୨୦୨୦ ସୁଦ୍ଧା ବିଶ୍ୱବ୍ୟାପୀ ଭୂତାପଜ ଶକ୍ତିର  ପରିମାଣ ୧୫.୬ ଗିଗାୱାଟରେ ପହଞ୍ଚିଛି । ୩.୬୮  ଗିଗାୱାଟ ସ୍ଥାପିତ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା  ସହିତ ଆମେରିକା ଭୂତାପଜ ଶକ୍ତିର ଅଗ୍ରଣୀ  ଉତ୍ପାଦକ ଭାବରେ ଅବ୍ୟାହତ ରହିଛି । ଏହି ଶିଳ୍ପ  ସମଗ୍ର ବିଶ୍ୱରେ ସକ୍ରିୟ ହୋଇପାରିଛି । କିନ୍ତୁ  ଭାରତରେ ଏପର୍ଯ୍ୟନ୍ତ କୌଣସି ଗମ୍ଭୀର କାର୍ଯ୍ୟ  କରାଯାଇ ନାହିଁ କିମ୍ବା କୌଣସି ଭୂତାପଜ ପାୱାର  ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇନାହିଁ ।

କୌଣସି ଦେଶର ମାନବ ବିକାଶ ସୂଚକ  ସେହି ଦେଶର ଶକ୍ତି ବ୍ୟୟ ହାର ସହିତ  ସିଧାସଳଖ ସଂପୃକ୍ତ । ଅଧିକ ଶକ୍ତି ବ୍ୟୟ କରିବାର  ଅର୍ଥ ହେଉଛି ଉନ୍ନତ ଜୀବନଯାପନର ମାନ, ଉନ୍ନତ  ସ୍ୱାସ୍ଥ୍ୟ ଏବଂ ଉନ୍ନତ ଶିକ୍ଷା । ଏଠାରେ ସୂଚନାଯୋଗ୍ୟ ଯେ,  ପ୍ରତିଦିନ ପ୍ରଦୂଷଣ କରୁଥିବା ଜୀବାଶ୍ମ ଇନ୍ଧନ ଦୁନିଆରେ  ବ୍ୟବହୃତ ହେଉଥିବା ଇନ୍ଧନର ୮୦ ପ୍ରତିଶତରୁ ଅଧିକ ।  ଜୀବାଶ୍ମ ଇନ୍ଧନ ଯଥା- କୋଇଲା, ପେଟ୍ରୋଲିୟମ ଏବଂ  ପ୍ରାକୃତିକ ଗ୍ୟାସ ଯାହା ବିଶ୍ୱ ତାପନର ଏକ ମୁଖ୍ୟ  କାରଣ ଅଟେ । ଦ୍ୱିତୀୟତଃ, ଏହା ମଧ୍ୟ ନବୀକରଣ  ଅଯୋଗ୍ୟ । ଏହି ପରିସ୍ଥିତିକୁ ଆଖିଆଗରେ ରଖି ବିଶ୍ୱର  ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମକୁ ଏକ  ବିକଳ୍ପ ତଥା ସସ୍ଥାୟୀ ପ୍ରଦୂଷଣମୁକ୍ତ ଶକ୍ତିର ଅନୁସନ୍ଧାନ ଏବଂ ଅନୁସ୍ଥାପନ କରିବା ଉଚିତ୍‌ । ଭୂତାପଜ ବିଦ୍ୟୁତ  ଶକ୍ତି ଏହିପରି ଏକ ବିକଳ୍ପ ଶକ୍ତିର ଉତ୍ସ ।  

ଏହା ପରିବେଶ ଅନୁକୂଳ, କାରଣ ଏହାର  ଶକ୍ତି ଉତ୍ପାଦନରେ କୌଣସି କାର୍ବନ ନିଷ୍କାସିତ  ହୁଏନାହିଁ । ପୃଥିବୀର ଆଭ୍ୟନ୍ତରୀଣ ଭୂତାପଜ ଶକ୍ତି ପ୍ରତି ଘଣ୍ଟାରେ ୪୪୍ମ୨ ଟେରାୱାଟ୍‌  ହାରରେ ପୃଥିବୀପୃଷ୍ଠକୁ ପ୍ରବାହିତ ହୁଏ, ଯାହା  ବିନା ଉପଯୋଗରେ ବାୟୁମଣ୍ଡଳରେ ଲୁପ୍ତ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ପୃଥିବୀପୃଷ୍ଠରୁ ମାତ୍ର ୧୦କି.ମି. ଗଭୀରତା ଭିତରେ ଥିବା  ତାପର ପରିମାଣ ପୃଥିବୀରେ ଥିବା ସମସ୍ତ ପେଟ୍ରୋଲିୟମ  ଏବଂ ପ୍ରାକୃତିକ ଗ୍ୟାସ ସମ୍ପଦ ତୁଳନାରେ ୫୦,୦୦୦  ଗୁଣ ଅଧିକ । ଯେତେବେଳେ କି, ପୃଥିବୀର ଭୂପୃଷ୍ଠରୁ  ଅନ୍ତଃକୋର୍‌ର ଗଭୀରତା ହେଉଛି ୬,୩୭୮ କି.ମି. ଓ  ଏହା ଦେଖି ଆମେ ଭଲଭାବେ ଅନୁମାନ କରିପାରିବା  ଯେ, ଆମ ମାଟି ମା' ଆମ ପାଇଁ କେତେ ବିଶାଳ ଶକ୍ତିର  ଉତ୍ସ ଧାରଣ କରି ରଖିଛି । 

ହାରାହାରି ଭାବରେ, ବିଶ୍ୱ ତାପମାତ୍ରା ଶତାବ୍ଦୀର  ଶେଷବେଳକୁ ୩.୨ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା  ରହିଛି, ଯାହା ଆହୁରି ଜଳବାୟୁ ସଂକଟର ଭୟାବହକୁ ବୃଦ୍ଧି  କରିଛି । ଏହି ସଂକଟର ମୁକାବିଲା ପାଇଁ ଜୀବାଶ୍ମ ଇନ୍ଧନର  ବିକଳ୍ପରେ ଅନେକ ନବୀକରଣଯୋଗ୍ୟ ଶକ୍ତିସମ୍ପଦ  ଉନ୍ମୋଚିତ ହୋଇଛି । 

ସେଗୁଡ଼ିକ ହେଲା: ଭୂତାପଜ ଶକ୍ତି,  ପବନ ଶକ୍ତି, ତରଙ୍ଗ ଶକ୍ତି, ଜୁଆର ଶକ୍ତି, ଜୈବିକ ଶକ୍ତି,  ପରମାଣୁ ଶକ୍ତି, ଜଳବିଦ୍ୟୁତ ଶକ୍ତି, ଗ୍ରୀନ ହାଇଡ୍ରୋଜେନ  ଶକ୍ତି ଏବଂ ସୌରଶକ୍ତି । ଭୂତାପଜ ଶକ୍ତି ତୁଳନାରେ  ଅଧିକାଂଶ ନବୀକରଣଯୋଗ୍ୟ ଶକ୍ତିସମ୍ପଦଗୁଡ଼ିକର ନିଜସ୍ୱ  ତ୍ରୁଟି ରହିଛି। ପବନ ଏବଂ ସୌରଶକ୍ତିଗୁଡ଼ିକ ସେତେ  