧୬ ମସିହାରେ ପ୍ରକାଶିତ ‘ଦ ଲାଫ୍‌ଟର୍‌ ପ୍ରେସ୍କ୍ରିପ୍ସନ୍‌'  ବୋଲି ଲେଖାଟି ସତରେ କେତେ କଥା ବଖାଣିଥାଏ!  ଏତେସବୁ ଆଲୋଚନା ଭିତରେ ଆମେ କିନ୍ତୁ ଭୁଲିଯାଇଛେ  ଆଉ ଏକ ଅତି ଦରକାରୀ ଜିନିଷକୁ ଯାହା ହେଉଛି  ଆମ ହବି ବା ଅଭିରୁଚି । ପରିଶେଷରେ ଆମେ ସମସ୍ତେ  ଜାଣିରଖିବା ଉଚିତ ଯେ, ଆମ ଆନୁବଂଶିକ ବିକାର  ବା ପରଜୀବୀକୃତ ରୋଗଠାରୁ ବେଶୀ ରୋଗ ଆମେ  ଆପଣେଇଥିବା ଅନାବଶ୍ୟକ ଜୀବନଶୈଳୀର ଦାନ,  ଯାହାର ନିଦାନ ବି କେବଳ ଆମଦ୍ୱାରା ହିଁ ସମ୍ଭବ ।