ପ୍ରକୃତରେ ମାନିବାକୁ ହେବ ଯେ ରାଜତନ୍ତ୍ର ଓ ସମାନ୍ତବାଦ ଆମର ଜାତୀୟ ସ୍ମୃତି । ଆମର ସାମୂହିକ ଅଚେତନରେ ସତ୍ତାର ଅର୍ଥ ସତ୍ତାର ପ୍ରଦର୍ଶନ । ଗଣତନ୍ତ୍ରରେ ବ୍ୟକ୍ତି ନାହିଁ, ସେଠି ସତ୍ତା ସମୂହର ହାତରେ । ଲୋକପ୍ରତିନିଧି ଜଣେ ବ୍ୟକ୍ତି ନୁହଁନ୍ତି, ଜଣେ ମୂର୍ତ୍ତିମନ୍ତ ସମୂହ । ସେ ଜଣେ ବିବେକୀ ବ୍ୟକ୍ତି, କାରଣ ସେ ଏକ ସମୂହର ପ୍ରତୀକ । ଦଳୀୟ ରାଜନୀତି, ସଦସ୍ୟଙ୍କୁ ଗଣତନ୍ତ୍ରର ଲୋକଦୃଷ୍ଟି ପ୍ରଦାନ କରିବ ନାହିଁ କାହିଁକି?
ଗଣତନ୍ତ୍ର ଚଳନ୍ତି ସମୟର ଏକ ସୁବୋଧପାଠରେ ପରିଣତ ହୋଇଛି, କିନ୍ତୁ ୟାର ପ୍ରତି ପଦପାତରେ ଦୁର୍ବୋଧ୍ୟତା । ୟା ବି କୁହାଯାଇପାରେ ଯେ ଏହି ଦୁର୍ବୋଧ୍ୟତା ଗଣତନ୍ତ୍ରକୁ ରାଜନୀତି ଓ ଲୋକଜୀବନରେ ବଞ୍ଚେଇ ରଖିଚି । ଏ ଦୁର୍ବୋଧ୍ୟତାର କାରଣ ଦେଶ, ମଣିଷ, ନାଗରିକ, ସମାଜ, ରାଷ୍ଟ୍ର, ଶାସନ, ସତ୍ତା ଓ ଉତ୍ତରଦାୟିତ୍ୱ ଏସବୁ ଗୁଡ଼ିକ ଏକାସାଙ୍ଗରେ ଗଣତନ୍ତ୍ରରେ ହିଁ ସକ୍ରିୟ ହୋଇଉଠନ୍ତି ଓ ଏମାନଙ୍କ ମଧ୍ୟରେ ଥିବା ମାନବୀୟ ସୂତ୍ରଗୁଡ଼ିକ ସବୁ ସମୟରେ ଦିଶନ୍ତି ନାହିଁ ।
ମଣିଷ ଗୋଟିଏ ଭୂଖଣ୍ଡରେ ଜନ୍ମହୁଏ, ସେ ଭୂମିକୁ ସେ ଦେଶ ମାନେ, ମାଟିକୁ ମା' କହେ, ସମସ୍ତଙ୍କୁ ନେଇ ବଞ୍ଚିବାର ରଚନାକୁ ସମାଜ ଭାବେ । ଯେତେବେଳେ ତା’ ନାଁରେ ରାଷ୍ଟ୍ର ଗଢ଼ାଯାଏ ସେତେବେଳେ ସେ ଆଉ ଲୋକଟିଏ ହୋଇ ରହେନାହିଁ ସମୂହ ହୋଇଯାଏ, ତାର ପ୍ରଭାବ ଓ ପତିଆରା ବଦଳେ, ସେ ଲୋକତନ୍ତ୍ରର ଅଂଶ ହୋଇଯାଏ । ସେ ତାର ପ୍ରତିନିଧି ବାଛେ, ତା’ ତରଫରୁ ପ୍ରତିନିଧି ସଭାରେ ଉପସ୍ଥିତ ରହିବାର ଅନୁମତି ଦିଏ । ଏସବୁ ଲେଖାପଢ଼ାରେ ଦସ୍ତଖତ କରି ହୁଏନାହିଁ । ଏସବୁ ହୁଏ ଅଲିଖିତ ବୁଝାମଣାରେ ।