ପରିବେଶ ଅନୁକୂଳଗାମୀ ନୁହନ୍ତି । ଏଗୁଡ଼ିକ ସ୍ୱଅର୍ଜିତ  ଗ୍ରୀନହାଉସ ଗ୍ୟାସ ହ୍ରାସ କରିବାରେ ଅପୂର୍ବ ମହଙ୍ଗା  ସାବ୍ୟସ୍ତ ହୁଅନ୍ତି । ରାତିରେ ଓ ମେଘୁଆ ଆକାଶରେ ଶକ୍ତି  ଉତ୍ପାଦନ କରିବାରେ ଏହାର ଅନ୍ତର୍ନିହିତ ଅକ୍ଷମତା ହେତୁ  ସୌରଶକ୍ତିର ମାତ୍ର ୨୦-୨୫ ପ୍ରତିଶତ ଦକ୍ଷତା ଉପଲବ୍ଧ  ହୁଏ । ଗ୍ରୀନ ହାଇଡ୍ରୋଜେନ୍‌ ଟେକ୍‌ନୋଲୋଜି ଯେପରିକି  ଇନ୍ଧନ କୋଷ ଏବଂ ଉନ୍ନତ ଇଲେକ୍ଟ୍ରୋଲାଇଜର,  ବର୍ତ୍ତମାନ ସୁଦ୍ଧା ବିକାଶ ସ୍ତରରେ ଅଛି । ଅଧିକ ଉତ୍ପାଦନ  ଖର୍ଚ୍ଚ, ସଂରକ୍ଷଣ ଓ ସ୍ଥାନାନ୍ତରଜନିତ ସମସ୍ୟା, ଭିତ୍ତିଭୂମିର ଅଭାବ ଏବଂ ସୁରକ୍ଷାଜନିତ ସମସ୍ୟା ଯୋଗୁଁ ଏହାକୁ  ବ୍ୟାପକ ଭାବରେ ଗ୍ରହଣ କରାଯାଇ ନାହିଁ । ପବନ  ଏବଂ ଜୁଆର ଶକ୍ତିର ଭୌଗୋଳିକ ସୀମା ରହିଛି । 

ଏହା  ମୁଖ୍ୟତଃ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୀମିତ । ଜଳ  ବିଦ୍ୟୁତ୍‌ କ୍ଷେତ୍ରରେ, ଏକ ବନ୍ଧ ନିର୍ମାଣ ଏବଂ ଟର୍ବାଇନ  ସ୍ଥାପନ ଅତ୍ୟନ୍ତ ବ୍ୟୟବହୁଳ ଅଟେ । ଏହା ଯୋଗୁଁ  ସ୍ଥାନୀୟ ଜୀବନଯାପନ ସ୍ଥାନାନ୍ତରିତ ହୁଏ ଏବଂ ଜଳଭଣ୍ଡାର  ସାଧାରଣତଃ ବହୁ ପରିମାଣରେ ଗ୍ରୀନହାଉସ ଗ୍ୟାସ  ଏବଂ ମିଥେନ ଗ୍ୟାସ ନିର୍ଗତ କରେ, ଯାହା ପ୍ରଦୂଷଣ ସୃଷ୍ଟି  କରେ । ପରମାଣୁ ଶକ୍ତିର ବ୍ୟବହାର ସମ୍ପର୍କିତ ଚିନ୍ତାର  ବିଷୟ ହେଉଛି, କାରଖାନାର ସୁରକ୍ଷା ଏବଂ ବିକିରଣଶୀଳ  ପରମାଣୁ ବର୍ଜ୍ୟବସ୍ତୁ ନିଷ୍କାସନ । ଯେଉଁଠାରେ ଭୂତାପଜ  ବିଦ୍ୟୁତଶକ୍ତି ପରିବେଶ ଅନୁକୂଳ, ଅଣ-ବିପଜ୍ଜନକ  ଏବଂ ଗ୍ରୀନହାଉସ ଗ୍ୟାସ ଉତ୍ପାଦନବିହୀନ । 

