ହୀରାକୁଦ ବନ୍ଧ ପରିକଳ୍ପିତ ସମସ୍ତ ଲକ୍ଷ୍ୟ ଶତ ପ୍ରତିଶତ ହାସଲ କରିବାରେ ସଫଳ ହୋଇପାରିଛି! ବର୍ତ୍ତମାନ ହୀରାକୁଦ ବନ୍ଧର ମରାମତି, ରକ୍ଷଣାବେକ୍ଷଣ, ପୋତି ହୋଇଥିବା ପଟୁମାଟିର ଉଦ୍ଧାର ଓ ନିରାକରଣ ପାଇଁ ଯୋଜନା ଇତ୍ୟାଦି ସହ ବନ୍ୟା ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମିର ଉନ୍ନତିକରଣ ତଥା ଆଧୁନିକୀକରଣ ଆବଶ୍ୟକ
ଆବହମାନ କାଳରୁ (ହୀରାକୁଦ ବନ୍ଧ ନିର୍ମାଣ ପୂର୍ବରୁ) ମହାନଦୀର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ପ୍ରାୟ ୯୫୦୦ ବର୍ଗକିମି. ଅଞ୍ଚଳରେ ଅନେକ କ୍ଷୟକ୍ଷତି ତଥା ଧନ ଜୀବନ ହାନି ହେଉଥିଲା । ମହାନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ୧୯୪୭ ଯୋଜନା ବିବରଣୀ ଅନୁସାରେ ମହାନଦୀ ଉପରେ ହୀରାକୁଦ, ଟିକରପଡ଼ା ଓ ନରାଜ ଏହିପରି ୩ଟି ସ୍ଥାନରେ ଜଳଭଣ୍ଡାର ନିର୍ମାଣ ପାଇଁ ସ୍ୱୀକୃତି ମିଳିଥିଲା । ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ଦଫାରେ ହୀରାକୁଦ ବନ୍ଧର ପ୍ରାଥମିକ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହୀରାକୁଦ ବନ୍ଧ ଯୋଜନା ପ୍ରଥମେ ମୁଖ୍ୟତଃ ତ୍ରିକୋଣ ଭୂମି ଅଞ୍ଚଳର ବନ୍ୟା ନିୟନ୍ତ୍ରଣ ପାଇଁ କଳ୍ପନା କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଦେଶରେ ଖାଦ୍ୟଶସ୍ୟର ଅଭାବକୁ ଦେଖି ହୀରାକୁଦ ବନ୍ଧ ଯୋଜନା ରୂପରେଖରେ ପରିବର୍ତ୍ତନ କରାଯାଇଥିଲା । ଏହାର ପ୍ରଥମ ଆବଶ୍ୟକତା ଜଳସେଚନ, ତା’ପରେ ବିଦ୍ୟୁତ ଉତ୍ପାଦନ ଓ ବନ୍ୟା ନିୟନ୍ତ୍ରଣ ଭାବେ ଦର୍ଶାଗଲା । ୧୯୫୭ ମସିହା ଜାନୁଆରୀ ୧୩ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହରୁ ଏହି ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।
ଯେଉଁ ଲକ୍ଷ୍ୟ ନେଇ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା ତାହା ଶତ ପ୍ରତିଶତ ସଫଳ ହୋଇଥିବା ଆକଳନରୁ ଜଣାପଡ଼େ । ମହାନଦୀର ବନ୍ୟା ନିୟନ୍ତ୍ରଣ, ଜଳସେଚନ, ବିଦ୍ୟୁତ ଉତ୍ପାଦନ, ପାନୀୟ ଜଳଯୋଗାଣ, ଶିଳ୍ପାୟାନ, ମତ୍ସ୍ୟ ଉତ୍ପାଦନ ଇତ୍ୟାଦି କ୍ଷେତ୍ରରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତିରେ ହୀରାକୁଦ ବନ୍ଧ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୧୯୪୭ ପ୍ରୋଜେକ୍ଟ ରିପୋର୍ଟ ଅନୁସାରେ଼ ହୀରାକୁଦ ବନ୍ଧ ନିର୍ମାଣ ପୂର୍ବରୁ ପ୍ରତି ଦଶବର୍ଷରେ ହାରାହାରି ପାଖାପାଖି ୮ଟି ବନ୍ୟା ମହାନଦୀରେ ଆସୁଥିଲା । କିନ୍ତୁ ହୀରାକୁଦ ବନ୍ଧ ନିର୍ମାଣ ପରେ ମହାନଦୀରେ ୧୯୫୮ରୁ ୨୦୨୨ ମଧ୍ୟରେ (୬୫ବର୍ଷରେ) ୨୩ଟି ବନ୍ୟା ଏପର୍ଯ୍ୟନ୍ତ ରେକର୍ଡ କରାଯାଇଛି । ଏବେ ଏହା ୧୦ବର୍ଷରେ ହାରାହାରି ୩.୫ଟି ବନ୍ୟାକୁ ହ୍ରାସପାଇଛି । ମହାନଦୀ ତଳମୁଣ୍ଡ ଅବବାହିକା (୪୭୮୦୦ ବର୍ଗ କିମି.) ପରିବ୍ୟାପ୍ତ ଅଞ୍ଚଳ ଅନିୟନ୍ତ୍ରିତ ଥିବା ଯୋଗୁଁ ତାର ବନ୍ୟାଜଳକୁ ନିୟନ୍ତ୍ରଣ କରିହୁଏନାହିଁ । ତେଣୁ ହୀରାକୁଦ ବନ୍ଧ ମହାନଦୀର ସବୁ ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସମର୍ଥ ନୁହେଁ । ମହାନଦୀ ବନ୍ୟା ନିୟନ୍ତ୍ରଣ ପାଇଁ ଯଦିଓ ୩ଟି ଜଳଭଣ୍ଡାର ନିର୍ମାଣ ପ୍ରସ୍ତାବ ଥିଲା, କିନ୍ତୁ ହୀରାକୁଦ ଜଳଭଣ୍ଡାର ଗୋଟିଏ ମାତ୍ର ନିର୍ମିତ ହୋଇପାରିଲା । ତଥାପି ଅନେକ ସମୟରେ ପ୍ରବେଶ କରୁଥିବା ବନ୍ୟାଜଳର କିଛି ଅଂଶକୁ ସେହି ସମୟରେ ଜଳଭଣ୍ଡାରରେ ଖାଲି ଥିବା ଜାଗାରେ କିଛି ସମୟ ଅଟକାଇ ରଖି ମହାନଦୀର ତଳମୁଣ୍ଡରେ ବନ୍ୟାରେ ପ୍ରଖରତାକୁ ହୀରାକୁଦ ବନ୍ଧ ହ୍ରାସ କରିଆସୁଛି ।
୧୯୫୮-୨୨ ମଧ୍ୟରେ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ୨୩ଟି ବନ୍ୟା ମଧ୍ୟରୁ ୮ଟି ବନ୍ୟା ମହାନଦୀର ତଳମୁଣ୍ଡ ଅବାବାହିକର ପ୍ରବାହିତ ବନ୍ୟା ଜଳ ପାଇଁ ସଂଗଠିତ ହୋଇଛି । ଆଉ ୧୫ଟି ବନ୍ୟା ଉଭୟ ହୀରାକୁଦ ବନ୍ଧରୁ ନିଷ୍କାସିତ ବନ୍ୟାଜଳ ଓ ମହାନଦୀରେ ତଳମୁଣ୍ଡ ବନ୍ୟାଜଳ ସହ ମିଶି ବିତ୍ପାତ ଘଟାଇଛି । ହୀରାକୁଦ ବନ୍ଧର ଜଳଧାରଣ କ୍ଷମତା ତୁଳନା କଲେ ଜଣାପଡ଼େ ଯେ, ଜଳଭଣ୍ଡାରର ଜଳଧାରଣ କ୍ଷମତା ବହୁତ କମ୍ । କାରଣ ଜଳଭଣ୍ଡାରର ଉପଯୋଗୀ ଧାରଣ କ୍ଷମତା ମାତ୍ର ୩.୯୧ ନିୟୁତ ଏକର ଫୁଟ (ସଂଶୋଧିତ) ଥିବାବେଳେ ମୌସୁମୀ ଋତୁରେ ହୀରାକୁଦ ଜଳଧାରଣ କ୍ଷମତାର ପାଖାପାଖି ୬ଗୁଣ ବନ୍ୟାଜଳ (ପାଖାପାଖି ୨୪.୨୪୭ ନିୟୁତ ଏକର ଫୁଟ) ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଥାଏ । ମୌସୁମୀ ଋତୁ ୧୯୬୧ରେ ହୀରାକୁଦ ଜଲଭଣ୍ଡାରକୁ ସର୍ବୋଚ୍ଚ ୭୧.୪୧୯ ନିୟୁତ ଏକର ଫୁଟ ଜଳ ପ୍ରବେଶ କରିଥିବାବେଳେ ୨୦୦୦ରେ ସର୍ବନିମ୍ନ ୮.୨୮୭ ନିୟୁତ ଏକର ଫୁଟ ଜଳ ପ୍ରବେଶ କରିଥିଲା ।
ଯଦି ହୀରାକୁଦ ବନ୍ଧ ନଥାଆନ୍ତା, ତେବେ ୧୯୮୨, ୧୯୯୧, ୧୯୯୨, ୧୯୯୪, ୨୦୦୧, ୨୦୦୩, ୨୦୦୬ ଓ ୨୦୦୮ ଇତ୍ୟାଦି ବର୍ଷମାନଙ୍କରେ ବନ୍ୟାଜଳ ପ୍ରବାହ ଯଥେଷ୍ଟ ବୃଦ୍ଧିପାଇ ଉପକୂଳ ଓଡ଼ିଶା ବନ୍ୟାର ପ୍ରକୋପ ଅତି ଭୟାବହ ହୋଇଥାନ୍ତା । ଏଥିରୁ ସ୍ପଷ୍ଟ ଯେ ସମ୍ଭାବ୍ୟ ବଡ଼ ବନ୍ୟାମାନଙ୍କର ପ୍ରକୋପକୁ ହୀରାକୁଦ ବନ୍ଧ ନିୟନ୍ତ୍ରଣ କରିବା ସହ ଓଡ଼ିଶାକୁ ବିରାଟ ବିପର୍ଯ୍ୟୟରୁ ରକ୍ଷା କରିପାରିଛି ।
ହୀରାକୁଦ ପ୍ରକଳ୍ପ ରିପୋର୍ଟ ଅନୁସାରେ ଖରିଫ ସମୟରେ ଆୟକଟ (୧୫୯୧୦୬ ହେକ୍ଟର)ର ଶତ ପ୍ରତିଶତ ଅଞ୍ଚଳକୁ ଅତିରିକ୍ତ ଜଳସେଚନ ଯୋଗାଇବାର ପ୍ରାବଧାନ ରହିଛି । ଆଉ ଆୟକଟର ୪୮% ଚାଷଜମିକୁ ରବି ଋତୁରେ ଜଳସେଚନ ବ୍ୟବସ୍ଥା ରହିଛି । କିନ୍ତୁ ଏବେ ପ୍ରକୃତରେ ହୀରାକୁଦ ସେଚାଞ୍ଚଳର ୮୦% (ପ୍ରାୟ ୧.୧୨ଲକ୍ଷ ହେକ୍ଟର )ରବି ଚାଷ ପାଇଁ ଜଳସେଚିତ ହୋଇପାରୁଛି ।
