ଆମେ ଯେଉଁମାନେ ରାଜନୈତିକ ଦଳର ସଦସ୍ୟ ନୋହୁଁ, ଯାହା ଭଲ ହୁଏ, ତା’ର ପ୍ରଶଂସା କରୁ । ଗଣତନ୍ତ୍ରରେ କୌଣସି ଦଳ ଲୋକବିରୋଧୀ ହୋଇପାରିବେ ନାହିଁ, କିଛି ନା କିଛି ଭଲ କାମ ସମସ୍ତେ କରିବେ । ଯିଏ ତା’ର ସୃଜନଶୀଳ ଚିନ୍ତନ ପାଇଁ ରାଜନୀତି ଭିତରେ ବି ମାନବୀୟ ସମ୍ପୃକ୍ତିର ସାହିତ୍ୟ ଖୋଜିପାଇବ ସିଏ ଗଣତନ୍ତ୍ରର ପ୍ରଶଂସ୍ୟ ଲୋକନାୟକ, ଏଥିରେ ଦ୍ୱିରୁକ୍ତି ନାହିଁ ।
ସାହିତ୍ୟର ଏକ ବ୍ୟାପକ ପ୍ରୟୋଗ ଭାରତୀୟଙ୍କୁ ହିଁ ଜଣାଥିଲା । ବିଶ୍ୱର ଆଉ କୌଣସି ଲୋକ ସମ୍ପ୍ରଦାୟ ତାଙ୍କର ମୂଳ ଭାଷା ବା ରୁଟ୍ ଲାଙ୍ଗୁଏଜ୍ରେ ସଂସ୍କୃତ ସମକକ୍ଷ ସମ୍ଭାବନା ନା ସୃଷ୍ଟି କରିଥିଲେ, ନା ସେ ଭାଷାମାନଙ୍କରେ ସେ ବିଶ୍ୱଦୃଷ୍ଟି ଥିଲା । ପିଲାଦିନରୁ ଇଂରେଜୀ ଲିଟରେଚର ଶବ୍ଦକୁ ଆମେ ସାହିତ୍ୟର ସମାର୍ଥବାଚକ ଶବ୍ଦ ବୋଲି ଶିଖିଲେ । ଆମର ଶୁଭଦର୍ଶୀ ଶିକ୍ଷକମାନେ ଆମକୁ କହିଲେ ଯେ, ଯାହା ହିତସାଧନ କରେ ତାହା ସାହିତ୍ୟ । ଏହି ପ୍ରକ୍ରିୟାରେ ନାନ୍ଦନିକ କ୍ରିୟା ମେଳରେ ସାହିତ୍ୟ ବି ଗଳ୍ପ, କବିତା, ପ୍ରବନ୍ଧ, ନାଟକ ହୋଇ ରହିଗଲା। ଖେଦର ବିଷୟ ଯେ ସାହିତ୍ୟକୁ ତାର ପ୍ରକୃତ ଆସନରେ ଏଯାଏଁ ଅଧିଷ୍ଠିତ କରାଯାଇନାହିଁ । ଭିତରେ, ବାହାରେ, ଉପରେ, ତଳେ ଯାହା ଥାଏ ଆମେ ତା’ ସହିତ । ଯାହା ଭାବୁ, ଯାହା ଚିନ୍ତୁ, ଯାହା କହୁ, ଯାହା ଲେଖୁ ସେ ବି ଆମ ସହିତ । ଆମେ ତାକୁ ବ୍ୟକ୍ତ କରୁ । ତାହା ଆମର ଲିଖିତ ବା ମୌଖିକ ଅଭିବ୍ୟକ୍ତି ହୁଏ । ଯାହା ଆମେ କଳ୍ପନା କରୁ ବା ସ୍ୱପ୍ନରେ ଦେଖୁ ଅଭିବ୍ୟକ୍ତି ନପାଇଲେ ତାହା ଆମ ସହିତ ଅଛି ବୋଲି ଆମେ ଭାବୁନାହୁଁ, କିନ୍ତୁ ସେ ରହେ । ସ୍ଥୂଳ ଭାବର ସହିତ ଯେତେବେଳେ ବ୍ୟକ୍ତ ହୁଏ ସେତେବେଳେ ସାହିତ୍ୟ ହୁଏ ।