ଏହା ଦିନକୁ  ୨୪ଘଣ୍ଟା ଏବଂ ବର୍ଷକୁ ୩୬୫ ଦିନ ଧରି ଲଗାତାର  ଭାବରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରିଥାଏ । ତେଣୁ ଏହା  ଜାତୀୟ ବିଦ୍ୟୁତ ଶକ୍ତି ମିଶ୍ରଣରେ ବେସ୍‌ ଲୋଡ୍‌ ପାୱାର  ଭାବରେ ବ୍ୟବହୃତ ହୁଏ । ଭୂତାପଜ ଜଳର ପୁନର୍ଚକ୍ରଣ  ଭୂତଳ ଜଳଭଣ୍ଡାରକୁ ପୂର୍ଣ୍ଣ କରିଥାଏ । କୋଇଲା,  ଆଣବିକ ଏବଂ ଅନ୍ୟାନ୍ୟ ନବୀକରଣଯୋଗ୍ୟ ଶକ୍ତିର  ଉତ୍ସ ତୁଳନାରେ ଭୂତାପଜ ଶକ୍ତି ଉତ୍ପାଦନରେ ସ୍ୱଳ୍ପ ଭୂମି  ବ୍ୟବହୃତ ହୋଇଥାଏ ଏବଂ ଭୂତାପଜ ଶକ୍ତିର ଦକ୍ଷତା  ସର୍ବାଧିକ ପ୍ରାୟ ୯୦-୯୫% ଅଟେ । ଏତଦ୍‌ ବ୍ୟତୀତ,  ଭୂତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ସ୍ୱଳ୍ପ ଖର୍ଚ୍ଚ ଲାଗେ ।  ଏହା ଜୀବାଶ୍ମ ଇନ୍ଧନ ତୁଳନାରେ ୮୦% ଖର୍ଚ୍ଚ ସଞ୍ଚୟ କରେ  ଏବଂ ଶକ୍ତି ଉତ୍ପାଦନ ପାଇଁ କୌଣସି ଇନ୍ଧନ ଆବଶ୍ୟକ  କରେନାହିଁ । ଏକ ଭୂତାପଜ ପ୍ରକଳ୍ପର ପ୍ରାରମ୍ଭିକ ଅର୍ଥ  ବିନିଯୋଗ ଅପେକ୍ଷାକୃତ ଅଧିକ କିନ୍ତୁ ଦୀର୍ଘ ସମୟକ୍ରମେ  ମୋଟାମୋଟି ଖର୍ଚ୍ଚ ସାମଗ୍ରିକ ଭାବରେ ଏହାକୁ ଏକ  ଶସ୍ତା ଶକ୍ତି ଉତ୍ସ କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା  ହେଉଛି, ଭୂତାପଜ ଶକ୍ତି ହେଉଛି ଏପରି ଏକ ଶକ୍ତି ଯାହା  ଘରର ପଛପଟରେ, ମରୁଭୂମି ଏବଂ ପର୍ବତ ସମେତ  ଯେକୌଣସି ଦୁର୍ଗମ ଅଞ୍ଚଳରେ ଉପଲବ୍ଧ । 

ଯେଉଁ ଦେଶମାନେ ଭୂତାପଜ ଉତ୍ସଗୁଡ଼ିକର  ଉପଯୋଗିତାକୁ ବୁଝିଛନ୍ତି ସେମାନେ ଅଧିକ ଲାଭବାନ  ହୋଇଛନ୍ତି । ଆଇସଲ୍ୟାଣ୍ଡରେ ୨୦୨୦ ସୁଦ୍ଧା ଦେଶରେ  ବ୍ୟବହୃତ ମୋଟ୍‌ ବିଦ୍ୟୁତ ଶକ୍ତିର ୭୦% ଶକ୍ତି ଭୂତାପଜ  ଉତ୍ସରୁ ଆସିଥାଏ । ଆମେରିକା, ଇଣ୍ଡୋନେସିଆ,  