ବିଶିଷ୍ଟ ଭାରତୀୟ ଜ୍ୟୋତିର୍ପଦାର୍ଥବିଜ୍ଞାନୀ (୧୯ ଜୁଲାଇ ୧୯୩୮- ୨୦ ମେ’ ୨୦୨୫) ଜୟନ୍ତ ବିଷ୍ଣୁ ନାରଲିକରଙ୍କର ନିକଟରେ ଦେହାନ୍ତ ହୋଇଯାଇଛି । ମହାରାଷ୍ଟ୍ରର କୋଲହାପୁରରେ ତାଙ୍କର ଜନ୍ମ । ତାଙ୍କ ମାତା ଥିଲେ ସଂସ୍କୃତ ପଣ୍ଡିତ ଓ ପିତା ବିଷ୍ଣୁ ବାସୁଦେବ ନାରଲିକର ଥିଲେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଗଣିତ ଅଧ୍ୟାପକ ଓ ବିଭାଗୀୟ ପ୍ରଧାନ । ଜୟନ୍ତ ନାରଲିକରଙ୍କର ଶୈଶବ, କୈଶୋର ସେଠାରେ ବିତିଛି । ନାରଲିକର ୧୯୫୭ରେ ସ୍ନାତକ ଶିକ୍ଷା ସମାପନ ପରେ ଉଚ୍ଚଶିକ୍ଷା ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଆନ୍ତି । ସେଠାରେ ସେ ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ସାର୍ ଫ୍ରେଡ ହୋଏଲଙ୍କ ସହିତ ଗବେଷଣା କରନ୍ତି । କେମ୍ବ୍ରିଜର "ମ୍ୟାଥେମେଟିକାଲ ଟ୍ରାଇପୋସ' ପରୀକ୍ଷାରେ "ରାଙ୍ଗଲାର' ଓ "ଟାଇସନ ମେଡାଲ' ପାଆନ୍ତି । ୧୯୬୩ରେ ପିଏଚଡି ଓ ୧୯୭୬ରେ ଡିଏସି ଡିଗ୍ରୀ ଲାଭ କରନ୍ତି । ନାରଲିକର ବ୍ରହ୍ମାଣ୍ଡ ବା ମହାବିଶ୍ୱର ଉତ୍ପତ୍ତି ଓ ଗଠନ ବିଷୟରେ ଏକ ବିକଳ୍ପ ତତ୍ତ୍ୱର ପ୍ରସ୍ତାବ ଦେଇଥିଲେ । ସେ ସାର୍ ଫ୍ରେଡ ହୋଏଲଙ୍କ ସହିତ ମିଶି ଏହି "ହୋଏଲ- ନାରଲିକର ତତ୍ତ୍ୱ' ବିକଶିତ କରିଥିଲେ । ଏହି ତତ୍ତ୍ୱ ଅନୁସାରେ ମହାବିଶ୍ୱର କୌଣସି ଆରମ୍ଭ ବା ଶେଷ ନାହିଁ । ଏହା ଚିରକାଳ ସ୍ଥିର ଅବସ୍ଥାରେ ଅଛି ।
ପରବର୍ତ୍ତୀ ସମୟରେ ନାରଲିକର ଏହି ତତ୍ତ୍ୱକୁ ଆହୁରି ବିକଶିତ କରି "କୁଆସି-ଷ୍ଟିଡି ଷ୍ଟେଟ କସମୋଲଜି ମଡେଲ'ର ପ୍ରସ୍ତାବ ଦିଅନ୍ତି, ଯାହା "କ୍ଷୁଦ୍ର-ସୃଷ୍ଟି' (ମାଇକ୍ରୋ କ୍ରିଏସନ) ଘଟଣା ମାଧ୍ୟମରେ ମହାବିଶ୍ୱ ପ୍ରସାରଣର ବ୍ୟାଖ୍ୟା କରିଥାଏ । ଏହି ତତ୍ତ୍ୱ ଆଇନଷ୍ଟାଇନଙ୍କ "ସାଧାରଣ ଆପେକ୍ଷିକତା ତତ୍ତ୍ୱ' ଓ "ମ୍ୟାକ-ନୀତି'କୁ ସମନ୍ୱିତ କରି ଏକ ନୂଆ ଗାଣିତିକ ସଂରଚନା ପ୍ରସ୍ତୁତ କରିଥିଲା । ଏହା ପ୍ରଚଳିତ "ମହାବିସ୍ଫୋରଣ ତତ୍ତ୍ୱ' (ବିଗ୍ ବ୍ୟାଙ୍ଗ ଥିଅରି)ର ଏକ ବିକଳ୍ପ ତତ୍ତ୍ୱ । ସେ ସମୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ତାତ୍ତ୍ୱିକ ପ୍ରତିପକ୍ଷ ହୋଇଥିଲା, ମାତ୍ର ପରବର୍ତ୍ତୀ ସମୟରେ "କସମିକ୍ ମାଇକ୍ରୋୱେଭ ବ୍ୟାକଗ୍ରାଉଣ୍ଡ ରେଡିଏସନ' ଓ "ବିଗ ବ୍ୟାଙ୍ଗ ନିଉକ୍ଲିଓସିନ୍ଥେସିସ' ଭଳି