ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ଚାଲିବି ଚାଲିବି ନପଡ଼ିବି ଥକି

Published By : Prameya | May 1, 2025 11:54 AM

ଆଜିର ମଣିଷକୁ ସବୁ ଭଲ ଜିନିଷ ଦରକାର ଯେପରିକି ଭଲ ଘର, ଭଲ ପୋଷାକପତ୍ର, ଭଲ ଗାଡ଼ି, ଭଲ ଚାକିରି ଏମିତି ଅନେକ କିଛି । କିନ୍ତୁ ଦୁଃଖର କଥା, ମଣିଷ ପରିଶ୍ରମ କରିବାକୁ ନାରାଜ । କେମିତି ଅଳ୍ପରେ ଅନେକ କିଛି ଆପଣେଇ ନେଇହବ ସେହି ନିଶାରେ ସେ ପାଗଳ । ଛାତ୍ରମାନେ ବହି ନପଢ଼ି ଟେଷ୍ଟ ପେପର ପଢ଼ିବାକୁ, ଶ୍ରେଣୀରେ ନବସି ଟିଉସନ୍‌ରେ ବସି କୃତକାର୍ଯ୍ୟ ହେବାକୁ ଭାରି ଆଗ୍ରହୀ । ତେଣୁ ସେମାନଙ୍କର ମୂଳଦୁଆ ଦୁର୍ବଳ । କର୍ମ କ୍ଷେତ୍ରରେ ମଧ୍ୟ କଠିନ ପରିଶ୍ରମ କରି ସଫଳ ହେବା ଅପେକ୍ଷା କାହାକୁ ଧରାଧରି କରି ଗଳା ବାଟେ ଗଳିଯିବାକୁ ଭାରି ମନ ଆଜିର ମଣିଷର । ଏହାହିଁ ମସ୍ତବଡ଼ ବିଡ଼ମ୍ବନା । ଏହି ପ୍ରସଙ୍ଗରେ କଥାଟିଏ । ଅମାବାସ୍ୟାର ଘନ ଅନ୍ଧାର ରାତିରେ ଜଣେ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାହାରିଲା । କିନ୍ତୁ କିଟିକିଟି ଅନ୍ଧାର । କିପରି ଯିବ ଭାବିଲା ବେଳକୁ ସୌଭାଗ୍ୟବଶତଃ ଜଣେ ସାଧୁ ମିଳିଗଲେ । କୁଆଡ଼େ ଯିବ ବୋଲି ସାଧୁ ପଚାରନ୍ତେ ଲୋକଟି ଉତ୍ତର ଦେଲା- ଆର ଗାଁକୁ ଯିବି ଆଜ୍ଞା । କିନ୍ତୁ ବହୁତ ଅନ୍ଧାର । ବାଟ ଦେଖାଯାଉନି । 

ସାଧୁ କହିଲେ- ରୁହ! ତତ୍‌କ୍ଷଣାତ୍‌ ନିଜ ଝୁଲାରୁ ଏକ ଡିବିରିବତି ବାହାର କରି ଓ ସେଥିରେ ଅଗ୍ନିସଂଯୋଗ କରି କହିଲେ- ନିଅ! ଅନ୍ଧାର ରୂପକ ସମସ୍ୟାରେ ଏ ଆଲୋକବତି ହେଉଛି ସମାଧାନର ମାର୍ଗଟିଏ । ଏବେ ଯାତ୍ରା ଆରମ୍ଭ କର । ଏହା ଅନ୍ଧକାରକୁ ପ୍ରଶମିତ କରିଦେବ । ବିଚରା ଲୋକଟି ପ୍ରଶ୍ନିଳ ଆଖିରେ ସାଧୁଙ୍କୁ ଚାହିଁ ପୁଣି ପଚାରିଲା ଆଚ୍ଛା! ଯଦି ପବନରେ ଏହି ବତି ଲିଭିଯାଏ ତେବେ ତ ପୁଣି ଅନ୍ଧାର! ଲୋକଟିର ଏ କଥାରେ ସାଧୁ ଜଣଙ୍କ ଟିକେ ହସିଦେଲେ । ଆପଣାର ଝୁଲାମୁଣିରୁ ଗୋଟିଏ କାଚର ଢାଙ୍କୁଣୀ ବାହାର କରି ଜଳୁଥିବା ଡିବିରିବତି ଉପରେ ରଖିଦେଇ ଲୋକଟିକୁ କହିଲେ- ଏବେ ତ ଚାଲ । ଆଉ କିଛି ଅସୁବିଧା ନାହିଁ । ତୁମକୁ ତୁମ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ । ପରିଶ୍ରମ ଭୀରୁ ମଣିଷଟି ପୁଣି କହିବାକୁ ଆରମ୍ଭ କଲା- ଆଜ୍ଞା! ଏ ଆଲୁଅ ତ ଜମାରୁ ଦଶ କି ପନ୍ଦର ହାତ ଆଗକୁ ଆଲୋକିତ କରିବ, କିନ୍ତୁ ଆଗରେ ପୁଣି ଘନ ଅନ୍ଧାର । ଏତେ ଲମ୍ବା ରାସ୍ତା ମୁଁ ଯିବି କେମିତି? ନିରବତାକୁ ଭଙ୍ଗକରି ସାଧୁ କହିଲେ- ଆରେ ବାବୁ! ମୁଁ ତୁମପାଇଁ ଏତେ କାମ କଲି! ଏବେ ତୁମେ ତ କିଛି କାମ କର । ଲୋକଟି ପଚାରିଲା ମୁଁ କ’ଣ କରିବି? 

ସାଧୁ ଉତ୍ତର ଦେଲେ- ତୁମେ ତ ଚାଲିବା ଆରମ୍ଭ କର । ତୁମେ ଚାଲିବା ଆରମ୍ଭ କଲେ ଆଲୋକ ତୁମ ସହିତ ଆପେ ଆପେ ଆଗକୁ ଯିବନି କି! ତେବେ ସିନା ତୁମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ! ଏ କାହାଣୀ ପ୍ରମାଣ କରେ ମଣିଷର ପରିଶ୍ରମକାତର ଭାବକୁ । ବାସ୍ତବିକ୍‌ ଅନ୍ଧାର ମାର୍ଗ ସମସ୍ୟା ନୁହେଁ, ଖରାପ ରାସ୍ତା ବି ସମସ୍ୟା ନୁହେଁ ବରଂ ପ୍ରମୁଖ ସମସ୍ୟା ହେଉଛି ଦୃଢ଼ ଇଚ୍ଛାଶକ୍ତିର ଅଭାବ, ଯାହାକି ବ୍ୟକ୍ତିର ବ୍ୟକ୍ତିତ୍ୱକୁ କରିଦିଏ ସଙ୍କୁଚିତ । ଦୃଢ଼ତାର ଅଭାବ ଯୋଗୁଁ ବେଳେବେଳେ ମନରେ ପ୍ରଶ୍ନ ଆସେ "ମୁଁ ଏହା ବୋଧେ ପାରିବିନି’ ଯାହା ଏକ ନକାରାତ୍ମକ ଚିନ୍ତନ ନୁହେଁ କି? ଥରେ ଭାବିଲେ! ହାତରେ ଦି'ଚାରି ଥର ଛୁଞ୍ଚି ଫୋଡ଼ିହୋଇ ରକ୍ତ ବାହାରିଲେ ମଣିଷ ଯେପରି ସିଲେଇ କାମ ଶିଖିଯାଏ, ଥରକୁ ଥର ତଳେ ପଡ଼ିଲେ ପିଲା ଯେପରି ଚାଲିବାର କଳା ଜାଣିଯାଏ, ସମସ୍ୟାର ଶତ ଶରାଘାତ ଓ ସଂଘାତ ଭିତରେ ବି କ୍ଷୁଦ୍ର ଝରଣାଟିଏ ଯେପରି ସମୁଦ୍ର ସହ ମିଶିଯାଏ, ଠିକ୍‌ ସେହିପରି ଦୃଢ଼ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ଗିରି ଲଙ୍ଘିବାରେ ଓ ମୂକ ପ୍ରଗଳ୍‌ଭ ସାଜିପାରେ, ଆଶ୍ଚର୍ଯ୍ୟ କୋଉଠି? ଏ ଜୀବନର ଅନ୍ୟ ନାମ ପରା ସଂଘର୍ଷ । ଯେଉଁ ପ୍ରଶ୍ୱାସ ଟିକକ ଆମେ ନେଉଛୁ ତାହା ବି ଜୀବନ ଓ ମୃତ୍ୟୁର ଲଢ଼େଇ । ତେଣୁ ଜୀବନ ଯାତ୍ରାରେ ପଛଘୁଞ୍ଚା ଦେବା ଆଦୌ ଶୁଭଙ୍କର ନୁହେଁ । 

ମନେପଡ଼େ, ପ୍ରସିଦ୍ଧ ଆମେରିକାନ୍‌ କବି Robert Frostଙ୍କର କାଳଜୟୀ କବିତାର ଧାଡ଼ି ‘And miles to go before I sleep’.. ଯାହାର ଓଡ଼ିଆ ଅନୁବାଦ ହେଉଛି "ଆଗରେ ପଡ଼ିଛି ପଥ ବହୁ ଦୂର ଆହୁରି କେତେ ଯେ ବାକି/ ଚାଲିବି ଚାଲିବି ନ ପଡ଼ିବି ଥକି ମୁଦିବା ଆଗରୁ ଆଖି’ । ଉକ୍ତ କବିତା ନେହେରୁଙ୍କ ଜୀବନକୁ କରିଥିଲା ବିଶେଷ ପ୍ରଭାବିତ ଓ ଦେଇଥିଲା ନବୀନ ଦିଗ୍‌ଦର୍ଶନ । ଏବେ ଆସନ୍ତୁ ଏହି ପ୍ରସଙ୍ଗରେ ଆମେ ଟିକେ ପୁରାଣ ପୃଷ୍ଠାକୁ ଲେଉଟାଇବା । ରାତି ପାହିଥିଲେ ପ୍ରଭୁ ରାମଚନ୍ଦ୍ର ହୋଇଥାନ୍ତେ ରାଜବେଶ, କିନ୍ତୁ ହେଲା ବନବାସ । ବନବାସର ଦୁଃଖକୁ ବଳି ପଡ଼ିଲା ପିତା ଦଶରଥଙ୍କ ଆକସ୍ମିକ ବିୟୋଗ । ଦୁଃଖର ପାହାଡ଼କୁ ଛାତିରେ ଲଦି ପ୍ରଭୁ ଆଗକୁ ପାଦ ବଢ଼ାନ୍ତେ ପୁଣି ହେଲା ଜାନକୀଙ୍କ ହରଣ । ପ୍ରଭୁଙ୍କର ଏ ଧାଡ଼ି ଧାଡ଼ି ଦୁଃଖ ପାଖରେ ଆମ ଦୁଃଖ ବା କେତେ? କିନ୍ତୁ ଏତେ ପ୍ରତିକୂଳତା ସତ୍ତେ୍ୱ ପ୍ରଭୁ ପୁରୁଷାର୍ଥ ହରାଇଲେ ନାହିଁ କି ପଛକୁ ବି ହଟିଲେ ନାହିଁ, ଯାହା