ନୂଆଦିଲ୍ଲୀ,୨୦/୦୬; ଫିଫା ବିଶ୍ୱକପ୍‌ରେ ଏଥର ଗ୍ରୁପ୍‌ ସି’ର ନ୍ୟୁଜିଲାଣ୍ଡ-ଇରାନ ମ୍ୟାଚରେ ଫୁଟବଲ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ୨୧ ବର୍ଷୀୟ ସେଣ୍ଟର ବ୍ୟାକ୍‌ ଖେଳାଳି ଟେଲର ଗ୍ରାଣ୍ଟ ବିନଡୋନ ପଦାର୍ପଣ କରିଥିଲେ । ସେ ପଦାର୍ପଣ କରିବା ସହ ଇତିହାସରେ ପ୍ରଥମ ଥର ମାଆ- ପୁଅ ବିଶ୍ୱକପ୍‌ ଖେଳାଳି ହେବାର ଗୌରବ ଲାଭ କରିଥିଲେ । ଟେଲରଙ୍କ ମାଆ ହେଉଛନ୍ତି ଜେନି ବିନଡୋନ । ସେ ଥିଲେ ନ୍ୟୁଜିଲାଣ୍ଡ ମହିଳା ଦଳର ଗୋଲକିପର । ସେ ୨୦୦୭ ଓ ୨୦୧୧ରେ ଫିଫା ମହିଳା ବିଶ୍ୱକପ୍‌ ଖେଳିଥିଲେ । ସେହିପରି ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ । ଜେନି ଆମେରିକାରେ ଜନ୍ମ ହୋଇଥିଲେ ।

ଗ୍ରାଣ୍ଟ୍‌ ବିନଡୋନଙ୍କୁ ବିବାହ କରିବା ପରେ ସେ ନ୍ୟୁଜିଲାଣ୍ଡ ପଳାଇ ଆସିଥିଲେ ଏବଂ ନ୍ୟୁଜିଲାଣ୍ଡ ପାଇଁ ଖେଳିଥିଲେ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୭୭ଟି ମ୍ୟାଚ ଖେଳିଥିଲେ । ଖେଳରୁ ଅବସର ନେବା ପରେ କୋଚିଂକୁ କ୍ୟାରିୟର ଭାବେ ଗ୍ରହଣ କରି ନେଇଛନ୍ତି । ଟେଲରଙ୍କ ବାପା ହେଉଛନ୍ତି ଜଣେ ଭଲିବଲ ଖେଳାଳି । ସେ ନ୍ୟୁଜିଲାଣ୍ଡ ପୁରୁଷ ଦଳର ଅଧିନାୟକ ଥିଲେ । ବାପାଙ୍କ ଖେଳ ଅପେକ୍ଷା ମାଆଙ୍କ ଖେଳକୁ ଟେଲର ଅଧିକ ପସନ୍ଦ କରୁଥିଲେ । ତେଣୁ ସେ ଫୁଟବଲର ହେବାକୁ ଇଚ୍ଛା ରଖିଥିଲେ ।  ପ୍ରିମିୟର ଲିଗ୍‌ ଖେଳାଳି ମାଆ କାଲିଫର୍ଣ୍ଣିଆର ୟୁସିଏଲଏ ମହିଳା ଦଳର ସହକାରୀ କୋଚ ଭାବେ ନିଯୁକ୍ତ ହେଲେ । ସେତେବେଳକୁ ଟେଲରଙ୍କୁ ୧୨ ବର୍ଷ ବୟସ ହୋଇଥାଏ । ସେ ବି ମାଆଙ୍କ ସହ କାଲିଫର୍ଣ୍ଣିଆରେ ରହିଲେ ।

ଏହା ବି ପଢନ୍ତୁ...FIFA World Cup 2026 : ବିଶ୍ୱକପ୍‌ରେ ଗୋଲ୍‌ କରି ଘର, କାର୍ ଜିତିଲେ ୱିସା, କଙ୍ଗୋ ଖେଳାଳିଙ୍କ ପାଇଁ ଏହି କମ୍ପାନୀର ସ୍ପେସାଲ ଗିଫ୍ଟ  

ୟୁସିଏଲଏ ଏକାଡେମୀରେ ହିଁ ତାଙ୍କ ପ୍ରଶିକ୍ଷଣର ମୂଳ ଭିତ୍ତି ପଡ଼ିଥିଲା । ୨୦୧୭ରେ ଯୁବ ବର୍ଗରେ ନ୍ୟୁଜିଲାଣ୍ଡର ଇଷ୍ଟକୋଷ୍ଟ ବେ’ଜ କ୍ଲବରୁ କ୍ୟାରିୟର ଆରମ୍ଭ କଲେ ଟେଲର । ୨୦୨୩ରେ ସିନିୟର ବର୍ଗରେ ରିଡିଙ୍ଗ କ୍ଲବ ସହ ଚୁକ୍ତି କଲେ । ଏହାପରେ ୨୦୨୫ରେ ନଟିଂହାମ ଫରେଷ୍ଟ ସହ ଚୁକ୍ତି କଲେ । କିନ୍ତୁ ସେଠାରୁ ଲୋନରେ ଆସି ସେଫିଲ୍ଡ ୟୁନାଇଟେଡ୍‌ରେ ରହିଛନ୍ତି । ଏହି କ୍ଲବ ପକ୍ଷରୁ ଇଂଲିଶ ପ୍ରିମିୟର ଲିଗ ଖେଳୁଛନ୍ତି । ଏ ପର୍ଯ୍ୟନ୍ତ ୨୫ଟି ମ୍ୟାଚ ଖେଳି ଗୋଟିଏ ଗୋଲ୍‌ ଦେବାରେ ସଫଳ ରହିଛନ୍ତି ।  ୨୦୨୩ରୁ ଅନ୍ତର୍ଜାତୀୟ କ୍ୟାରିୟର ଟେଲର ୨୦୨୩ରେ ନ୍ୟୁଜିଲାଣ୍ଡ ଜୁନିୟର ଦଳରେ ସ୍ଥାନ ପାଇଥିଲେ । ସେହିବର୍ଷ ସିନିୟର ଦଳରୁ ତାଙ୍କୁ ଅନ୍ତର୍ଜାତୀୟ ପଦାର୍ପଣ ସୁଯୋଗ ମିଳିଥିଲା । ଏ ପର୍ଯ୍ୟନ୍ତ ସେ ୨୬ଟି ମ୍ୟାଚ ଖେଳି ୩ଟି ଗୋଲ ଦେବାରେ ସଫଳ ହୋଇଛନ୍ତି । ଏହାପରେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଥିଲା । ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଟେଲର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ । ଇରାନ ବିପକ୍ଷରେ ୯୦ ମିନିଟ ଖେଳ ୨-୨ ଗୋଲରେ ଅମୀମାଂସିତ ରହିବା ପରେ ଇନ୍‌ଜ୍ୟୁରୀ ଟାଇମରେ (୯୦୍+୧) ବଦଳ ଖେଳାଳି ଭାବେ ସେ ପଡ଼ିଆକୁ ଓହ୍ଲାଇଥିଲେ ।