ଆବିଷ୍କାରଗୁଡ଼ିକ "ମହାବିସ୍ଫୋରଣ ତତ୍ତ୍ୱ'କୁ ପ୍ରାଧାନ୍ୟ ଦେଲା । ନାରଲିକର ଭାରତରେ ଜ୍ୟୋତିର୍ବିଜ୍ଞାନ ଓ ଜ୍ୟୋତିର୍ପଦାର୍ଥବିଜ୍ଞାନରେ ଗବେଷଣା ପାଇଁ ବିଶ୍ୱମାନର ପ୍ରତିଷ୍ଠାନ ଗଢ଼ିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ୧୯୭୨ରୁ ୧୯୮୯ ଯାଏଁ ସେ "ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନ'ରେ ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ କରିଥିଲେ । ସେହି ସମୟରେ ସେ ପୁନାରେ "ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର୍ ଆଷ୍ଟ୍ରୋନମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ' ପ୍ରତିଷ୍ଠାନର ଭିତ୍ତି ସ୍ଥାପନ କରିଥିଲେ, ଯାହା ୧୯୮୮ରେ ତାଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ହେଲା । ୨୦୦୩ରେ ଅବସର ନେବାଯାଏଁ ସେ ଏହାର ପରିଚାଳକ ଥିଲେ ଓ ପରେ ଏଠାରେ ଏମେରିଟାସ ଅଧ୍ୟାପକ ଭାବେ ନିଜର ଅବଦାନ ରଖିଯାଇଛନ୍ତି । ଏହି ପ୍ରତିଷ୍ଠାନ ଏବେ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା କେନ୍ଦ୍ର ।
ନାରଲିକର କେବଳ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ନଥିଲେ, ଥିଲେ ଜଣେ ନିବେଦିତ ବିଜ୍ଞାନ ପ୍ରଚାରକ । ସେ "ବ୍ରହ୍ମାଣ୍ଡ ବିଜ୍ଞାନ' ଉପରେ ପାଠ୍ୟ ପୁସ୍ତକ ଲେଖିବା ସହିତ ଇଂରାଜୀ ଓ ମରାଠୀ ଭାଷାରେ ବହୁ ଜନପ୍ରିୟ ବିଜ୍ଞାନ ବହି, ପ୍ରବନ୍ଧ ଓ କଳ୍ପକାହାଣୀ ରଚନା କରିଛନ୍ତି । ଇଂରାଜୀରେ ଲିଖିତ "ଦ ଲାଇଟର ସାଇଡ୍ ଅଫ୍ ଗ୍ରାଭିଟି' ବହିରେ ପଦାର୍ଥବିଜ୍ଞାନର କଠିନ ବିଷୟକୁ ହାସ୍ୟରସ ଓ ସହଜ ଦୃଷ୍ଟାନ୍ତ ସହାୟତାରେ ବୁଝେଇଛନ୍ତି । "ସେଭେନ ୱାଣ୍ଡର ଅଫ୍ ୟୁନିଭର୍ସ'ରେ ମହାବିଶ୍ୱର ସାତଟି ବିସ୍ମୟକର ଦିଗ- କୃଷ୍ଣଗହ୍ୱର, ପ୍ରସାରଣ ଇତ୍ୟାଦି ବିଷୟରେ ଲେଖା ଅଛି । ଭାରତର ବୈଜ୍ଞାନିକ ଐତିହ୍ୟ ଓ ଆଧୁନିକ ଅବଦାନ ନେଇ ତାଙ୍କର ଆଲୋଚନା ଗ୍ରନ୍ଥ ହେଲା "ଦ ସାଇଣ୍ଟିଫିକ ଏଜ୍' । ସେହିଭଳି "କସମିକ୍ ପରସ୍ପେକଟିଭ'ରେ ମହାବିଶ୍ୱର ଗଠନ, ପ୍ରସାରଣ ଓ ମାନବ ଜୀବନ ସହିତ ତାହାର ସମ୍ପର୍କକୁ ନେଇ ଦାର୍ଶନିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଆଲୋଚନା ଅଛି । ଏହା ବ୍ୟତୀତ ଆହୁରି ଅନେକ ବହି ତାଙ୍କର ଅଛି । ତାଙ୍କର