ନୂଆଦିଲ୍ଲୀ,୨୭/୧୦: ପାର୍ବଣ  ଋତୁରେ ଖାଇବା ତେଲ ଦରର ଅହେତୁକ  ବୃଦ୍ଧି ଯୋଗୁ ଖାଉଟି ଏବେ ଚିନ୍ତାରେ । ଗତ  ମାସ ତୁଳନାରେ ପାମ୍‌ ଅଏଲ ଦର ୩୭%  ବଢ଼ିଗଲାଣି । ଫଳରେ ଏହା ପାରିବାରିକ  ବଜେଟରେ ବଡ଼ ମାତ୍ରାରେ ପ୍ରଭାବ  ପକାଇଛି । ସେହିଭଳି ତେଲ ବ୍ୟବହାର  କରି ଜଳଖିଆ ପ୍ରସ୍ତୁତ କରୁଥିବା ମିଠା  ଦୋକାନ, ହୋଟେଲ ଏବଂ ରେଷ୍ଟୁରାଷ୍ଟ  ଗୁଡିକ ମଧ୍ୟ ଏବେ ଚାପରେ ରହିଛନ୍ତି । 

କେବଳ ପାମ୍‌ ଅଏଲ ନୁହେଁ  ପରିବାରଗୁଡିକରେ ସାଧାରଣତଃ  ବ୍ୟବହାର ହେଉଥିବା ସୋରିଷ ତେଲ  ଦର ମଧ୍ୟ ଉପରମୁହାଁ । ଗତ ମାସ ତୁଳନାରେ ସୋରିଷ ତେଲ ଦର ୨୯%  ବୃଦ୍ଧି ହୋଇଛି । ପନିପରିବା ଏବଂ ଖାଦ୍ୟ  ସାମଗ୍ରୀ ଦର ବୃଦ୍ଧି ଯୋଗୁ ସେପ୍ଟେମ୍ବରରେ  ଖୁଚୁରା ମୁଦ୍ରାସ୍ଫୀତି ୯ ମାସର ସର୍ବୋଚ୍ଚ ସ୍ତର  ୫.୫% ସ୍ତର ଛୁଇଁଥିଲା । ଏଭଳି ସ୍ଥିତିରେ  ଖାଇବା ତେଲ ଦର ବୃଦ୍ଧି ମଧ୍ୟ ଦରଦାମ  ଚାପକୁ ବଢ଼ାଉଛି। 

ଏବେ ଦରଦାମ ଉଚ୍ଚରେ ରହିଥିବାରୁ  ରିଜର୍ଭ ବ୍ୟାଙ୍କ ରେପୋରେଟ୍‌ କମାଇବା  ଆଶା କମ୍‌ ରହିଛି । ଗତ ମାସରେ କେନ୍ଦ୍ର  ସରକାର ଅଶୋଧିତ ସୋୟାବିନ, ପାମ  ଏବଂ ସୂର୍ଯ୍ୟମୁଖୀ ତେଲର ଆମଦାନି ଟିକସ  ବୃଦ୍ଧି କରିଥିଲେ । ଫଳରେ ଏହା ଖୁଚୁରା  ଦରକୁ ପ୍ରଭାବିତ କରିଛି । ଅଶୋଧିତ ପାମ,  ସୋୟାବିନ ଏବଂ ସୂର୍ଯ୍ୟମୁଖୀ କ୍ଷେତ୍ରରେ  ଆମଦାନି ଟିକସ ୫.୫%ରୁ ୨୭.୫%କୁ  ବୃଦ୍ଧି ହୋଇଛି ।  

୧୪ ସେପ୍ଟେମ୍ବରରୁ ଲାଗୁ ହୋଇଛି ଏହି ନିୟମ । ଏହି ସବୁ ବର୍ଗଗୁଡିକ ସାଧାରଣତଃ  ଦେଶରେ ଖାଇବା ତେଲ ଲାଗି ବହୁଳ  ଭାବେ ଆମଦାନି କରାଯାଇଥାଏ । ଜଣେ  ଅଧିକାରୀ କହିଛନ୍ତି, ଭାରତ ଏହାର ମୋଟ  ଖାଇବା ତେଲ ଆବଶ୍ୟକତାର ୫୮%  ଆମଦାନି ଦ୍ୱାରା ପୂରଣ କରୁଛି । ଦେଶ  ପାଲଟିଛି ଖାଇବା ତେଲର ଦ୍ୱିତୀୟ ବୃହତ୍‌  ଆମଦାନୀକାରୀ । ଗତ ମାସ ତୁଳନାରେ  ସାରା ବିଶ୍ୱରେ ଅଶୋଧିତ ପାମ୍‌, ସୋୟା  ଏବଂ ସୂର୍ଯ୍ୟମୁଖୀ ତେଲ ପ୍ରାୟ ୧୦.୬%,  ୧୬.୮% ଏବଂ ୧୨.୩% ବୃଦ୍ଧି ହୋଇଛି । 

ଏବେ ଆମଦାନି ଟିକସ କମିବା  ଆଶା କ୍ଷୀଣ । ତେଣୁ ଖାଉଟି ଆଗାମୀ କିଛି  ମାସ ଯାଏ ଚଢ଼ା ଦରରେ ଖାଇବା ତେଲ  କିଣିବା ଏକ ପ୍ରକାର ଥୟ ବୋଲି କହିଛନ୍ତି  ବିଶେଷଜ୍ଞ । ନିକଟରେ ସରକାର କହିଥିଲେ  ଘରୋଇ ବଜାରର ତୈଳବୀଜ କୃଷକଙ୍କୁ  ଉତ୍ସାହିତ କରିବା ଲାଗି ଏଭଳି ପଦକ୍ଷେପ  ଗ୍ରହଣ କରାଯାଇଛି । ଅକ୍ଟୋବର ବେଳକୁ  ବାଦାମ ଏବଂ ସୋୟାବିନ ଫସଲ ବଜାରକୁ  ଆସିବାର ଢ଼େର ସମ୍ଭାବନା ରହିଛି । କୃଷକ  ସେମାନଙ୍କ ତୈଳବୀଜ ଫସଲର ଯେଭଳି  ଉଚିତ ଦାମ ପାଇବେ ସେ ଦିଗ ଉପରେ  ଏବେ ସରକାରଙ୍କ ନଜର

ଏହ ପରିପ୍ରେକ୍ଷୀରେ ସଲ୍‌ଭେଣ୍ଟ  ଏକ୍ସଟ୍ରାକ୍ଟର୍ସ ଆସୋସିଏସନ (ଏସ୍‌ଇଏ)ର  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଭି ମେହେଟ୍ଟା  କହିଛନ୍ତି, ଖାଇବା ତେଲ କ୍ଷେତ୍ରରେ  ଆତ୍ମନିର୍ଭର ହେବାକୁ ହେଲେ ଅଧିକ  ସ୍ଥାନରେ ତୈଳବୀଜ ଫସଲ ହେବାର  ଆବଶ୍ୟକତା ରହିଛି । ଆମଦାନି ନିର୍ଭରତା କମାଇବା ଏବଂ କୃଷକଙ୍କୁ ସେମାନଙ୍କ  ଉତ୍ପାଦନର ଉଚିତ ମୂଲ୍ୟ ପ୍ରଦାନ ଦ୍ୱାରା  ଏହି କୃଷିକୁ ବେଶି ପ୍ରୋତ୍ସାହନ ମିଳିବ ।