ୟା ବି କୁହାଯାଇପାରେ ଯେ, ମଣିଷ ଯାହା କରେ ତାର ଅଭିବ୍ୟକ୍ତି ସାହିତ୍ୟ । ଏଭଳି ବି କୁହାଯାଇପାରେ ଯେ ଜୀବନ ଯଦି ଏକ ପାତ୍ର ହୁଏ ତହିଁରେ ଗର୍ଭିତ ସବୁକିଛି ସାହିତ୍ୟ । ଜ୍ଞାନ ବିଜ୍ଞାନ ସହିତ କଳ୍ପନା, ରଚନା ସବୁର ସାହିତ୍ୟକୁ ହିଁ ପଢୁ ବା ଲେଖୁ, କହୁ ବା ଲୁଚାଉ । ଅନୁଭବ, ଅନୁଭୂତି, ସ୍ମୃତି, ସଂକେତ, ଧର୍ମ, ଶାସ୍ତ୍ର, ମନ୍ତ୍ର, ତର୍କ, ବ୍ୟାଖ୍ୟାନ, କଥା କବିତା, ଦନ୍ତକଥା, ସବୁ ସାହିତ୍ୟ । କୃଷିର ସାହିତ୍ୟ, କାଠକାମର ବି ସାହିତ୍ୟ । କିନ୍ତୁ ରାଜନୀତିର ସାହିତ୍ୟ? ପଲିଟିକ୍ସ ଅଫ ଲିଟରେଚର ଅତି ସଂକୀର୍ଣ୍ଣ, ବ୍ୟବହାରରେ ସିଏ ଅଧିକ ଅର୍ଥବତ୍ତା ପାଇଛି । କିନ୍ତୁ ଭାରତୀୟମାନଙ୍କ ପାଇଁ ରାଜନୀତିର ସାହିତ୍ୟ ଗୋଟେ ବଡ଼ ନୀତିଗତ ପ୍ରସଙ୍ଗ । ତାଙ୍କ ପଲିଟିକ୍ସ ପ୍ରାଚୀନ ଗ୍ରୀକ ଶବ୍ଦ ପଲିଟିକାରୁ ତିଆରି । ପଲିଟିକାର ଅର୍ଥ ନଗର ବ୍ୟାପାର । ତାକୁ ବଢ଼େଇ ବଢ଼େଇ କୋଉଯାଏଁ ଆଣିଲେଣି ସେମାନେ ଦେଖନ୍ତୁ । ଆମପାଇଁ ରାଜନୀତି ହେଉଚି ରାଜତ୍ୱ ଓ ରାଜପଣର ନିର୍ବାହ ନୀତି । ଆମର ରାଜ୍ୟ ବ୍ୟାପାର ନୀତି ଗର୍ଭିତ ମୂଳରୁ । ତାଙ୍କ ପଲିଟିକା ସମୟାନୁକ୍ରମେ ଅର୍ଥ ଗ୍ରହଣ କରିଚାଲିଚି । ଯେଉଁ ପଲିଟିକ୍ସକୁ ଆମେ ରାଜନୀତି କହୁଚେ ସେଇଟା ଗୋଟେ ପରିବର୍ତ୍ତନଶୀଳ ନୀତି- ନିରପେକ୍ଷ ବ୍ୟାପାର । ଭାରତୀୟଙ୍କ ସମସ୍ୟା ଏହି ଯେ, ନୀତିପୁଷ୍ଟ ତାଙ୍କର ଜୀବନ ରାଜନୀତିରେ ଅଚଳ । ତାର ସବୁଠୁ ବଡ଼ କାରଣ ନାଗରିକର ସମ୍ବେଦନଶୀଳ ନୀତିପ୍ରସ୍ଥ ବା ମାନବୀୟ ପକ୍ଷକୁ ସ୍ପର୍ଶ କରୁଥିବା