ତାଙ୍କୁ ପରିଶେଷରେ ବିଜୟଟୀକା ପିନ୍ଧାଇଲା । ତେଣୁ ଏହାର ସୂକ୍ଷ୍ମ ବିଚାର ହେଉଛି ଜୀବନରେ ପୁରୁଷାର୍ଥପୂର୍ବକ ଆଗେଇ ଚାଲୁଥିବା ମଣିଷକୁ ସଫଳତା ଦିନେ ନା ଦିନେ ଅବଶ୍ୟ ସ୍ୱାଗତ କରେ । ଏ ମାଟିରେ ବାଳକ ନଚିକେତାର ଦୃଢ଼ ସଂକଳ୍ପ ଦେଖି ପରାଭୂତ ହୋଇଯାଇଥିଲେ ଯମ ମହାରାଜ, ଭକ୍ତ ଧ୍ରୁବଙ୍କର ଇଚ୍ଛାଶକ୍ତି ପାଖରେ ନରମି ଯାଇଥିଲେ ନାରାୟଣ, ଗାନ୍ଧୀଙ୍କର ଦୃଢ଼ତା ପାଖରେ ନିରବିଯାଇଥିଲା ଗୋରା ସରକାରର ଗୁଳି ଗର୍ଜନ । କିନ୍ତୁ ପରିତାପର ବିଷୟ, ଆଜି ସମାଜରେ ମଣିଷର ଇଚ୍ଛାଶକ୍ତି କ୍ରମଶଃ ମରିଯାଉଛି ଯାହାପାଇଁ ଅଭିଭାବକମାନେ ବି କେତେକାଂଶରେ ଦାୟୀ । 

ବାପାମାଆମାନେ ସେମାନଙ୍କ ସନ୍ତାନକୁ ସମସ୍ୟାର ସମ୍ମୁଖୀନ ହେବାପାଇଁ ଦୃଢ଼ତା ଶିଖାଇବା ପରିବର୍ତ୍ତେ ତାର ହାତପାଆନ୍ତାରେ ଆଣି ସବୁ ଜିନିଷ ଯୋଗାଇ ଦେଉଛନ୍ତି, ଯାହା ପିଲାକୁ ସ୍ୱାବଲମ୍ବୀ ବଦଳରେ ପରାଙ୍ଗପୁଷ୍ଟ କରିଦେଉଛି । ଫଳତଃ ବିକାଶ ହେଉଛି ଶିଥିଳ, ବ୍ୟକ୍ତିତ୍ୱ ବିକଳାଙ୍ଗ ଓ ଜୀବନ ହେଉଛି ଏକ ମସ୍ତବଡ଼ ବୋଝ । ଏହା ସତ୍ୟ ଯେ, ଜୀବନରେ ସମସ୍ୟା ବି ମଣିଷକୁ ଅନେକ କିଛି ଶିକ୍ଷା ଦେଇଥାଏ । ଚାଲୁଚାଲୁ ପଡ଼ିବାଟା ସ୍ୱଭାବିକ, କିନ୍ତୁ ପଡ଼ିବାକୁ ସମସ୍ୟା ନଭାବି ଦୃଢ଼ ସଂକଳ୍ପ ହୋଇ ଆଗକୁ ପାଦ ବଢ଼ାଇଲେ ଭଗବାନ ମଣିଷକୁ ସଫଳତାର ସ୍ୱାଦ ଦିଅନ୍ତି । ତେଣୁ ଆମ ଜୀବନରେ ପରିଶ୍ରମକାତରତାର ଆଶୁ ଅନ୍ତ ହେଉ । ପ୍ରାଚୀ ଓ ପ୍ରତିଚୀରେ ପ୍ରତିଧ୍ୱନିତ ହେଉ ପାବନ ବେଦବାକ୍ୟ "ଉତିଷ୍ଠିତ ଜାଗ୍ରତ’ ଏବଂ ‘ଚରୈବେତି ଚରୈବେତି'ର ମାଙ୍ଗଳିକ ମଙ୍ଗଳାଚରଣରେ ଅୟମାରମ୍ଭ ହେଉ ଅକୂତୋଭୟ ଜୀବନର ଜୟଯାତ୍ରା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.