"ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି ।' ଫକୀରମୋହନଙ୍କ ସେକାଳର ଗପରେ ଥିବା ଜେଜୀ-ମା'ର ଡାକ ଏବେ ମଧ୍ୟ ପ୍ରତିଧ୍ୱନି ତୋଳୁଛି ଚରମ ଅସହାୟତାରେ । ରେବତୀମାନେ ଟଳି ପଡୁଛନ୍ତି ଅକାଳରେ, ଅକାରଣରେ, ଅସହ୍ୟ ବେଦନାରେ, ଅଗ୍ନିଗର୍ଭରେ । ସେକାଳର କିନ୍ତୁ ମନୁଷ୍ୟକୃତ ଅବହେଳା, ଅପମାନ କିମ୍ବା ଅପକର୍ମ ନଥିଲା । ସେକାଳରେ "ବାସୁଦେବ' ଭଳି ସୁନ୍ଦର ସୁଠାମ ଚେହେରାର ଯୁବକ ଶିକ୍ଷକଟିଏ ଥିଲା, ଯିଏ ଚାହୁଁଥିଲା "ରେବତୀ' ଭଳି ଝିଅମାନେ ଶିକ୍ଷାଲୋକରେ ଆଲୋକିତା ହୁଅନ୍ତୁ । କିନ୍ତୁ ଏକାଳରେ ଆମେ ଦେଖିଲୁ କିପରି ହାତରେ ଶିକ୍ଷାର ଆଲୋକବର୍ତ୍ତିକା ଧରି ଶିକ୍ଷକଟିଏ ରେବତୀକୁ ଅନ୍ଧାର ସହିତ ସହବାସ ପାଇଁ ଆମନ୍ତ୍ରଣ କରୁଛି । ଅନ୍ଧାର ସହ ସନ୍ଧି ନକଲେ ଶିକ୍ଷାଲୋକରୁ ବଞ୍ଚିତ ହେବ ବୋଲି ଧମକ ଦେଉଛି ଏବଂ ତା'କୁ ଅପମାନିତ କରୁଛି । ଶେଷରେ ନିଆଁ ଜଳୁଛି, ଜଳିଯାଉଛି ଶିକ୍ଷାଳୟ, ଥାନା, ଡାକ୍ତରଖାନା, ଆମର ବିଧିବ୍ୟବସ୍ଥା । ସବୁଠି ସେଇ ନିଆଁ ଜଳିବାର ଭୟଙ୍କର ଦୃଶ୍ୟ ଏବଂ ତା' ଭିତରେ ଅଦୃଶ୍ୟା ଆଜିର "ରେବତୀ' । ବିଡ଼ମ୍ବନା, ଏ ପ୍ରକାର ଅଘଟଣ ପୁଣି ଘଟିବାକୁ ଥିଲା ସେଇ ଫକୀରମୋହନଙ୍କ ପବିତ୍ର ମାଟିରେ, ତାଙ୍କରି ନାମ ଓ ନିଶାଣ ଥିବା ମହାବିଦ୍ୟାଳୟରେ ।
ସେକାଳର "ରେବତୀ' ଗଳ୍ପରେ ଯାହା ସବୁ ଘଟିଲା, ତାହା ଥିଲା ବିଧାତାର ବିଧାନ । କହିପାରନ୍ତି, ନିଷ୍ଠୁର ବିଧାତା । କିନ୍ତୁ ବାସ୍ତବରେ ଏବେ ଯାହା ଘଟିଲା, ଦେଶ ସ୍ୱାଧୀନତାର ଅଶି ବର୍ଷ ପରେ, ଏକ ବିକଶିତ ରାଜ୍ୟର ସ୍ୱପ୍ନ ଦର୍ଶନ ଅବସ୍ଥାରେ ତାହା ହେଉଛି ବ୍ୟବସ୍ଥା ନାଁରେ ଚରମ ଅବ୍ୟବସ୍ଥାର ଅବଦାନ । ଶାସନ ଓ ଶାସିତର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ଲୋକତାନ୍ତ୍ରିକ ବିଧାତାମାନଙ୍କ ଅବହେଳା ଓ ଅବଜ୍ଞାର ନିଦର୍ଶନ । "ରେବତୀ' ଗଳ୍ପରେ ପିତା ଶ୍ୟାମବନ୍ଧୁ ରେବତୀକୁ ଭଜନଟିଏ ଶିଖେଇଥିଲେ ଏବଂ ପ୍ରତିଦିନ ରେବତୀ ସେଇ ଗୀତଟି ଗାଏ ତା' ବାପାଙ୍କ ପାଖରେ– କା' ଆଗେ କରିବି ଗୁହାରି? ତୁମ୍ଭେ ନ ଚାହିଁଲେ ନାଥ ଗରିବ ଯିବ ସରି କର ବା ନ କର ତ୍ରାଣ, ପଦେ ସମର୍ପିଛି ପ୍ରାଣ ହୃଦେ ଅଛି ତବ ନାମ ଧରି ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ହେ ହରି ଶୀତଳ କର ଜୀବନ ପ୍ରେମାମୃତ ଦାନ କରି । କାହା କାହା ଆଗରେ ଗୁହାରି କରିନାହିଁ ସୌମ୍ୟାଶ୍ରୀ? ଆମ ବ୍ୟବସ୍ଥାର ସବୁ ଦିଗପାଳଙ୍କ ପାଖରେ ସେ ବ୍ୟାକୁଳ ଆବେଦନ ଓ ନିବେଦନ ଜଣାଇଛି । ହେଲେ କେହି ଶୁଣିଥିଲେ କି ତା' ଗୁହାରି?