ସମସ୍ତେ ମାନିବା ପାଇଁ ଉଦ୍ଦିଷ୍ଟ ଅଲିଖିତ ବୁଝାମଣା ପ୍ରକୃତରେ କି ପ୍ରକାରର ବୁଝାମଣା? ଇଏ ଏକ ଆସ୍ଥା, ଏକ ନୈତିକ ବନ୍ଧନ । ଯେମିତି ବନ୍ଧୁତ୍ୱ, ଯେମିତି କୁଟୁମ୍ବ, ଯେମିତି ସମ୍ପର୍କ, ଯେମିତି ପ୍ରେମ, ଯେମିତି ବିଶ୍ୱାସ, ଯେମିତି ଭରସା । ମାନିଲେ ସବୁ ଅଛି, ନମାନିଲେ କିଛି ନାହିଁ । କିଛି ନାହିଁ ମାନେ, ଗଣତନ୍ତ୍ର ଉପରେ ଯଦି ଆପଣଙ୍କର ବିଶ୍ୱାସ ନାହିଁ, ଆପଣ ଆଉ ଆଉ ଲୋକଙ୍କ ଭଳି ଆପେ ଆପେ ଗୋଟେ ତନ୍ତ୍ରର ଅଂଶ ହେଇଗଲେ, କିନ୍ତୁ ତନ୍ତ୍ର ସହିତ ଆପଣଙ୍କର ଆବେଗିକ ସମ୍ପର୍କ ରହିଲା ନାହିଁ । ୟାର ସୁଦୂରପ୍ରସାରୀ ପରିଣତି ଏହି ଯେ ଆପଣ ବ୍ୟବସ୍ଥା, ଶାସନ, ନେତୃତ୍ୱ ଓ ବିକାଶ ସବୁକୁ ସନ୍ଦେହ କଲେ । ୟାର ଅର୍ଥ କ’ଣ ଏଇଆ ଯେ ଆପଣ ରାଜତନ୍ତ୍ର ବା ଏକଛତ୍ରବାଦ ଚାହୁଁଚନ୍ତି? ହୁଏତ ତା’ ବି ନୁହେଁ । ହୁଏତ ଆପଣ ଜାଣନ୍ତି ନାହିଁ, ଆପଣ କ’ଣ ଚାହିଁବେ । କିଛି ନଚାହିଁ, କିଛି ଚିନ୍ତା ନକରି ବି ଜୀବନ ବଞ୍ଚିହେବ । ବସ୍ତୁର ଜୀବନ, ବନସ୍ପତିର ଆରଣ୍ୟକ ଜୀବନ ।
ରାଜତନ୍ତ୍ରରେ ବସ୍ତୁ ଓ ବନସ୍ପତି ଭଳି ପଡ଼ିରହି ଲୁଣ୍ଠିତ ହେବାର ଭାଗ୍ୟକୁ ବଦଳେଇବାର ଏକ ଆଧୁନିକ ଜୀବନ ପ୍ରଣାଳୀ ଗଣତନ୍ତ୍ର । ଶାସନର ଆବଶ୍ୟକତା ସବୁ ସମୟରେ ଥିଲା । ବାହୁବଳୀ ଓ ବିତ୍ତବଳୀ ରାଜ୍ୟ ଦଖଲ କରିବା ବିଧିନିର୍ଦ୍ଦିଷ୍ଟ ଭାବି ଆମର ପିତୃପୁରୁଷ ରାଜପଣକୁ ଈଶ୍ୱରଙ୍କ ଆଶୀର୍ବାଦ ଭାବରେ ଧରିନେଇ ରାଜା ଓ ଅଭିଜାତ ରାଜନ୍ୟବର୍ଗଙ୍କ ଅତ୍ୟାଚାର ବି ସହିଯାଉଥିଲେ । ଆପତ୍ତି ନଥିଲା, ଅଭିଯୋଗ ନଥିଲା, କିନ୍ତୁ ଅସନ୍ତୋଷ ଥିଲା । ୟାର ପରିଣତି ଥିଲା ପ୍ରଜାଙ୍କ ବିଦ୍ରୋହ ଓ ତାର ଅମାନୁଷିକ ଦମନ । ରାଜା ହାରୁଥିଲେ କ୍ୱଚିତ, ଦୁର୍ବଳ ରାଜାଙ୍କ ସିଂହାସନ ଅଧିକାର କରୁଥିଲେ ପ୍ରଜାମେଳିର ଅଗ୍ରନାୟକ ଆଉ ଜଣେ ବାହୁବଳୀ । କଦବା କେମିତି ଏ ରାଜାଙ୍କ ଭିତରେ ମିଳିଯାଉଥିଲେ ଲୋକହିତ ଚିନ୍ତକ କାରୁଣିକ, ଧାର୍ମିକ ନରପତି । ରାଜତନ୍ତ୍ରରେ କିଛି ଲୋକମଙ୍ଗଳକର କାର୍ଯ୍ୟ ହେଉଥିଲା, କିନ୍ତୁ ତୁରନ୍ତ ନ୍ୟାୟ ଓ ପ୍ରାତ୍ୟହିକ ଶୃଙ୍ଖଳା ତଥା ରାଜାନୁଗାତ୍ୟର ସ୍ଥାପନା ଥିଲା ରାଜ୍ୟ ଚଳାଇବାର ସାଧାରଣ ଦୃଷ୍ଟି । ଆଇନ ନଥିଲା, ଥିଲା ମନମାନୀ ଦଣ୍ଡ ।
ମୋଗଲମାନେ ରାଜସ୍ୱ ଓ ଫୌଜଦାରି ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା କାଏମ କରିଥିଲେ, ଯାହାକୁ ଇଂରେଜମାନେ ବି ପର୍ସିଆନ ଭାଷାର ପ୍ରାଶାସନିକ ଓ ରାଜସ୍ୱଗତ ସଂସ୍କାର ବେଳେ ଗ୍ରହଣ କରିନେଇଥିଲେ । ଇଂରେଜମାନେ ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବନ୍ଦୋବସ୍ତକୁ ଦୃଢ଼ କରିଥିଲେ । ବନ୍ଦୋବସ୍ତକୁ ଆଖିରେ ରଖି ଜିଲ୍ଲାମାନଙ୍କରେ ଜିଲ୍ଲାପାଳଙ୍କ ପାଖରେ ନିଜାରତ ସେବକ ତୈନାତ ହେଲେ । ଜମିଦାରଙ୍କ ଗୁମାସ୍ତା ଓ ଜିଲ୍ଲାପାଳଙ୍କ ନିଜାରତ ଅଫିସର ରାଜସତ୍ତାର ସେହି ଅବଶେଷ ଯାହା ଏବେ କର୍ମଚାରୀଙ୍କ ହାତରୁ ଯାଇ ବ୍ୟବସ୍ଥାର ଅପରେଟିଙ୍ଗ ପ୍ରୋସିଡିଓରରେ ଆସି ରହିଲାଣି । ଅନ୍ୟ ଭାବରେ କହିଲେ, ଇଂରେଜ ଯୋଉ ଶାସକୀୟ ଗଣତନ୍ତ୍ର ନେଇ ଭାରତରେ ୧୮୫୭ରୁ ତାଙ୍କ ପାର୍ଲାମେଣ୍ଟରୀ ଗଣତନ୍ତ୍ର ଆରମ୍ଭ କଲେ, ସେଇଟା ଥିଲା ପ୍ରକୃତରେ ଏକ ଛଦ୍ମ । ଇଂରେଜଙ୍କ ନିଜ ଦେଶର ଗଣତନ୍ତ୍ର ବି ଏକ ଛଦ୍ମ ଠିକ୍ ବିପରୀତ କାରଣରୁ ।
