ନୂଆଦିଲ୍ଲୀ,୧୮/୧୦: ୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍‌  ଅର୍ଥବ୍ୟବସ୍ଥା । କିନ୍ତୁ ବର୍ଦ୍ଧିତ ଜନସଂଖ୍ୟା  ଅର୍ଥନୀତି ଆଗରେ ବଡ଼ ଆହ୍ୱାନ ବୋଲି  ଏସ୍‌ ଆଣ୍ଡ୍‌ ପି ଗ୍ଲୋବାଲ ରେଟିଙ୍ଗ୍‌ସ ପକ୍ଷରୁ ଗୁରୁବାର ଜାରି ଏକ ରିପୋର୍ଟରେ ଉଲ୍ଲେଖ  କରାଯାଇଛି ।  

ଜନସଂଖ୍ୟା ବଢ଼ିବା ଦ୍ୱାରା ମୌଳିକ  ସେବା କଭରେଜ୍‌ରେ ବାଧା ଉପୁଜିପାରେ ।  ଅର୍ଥାତ୍‌ ବଡ଼ ଭାଗ ଲୋକଙ୍କ ପାଖରେ  ସେବା ପହଞ୍ଚାଇବା କଷ୍ଟକର ହୋଇପାରେ ।  ଏହାସହିତ ଉତ୍ପାଦକତା ବଢ଼ାଇବା ଲାଗି  ନିବେଶ ଆବଶ୍ୟକତା ବଢ଼ିବ ବୋଲି  ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  

ରିପୋର୍ଟରେ ଉଲ୍ଲେଖ କରାଯାଇଛି  ଯେ, ପରବର୍ତ୍ତୀ ଦଶନ୍ଧି ପାଇଁ ବିକାଶମୁଖୀ  ଅର୍ଥନୀତିଗୁଡ଼ିକର ଉଚ୍ଚ ଅଭିଳାଷା ରହିଛି ।  ସମ୍ପ୍ରତି ଭାରତୀୟ ଅର୍ଥନୀତିର ଆକାର  ୩.୬ ଟ୍ରିଲିୟନ ଡଲାର ହୋଇଥିବାବେଳେ  ୨୦୪୭ ସୁଦ୍ଧା ଏହାକୁ ୩୦ ଟ୍ରିଲିୟନ  ଡଲାରରେ ପହଞ୍ଚାଇବାକୁ ଭାରତ ଲକ୍ଷ୍ୟ  ରଖିଛି । ସମ୍ପ୍ରତି ଭାରତ ବିଶ୍ୱର ପଞ୍ଚମ  ବୃହତ୍‌ ଅର୍ଥନୀତି ରହିଛି ।   

ଏସ୍‌ ଆଣ୍ଡ୍‌ ପି ଗ୍ଲୋବାଲ ପ୍ରକାଶ  କରିଛି ଯେ, ଆଗାମୀ ୩ ବର୍ଷ ଧରି ଭାରତ  ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ  ଅର୍ଥନୀତି ମର୍ଯ୍ୟାଦା ଜାରି ରଖିବ । ୨୦୩୦ ସୁଦ୍ଧା ଏହା ହୋଇପାରେ ତୃତୀୟ  ବୃହତ୍‌ ଅର୍ଥବ୍ୟବସ୍ଥା । ଜେପି ମୋର୍ଗାନ୍‌ର  ଗଭର୍ଣ୍ଣମେଣ୍ଟ ଏମର୍ଜିଂ ମାର୍କେଟ ବଣ୍ଡ୍‌  ଇଣ୍ଡେକ୍ସରେ ସାମିଲ ହୋଇଛି ଭାରତ ।  ଫଳରେ ଏହା ବିପୁଳ ସଂଖ୍ୟାରେ  ନିବେଶକଙ୍କୁ ଆକୃଷ୍ଟ କରିବ ବୋଲି ଏସ୍‌  ଆଣ୍ଡ୍‌ ପି ପ୍ରକାଶ କରିଛି ।  

‘ଲୁକ୍‌ ଫର୍‌ୱାର୍ଡ ଏମର୍ଜିଂ  ମାର୍କେଟ୍‌ସ:ଅ ଡିସିସିଭ୍‌ ଡିକେଡ୍‌’ ନାମକ  ରିପୋର୍ଟରେ ଏସ୍‌ ଆଣ୍ଡ୍‌ ପି ପ୍ରକାଶ କରିଛି  ଯେ, ଆଗାମୀ ଦଶନ୍ଧିରେ ବିଶ୍ୱ ଅର୍ଥନୀତିକୁ  ଆକାର ଦେବାରେ ବିକାଶମୁଖୀ  ରାଷ୍ଟ୍ରଗୁଡ଼ିକ ଉଲ୍ଲେଖନୀୟ ଭୂମିକା  ଗ୍ରହଣ କରିବେ । ୨୦୩୫ ପର୍ଯ୍ୟନ୍ତ  ଏହି ରାଷ୍ଟ୍ରଗୁଡ଼ିକର ହାରାହାରି ଜିଡିପି  ଅଭିବୃଦ୍ଧି ୪.୦୬% ରହିବ । ଯାହାକି  ବିକଶିତ ରାଷ୍ଟ୍ରଙ୍କ କ୍ଷେତ୍ରରେ ୧.୫୯%  ରହିପାରେ । 

୨୦୩୫ ସୁଦ୍ଧା ବିକାଶମୁଖୀ  ବଜାରଗୁଡ଼ିକ ବିଶ୍ୱ ଅର୍ଥନୈତିକ  ଅଭିବୃଦ୍ଧିରେ ପ୍ରାୟ ୬୫% ଯୋଗଦାନ  ଦେବେ । ଏଥିରେ ବୃହତ୍‌ ଭାଗ  ଯୋଗଦାନ ଦେବେ ଭାରତ, ଚୀନ୍‌,  ଭିଏତ୍‌ନାମ ଏବଂ ଫିଲିପାଇନ୍ସ । ୨୦୩୫  ସୁଦ୍ଧା ଇଣ୍ଡୋନେସିଆ ଏବଂ ବ୍ରାଜିଲ  ଯଥାକ୍ରମେ ଅଷ୍ଟମ ଏବଂ ନବମ ବୃହତ୍‌  ଅର୍ଥବ୍ୟବସ୍ଥା ପାଲଟିବେ ବୋଲି ଏସ୍‌  ଆଣ୍ଡ୍‌ ପି ଗ୍ଲୋବାଲ ଏହାର ରିପୋର୍ଟରେ  ଉଲ୍ଲେଖ କରିଛି ।