ବାର୍ତ୍ତା ସେମାନଙ୍କୁ ରାଜନୀତିରୁ ମିଳେନାହିଁ । ତାର ବି ବଡ଼ କାରଣ ସତ୍ତାଧାରୀ ରାଜନେତାଙ୍କ ସମ୍ବୋଧନରେ ସାହିତ୍ୟ ନଥାଏ । ପ୍ରତିଶ୍ରୁତି ସାହିତ୍ୟ ନୁହେଁ, ଯଦି ମାନବୀୟ ପକ୍ଷ ଉଜାଗର ନହୁଏ । ସାହିତ୍ୟ ଆସିବ ସମ୍ପୃକ୍ତିରୁ, ସମ୍ବେଦନଶୀଳ ଭାଗିଦାରୀରୁ ।
ଆଗରୁ ଥରେ ମୁଁ ଏହି ସ୍ତମ୍ଭରେ ବ୍ୟାଖ୍ୟାନହୀନ ସମୟର କଥା କହିଥିଲି । ସେ ଥିଲା ଆମ ସମୟକୁ ସଂକେତହୀନ, ରୂପହୀନ, ବର୍ଣ୍ଣହୀନ, ନିରିନ୍ଦ୍ରୀୟ ତତ୍କାଳରେ ବଞ୍ଚିବାର ବସ୍ତୁପାଠ ବିରୋଧରେ ଆମର ଅସନ୍ତୋଷ । ସାହିତ୍ୟହୀନତା ଏକ ବୃହତ୍ତର ସମସ୍ୟା । କୌଣସି ମାନବୀୟ କର୍ମର ସାହିତ୍ୟ ନରହିବାର ଅର୍ଥ, ସେ କର୍ମର ଗତି ଜଣା ଅଛି, କିନ୍ତୁ ପ୍ରକୃତି ଜଣାନାହିଁ । ସାହିତ୍ୟହୀନତାର ଅର୍ଥ ସମ୍ବାଦହୀନତା । ବ୍ୟାଖ୍ୟାନ, ସାହିତ୍ୟ ଓ ସମ୍ବାଦ କ୍ଷୟ ପାଇ ଯଦି ସଂକେତ, ନିରବତା ଓ ଯାନ୍ତ୍ରିକ ସଂକ୍ଷିପ୍ତୀକରଣରେ ସଂକୁଚିତ ହୋଇଯାନ୍ତି, ତେବେ ମାନବୀୟ ସଂସର୍ଗ, ସମ୍ବନ୍ଧ ବା ବାର୍ତ୍ତା ସମ୍ପ୍ରେଷଣ ରହିବନାହିଁ ।
ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ‘ମନ୍ କୀ ବାତ୍ ଓ ପରୀକ୍ଷା ପେ ଚର୍ଚ୍ଚା’ର ଥିଓରାଇଜେସନ ବା ତାତ୍ତ୍ୱିକରଣ ହେବା ଆବଶ୍ୟକ । ଯେଉଁ ପାଶ୍ଚାତ୍ୟ ମଡେଲରେ ଆମର ବ୍ୟବସ୍ଥାଗୁଡ଼ିକ ସମ୍ବିଧାନ ମାଧ୍ୟମରେ ଆମକୁ ମିଳିଛନ୍ତି ବା ଗଣତନ୍ତ୍ରର ଯେଉଁ ଉଦାରବାଦୀ ରଚନାମାନେ ଆମର ନାଗରିକତାକୁ ଅର୍ଥ ଦେଇଛନ୍ତି ତହିଁରେ ସମ୍ପୃକ୍ତିର ଭାଷା ନାହିଁ, ଶକ୍ତି ପ୍ରୟୋଗ ଓ ବିତରଣର ମାର୍ଗ ଅଛି । ସ୍ୱାଧୀନତା ପରର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଜୀ ପିଲାଙ୍କୁ ଭଲପାଉଥିଲେ, ଏହି ସ୍ନେହୀ ବ୍ୟକ୍ତିତ୍ୱ ତାଙ୍କୁ ଭାରତୀୟ ଶିଶୁଙ୍କ ଚାଚାରେ ପରିଣତ କରିଥିଲା । ଭାରତୀୟମାନେ ୟାକୁ ଜଣେ ସର୍ବୋଚ୍ଚ ରାଜନେତାର ମାନବୀୟ ସମ୍ପୃକ୍ତି ବୋଲି ଗ୍ରହଣ କରିନେଇଥିଲେ । ଏବେ ମୋଦିଜୀ ଭାରତର ନାଗରିକଙ୍କ ସହିତ ମନ୍ କୀ ବାତ୍ ଓ ଜୀବନ ସଂଗ୍ରାମ ପାଇଁ ପ୍ରସ୍ତୁତ ହେଉଥିବା ଯୁବପିଢ଼ି ସହିତ ପରୀକ୍ଷା ପେ ଚର୍ଚ୍ଚା ମାଧ୍ୟମରେ ସମ୍ପୃକ୍ତି ସ୍ଥାପିତ କରୁଛନ୍ତି । ଇଏ ଗଣତନ୍ତ୍ରର ଆଧୁନିକତମ ପ୍ରୟୋଗ । ମୁଁ ଭାଜପାର ସଦସ୍ୟ ନୁହେଁ କି ମୋର କୌଣସି ରାଜନୈତିକ ଅଭିଳାଷ ନାହିଁ । କିନ୍ତୁ ଜଣେ ନାଗରିକ ଓ ରାଜନୀତି ବିଜ୍ଞାନର ଛାତ୍ର ଭାବରେ ସମଗ୍ର ବିଶ୍ୱର ରାଜନୀତି ଓ ବୌଦ୍ଧିକ ଉର୍ଜା ଉପରେ ମୋର ଆଗ୍ରହ । ଏ ସମ୍ପୃକ୍ତିର ସାହିତ୍ୟ, ଜଣେ ତୁଙ୍ଗସ୍ଥ ରାଜନେତା ଯଦି ଲୋକବିମର୍ଶ ତାଙ୍କ ରାଜନୀତିକୁ ଦେଉଚନ୍ତି ଭୁଲ୍ କେଉଁଠି? ବିଶ୍ୱର କୌଣସି ଦେଶରେ ରାଜନୈତିକ ଦୃଶ୍ୟପଟ୍ଟରେ ଲୋକଙ୍କ ସହିତ ନେତାଙ୍କ ଏଭଳି ନିୟମିତ ବାର୍ତ୍ତାକାରୀ ନାହିଁ । ଆପାତ ସ୍ଥିତିରେ ଦେଶମୁଖ୍ୟ ବା ଅଧିକୃତ କେହିଜଣେ କିଛିଦିନ ପାଇଁ ବାର୍ତ୍ତା ଦିଅନ୍ତି ଲୋକକୁ ଉଦ୍ଦୀପ୍ତ କରିବା ପାଇଁ ବା ସ୍ଥିତି ଅବଗତ କରାଇବା ପାଇଁ । କିନ୍ତୁ ସାଧାରଣ ସମୟରେ ଲୋକଙ୍କୁ ନିଜ ଦୃଷ୍ଟିକୋଣ ସହୃଦୟତା ଓ ଦୃଢ଼ତାର ସହିତ ବତାଇବା, ଲୋକଙ୍କୁଗଣମାଧ୍ୟମରେ ବିଶ୍ୱାସକୁ ନେବା ଅପୂର୍ବ! ଯେତେବେଳେ ମନ୍ କୀ ବାତ୍ ରେଡିଓରେ ପ୍ରସାରିତ ହେଲା, ସେତେବେଳେ ମୁଁ ଜଣେ ବିସ୍ମିତ ନାଗରିକ ଭାବରେ କେବଳ ଶୁଣିଲି । ମୁଁ ଭାବିନଥିଲି ଯେ ଏ ବାର୍ତ୍ତାକାରୀ ଆରମ୍ଭ ମାତ୍ର । ଏ ଭିତରେ ପ୍ରଥମ ପଚାଶଟି ମନ୍ କୀ ବାତ୍’କୁ ଏକାଠି କରି ରୂପା ପ୍ରକାଶନୀ ଗୋଟିଏ ବିପୁଳକାୟ ଗ୍ରନ୍ଥ ୨୦୧୯ରୁ ପ୍ରକାଶିତ କରିସାରିଲେଣି । ୟାର ତାତ୍ତ୍ୱିକରଣ ଆମେ ଏଯାଏଁ ଭାରତୀୟ ରାଜନୀତି ବିଜ୍ଞାନରେ କରିନାହେଁ । ପାଶ୍ଚାତ୍ୟ ଦେଶମାନଙ୍କରେ ପ୍ରତି ରାଷ୍ଟ୍ରପତି ନିର୍ବାଚନର ପ୍ରଚାରଶୈଳୀ ଓ ଦଳୀୟ ଏଜେଣ୍ଡାର ସମ୍ପ୍ରେଷଣ ବି ଥିଓରାଇଜ କରାଯାଏ । ଦୁଇ ଟର୍ମ କରିଥିବା ସବୁ ଆମେରିକାନ ରାଷ୍ଟ୍ରପତିଙ୍କ ନିର୍ବାଚନୀ ରଣକୌଶଳ ଏବେ ତତ୍ତ୍ୱରୁ ପାଠକୁ ଗଲାଣି । ଗୋଟେ ବିରାଟ ଗଣତାନ୍ତ୍ରିକ ପ୍ରୟୋଗ ମନ୍ କୀ ବାତ୍, ତା’ର ତତ୍ତ୍ୱ କିଏ ଲେଖିବ?
ମନ୍ କୀ ବାତ୍’ରେ ଜଣେ ନାଗରିକ ଯଦି କିଛି ପ୍ରମାଦପୂର୍ଣ୍ଣ ବିମର୍ଶ ସୁରାକ ପାଏ, ତାହା ବି କୁହାଯାଇପାରିବ । ସାଧାରଣ ଲୋକଙ୍କଠୁଁ ନେଇ ବିଶେଷଜ୍ଞ ଓ ବିଦ୍ୱାନଙ୍କ ପର୍ଯ୍ୟନ୍ତ ଯେଉଁମାନେ ମନ୍ କୀ ବାତ୍ ଶୁଣିଚନ୍ତି, ସେମାନେ ସମସ୍ତେ ଦଳ ନିର୍ବିଶେଷରେ ସହମତ ଯେ ନାଗରିକ ସହିତ ରେଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ ଏକ ବଳିଷ୍ଠ ପ୍ରୟୋଗ । ଯେଉଁମାନେ ୟାକୁ ପସନ୍ଦ କରୁନାହାଁନ୍ତି ସେମାନେ ଦଳୀୟ ଦୃଷ୍ଟିକୋଣରୁ ତାହା କରୁଥାଇପାରନ୍ତି । କିନ୍ତୁ ମନ୍ କୀ ବାତ୍’ରେ ଏମିତି କ’ଣ କହିଚନ୍ତି ଯାହା ଭୁଲ୍ ବା ବିଭ୍ରାନ୍ତି ସୃଷ୍ଟିକାରୀ? ପଚାଶଟି ସମ୍ବୋଧନର ସଂକଳିତ ପାଠ ଆମ ଆଗରେ । ଆମେ ତାକୁ ପଢ଼ିପାରିବା ଓ ଭୁଲ୍ ଦେଖେଇ ପାରିବା । ତା’ ନକରି କେବଳ ଏଡ଼େଇଗଲେ ହେବ କି? ମୁଁ ଏ ସଂକଳନଟି ପଢ଼ିଚି ଓ ତିରିଶରୁ ଊଦ୍ଧ୍ୱର୍ ସମ୍ବୋଧନ ରେଡିଓରୁ ଶୁଣିଚି ଗୃହକର୍ମୀଙ୍କ ସହିତ ।
କୌଣସି ଗୋଟିଏ ସ୍ଥାନରେ ବି ମୁଁ ବିଭ୍ରାନ୍ତିକର କିଛି ପାଇନାହିଁ । ବରଂ ଭାରତର କୋଣ ଅନୁକୋଣରୁ ଛୁଟିଥିବା ଅସଂଖ୍ୟ ଅନୁରୋଧ, ପ୍ରାର୍ଥନା, ସୂଚନା, କୃତିତ୍ୱ ଓ ସାହସର କାହାଣୀ ସମାବିଷ୍ଟ ଏ ସମ୍ବୋଧନ ରାଜନୀତିର ମାନବୀୟ ସମ୍ପୃକ୍ତି ଉଜାଗର କରିଚି । ବିଶ୍ୱର ଗଣତନ୍ତ୍ର ପାଇଁ ଭାରତୀୟ ଗଣତନ୍ତ୍ରର ଏ ଏକ ଅବଦାନ । ଜଣେ ରାଜନେତାର ଉତ୍ତମ କାର୍ଯ୍ୟକୁ ପ୍ରଶଂସା କରିବା ପାଇଁ ସେ ଦଳର ସଦସ୍ୟ ହେବା ଆଦୌ ଜରୁରି ନୁହେଁ । ଯେଉଁ ଦଳ ଶାସନ କରୁ, ଗୋଟେ ଦୃଷ୍ଟାନ୍ତ ସ୍ଥାପନକାରୀ କାର୍ଯ୍ୟକୁ ଅଣଦେଖା କରିବା ଅଗଣତାନ୍ତ୍ରିକ । ସମୀକ୍ଷା କରନ୍ତୁ, ଆଲୋଚନା କରନ୍ତୁ, ଗ୍ରହଣ କରନ୍ତୁ ବା ପ୍ରତ୍ୟାଖ୍ୟାନ କରନ୍ତୁ, କାରଣ ଦର୍ଶାନ୍ତୁ, ଚର୍ଚ୍ଚା କରନ୍ତୁ । ଏହାହିଁ ହେବ ଗଣତନ୍ତ୍ରକୁ ପୁଷ୍ଟ କରୁଥିବା ରାଜନୀତିର ସାହିତ୍ୟ ।
ପରୀକ୍ଷା ପେ’ ଚର୍ଚ୍ଚା ଯୁବପିଢ଼ି ସହିତ ପ୍ରଧାନମନ୍ତ୍ରୀଙ୍କର ପ୍ରତ୍ୟକ୍ଷ ବାର୍ତ୍ତାଳାପ । ୟାକୁ ବି ଦେଖିଲି ଓ ଶୁଣିଲି । ଆମର ନୂଆ ପିଢ଼ିର ପିଲାମାନେ ଅଜ୍ଞାନ ବାଳୁତ ନୁହଁନ୍ତି । ଅଳ୍ପ ବୟସରୁ ସେମାନେ ଟେକ୍ନୋଲୋଜି ଓ ତାର ପ୍ରୟୋଗକୁ ନେଇ ସମର୍ପିତ । ପରୀକ୍ଷାରେ ସାମାନ୍ୟ ଖରାପ ଫଳ, ଏମିତିକି ଶତକଡ଼ା ଶହେରୁ କେତେ କମିଲା ତାକୁ ନେଇ ଆତଙ୍କ, ଦୁଇ ପ୍ରତିଶତ କମିଗଲେ ହତାଶ । ଯୁବପିଢ଼ି ପାଇଁ ପରୀକ୍ଷା ଏକ ଭୟଙ୍କର ରୂପ ନେଇ ଠିଆ ହେଇଥିଲାବେଳେ ଦେଶର ପ୍ରଧାନମନ୍ତ୍ରୀ ପିଲାଙ୍କୁ ଧୈର୍ଯ୍ୟ, ସାହସ ଓ ଏକ ଗଠନମୂଳକ ଦୃଷ୍ଟିକୋଣ ଦେବା କେତେ ସାନ୍ତ୍ୱନାପ୍ରଦ ଦେଖିଲେ ଜାଣିବେ । ଜଣେ ମୁରବି ଘରର