ଇଂଲଣ୍ଡରେ ଥିଲା ରାଜତନ୍ତ୍ର, ତାଙ୍କୁ ଲାଗିଗଲା ଅନ୍ତତଃ ସାତଶହ ବର୍ଷ ପୂର୍ଣ୍ଣ ଗଣତନ୍ତ୍ର ହେବାପାଇଁ । ୧୯୭୦ରେ ସବୁ ଅଠର ବର୍ଷରୁ ଊଦ୍ଧ୍ୱର୍ ନାଗରିକ ମତଦାନର ଅଧିକାର ପାଇଲେ । ଯେଉଁ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଇଂରେଜଙ୍କୁ ଲାଗିଗଲା ପ୍ରାୟ ସାତଶହ ବର୍ଷ, ସେ ଗଣତନ୍ତ୍ର ଗୋଟିଏ ବହୁଳତାବାଦୀ ଦେଶରେ ଇଂରେଜଙ୍କ ଅବଦାନ ହୋଇ ଆସିଥାନ୍ତା କେମିତି? ଆମ ଗଣତନ୍ତ୍ର ଆମ ସଂସ୍କାରରେ ଥିଲା, କିନ୍ତୁ ତାର ବୈଦିକ ଅଧ୍ୟାତ୍ମ ଆଉ ଦିଶୁନଥିଲା ।
୧୯୧୯ ଆକ୍ଟରେ ଯେଉଁ ଦ୍ୱୈତ ଶାସନର କଥା କୁହାଗଲା, ମନେହେଲା ଯେମିତି ଇଂରେଜମାନେ ଭାରତକୁ ସ୍ୱାଧୀନତା ନଦେଇ ତାଙ୍କର ରୋଷଘରରେ ପରିଣତ କରିବାକୁ ଚାହୁଁଚନ୍ତି । ରୋଷେଇ ଏଠି, ଖାଇବେ ସେମାନେ । ରୋଷେୟା ମୁକ୍ତ, ଯାହା କରୁଚି କରୁ କିନ୍ତୁ ଠିକ୍ ସମୟରେ ଟେବୁଲ ରେଡ୍ଡୀ! ୧୯୩୫ ଆକ୍ଟରେ ସ୍ୱାୟତ୍ତ ଶାସନ ସହିତ ସଂଘୀୟ ରାଷ୍ଟ୍ର କଳ୍ପନା ହେଲା । ସମଗ୍ର ଭାରତକୁ ଏକାଠି କରି ଗଣତନ୍ତ୍ରର ଭିତ୍ତିସ୍ଥାପନ ନକରି ଏସବୁ ଯାହା ଚାଲିଥିଲା ତାକୁ ସନ୍ତୁଷ୍ଟିକରଣର ରାଜନୀତି କହିପାରିବା । ସେମାନେ ଏଇଆ କରି ଆଉ କିଛି ବର୍ଷ ରହିଗଲେ, କିନ୍ତୁ ଗଣତନ୍ତ୍ର ପାଇଁ ଭାରତର ଭୂମି ପ୍ରସ୍ତୁତ କଲେନାହିଁ କି ଲୋକମତ ନିର୍ମାଣର ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି କଲେ । ଏମିତି ହେଲା ଯେ ସମ୍ବିଧାନ ସଭା ଆଗରେ ପାଶ୍ଚାତ୍ୟ ମଡେଲ ଛଡ଼ା ଆଉ କିଛି ରାସ୍ତା ନଥିଲା । ଆମ୍ବେଦକର ଚାହିଁଲେ ବି ଭାରତୀୟ ମଡେଲଟିଏ ନିର୍ମାଣ କରିପାରିନଥାନ୍ତେ ।
ଆମେରିକାନ, ରୁଷୀୟ ଓ ଆଇରୀଶ ସମ୍ବିଧାନକୁ ସମ୍ମୁଖରେ ରଖି ଭାରତୀୟ ସମ୍ବିଧାନ ଲେଖା ହେଲା । ଇଂରେଜମାନଙ୍କ ପାଖରେ ଲିଖିତ ସମ୍ବିଧାନ ନଥିଲା କି ନାହିଁ । ତେଣୁ ଯୋଉ ମଡେଲ ମିଳିଲା ତାକୁ ବ୍ୟବହାର କରାଗଲା, ଭାରତୀୟ ମଡେଲ ବିକଶିତ କରିବାର ସମୟ, ସୁଯୋଗ ବା ମହତ୍ତ୍ୱାକାଂକ୍ଷା ନଥିଲା । ଭୁଲ୍ କରିବାର ବା ଗୋଟେ ନୂଆ ପରୀକ୍ଷା କରିବାର ବିପଦ ମୁଣ୍ଡେଇ ପୁଣି ସେଥିରୁ ମୁକୁଳିବାର ସମୟ ନଥିଲା । ଏଡ଼େବଡ଼ ଦେଶକୁ ଅରାଜକ କରି ଛାଡ଼ିଦେବାର ପ୍ରଶ୍ନ ଉଠୁନଥିଲା । ଗଣତନ୍ତ୍ର ହିଁ ଶ୍ରେଷ୍ଠ ରାଜନୈତିକ ଆୟୋଜନ, ୟାର ବିକଳ୍ପ ନାହିଁ, ଏ ଅନୁଭବ ବି ଥିଲା ନୂଆ ସ୍ୱାଧୀନ ଦେଶ ଆଗରେ । ଏବେବି ସେଇ ଆମ ଆଗରେ ।
ମାତ୍ର ପଚାଶ ବର୍ଷ ଭିତରେ ଦ୍ୱୈତ-ସ୍ୱାୟତ୍ତ-ସ୍ୱାଧୀନ ଏକ ବିବର୍ତ୍ତନ ନଥିଲା, ଏହା ଥିଲା ଜରୁରି ଅବତରଣ, ଫୋର୍ସଡ ଲାଣ୍ଡିଙ୍ଗ । ୟାର ଗୋଟିଏ ସହଜ କାରଣ ଥିଲା ଏହି ଯେ, କମ୍ପାନୀ ସ୍ଥାନରେ ସରକାର ଥୋଇଲା ବେଳେ ଇଂରେଜ ଜାଣିଗଲେ ଯେ ଭାରତ ଚଳେଇବା ସହଜ ନୁହେଁ, ପୁଣି ଯେତେବେଳେ ଭାରତୀୟଙ୍କ ଆନୁଗତ୍ୟ ତାଙ୍କ ସହିତ ନାହିଁ । କମ୍ପାନୀ ଅମଲାତନ୍ତ୍ରରେ ସାମାନ୍ୟ ପରିବର୍ତ୍ତନ କରି ସେମାନେ ମହତ୍ତ୍ୱାକାଂକ୍ଷୀ, ଗୋଡ଼ାଣିଆ ଅମଲା ଦଳ ପାଇଲେ, କିନ୍ତୁ ରହିଲା ଭାରତ ସହିତ ଅର୍ଦ୍ଧପରିଚିତ ଗୋଟେ ସାମନ୍ତ ପରିଷଦ ହୋଇ । ଇଏ ଏକ ତନ୍ତ୍ରରେ ପରିଣତ ହେବାର ପ୍ରକ୍ରିୟା ଏବେବି ଚାଲିଚି ।