ଗଳ୍ପ "ରେବତୀ'ରେ ଶ୍ୟାମବନ୍ଧୁ ବା ରେବତୀର ଭଜନ ଗୁହାରି ହରିଙ୍କ ପାଖରେ ଅଶୁଣା ରହିଗଲା ଭଳି, ସେହି "ରେବତୀ'ର ବିଡ଼ମ୍ବିତ ଭାଗ୍ୟ ନେଇ ଜନ୍ମିଥିବା ଆଜିର "ସୋମ୍ୟାଶ୍ରୀ'ର ସକଳ ଗୁହାରି ବ୍ୟର୍ଥ ଗଲା । ଶେଷରେ ଜଳିଲା ଆତ୍ମାହୁତିର ନିଆଁ । ଏ ଘଟଣା ନୂଆ ନୁହେଁ କିମ୍ବା ଏବେର ଶାସନ ବ୍ୟବସ୍ଥାର କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଏମିତି କେତେ କେତେ ଅଭାବନୀୟ ଅଘଟଣ ଆଲୋଡ଼ିତ କରିଛି ଜନମାନସକୁ । ପରେ ଏହା ସ୍ମୃତିର ପାଉଁଶ ହୋଇଯାଇଛି । ମନେପଡୁଛି, ପୂର୍ବ ଶାସନର ଗୋଟିଏ ଘଟଣା, ଯାହା ଘଟିଥିଲା ମାଲକାନଗିରିରେ । ଜଣେ ଶିକ୍ଷାର୍ଥୀ ନୁହେଁ, ଜଣେ ଶିକ୍ଷୟିତ୍ରୀ ଯିଏ ନିଜ ଘରଠାରୁ ବହୁ ଦୂର ମାଳ ଅଞ୍ଚଳରେ ନିଜର ପ୍ରଥମ ନିଯୁକ୍ତିକୁ ଖୁସି ମନରେ ଗ୍ରହଣ କରିନେଇଥିଲେ । ଦୂର ଅରଣ୍ୟରେ, ଶିକ୍ଷାଲୋକରୁ ବଞ୍ଚିତ ଏକ ମାଳଭୂମିରେ ନିଜର ନିଷ୍ଠାପର ଶିକ୍ଷାଦାନରେ ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହୋଇଥିଲେ । ତାଙ୍କର ସରଳ, ସୁନ୍ଦର ବ୍ୟବହାର ଏବଂ ରୂପର ମହକରେ ମୋହାବିଷ୍ଟ ହୋଇପଡ଼ିଲେ ସେହି ଅଞ୍ଚଳର ପ୍ରଭାବଶାଳୀ ପ୍ରଧାନମାନେ । ସେମାନଙ୍କର ଲକ୍ଷ୍ୟ ରହିଲା ତରୁଣୀ ଶିକ୍ଷୟିତ୍ରୀଙ୍କ ପାଖରୁ ଅନୁଚିତ ଅନୁଗ୍ରହ ପାଇବା । ଦୃଢ଼ତାର ସହ ସେ ଏହାର ବିରୋଧ କରିଥିଲେ । ଝଡ଼ ଉଠିଲା । ମାତ୍ର ଝଡ଼ର ଅବସାନ ହେବାକୁ ବେଶି ସମୟ ଲାଗିଲା ନାହିଁ । ଅଞ୍ଚଳ ପ୍ରଧାନମାନଙ୍କ ବିରୋଧରେ ଅଗ୍ନିରୂପ ଧାରଣ କରିଥିବା ଶିକ୍ଷୟିତ୍ରୀଙ୍କୁ ସେଇ ଅଗ୍ନିଗର୍ଭକୁ ଠେଲି ଦିଆଗଲା ନିଦ୍ରିତ ଅବସ୍ଥାରେ ।
ଖାଲି ସୌମ୍ୟାଶ୍ରୀ ନୁହେଁ, ଇତିଶ୍ରୀ, ପଲ୍ଲୀଶ୍ରୀ, ପିପିଲିଶ୍ରୀ - ଏମିତି କେତେ ଶ୍ରୀମତୀମାନେ ଶ୍ରୀହୀନା ହୋଇ ଢଳି ପଡ଼ିଛନ୍ତି, ଜଳିଯାଇଛନ୍ତି ଆମ ବ୍ୟବସ୍ଥାର ଅକ୍ଷମଣୀୟ ଅବ୍ୟବସ୍ଥାରେ । ତା'ପରେ ଆରମ୍ଭ ହୋଇଯାଇଛି ଶୋକ, ସମ୍ବେଦନାର ଶବ୍ଦାଳାପ । ସବୁ କିଛି ମିଳେଇ ଯାଇଛି ପବନରେ । ଦୀପ ଜଳିଛି ପୁଣି ଲିଭିବା ପାଇଁ । ଚୁପ୍ଚାପ୍ ବସି ଏହି ଲେଖକଟି ପଶ୍ଚାତ୍ ଦୃଷ୍ଟିରେ ଦେଖୁଛି ଏବଂ ଶୁଣିପାରୁଛି ସେଇ ଜେଜୀ-ମା'ର ବିକଳ, ବ୍ୟାକୁଳ, ବିଳାପର ସ୍ୱର– "ଲୋ ରେବତୀ, ଲୋ ନିଆଁ, ଲୋ ଚୁଲି ।' ଭାବୁଛି ବସି, କାହିଁକି ଫକୀରମୋହନ ତାଙ୍କ ଗଳ୍ପର ଉପସଂହାର କଲେ ଏଇ ଗୋଟିଏ ଧାଡ଼ିରେ? "ରେବତୀ'ମାନଙ୍କ ଭାଗ୍ୟକୁ ଯୋଡ଼ିଦେଲେ "ନିଆଁ' ସହିତ? ଏବେ ସେଇ ନିଆଁ ଜଳୁଛି ।