ହୀରାକୁଦ ସେଚାଞ୍ଚଳରେ ଚାଷ କରାଯାଉଥିବା ମୁଖ୍ୟ ଫସଲ ହେଉଛି ଧାନ । ଖରିଫରେ ଏକର ପିଛା ୧୮.୭୫ କ୍ୱିଣ୍ଟାଲ (୨୫ବସ୍ତା) ଓ ରବି ଋତୁରେ ଏକର ପିଛା ୩୦ କ୍ୱିଣ୍ଟାଲ (୪୦ବସ୍ତା) ଧାନ ଉତ୍ପାଦନ ହାରରେ ହୀରାକୁଦ ସେଚାଞ୍ଚଳରେ ବାର୍ଷିକ ପାଖାପାଖି ପ୍ରାୟ ୧.୫୭ ନିୟୁତ ଟନ (ଖରିଫରେ ୦.୭୩୭ ନିୟୁତ ଟନ ଓ ରବିରେ ୦.୮୩ ନିୟୁତ ଟନ) ଧାନ ଉତ୍ପାଦନ ହୋଇପାରୁଥିବାରୁ ରାଜ୍ୟ ତଥା ଦେଶର ଭାତହାଣ୍ଡି ହିସାବରେ ପରିଚିତ ।
ଏହା ବ୍ୟତୀତ ବିଦ୍ୟୁତ ଉତ୍ପାଦନ ପରେ ଯେଉଁ ଜଳ ମହାନଦୀକୁ ନିଷ୍କାସିତ ହୋଇଥାଏ, ସେହି ଜଳକୁ ପୁଣି ଡେଲଟା ଅଞ୍ଚଳର ପ୍ରାୟ ୨.୫୧ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ବ୍ୟବହୃତ କରାଯାଇଥାଏ । ସେହି ଜଳକୁ ମଧ୍ୟ ଶିଳ୍ପାନୁଷ୍ଠାନ ବ୍ୟବହାର ସହ ପାନୀୟ ଜଳ ପାଇଁ ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ଓଡ଼ିଶାର ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାରେ ଜଳସେଚନ ଯୋଗୁଁ କୃଷିକ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହୋଇପାରିଛି । ୧୬୭୭କୋଟି ଟଙ୍କାରେ ନିର୍ମିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ବରଗଡ଼ ମୁଖ୍ୟ କେନାଲର ପ୍ରାରମ୍ଭରୁ ଜଳ ଉଠାଯାଇ ବରଗଡ଼ ଜିଲ୍ଲା ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଆହୁରି ୨୫୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇବ ।
ହୀରାକୁଦ ବନ୍ଧ ନିର୍ମାଣ ପୂର୍ବରୁ ଅଣମୌସୁମୀ ଋତୁରେ ମହାନଦୀରେ ପ୍ରାୟ ଜଳ ପ୍ରବାହ ନଥିଲା । ଅଣମୌସୁମୀ ସମୟରେ ବିଦ୍ୟୁତ ଉତ୍ପାଦନ ପାଇଁ ହାରାହାରି ପାଖାପାଖି ସେକେଣ୍ଡ ପ୍ରତି ୭୦୦୦ରୁ ୯୦୦୦ ଘନଫୁଟ ଜଳବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରାଯାଇଥାଏ, ଯାହାଫଳରେ ନିମ୍ନ ମହାନଦୀରେ ଅଣମୌସୁମୀ ସମୟରେ ହାରାହାରି ପ୍ରାୟ ପାଖାପାଖି ସେକେଣ୍ଡ ପ୍ରତି ୭୦୦୦ରୁ ୯୦୦୦ ଘନଫୁଟ ଜଳ ପ୍ରବାହିତ ହୋଇଥାଏ ।