ଗଣତନ୍ତ୍ରର ଆଖି ଗଣ ଉପରେ, କିନ୍ତୁ କ୍ରିୟା ଘଟୁଚି ତନ୍ତ୍ରରେ । ଏ ତନ୍ତ୍ରଟି ଗଣକୁ ଯାହା ଦିଏ ତାକୁ ମୋ ଦତ୍ତ ପଦାର୍ଥ ବୋଲି ଭାବେ । ସେଇଥିପାଇଁ ଉଦ୍ଘାଟକ, ଭିତ୍ତିସ୍ଥାପକଙ୍କ ନାମ ଦାନପତ୍ରରେ ରାଜାଙ୍କ ନାମ ରହିଲା ଭଳି ରହେ । ନିବେଶ ରାଷ୍ଟ୍ରର, ଅଭୀଷ୍ଟ ଲୋକହିତ । ରାଷ୍ଟ୍ର ଲୋକଙ୍କୁ କିଛି ଦେବା ମଝିରେ ତନ୍ତ୍ର ପୁଣି ଆସିବ କାହିଁକି? ରାଷ୍ଟ୍ର ହିଁ ଲୋକାର୍ପିତ କରୁ, ତନ୍ତ୍ର ବଢ଼େଇଥିବା କରକମଳ ନିମିତ୍ତ ମାତ୍ର ହେଉ । ପ୍ରକୃତରେ ମାନିବାକୁ ହେବ ଯେ ରାଜତନ୍ତ୍ର ଓ ସମାନ୍ତବାଦ ଆମର ଜାତୀୟ ସ୍ମୃତି । ଆମର ସାମୂହିକ ଅଚେତନରେ ସତ୍ତାର ଅର୍ଥ ସତ୍ତାର ପ୍ରଦର୍ଶନ । ଗଣତନ୍ତ୍ରରେ ବ୍ୟକ୍ତି ନାହିଁ, ସେଠି ସତ୍ତା ସମୂହର ହାତରେ । ଲୋକପ୍ରତିନିଧି ଜଣେ ବ୍ୟକ୍ତି ନୁହଁନ୍ତି, ଜଣେ ମୂର୍ତ୍ତିମନ୍ତ ସମୂହ। ସେ ଜଣେ ବିବେକୀ ବ୍ୟକ୍ତି, କାରଣ ସେ ଏକ ସମୂହର ପ୍ରତୀକ ।
ଦଳୀୟ ରାଜନୀତି, ସଦସ୍ୟଙ୍କୁ ଗଣତନ୍ତ୍ରର ଲୋକଦୃଷ୍ଟି ପ୍ରଦାନ କରିବ ନାହିଁ କାହିଁକି? ସୁରକ୍ଷା ଓ ଶକ୍ତିବିଧାତା ଭାବରେ ପ୍ରତି ଶକ୍ତିକେନ୍ଦ୍ର କିଛି ସୁବିଧା, ସୁଯୋଗ ଓ ସ୍ୱତନ୍ତ୍ରତା ଭୋଗ କରିବା ୱାଜିବ, କିନ୍ତୁ ସିଏ ମୁଣ୍ଡକୁ ଯାଏ ସେତିକିବେଳେ, ଯେତେବେଳେ ବ୍ୟକ୍ତି ଭାବେ ଯେ ଶକ୍ତିକୁ ଭୋଗ କରିବା ତାର ତନ୍ତ୍ରସିଦ୍ଧ ଅଧିକାର । ଏହା ଉଭୟ ବ୍ୟକ୍ତି ଓ ତନ୍ତ୍ରକୁ ଗଣତନ୍ତ୍ରର ଅଦୃଶ୍ୟ ଶତ୍ରୁ ଭାବରେ ପାଳେ । ନମ୍ରତା ମଣିଷର ସାଧାରଣ ସ୍ୱଭାବ ନୁହେଁ, କିନ୍ତୁ ରାଜନୈତିକ ମଣିଷ ଜଣେ ଅଲଗା ମଣିଷ । ପ୍ରତିନିଧି ଭାବରେ ସେ ମୁଣ୍ଡରେ ସମୂହର ଭାର ବୋହିଚନ୍ତି, ମୁଣ୍ଡ ନଇଁବ ଅବଶ୍ୟ । ନଉଁନି କାହିଁକି? ଗଣତନ୍ତ୍ର ଲୋକସିଦ୍ଧ ହୋଇନାହିଁ! ଏବେବି ଗଣତନ୍ତ୍ରରେ ରାଜସତ୍ତା ବିଦ୍ୟମାନ ।
ଭାରତୀୟ ଗଣତନ୍ତ୍ର ତାର ସମସ୍ତ ବିଚଳନ ସତ୍ତେ୍ୱ ବିଶ୍ୱର ସର୍ବବୃହତ ଓ ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ପ୍ରକ୍ରିୟା । ଗଣତନ୍ତ୍ରକୁ ଏକ ଅଧିକରୁ ଅଧିକ ଉନ୍ମେଷକ୍ଷମ ଅଭୀପ୍ସା ବା ଆସ୍ପିରେସନ ଭାବରେ ଗ୍ରହଣ କରାଯାଉ । ଆମ ସମ୍ବିଧାନର ରାଷ୍ଟ୍ରନୀତି ଦିଗନିର୍ଦ୍ଦେଶିକା (ଡାଇରେକ୍ଟିଭ ପ୍ରିନସିପଲ୍ସ ଅଫ ଷ୍ଟେଟ ପଲିସି)ରେ ଗଣତନ୍ତ୍ର ପାଇଁ ନାଗରିକ ଓ ଲୋକପ୍ରତିନିଧିଙ୍କ ପ୍ରସ୍ତୁତି ସମ୍ମିଳିତ ହେଉ ।
ଗଣତନ୍ତ୍ର ଆମେ ଠିକ୍ ଲୋକ, ଆମର ରାଜତନ୍ତ୍ର ବି ପାଶ୍ଚାତ୍ୟ ରାଜତନ୍ତ୍ର ନୁହେଁ । ସନ୍ଥ ଓ ଶିକ୍ଷକ ଆମର ସ୍ୱାଭାବିକ ଲୋକନେତା । ସନ୍ଥତ୍ୱ ଓ ଶିକ୍ଷକତ୍ୱର ଉଦାରତା ହିଁ ଭାରତୀୟ ରାଜନେତାର ଲୋକାସ୍ତ୍ର, ବିତ୍ତ ନୁହେଁ କି ବାହୁବଳ ନୁହେଁ । ବିଶ୍ୱର ଶ୍ରେଷ୍ଠ ଗଣତନ୍ତ୍ର ହେବାପାଇଁ ନାଗରିକ ପ୍ରସ୍ତୁତି ଜାରି ରହୁ । ପ୍ରତି ଅନୁଷ୍ଠାନ ହେଉ ଏକ ଗଣତନ୍ତ୍ର କର୍ମଶାଳା, ସ୍ୱତନ୍ତ୍ର ବ୍ୟୟବରାଦ ଲୋଡ଼ାନାହିଁ । ଏଥିରେ ପରସ୍ପର ସହିତ ବିମର୍ଶ ଓ ସାଧାରଣରୁ ସାଧାରଣ ନାଗରିକର ସମ୍ପୃକ୍ତି ହେବ ଶ୍ରେଷ୍ଠ ଅବଦାନ ଗଣତନ୍ତ୍ରର ଭବିଷ୍ୟତ ନିର୍ମାଣ ପାଇଁ ଓ ଭାରତର ବିଶ୍ୱନେତୃତ୍ୱ ପାଇଁ ।