ଭୂବନେଶ୍ୱର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ଏବଂ ଭାରତୀୟ ସୌସେନା ଆଜି ମିଳିତ ଭାବେ ସ୍ବଦେଶୀ ଭାବେ ବିକଶିତ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ସ୍ବଦେଶୀ ଭାବେ ବିକଶିତ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭୂଲମ୍ୱ ଭାବେ ନିକ୍ଷେପ କରାଯାଇପାରିବ। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି(ଆଇଟିଆରରୁ) ଆଜି (୨୬ ମାର୍ଚ୍ଚ ୨୦୨୫) ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଥିଲାI
ପାଖ ଏବଂ କମ୍ ଉଚ୍ଚତାରେ ଦ୍ରୁତ ଗତିରେ ଯାଉଥିବା ଆକାଶମାର୍ଗର ଗୋଟିଏ ଲକ୍ଷ୍ୟକୁ ଭେଦ କରିବା ପାଇଁ ଏହି କ୍ଷେପଣାସ୍ତ୍ରକୁ ଭୂଲମ୍ୱ ଭାବେ ମାଟି ଉପରେ ରଖାଯାଇଥିବା ଏକ ଲଞ୍ଚର୍ ବା ନିକ୍ଷେପ ଉପକରଣରୁ ଛଡ଼ା ଯାଇଥିଲାI ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ସୀମା ନିକଟବର୍ତ୍ତୀ ନିମ୍ନ ଉଚ୍ଚତାରେ ଲକ୍ଷ୍ୟଭେଦ କରିବାର ସାମର୍ଥ୍ୟ ରହିଛିI
ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମ୍ପୂର୍ଣ ଭାବେ ଲକ୍ଷ୍ୟକୁ ଧ୍ୱଂସ କରି ଦେଇଥିଲାI କ୍ଷେପଣାସ୍ତ୍ରଟି ଲକ୍ଷ୍ୟ ଭେଦ କରିବାରେ ଆବଶ୍ୟକ ଉଚ୍ଚ ଟର୍ଣ୍ଣ ରେଟ୍ କାର୍ଯ୍ୟକାରୀ କରିବା ସହିତ ନିକଟରୁ ଲକ୍ଷ୍ୟ ଭେଦ କରିବାରେ ସଠିକତା ପ୍ରଦର୍ଶନ କରିଥିଲାI ଯୁଦ୍ଧ ବିନ୍ୟାସରେ ନିୟୋଜିତ ସମସ୍ତ ଅସ୍ତ୍ର ପ୍ରଣାଳୀ ଉପାଦାନ ସହିତ ଏହି ପରୀକ୍ଷା କରାଯାଇଥିଲାI ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍, ମଲ୍ଟି-ଫଙ୍କସନ୍ ରାଡାର ଏବଂ ଅସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ସମେତ କ୍ଷେପଣାସ୍ତ୍ରର ସମସ୍ତ ଉପାଦାନ ଠିକ୍ ଭାବେ କାର୍ଯ୍ୟ କରିଥିଲା।
ଏହି ପରିପ୍ରେକ୍ଷିରେ ଡିଆରଡିଓ, ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ। ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତର ଦୃଢ଼ ପରିକଳ୍ପନା ଏବଂ ବିକାଶ କ୍ଷମତାର ପ୍ରମାଣ ବୋଲି ସେ କହିଛନ୍ତି।
ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ସମୀର ଭି. କାମତ ମଧ୍ୟ ଏହି ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ନୌସେନା ଏବଂ ସମ୍ପୃକ୍ତ ଦଳମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସୁସଜ୍ଜିତ ଏହି ମିସାଇଲ ସଶସ୍ତ୍ର ବାହିନୀକୁ ଆହୁରି ପ୍ରଯୁକ୍ତିଗତ ଉନ୍ନତି ପ୍ରଦାନ କରିବ ବୋଲି ସେ କହିଛନ୍ତି।