ପିଲାଙ୍କୁ କୋଳେଇ ନେଲାଭଳି ଏକ ଅନୁଭୂତି ହେଲା ମୋର । ଏ ଗୋଟିଏ ବାର୍ଷିକ କାର୍ଯ୍ୟକ୍ରମ । ହଜାର ହଜାର ପିଲା ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ, ବିଚାର ଓ ଉପଦେଶ ଶୁଣିବେ, ଦମ୍ଭ ପାଇବେ, ୟାକୁ ନଦେଖି ଏ କାର୍ଯ୍ୟକ୍ରମରେ ସରକାର କେତେ ଖର୍ଚ୍ଚ କଲେଣି ତା’ର ହିସାବ ଜରୁରି କି? ଅଭିଭାବକଙ୍କ ସହିତ ପିଲାଟିଏ ବସି ବିଶେଷଜ୍ଞଙ୍କୁ ଶୁଣୁଥିବ, ପ୍ରଧାନମନ୍ତ୍ରୀ ନିଜେ କହୁଥିବେ ପିଲାଏ ଭାଙ୍ଗିପଡ଼ନା, ପରୀକ୍ଷା-ଯୋଦ୍ଧା ହୁଅ, ୟାର ପ୍ରଭାବ କଥା ଚିନ୍ତା କରନ୍ତୁ । କେତେ ଜୀବନ ବଞ୍ଚେଇଥିବ ଏ ଚର୍ଚ୍ଚା, କେତେ ପିଲା ମୁକୁଳିଥିବେ ଆତଙ୍କରୁ ଭାବନ୍ତୁ । ୟାର ମୂଲ୍ୟ ଟଙ୍କାରେ ନାହିଁ । ଇଏ ରାଜନୀତିର ଆଧ୍ୟାତ୍ମିକ ସାହିତ୍ୟ । ଜୀବନ ବଞ୍ଚେଇବା, ଜୀବନକୁ ସୁନ୍ଦର କରିବାର ସଂକଳ୍ପ ସୃଷ୍ଟିକରିବା କ’ଣ ମାନବୀୟ ସମ୍ପୃକ୍ତିର ସୁନ୍ଦରତମ ଦୃଷ୍ଟାନ୍ତ ନୁହେଁ?
ଆମେ ଯେଉଁମାନେ ରାଜନୈତିକ ଦଳର ସଦସ୍ୟ ନୋହୁଁ, ଯାହା ଭଲ ହୁଏ, ତା’ର ପ୍ରଶଂସା କରୁ । ଗଣତନ୍ତ୍ରରେ କୌଣସି ଦଳ ଲୋକବିରୋଧୀ ହୋଇପାରିବେ ନାହିଁ, କିଛି ନା କିଛି ଭଲ କାମ ସମସ୍ତେ କରିବେ । ଯିଏ ତା’ର ସୃଜନଶୀଳ ଚିନ୍ତନ ପାଇଁ ରାଜନୀତି ଭିତରେ ବି ମାନବୀୟ ସମ୍ପୃକ୍ତିର ସାହିତ୍ୟ ଖୋଜିପାଇବ ସିଏ ଗଣତନ୍ତ୍ରର ପ୍ରଶଂସ୍ୟ ଲୋକନାୟକ, ଏଥିରେ ଦ୍ୱିରୁକ୍ତି ନାହିଁ । ଏତିକି ସ୍ୱୀକାର କରିବା ପାଇଁ ଦ୍ୱିଧା କାହିଁକି? ନାଗରିକ ଉଦାର, ସକାରାତ୍ମକ ଓ ଶୁଭଦୃଷ୍ଟିସମ୍ପନ୍ନ ନହେଲେ ଲୋକକ୍ଷେତ୍ର ସୁବିଧାବାଦୀ ଓ ସୁଯୋଗବାଦୀଙ୍କ ନିହିତସ୍ୱାର୍ଥ ଦ୍ୱାରା କବଳିତ ହୋଇଯିବ ।