ନୂଆଦିଲ୍ଲୀ, ୨୯/୧୧ : ଭାରତୀୟ ନୌସେନାକୁ ବଡ଼ ସଫଳତା। ଆରବ ସାଗରରେ ବଡ଼ ଅପରେସନ। ଭାରତ ଏବଂ ଶ୍ରୀଲଙ୍କା ନୌସେନାର ମିଳିତ ଅପରେସନରେ ଡ୍ରଗ୍ସ ତସ୍କରୀ ଯୋଜନା ପଣ୍ଡ। ଶ୍ରୀଲଙ୍କା ନୌସେନା ସହ ମିଶି ୫୦୦ କିଲୋ ଡ୍ରଗ୍ସ ଜବତ କଲା ଭାରତୀୟ ନୌସେନା। ଆରବ ସାଗରରେ ୨ଟି ମାଛଧରା ଡଙ୍ଗାରୁ ଏହି ଡ୍ରଗ୍ସ ଜବତ କରାଯାଇଛି। ଏହା ସହ ଡଙ୍ଗାରେ ଥିବା ସମସ୍ତ ଲୋକଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଡ୍ରଗ୍ସ ଏବଂ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଶ୍ରୀଲଙ୍କା ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ଶ୍ରୀଲଙ୍କାରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ଏହା ଭାରତ ଏବଂ ଶ୍ରୀଲଙ୍କା ନୌସେନା ମଧ୍ୟରେ ସାମୂହିକ ସୁରକ୍ଷା ଏବଂ ସହଯୋଗର ଏକ ବଳିଷ୍ଠ ଉଦାହରଣ ବୋଲି ଜଣେ ନୌସେନା ଅଧିକାରୀ କହିଛନ୍ତି।
ପ୍ରକାଶ ଥାଉକି, ନିକଟରେ ଆଣ୍ଡାମାନ ନିକୋବର ସମୁଦ୍ରରୁ ଭାରତୀୟ ତଟରକ୍ଷା ବାହିନୀ ୫,୫୦୦ କିଲୋ ମେଥାମ୍ପଟାମିନ୍ ଡ୍ରଗ୍ସ ଜବତ କରିଥିଲା। ତଟରକ୍ଷା ବାହିନୀର ଜଣେ ପାଇଲଟ ରୁଟିନ୍ ସର୍ଭିଲାନ୍ସ ସମୟରେ ଆଣ୍ଡାମାନ ନିକୋବର ବ୍ୟାରେନ ଆଇଲ୍ୟାଣ୍ଡରେ ଏକ ସନ୍ଦିଗ୍ଧ ଡଙ୍ଗା ଚିହ୍ନଟ କରିଥିଲେ। ଉକ୍ତ ଡଙ୍ଗାକୁ ଚେତାବନୀ ଦେବାରୁ କ୍ରୁ ମେମ୍ଵର ଫେରାର୍ ହେବାକୁ ଚେଷ୍ଟା କରିଥିଲେ। ଯାହାଫଳରେ ତଟରକ୍ଷା ବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଏବଂ ଡଙ୍ଗାକୁ ଜବତ କରାଯାଇଥିଲା।
ଜନ ସ୍ଵାସ୍ଥ୍ୟ ସୁରକ୍ଷା, ରାଜନୈତିକ ସ୍ଥିରତା ଏବଂ ଆର୍ଥିକ ବିକାଶ କ୍ଷେତ୍ରରେ ଡ୍ରଗ୍ସ ତସ୍କରୀ ବଡ଼ ପ୍ରଭାବ ପକାଉଛି। ସାରା ବିଶ୍ଵରେ ଡ୍ରଗ୍ସ ତସ୍କରୀର ୬୫୦ ଅରବ ଡଲାରର ବଜାର ରହିଛି। ଯାହାକି ସାରା ଦୁନିଆରେ ଅବୈଧ ଅର୍ଥବ୍ୟବସ୍ଥାର ୩୦ ପ୍ରତିଶତ। ଭାରତର ଦୁର୍ଭାଗ୍ୟ ଯେ, ଦେଶ ଡ୍ରଗ୍ସ ତସ୍କରୀର ଗୋଲଡେନ ତ୍ରିକୋଣରେ ଫସିଛି। ମିଆଁମାର, ଆଫଗାନିସ୍ତାନ ପରେ ଅଫିମର ସବୁଠୁ ବଡ଼ ଉତ୍ପାଦକ ଏବଂ ହେରୋଇନର ସବୁଠୁ ବଡ଼ ସପ୍ଲାୟର ପାଲଟିଛି। ଏହି କାରଣରୁ ମିଆଁମାରରୁ ଭାରତର ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ ବଡ଼ ଧରଣର ଡ୍ରଗ୍ସ ତସ୍କରୀ ଚାଲିଛି। ଏତଦ୍ ବ୍ୟତୀତ ଆଫଗାନିସ୍ତାନ, ପାକିସ୍ତାନ ଏବଂ ଇରାନ ମଧ୍ୟ ଡ୍ରଗ୍ସ ତସ୍କରୀ ପାଇଁ ବଦନାମ୍। ଏହି ତିନି ଦେଶର ଅପରାଧୀ ଭାରତକୁ ଡ୍ରଗ୍ସ ପଠାନ୍ତି। ଭାରତର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁ ମାତ୍ରାରେ ଡ୍ରଗ୍ସ ତସ୍କରୀ ହୁଏ। ଏହାକୁ ଅନ୍ୟ ଦେଶଗୁଡ଼ିକୁ ପଠାଯାଏ।