ଏହିପରି ହୀରାକୁଦ ବନ୍ଧ ନିର୍ମାଣ ପରେ ଖରସ୍ରୋତା ନିମ୍ନ ମହାନଦୀ ଚିରସ୍ରୋତାରେ ପରିଣତ ହୋଇଗଲା । ବର୍ଷା ଋତୁରେ ହୀରାକୁଦ ବିଦ୍ୟୁତ କେନ୍ଦ୍ର ସିଷ୍ଟମ ହାରାହାରି ପାଖାପାଖି ପ୍ରାୟ ସେକେଣ୍ଡ ପ୍ରତି ୩୦୦୦୦ରୁ ୩୫୦୦୦ ଘନଫୁଟ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହୋଇ ମହାନଦୀକୁ ନିଷ୍କାସିତ ହୋଇଥାଏ । ପୁଣି ବନ୍ୟା ସମୟରେ ସ୍ଲୁଇସ ଗେଟ୍ ମାଧ୍ୟମରେ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଇଥାଏ । ହୀରାକୁଦ ବନ୍ଧ ନିର୍ମାଣ ପରେ ପ୍ରାୟ ସବୁ ସମୟରେ ମହାନଦୀରେ ଜଳପ୍ରବାହ ରହିଆସୁଛି । ଏହା ସତ୍ତେ୍ୱ ମହାନଦୀ ଓଡ଼ିଶାରେ ତାହାର ସତ୍ତା ହରାଉଛି ବୋଲି ସମୟେ ସମୟେ ଆକ୍ଷେପ କରୁଥିବାର ଶୁଣାଯାଏ ।
ବୁର୍ଲା ବିଦ୍ୟୁତ କେନ୍ଦ୍ର ଓ ଚିପିଲିମା ବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ହୋଇଆସୁଛି । ବୁର୍ଲା ବିଦ୍ୟୁତ କେନ୍ଦ୍ର (୭ଟି ୟୁନିଟ-୨୭୫ ମେଗାୱାଟ) ଓ ଚିପିଲିମା ବିଦ୍ୟୁତ କେନ୍ଦ୍ର (୩ଟି ୟୁନିଟର ସ୍ଥାପିତ କ୍ଷମତା ୭୨ ମେଗାୱାଟ) ରୁ ବାର୍ଷିକ ହାରାହାରି ପ୍ରାୟ ପାଖାପାଖି ୮୮୩ ନିୟୁତ ୟୁନିଟ ଜଳବିଦ୍ୟୁତ ଉତ୍ପାଦନ ହୋଇପାରୁଛି । ରାଜ୍ୟରେ ଜଳବିଦ୍ୟୁତ ଉତ୍ପାଦନରେ ହୀରାକୁଦ ବନ୍ଧର ଜଳବିଦ୍ୟୁତ କେନ୍ଦ୍ରଦ୍ୱୟର ପ୍ରମୁଖ ଭୂମିକା ରହିଛି । ଦରକାର ମୁତାବକ ଜଳ ଉପଲବ୍ଧ ହେଉଥିବାରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ହୀରାକୁଦ ଜଳଭଣ୍ଡାର ପେରିଫେରି ଅଞ୍ଚରେ ଅନେକ ସାନ ବଡ଼ ଶିଳ୍ପସଂସ୍ଥାମାନ ଗଢ଼ିଉଠିଛି ।