ବହୁ ପୁସ୍ତକ ବିଭିନ୍ନ ଭୀରତୀୟ ଭାଷାରେ ଅନୂଦିତ ହୋଇଛି । ରେଡିଓ ଓ ଦୂରଦର୍ଶନରେ ଜଟିଳ ବୈଜ୍ଞାନିକ ଧାରଣା ସବୁର ବ୍ୟାଖ୍ୟା ସହଜ ଭାଷାରେ ଉପସ୍ଥାପନ କରି ସେ ଆଦୃତ ହୋଇଛନ୍ତି । ୧୯୯୬ରେ "ୟୁନେସ୍କୋ' ତାଙ୍କୁ ବିଜ୍ଞାନର ପ୍ରଚାର ପ୍ରସାର ପାଇଁ "କଳିଙ୍ଗ ପୁରସ୍କାର'ରେ ସମ୍ମାନିତ କରିଛି । ତାଙ୍କର ବିଜ୍ଞାନ କଳ୍ପକାହାଣୀଗୁଡ଼ିକ ତାଙ୍କୁ (ବିଶେଷକରି କିଶୋର) ପାଠକ ପାଠିକାଙ୍କ ନିକଟରେ ଜନବୁଦ୍ଧିଜୀବୀ ଓ ପରାମର୍ଶଦାତା ଭାବେ ପ୍ରତିଷ୍ଠା ଦେଇଛି । ପାଠକ ମହଲରେ ତାହା ବିଜ୍ଞାନ ବିଷୟରେ କୌତୂହଳ ଓ ଆଗ୍ରହ ସୃଷ୍ଟି କରିଛି ।
ମରାଠୀ ଭାଷାରେ ଲିଖିତ ତାଙ୍କର ଆତ୍ମଜୀବନୀ ୨୦୧୪ରେ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରେ । ତାଙ୍କର ଅଗ୍ରଣୀ ପ୍ରଚେଷ୍ଟା ପାଇଁ ନାରଲିକର ବହୁ ଜାତୀୟ ଓ ଆନ୍ତର୍ଜାତିକ ସମ୍ମାନରେ ଭୂଷିତ ହୋଇଛନ୍ତି । ୧୯୬୫ରେ ମାତ୍ର ୨୬ବର୍ଷ ବୟସରେ ସେ ପଦ୍ମଭୂଷଣ ଓ ୨୦୦୪ରେ ପଦ୍ମବିଭୂଷଣରେ ସମ୍ମାନିତ ହୋଇଛନ୍ତି । ୨୦୧୧ରେ ମହାରାଷ୍ଟ୍ର ସରକାର ତାଙ୍କୁ ସେମାନଙ୍କର ସର୍ବୋଚ୍ଚ ବେସାମରିକ ସମ୍ମାନ "ମହାରାଷ୍ଟ୍ର ଭୂଷଣ' ପ୍ରଦାନ କରିଥିଲେ । ସମାଜରେ ବୈଜ୍ଞାନିକ ଦୃଷ୍ଟିକୋଣ ଓ ବିଜ୍ଞାନମନସ୍କତାର ପ୍ରସାରରେ ସେ ଥିଲେ ଜଣେ ଅଗ୍ରଣୀ ବ୍ୟକ୍ତି । କେବଳ ବିଜ୍ଞାନ ଗବେଷଣାଗାରରେ ସୀମାବଦ୍ଧ ନରହି ସେ ସାଧାରଣ ମଣିଷ ଭିତରେ ବିଜ୍ଞାନର ଯୁକ୍ତିବାଦୀ ଚେତନାର ପ୍ରସାର ଦିଗରେ ସଚେଷ୍ଟ ଥିଲେ । ସେ ଭ୍ରାନ୍ତବିଶ୍ୱାସ, ଜ୍ୟୋତିଷଶାସ୍ତ୍ର, ଅଲୌକିକତା, ଅପବିଜ୍ଞାନ ବା ଛଦ୍ମବିଜ୍ଞାନ ବିରୁଦ୍ଧରେ ସିଧାସଳଖ କଥା କହୁଥିଲେ । ସେ ବିଶ୍ୱାସ କରୁଥିଲେ ବିଜ୍ଞାନଚେତନାର ଅର୍ଥ କେବଳ ବିଜ୍ଞାନର ତଥ୍ୟ ଜାଣିବା ନୁହେଁ, ବରଂ ଯୁକ୍ତିଭିତ୍ତିକ ମନୋଭାବ ଗଢ଼ିବା । ବିଜ୍ଞାନକୁ ଗଣମଣିଷର ପ୍ରୟୋଜନରେ ବ୍ୟବହାର କରିବାର ସଦିଚ୍ଛା ପାଇଁ ତାଙ୍କୁ "ପିପୁଲସ ସାଇଣ୍ଟିଷ୍ଟ' (ଜନବିଜ୍ଞାନୀ) ଭାବରେ ଅଭିହିତ କରାଯାଏ । ବିଜ୍ଞାନ ଗବେଷକ, ଶିକ୍ଷାବିତ୍, ଜନପ୍ରିୟ ବିଜ୍ଞାନ ଲେଖକ, ଯୁକ୍ତିବାଦୀ ଚିନ୍ତାବିତ୍ ଓ ସମାଜବଦ୍ଧ ବିଜ୍ଞାନସେବକ ଭାବରେ ପରିଚିତ ଏହି ଜ୍ୟୋତିର୍ବିଜ୍ଞାନୀ ବିଜ୍ଞାନ ମହାକାଶରେ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ରୂପେ ଚିରଭାସ୍ୱର ହୋଇ ରହିବେ ।