ଫିଲିପାଇନ୍‌ସ, ତୁର୍କୀ, ନ୍ୟୁଜିଲ୍ୟାଣ୍ଡ, କେନିଆ,  ମେକ୍ସିକୋ, ଇଟାଲୀ ଏବଂ ଜାପାନରେ ମଧ୍ୟ ଭୂତାପଜ  ବିଦ୍ୟୁତ ଶକ୍ତି ଉତ୍ପନ୍ନ କରୁଥିବା ପାୱାର ପ୍ଲାଣ୍ଟଗୁଡିକ  ବହୁଳ ଭାବରେ ଦେଖିବାକୁ ମିଳେ । 

୨୦୨୦ ସୁଦ୍ଧା ବିଶ୍ୱବ୍ୟାପୀ ଭୂତାପଜ ଶକ୍ତିର ପରିମାଣ  ୧୫.୬ ଗିଗାୱାଟରେ ପହଞ୍ଚିଛି । ୩.୬୮ ଗିଗାୱାଟ  ସ୍ଥାପିତ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ସହିତ ଆମେରିକା  ଭୂତାପଜ ଶକ୍ତିର ଅଗ୍ରଣୀ ଉତ୍ପାଦକ ଭାବରେ ଅବ୍ୟାହତ  ରହିଛି । ଏହି ଶିଳ୍ପ ସମଗ୍ର ବିଶ୍ୱରେ ସକ୍ରିୟ ହୋଇପାରିଛି ।  କିନ୍ତୁ ଭାରତରେ ଏପର୍ଯ୍ୟନ୍ତ କୌଣସି ଗମ୍ଭୀର କାର୍ଯ୍ୟ  କରାଯାଇ ନାହିଁ କିମ୍ବା କୌଣସି ଭୂତାପଜ ପାୱାର ପ୍ଲାଣ୍ଟ  ପ୍ରତିଷ୍ଠା କରାଯାଇନାହିଁ । ଭୂତାପଜ ଶିଳ୍ପର କାର୍ଯ୍ୟପ୍ରଣାଳୀ ବାସ୍ତବରେ  ପେଟ୍ରୋଲିୟମ ଶିଳ୍ପର କାର୍ଯ୍ୟପ୍ରଣାଳୀ ସହ ସାମଞ୍ଜସ୍ୟ ।  ପେଟ୍ରୋଲିୟମ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନେ  ଭୂତାପଜ ଶକ୍ତି ଉତ୍ପାଦନରେ ସହଜରେ ଖାପ  ଖାଇପାରନ୍ତି, କାରଣ ଅନୁସନ୍ଧାନ, ଡ୍ରିଲିଂ ଏବଂ ଉତ୍ପାଦନ  ପ୍ରକ୍ରିୟାଗୁଡ଼ିକର କିଛି ପରିବର୍ତ୍ତନରେ ଏହା ପେଟ୍ରୋଲିୟମ  ଶିଳ୍ପ ପ୍ରକ୍ରିୟା ସହ ପ୍ରାୟ ଏକା ଧରଣର । ଭୂତାତ୍ତ୍ୱିକ, ଭୂରାସାୟନିକ, ଭୂଭୌତିକ ଏବଂ  ଅଗଭୀର ଡ୍ରିଲିଂ ତଥ୍ୟରୁ ଏହା ଆକଳନ କରାଯାଇଛି ଯେ,  ଭାରତରେ ପ୍ରାୟ ୧୦,୦୦୦ ମେଗାୱାଟ ଭୂତାପଜଶକ୍ତିର  ସମ୍ଭାବନା ଅଛି³ ଯାହା ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର  କରାଯାଇପାରିବ । 

ଓଡ଼ିଶାରେ ଭୂତାପଜ ସମ୍ପତ୍ତି: ମହାନଦୀ ଗ୍ରାବେନ୍‌  ସ୍ଥିତ ଭୂତାପଜ ଅଞ୍ଚଳ ହେଉଛି ଓଡ଼ିଶାର ସବୁଠାରୁ  ଆଶାପ୍ରଦ ଭୂତାପଜବିସ୍ତାର । ଭଗ୍ନ ଶିଳା ମଧ୍ୟରେ ଥିବା  ଭୂତାପଜ ଜଳର ତାପମାତ୍ରା ୯୬ଡିଗ୍ରୀ ସେଣ୍ଟିଗ୍ରେଡ  ପର୍ଯ୍ୟନ୍ତ ପହଞ୍ଚିଥିବାର ସୂଚନା ମିଳିଛି । ଉଷ୍ଣପ୍ରସ୍ରବଣ  ଜଳର ଜିଓଥର୍ମୋମେଟ୍ରି ଅଧ୍ୟୟନରୁ ଜଣାପଡିଛି ଯେ,  ଭୂଗର୍ଭସ୍ଥିତ ଜଳଭଣ୍ଡାରର ହାରାହାରି ତାପମାତ୍ରା  ୧୮୦ଡିଗ୍ରୀ ସେଣ୍ଟିଗ୍ରେଡ, ଯାହା ଭୂତାପଜ ଶକ୍ତି ଉତ୍ପାଦନ  ପାଇଁ ଯଥେଷ୍ଟ । ଏପର୍ଯ୍ୟନ୍ତ ଓଡ଼ିଶାର ଆଠଟି ସ୍ଥାନରେ ଉଷ୍ଣପ୍ରସ୍ରବଣର  ସନ୍ଧାନ ହୋଇଛି । ଏହି ଉଷ୍ଣପ୍ରସ୍ରବଣଗୁଡ଼ିକ ପୂର୍ବଘାଟ ମୋବାଇଲ୍‌ ବେଲ୍ଟ, ଉତ୍ତର ଓଡ଼ିଶା କ୍ରାଟନ୍‌ ଏବଂ ପଶ୍ଚିମ  ଓଡ଼ିଶା ପ୍ରୋଟେରୋଜୋଇକ୍‌ ଅବକ୍ଷିପ୍ତ ପାତଲଭୂମି  ମଧ୍ୟରେ ଅବସ୍ଥିତ । 

ଉଷ୍ଣପ୍ରସ୍ରବଣର ଜଳ ଖୋର୍ଦ୍ଧାର ଅଟ୍ରି,  ଗଞ୍ଜାମର ତପ୍ତପାଣି, ଅନୁଗୁଳର ମଗରମୁହାଣ, କଟକର  ବାଙ୍ଖୋଲ ଏବଂ ନୂଆପଡ଼ାର ବୋଡେନ ଅଞ୍ଚଳରେ  ଗୋଟିଏ ସ୍ଥାନରୁ ନିର୍ଗତ ହୋଇଥାଏ, ଯେତେବେଳେ କି  ନୟାଗଡ଼ର ତାରାବୋଲା, ଅନୁଗୁଳର ଦେଉଳଯୋଡ଼ି ଏବଂ  ଖୋର୍ଦ୍ଧାର ବଡ଼ବେରେଣା ଅଞ୍ଚଳରେ ବହୁତ ଉଷ୍ଣପ୍ରସ୍ରବଣ  ଏକାସାଙ୍ଗରେ ଦେଖାଯାଇଥାନ୍ତି । ତାରାବୋଲା ଅଞ୍ଚଳରେ  ସର୍ବାଧିକ ସଂଖ୍ୟକ ଉଷ୍ଣପ୍ରସ୍ରବଣ ଦେଖିବାକୁ ମିଳେ ।  ଅଟ୍ରି ଏବଂ ତାରାବୋଲା ଉଷ୍ଣପ୍ରସ୍ରବଣ କ୍ଷେତ୍ରଗୁଡିକର  ଜେନେଟିକ୍‌ ସମ୍ପର୍କ ରହିଛି, ଅର୍ଥାତ୍‌ ସେମାନେ ଭୂଗର୍ଭସ୍ଥିତ ଗାଟିଏ ଉତ୍ସରୁ ନିର୍ଗତ ବୋଲି ଅନୁମାନ କରାଯାଏ ।  ତେଣୁ ଭୂତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଏହି  କ୍ଷେତ୍ର ଦୁଇଟିକୁ ଅଗ୍ରାଧିକାର ଭାବରେ ଏକତ୍ର ବିକଶିତ  କରାଯାଇପାରେ । ଭୂତାପଜ ଉତ୍ସରୁ ବିଦ୍ୟୁତ୍‌ ଉତ୍ପାଦନ ବ୍ୟତୀତ  ଶୀତତାପ ନିୟନ୍ତ୍ରଣ, ଗ୍ରୀନ ହାଉସ ବ୍ୟାବହାରିତା,  ଭୂତାପଜ ସ୍ପା, ମତ୍ସ୍ୟଚାଷ, ଖଣିଜ ଉତ୍ତୋଳନ  (ଯଥା- ଲିଥିୟମ୍‌, ସିଲିକା ଇତ୍ୟାଦି), କୃଷି, ଖାଦ୍ୟ  ଡିହାଇଡ୍ରେସନ ଏବଂ କ୍ଷୀର ପେଶ୍ଚୁରାଇଜେସନ୍‌ ଭଳି  ଅନେକ ପ୍ରତ୍ୟକ୍ଷ ବ୍ୟବହାର ଅଛି । 

ଭୂତାପଜ ଉତ୍ସର ପ୍ରତ୍ୟକ୍ଷ ବ୍ୟବହାର ମଧ୍ୟରୁ  ଭୂତାପଜ ଶୀତତାପ ନିୟନ୍ତ୍ରଣ ଅତ୍ୟନ୍ତ ଉପଯୋଗୀ ଏବଂ  ବହୁତ ଲାଭଦାୟକ ହୋଇଥାଏ । ଶୀତଦିନେ ଏହା ଭୂମିରୁ  ଉତ୍ତାପ ଆଣି ଘରକୁ ଉଷ୍ମ ରଖିଥାଏ । ଗ୍ରୀଷ୍ମଋତୁରେ  ଏହା ଆପଣଙ୍କ ଘରୁ ଉତ୍ତାପ ବାହାର କରି ଭୂମିରେ ସ୍ଥାନାନ୍ତର କରିଥାଏ । ଏହା ଭୂତଳରୁ ମାତ୍ର ୫ଫୁଟରୁ  ୧୦ଫୁଟ ତଳେ ଥିବା ସ୍ଥିର ତାପମାତ୍ରା ଉପରେ ନିର୍ଭର  କରେ, ଯାହା ଶୀତଦିନେ ଉତ୍ତାପର ଉତ୍ସ ଏବଂ ଗ୍ରୀଷ୍ମ  ସମୟରେ ଏହା ଉତ୍ତାପଶୋଷକ ଭାବରେ କାର୍ଯ୍ୟ  କରିଥାଏ । ବାୟୁ-ଉତ୍ସ ଉତ୍ତାପ ପମ୍ପ ତୁଳନାରେ ଏହା  ଶକ୍ତି ବ୍ୟବହାରକୁ ୪୪% ଏବଂ ଏୟାରକଣ୍ଡିସନର  ଉପକରଣ ତୁଳନାରେ ୭୨% ହ୍ରାସ କରିଥାଏ ।  ଭୂତାପଜ ଶୀତତାପ ନିୟନ୍ତ୍ରଣ ଟେକ୍‌ନୋଲୋଜି  ବ୍ୟାବସାୟିକ ବିଲ୍ଡିଂ, କ୍ୟାମ୍ପସ୍‌ ଏବଂ ସମଗ୍ର ବାସଭବନ  ସମ୍ପ୍ରଦାୟଅଞ୍ଚଳ ପାଇଁ ପ୍ରଦୂଷଣମୁକ୍ତ ଏବଂ ଦକ୍ଷ  ତାପମାତ୍ରା ନିୟନ୍ତ୍ରଣର ସମାଧାନ ପ୍ରଦାନ କରେ । 