ବେଦାନ୍ତ, ଆଦିତ୍ୟ ଆଲୁମିନିଅମ, ଭୂଷଣ ଷ୍ଟିଲ ଆଣ୍ଡ ପାୱାର, ତାପଜ ବିଦ୍ୟୁତ କେନ୍ଦ୍ର ବନହରପାଲି, ଶ୍ୟାମ ମେଟାଲିକ, ହିଣ୍ଡାଲକୋ, ଟାଟା ରିଫ୍ରାକ୍ଟୋରୀ, ବରଗଡ଼ ସିମେଣ୍ଟ କାରଖାନା ଇତ୍ୟାଦି ଅନେକ ଶିଳ୍ପସଂସ୍ଥା ଗଢ଼ିଉଠିଛି ।ହୀରାକୁଦ ବନ୍ଧ ଓଡ଼ିଶାର ପାନୀୟ ଜଳଯୋଗାଣରେ ମଧ୍ୟ ପ୍ରମୁଖ ଭୂମିକା ରଖିଆସିଛି । ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟଜୀବୀଙ୍କ ଦ୍ୱାରା ବର୍ଷସାରା ବିଭିନ୍ନ ପ୍ରଜାତିର ମାଛ ଧରାଯାଇଥାଏ । ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଅନେକ ମତ୍ସ୍ୟଜୀବୀ ପରିବାର ହୀରାକୁଦ ଜଳଭଣ୍ଡାରରୁ ମାଛ ଧରି ଜୀବିକା ନିର୍ବାହ କରିଥାନ୍ତି । ହୀରାକୁଦ ଜଳଭଣ୍ଡାରରେ କେଜ୍ ମାଛ ଚାଷପ୍ରଣାଳୀ ବର୍ତ୍ତମାନ ଏକ ସଫଳ ମଡେଲ୍ ଏବଂ ଖୁବ୍ଶୀଘ୍ର ଓଡ଼ିଶାର ମଧୁର ଜଳ ମାଛ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ସହାୟକ ହେବ ।
ହୀରାକୁଦ ସେଚାଞ୍ଚଳରେ ବାର୍ଷିକ ପ୍ରାୟ ପାଖାପାଖି ୪୮୫୮କୋଟି ଟଙ୍କା ମୂଲ୍ୟର ଧାନ ଉତ୍ପାଦନ ହେଉଥିବାବେଳେ ଜଳବିଦ୍ୟୁତରୁ ପାଖାପାଖି ୨୬୫କୋଟି, ଶିଳ୍ପ ଅନୁଷ୍ଠାନମାନଙ୍କଠୁ ବାର୍ଷିକ ପାଖାପାଖି ପ୍ରାୟ ୩୦୦କୋଟି ଜଳକର ଆଦାୟ ହେଉଛି । ଜଳକର (କୃଷି), ଟୁରିଜିମ, ମତ୍ସ୍ୟଚାଷ, ପାନୀୟଜଳ ଇତ୍ୟାଦିରୁ ମଧ୍ୟ ଶହ ଶହ କୋଟି ଟଙ୍କାର ରାଜସ୍ୱ ଆସୁଛି ।
ଏଥିରୁ ସ୍ପଷ୍ଟ ଯେ, ହୀରାକୁଦ ବନ୍ଧ ପରିକଳ୍ପିତ ସମସ୍ତ ଲକ୍ଷ୍ୟ ଶତ ପ୍ରତିଶତ ହାସଲ କରିବାରେ ସଫଳ ହୋଇପାରିଛି! ବର୍ତ୍ତମାନ ହୀରାକୁଦ ବନ୍ଧର ମରାମତି, ରକ୍ଷଣାବେକ୍ଷଣ, ପୋତି ହୋଇଥିବା ପଟୁମାଟିର ଉଦ୍ଧାର ଓ ନିରାକରଣ ପାଇଁ ଯୋଜନା ଇତ୍ୟାଦି ସହ ବନ୍ୟା ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମିର ଉନ୍ନତିକରଣ ତଥା ଆଧୁନିକୀକରଣ ଆବଶ୍ୟକ । ଏଥିପ୍ରତି ସରକାର ବିଶେଷ ଧ୍ୟାନ ଦେବା ଉଚିତ । ବର୍ତ୍ତମାନ ପରିସ୍ଥିତିକୁ ବିଚାର କରି ମହାନଦୀର ବିଭିନ୍ନ ଉପଯୁକ୍ତ ସ୍ଥାନମାନଙ୍କରେ ନଦୀଗର୍ଭ ଜଳାଶୟମାନ ନିର୍ମାଣ କରିବା ପାଇଁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦେବା ଜରୁରି ।