ନୂଆଦିଲ୍ଲୀ,୨୭/୦୪: ଆଇପିଏଲର ୪୩ତମ ଲିଗ୍ ମୁକାବିଲାରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଘରୋଇ ଗ୍ରାଉଣ୍ଡ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାକୁ ଯାଉଛି । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଉପରେ ରହିଥିବା କ୍ୟାପିଟାଲ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ସବୁ ବିବାଦ ଓ ଦୟନୀୟ ପ୍ରଦର୍ଶନକୁ ପଛରେ ଛାଡ଼ି ବିଜୟ ସହ ନୂଆ ଅଭିଯାନ ଆରମ୍ଭ କରିବାକୁ ଅପେକ୍ଷା କରିଛି ।
କ୍ୟାପିଟାଲ୍ସ ଦଳ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଶନିବାର ଜିତିଲେ ପଞ୍ଚମକୁ ଉନ୍ନୀତ ହୋଇ ପାରିବ । ପୂର୍ବ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ହରାଇବା ପରେ ଦଳର ମନୋବଳ ବୃଦ୍ଧି ପାଇଛି । ବିଶେଷ କରି ରିଷଭ ପନ୍ତ ପୂର୍ବ ଫର୍ମକୁ ଫେରିଥିବାରୁ ଦଳର ଉତ୍ସାହ ବଢ଼ି ଯାଇଛି । ଟାଇଟନ୍ସ ବିପକ୍ଷରେ ୪୪ ବଲ୍ରୁ ଅପରାଜିତ ୮୮ ରନ୍ର ଇନିଂସକୁ ଦର୍ଶକ ସହଜରେ ଭୁଲି ପାରିବେ ନାହିଁ । ଲେଗ ସ୍ପିନର କୁଲଦୀପ ଯାଦବଙ୍କ ପ୍ରଦର୍ଶନ କ୍ୟାପିଟାଲ୍ସ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସେ ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ବେଳେ ଆହତ ଥିଲେ । ଇତି ମଧ୍ୟରେ ସେ ୧୨ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଛି । ଗତ ୨ଟି ସିଜନ ତୁଳନାରେ ଏଥର ଦଳ ବେଶ୍ ଶକ୍ତିଶାଳୀ ଓ ସନ୍ତୁଳିତ । ମାତ୍ର ନେତୃତ୍ୱ ପରିବର୍ତ୍ତନକୁ ନେଇ ଉପୁଜିଥିବା ବିବାଦୀୟ ପରିସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନରେ ବାଧକ ସାଜିଛି । ଦଳରେ ଏକତା ନଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । କିଛି ବ୍ୟକ୍ତିଗତ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୩ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି ।
ପୂର୍ବ ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସପକ୍ଷରେ ରହିଥିଲେ ହେଁ ଶନିବାର ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୪ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ଟି ମ୍ୟାଚ୍ ଜିତିଛି ଓ କ୍ୟାପିଟାଲ୍ସ ୧୫ଟି ମ୍ୟାଚ୍ରେ ବିଜୟୀ ହୋଇଛି । ଗତ ୭ ତାରିଖରେ ଉଭୟ ଦଳ ୱାଙ୍ଖଡ଼େରେ ପରସ୍ପରକୁ ଭେଟିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ୨୯ ରନ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା।
ବର୍ତ୍ତମାନ ସମୟ ବଦଳିଛି । ଦିଲ୍ଲୀ ଅନେକ ତ୍ରୁଟି ସୁଧାରି ନେଇଛି । ଏକ ସନ୍ତୁଳିତ ଏକାଦଶ ଗଠନ କରିବାରେ ମଧ୍ୟ ସଫଳ ହୋଇଛି । ଶନିବାର ମୁମ୍ବାଇ ଇଣ୍ଡିଆନ୍ସକୁ କଡ଼ା ଟକ୍କର ଦେବାକୁ ଦଳ ପ୍ରସ୍ତୁତ ରହିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ତାରକାଙ୍କ ଅଭାବ ନାହିଁ । ମାତ୍ର ଦଳଗତ ପ୍ରଦର୍ଶନର ଅଭାବ ଚିନ୍ତାର କାରଣ ହୋଇଛି ।
ଶନିବାରର ମ୍ୟାଚ୍ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ। କାରଣ ଏହି ମ୍ୟାଚ୍ରେ କିଛି ବ୍ୟକ୍ତିଗତ ଲଢେଇ ଦେଖିବାକୁ ମିଳିବ । ପନ୍ତ ଓ ଯଶପ୍ରୀତ ବୁମରାଙ୍କ ମଧ୍ୟରେ ଏକ ଜୋରଦାର ମୁକାବିଲା ହୋଇପାରେ । ଠିକ୍ ସେହିପରି ମୁମ୍ବାଇର ଦୁର୍ଦ୍ଧର୍ଷ ବ୍ୟାଟରଙ୍କୁ ଅଟକାଇବାରେ କୁଲଦୀପଙ୍କ କୌଶଳ କେତେଦୂର ସଫଳ ହେବ, ତାହା ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।
ଶନିବାର ଉଭୟ ଦଳ ଏକାଦଶ ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି । ଡେଭିଡ୍ ୱାର୍ଣ୍ଣର ଓ ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ଆସନ୍ତାକାଲି ଖେଳିବା ସମ୍ଭାବନା କ୍ଷୀଣ । ତେଣୁ କ୍ୟାପିଟାଲ୍ସ ରସିକ ସଲାମଙ୍କୁ ପୁନର୍ବାର ଇମ୍ପାକ୍ଟ ପ୍ଲେୟାର ଭାବେ ସୁଯୋଗ ଦେବ । କୋଟଲା ଗ୍ରାଉଣ୍ଡ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ତେଣୁ ଶନିବାର ବିଶାଳ ସ୍କୋର ସଂଗୃହୀତ ହେବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକପ୍ରକାର ନିଶ୍ଚିତ।