ନୂଆଦିଲ୍ଲୀ,୧୦/୦୭: ସ୍ୱାଭାବିକ ତୁଳନାରେ ଦ୍ରୁତ ଘୂରିଛି ପୃଥିବୀ । ଫଳରେ ଦିନରୁ କିଛି ସମୟ କମିଛି । ଆସନ୍ତା ୨୨ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ପୃଥିବୀ ଅପେକ୍ଷାକୃତ ଦ୍ରୁତ ଘୂରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଚନ୍ଦ୍ରର ସ୍ଥିତି ପୃଥିବୀର ଘୂର୍ଣ୍ଣନକୁ ପ୍ରଭାବିତ କରିବ, ଯାହା ଫଳରେ ପ୍ରତ୍ୟେକ ଦିନ ସାଧାରଣ ତୁଳନାରେ ୧.୩ରୁ ୧.୫୧ ମିଲିସେକେଣ୍ଡ୍ ମଧ୍ୟରେ ଛୋଟ ହେବ । ପୃଥିବୀରେ ଦିନ ତା’ର ଅକ୍ଷରେ ପୂର୍ଣ୍ଣ ଘୂର୍ଣ୍ଣନ ଜରିଆରେ ନିର୍ଦ୍ଧାରଣ କରାଯାଏ । ସେହି ଆଧାରରେ ପୃଥିବୀକୁ ନିଜ ଅକ୍ଷରେ ପୂର୍ଣ୍ଣ ଘୂରିବାକୁ ହାରାହାରି ୮୬,୪୦୦ ସେକେଣ୍ଡ୍ ବା ୨୪ ଘଣ୍ଟା ସମୟ ଲାଗେ । କିନ୍ତୁ ପୃଥିବୀର ଘୂର୍ଣ୍ଣନ ବିଭିନ୍ନ ଘଟଣା ଯଥା- ସୂର୍ଯ୍ୟ ଓ ଚନ୍ଦ୍ରର ସ୍ଥିତି, ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଏବଂ ଗ୍ରହରେ ଓଜନର ସନ୍ତୁଳନ ଆଦି ଦ୍ୱାରା ପ୍ରଭାବିତ ହୁଏ । ପ୍ରାରମ୍ଭିକ ଦିନଠୁ ପୃଥିବୀର ଘୂର୍ଣ୍ଣନ ଅପେକ୍ଷାକୃତ ଧିମା ହୋଇଚାଲିଛି । ଏହା ଫଳରେ ଆମ ଦିନଗୁଡ଼ିକ ଲମ୍ବା ହେଉଛି ।
ଅଧ୍ୟୟନକର୍ତ୍ତା ଜାଣିବାକୁ ପାଇଛନ୍ତି, ପ୍ରାୟ ୧୦୦ କୋଟିରୁ ୨୦୦ କୋଟି ବର୍ଷ ତଳେ, ପୃଥିବୀରେ ଗୋଟିଏ ଦିନ ମାତ୍ର ୧୯ ଘଣ୍ଟା ଥିଲା । ଏହାର କାରଣ ବୋଧହୁଏ ଚନ୍ଦ୍ର ପୃଥିବୀର ନିକଟରେ ଥିଲା, ଯାହାର ମାଧ୍ୟାକର୍ଷଣ ଶକ୍ତି ବର୍ତ୍ତମାନ ତୁଳନାରେ ଅଧିକ ଶକ୍ତିଶାଳୀ ଥିଲା । ଏଥିଯୋଗୁ ପୃଥିବୀ ନିଜ ଅକ୍ଷରେ ଅପେକ୍ଷାକୃତ ଦ୍ରୁତ ବେଗରେ ଘୂରୁଥିଲା । ସେବେଠୁ ଚନ୍ଦ୍ର ପୃଥିବୀଠୁ ଦୂରେଇ ଯାଇଛି, ଫଳରେ ଦିନ ହାରାହାରି ଲମ୍ବା ହୋଇଚାଲିଛି । କିନ୍ତୁ ଗତ ବର୍ଷମାନଙ୍କରେ ବୈଜ୍ଞାନିକମାନେ ପୃଥିବୀର ଘୂର୍ଣ୍ଣନରେ ଅନ୍ତର ଲକ୍ଷ୍ୟ କରିଛନ୍ତି । ୨୦୨୦ ମସିହାରେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ, ୧୯୭୦ ମସିହାରେ ପୃଥିବୀର ଘୂର୍ଣ୍ଣନ ରେକର୍ଡ ହେବା ପରଠୁ କୌଣସି ବିନ୍ଦୁ ତୁଳନାରେ ଏହା ଅଧିକ ଦ୍ରୁତ ବେଗରେ ଘୂରୁଥିଲା । ୨୦୨୪, ଜୁଲାଇ ୫ ତାରିଖରେ ପୃଥିବୀର ସର୍ବକାଳୀନ ଛୋଟ ଦିନ ରେକର୍ଡ କରାଯାଇଥିଲା, ଯାହା ୨୪ ଘଣ୍ଟାରୁ ୧.୬୬ ମିଲିସେକେଣ୍ଡ୍ ଛୋଟ ଥିଲା । ବୁଧବାର ଅର୍ଥାତ୍ ଗତ ୯ ତାରିଖ ଚନ୍ଦ୍ର ପୃଥିବୀର ଭୂମଧ୍ୟରେଖାଠୁ ସବୁଠୁ ଦୂରରେ ଥିଲା । ଆସନ୍ତା ୨୨ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ଚନ୍ଦ୍ର ପୃଥିବୀର ସବୁଠୁ ଦୂରରେ ଅବସ୍ଥାନ କରିବ । ଏହା ପୃଥିବୀ ଅକ୍ଷରେ ନିଜ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ପରିବର୍ତ୍ତନ କରେ । ଉଦାହରଣ ସ୍ୱରୂପ, ପୃଥିବୀ ଏକ ଘୂର୍ଣ୍ଣାୟମାନ ନଟୁ । ଯଦି ଏହାର ଶୀର୍ଷ ଓ ନିମ୍ନ ଭାଗକୁ ଧରାଯାଏ, ତେବେ ଏହା ଦ୍ରୁତ ବେଗରେ ଘୂରିପାରିବ ନାହିଁ ।
ଚନ୍ଦ୍ର ମେରୁର ନିକଟତର ହେଲେ, ପୃଥିବୀର ଘୂର୍ଣ୍ଣନ ବେଗ ଦ୍ରୁତ ହୁଏ । ଫଳରେ ପୃଥିବୀରେ ଦିନ ଅପେକ୍ଷାକୃତ ଛୋଟ ହୁଏ । ଏହି ପରିବର୍ତ୍ତନ ଆଶା କରିବାଯୋଗ୍ୟ । କିନ୍ତୁ ସଦ୍ୟ ଅଧ୍ୟୟନ ଦର୍ଶାଇଛି, ମାନବ କାର୍ଯ୍ୟକଳାପ ମଧ୍ୟ ପୃଥିବୀର ଘର୍ଣ୍ଣନରେ ପରିବର୍ତ୍ତନ ପାଇଁ ଦାୟୀ ହେଉଛି । ନାସା ଅଧ୍ୟୟନକର୍ତ୍ତାଙ୍କ ଆକଳନ ଅନୁସାରେ, ଜଳବାୟୁ ପରିବର୍ତ୍ତନ ସହ ସଂଶ୍ଳିଷ୍ଟ ବରଫ ଓ ଭୂତଳଜଳର ଗତିବିଧି ୨୦୦୦ରୁ ୨୦୧୮ ମସିହା ମଧ୍ୟରେ ଆମ ଦିନର ସମୟକୁ ପ୍ରତି ଶତାବ୍ଦୀ ୧.୩୩ ମିଲିସେକେଣ୍ଡ୍ ବଢ଼ାଇଛି ।