ଏହି ଟେକ୍‌ନୋଲୋଜିର ବ୍ୟାପକ ଗ୍ରହଣ ଦ୍ୱାରା  ବିଲ୍‌ଡିଂ ଏବଂ ବିଦ୍ୟୁତ୍‌ କ୍ଷେତ୍ରକୁ କାର୍ବନ ପ୍ରଦୂଷଣମୁକ୍ତ  କରାଯାଇପାରେ, ପରିବାର ପାଇଁ ବିଦ୍ୟୁତ ଶକ୍ତି ଖର୍ଚ୍ଚ  ହ୍ରାସ, ବିଦ୍ୟୁତ୍‌ ଗ୍ରିଡର ସ୍ଥିରତା ଏବଂ ସମ୍ପ୍ରଦାୟଅଞ୍ଚଳର  ସ୍ଥାଣୁତା ବୃଦ୍ଧି ହୋଇପାରେ । 

ଯୁକ୍ତରାଷ୍ଟ୍ର ଆମେରିକା ପବନ ଏବଂ ସୌରଶକ୍ତି  ପାଇଁ ୧.୫ ଟ୍ରିଲିୟନ୍‌ ଡଲାର (ଅର୍ଥାତ୍‌ ୧୨୦ଲକ୍ଷ  କୋଟି ଟଙ୍କା) ଖର୍ଚ୍ଚ କରିସାରିଛି, ମାତ୍ର ସେହି ଅର୍ଥରେ  ଆମେରିକାର କେବଳ ୧୦% ବିଦ୍ୟୁତ ପବନ ଏବଂ  ସୌରଶକ୍ତିରୁ ଆସିଛି । ଏହି ପରିପ୍ରେକ୍ଷୀରେ ଭୂତାପଜ  ଶକ୍ତି ନବୀକରଣ ଶକ୍ତିଉତ୍ସ କ୍ଷେତ୍ରରେ ଏହାର ପ୍ରାଧାନ୍ୟତା  ଏବଂ ବୈଧତା ଘୋଷଣା କରେ । ରି-ଇନଭେଷ୍ଟ ୨୦୨୪-  ଇଣ୍ଡିଆ (ରିନ୍ୟୁଏବଲ ଏନର୍ଜି)ରେ ଆମ ଓଡ଼ିଶା ରାଜ୍ୟ  ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଭୂତାପଜ ଶକ୍ତି  ଉପରେ ସମୟ ଓ ସାମର୍ଥ୍ୟ ବିନିଯୋଗ କରିବା ମଧ୍ୟ  ବୁଦ୍ଧିମାନଯୋଗ୍ୟ । ଏହା ଆମ ଓଡ଼ିଶାକୁ ସସ୍ଥାୟୀ ଭାବରେ  ଏକ ଲାଭଦାୟକ ଏବଂ ପ୍ରଦୂଷଣମୁକ୍ତ ରାଜ୍ୟରେ  ପରିଣତ କରିବାରେ ସହାୟକ ହେବ । 

କେବଳ ତାହା  ନୁହେଁ, ଭୂତାପଜ ଶକ୍ତି ମଧ୍ୟ ଆମ ଦେଶର ଏକ ପ୍ରତୀକ  ହିସାବରେ କାମ କରିବ, ଯାହା ପାଇଁ ଆମ ପ୍ରଧାନମନ୍ତ୍ରୀ  କୋପ-୨୬, ଗ୍ଲାସଗୋ, ୟୁକେ’ରେ ନେଟ୍‌ ଜିରୋ  ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଆମ ଦେଶରେ ୨୦୭୦  ସୁଦ୍ଧା କାର୍ବନମୁକ୍ତ ସାଧ୍ୟ କରିବାକୁ ଆମ ଭାରତ  ସରକାର ସ୍ୱୟଂ ସଂକଳ୍ପବଦ୍ଧ ହୋଇଛନ୍ତି । ତେଣୁ, ଓଡ଼ିଶା  ସରକାର ବର୍ତ୍ତମାନ ପରିସ୍ଥିତିରେ ଭୂତାପଜ ଶକ୍ତିର  ଉପଯୋଗିତାକୁ ବ୍ୟବହାର କରିବା ବୁଦ୍ଧିମାନ ଅଟେ ।