ୟୁନିଭର୍ସିଟି ଅଫ୍ ଲିଭର୍ପୁଲ୍ର ଭୂଭୌତିକବିତ୍ ରିଚାର୍ଡ ହୋମ୍ କହିଛନ୍ତି, କେବଳ ଗୋଟିଏ ଘଟଣା ମଧ୍ୟ ପୃଥିବୀର ଘୂର୍ଣ୍ଣନ ଉପରେ ପ୍ରଭାବ ପକାଇପାରେ । ୨୦୧୧ ମସିହାରେ ଜାପାନରେ ସଂଘଟିତ ଭୂକମ୍ପ ଦିନର ଲମ୍ବକୁ ୧.୮ ମାଇକ୍ରୋସେକେଣ୍ଡ୍ କମାଇ ଦେଇଥିଲା । ସେତିକି ନୁହେଁ,ୠତୁ ପରିବର୍ତ୍ତନ ମଧ୍ୟ ପୃଥିବୀର ଘୂର୍ଣ୍ଣନକୁ ପ୍ରଭାବିତ କରେ । ହୋମ୍ କହିଛନ୍ତି, ଦକ୍ଷିଣ ଗୋଲାର୍ଦ୍ଧ ତୁଳନାରେ ଉତ୍ତର ଗୋଲାର୍ଦ୍ଧରେ ଅଧିକ ଭୂମି ରହିଛି । ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁରେ ବୃକ୍ଷରେ ପତ୍ର ଆସେ । ଏହାର ଅର୍ଥ ପୃଥିବୀର ଓଜନ ଭୂମିରୁ ଉଦ୍ଧ୍ୱର୍କୁ ଗତି କରେ । ଯେକୌଣସି ଗତିଶୀଳ ପିଣ୍ଡର ଘୂର୍ଣ୍ଣନ ତା’ର ଘନତ୍ୱର ବିତରଣ ଦ୍ୱାରା ପ୍ରଭାବିତ ହୁଏ । ଯେତେବେଳେ ଜଣେ ଆଇସ୍ ସ୍କେଟର୍ ଗୋଟିଏ ସ୍ଥାନରେ ଘୂରନ୍ତି, ତାଙ୍କ ବାହୁ ତାଙ୍କ ଛାତିକୁ ଲାଗିଥିଲେ, ସେ ତାଙ୍କ ବେଗ ଅପେକ୍ଷାକୃତ ଦ୍ରୁତ ହୁଏ । ବାହୁ ବାହାରକୁ ନେଲେ ଘୂର୍ଣ୍ଣନ ବେଗ ଧିମା ହୁଏ ।
ସେହିପରି ଗ୍ରୀଷ୍ମଋତୁରେ ପୃଥିବୀର ଓଜନ ନିଜର କେନ୍ଦ୍ରଠୁ ଦୂରେଇ ଗଲେ, ଏହାର ଘୂର୍ଣ୍ଣନ ହାର ନିଶ୍ଚିତ ଭାବେ ଧିମା ହୁଏ । ତେଣୁ ଦିନର ସମୟ ବଢ଼େ । ତଥାପି ଆମ ଘଡ଼ିରେ ଦିନ ୨୪ ଘଣ୍ଟା ହିସାବରେ ଗଣାଯିବ । ବ୍ୟକ୍ତିଗତ ସ୍ତରରେ ଏହି ଅନ୍ତର ଧ୍ୟାନ ଦେବାଯୋଗ୍ୟ ଦୁହେଁ । ଦିନର ଲମ୍ବରେ ଅନ୍ତର ୦.୯ ସେକେଣ୍ଡ୍ ବା ୯୦୦ ମିଲିସେକେଣ୍ଡ୍ରୁ ଅଧିକ ହେଲେ, ଟାଇମ୍ ଜୋନ୍ରେ ସମୟ ପରିବର୍ତ୍ତନ ହେବ । ତେବେ ଏହା ଗୋଟିଏ ଦିନରେ ହୋଇନାହିଁ, ବର୍ଷ ବର୍ଷ ଧରି ଆମ ଘଡ଼ି ପୃଥିବୀର ସ୍ଥିତି ସହିତ ତାଳମେଳ ରଖିବାରେ ଅସମର୍ଥ ହେଉଛି । ଇଣ୍ଟରନ୍ୟାସନାଲ ଆର୍ଥ୍ ରୋଟେସନ୍ ଆଣ୍ଡ୍ ରେଫରେନ୍ସ ସିଷ୍ଟମ୍ସ ସର୍ଭିସ୍ (ଆଇଇଆର୍ଏସ୍) ଦ୍ୱାରା ଏହାର ନିରୀକ୍ଷଣ କରାଯାଉଛି ।