ନିର୍ବାଚନ ଖବର
  • ଜେଲ୍‌ ବିଭାଗରେ ବଡ଼ ଧରଣ ଅଦଳବଦଳ: ୧୯ଜଣ ଜେଲର୍‌ଙ୍କ ବଦଳି
  • ||
  • ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ବିଧାୟକ ପ୍ରଶାନ୍ତ ଜଗଦେବ
  • ||
  • ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବ: ଆଜି ମଙ୍ଗଳକୃତ୍ୟ ନୀତି, ସୋମବାର ହର-ଗୌରୀଙ୍କ ପଡିବ ହସ୍ତଗଣ୍ଠି
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ହାଇ-ଭୋଲଟେଜ ଟକ୍କର, ନସାଓରେ ଭାରତ- ପାକିସ୍ତାନ ମୁକାବିଲା
  • ||
  • ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ସମାରୋହ ଉତ୍ସବ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି
  • ||
  • ଓଡ଼ିଶା ଛୁଇଁଲା ମୌସୁମୀ, ହେଲେ ତାତିରୁ ମିଳିବନି ତ୍ରାହି, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ
  • ||

ଭାରତୀୟ ଦଳକୁ ମିଳିପାରନ୍ତି ବିଦେଶୀ ପ୍ରଶିକ୍ଷକ, ହେଡ୍‌ କୋଚ୍‌ ପାଇଁ ଆଗ୍ରହୀ ଜଷ୍ଟିନ୍‌ ଲାଙ୍ଗର

Image Courtesy: news18

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ (ହେଡ୍‌ କୋଚ୍‌) ହେବାକୁ ଏବେ ଏକପ୍ରକାର ରେସ୍‌ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆର ପୂର୍ବତନ ଓପନର ଏବଂ ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍‌ ଜଷ୍ଟିନ୍ ଲାଙ୍ଗର ଭାରତୀୟ କ୍ରିକେଟ ଟିମ୍‌କୁ ପ୍ରଶିକ୍ଷଣ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା ଟି-୨୦ ବିଶ୍ବକପ୍‌ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ପଦବୀ ଖାଲି ପଡ଼ିବ । ସେପଟେ ମୁଖ୍ୟ କୋଚ୍‌ ନିଯୁକ୍ତି ପାଇଁ ବିସିସିଆଇ ମଧ୍ୟ ବିଜ୍ଞପ୍ତି ଜାରି କରିସାରିଛି । ତେବେ ଏହି ପଦବୀ ପାଇଁ ଆଗ୍ରହୀ କି ବୋଲି ଲାଙ୍ଗରଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଏହାର ଜବାବରେ ସେ କହିଛନ୍ତି, ମୁଁ ଏଥିପାଇଁ ବହୁତ ଆଗ୍ରହୀ । କିନ୍ତୁ ମୁଖ୍ୟ କୋଚ୍‌ ପାଇଁ ଆବେଦନ କରିବି ବୋଲି କେବେ ଭାବିନାହିଁ । ଅନ୍ତର୍ଜାତୀୟ କୋଚ୍‌ ହେବାକୁ ବହୁତ ଇଚ୍ଛା । ବିଶେଷ କରି ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ହେବା ନିଶ୍ଚିତ ରୂପେ ଏକ ଅସାଧାରଣ ଅନୁଭୂତି ସାବ୍ୟସ୍ତ ହେବ । 

ସୂଚନାଯୋଗ୍ୟ ଯେ, ପୂର୍ବରୁ ୪ ଜଣ ବିଦେଶୀ ଖେଳାଳି ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଜନ୍ ରାଇଟ୍‌ (୨୦୦୦-୦୫), ଅଷ୍ଟ୍ରେଲିଆର ଗେର୍ଗ ଚାପେଲ୍‌ (୨୦୦୫-୦୭), ଦକ୍ଷିଣ ଆଫ୍ରିକାର ଗ୍ୟାରି କଷ୍ଟନ୍‌ (୨୦୦୮-୦୯) ଏବଂ ଜିମ୍ବାଓ୍ବେର ଡନକାନ ଫ୍ଲେଚର (୨୦୧୧-୧୫) ଭାରତୀୟ ଟିମ୍‌କୁ ପ୍ରଶିକ୍ଷଣ ଦେଇସାରିଛନ୍ତି । ଆଉ ଏବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ଆଉ ଥରେ ଭାରତୀୟ ଦଳକୁ ବିଦେଶୀ କୋଚ୍‌ ମିଳିପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । ଏପରିକି ପୂର୍ବରୁ ବିଦେଶୀ କୋଚ୍‌ଙ୍କ ନିଯୁକ୍ତିକୁ ନେଇ ବିସିସିଆଇ ସଚିବ ଇସାରା କରିଥିଲେ । 

 ଶେଷ ଥର ପାଇଁ ଭାରତୀୟ କ୍ରିକେଟ୍ ଦଳର ବିଦେଶୀ ପ୍ରଶିକ୍ଷକ ଥିଲେ ଡନକାନ ଫ୍ଲେଚର  । ୨୦୧୪ରେ ସେ ବିଦାୟ ନେବା ପରଠାରୁ ଭାରତରେ ତିନି ଜଣ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି । ଭାରତୀୟ କୋଚ୍‌ ହେଉଛନ୍ତି- ଅନିଲ କୁମ୍ବଲେ, ରବି ଶାସ୍ତ୍ରୀ ଏବଂ ରାହୁଲ ଦ୍ରାବିଡ।  ଆଉ ଏବେ ଲାଙ୍ଗରଙ୍କ ଆଗ୍ରହ ଦେଖିବା ପରେ ବିସିସିଆଇ ଏକ ଦଶନ୍ଧିରୁ ଅଧିକ ସମୟ ପରେ ବିଦେଶୀ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଲାଙ୍ଗରଙ୍କ କ୍ରିକେଟ କ୍ୟାରିୟର ଉପରେ ନଜର ପକାଇଲେ ସେ ୧୦୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ୪୫ ରନ୍‌ର ଆଭେରେଜ୍‌ ସହ ୭୬୯୬ ରନ୍‌ କରିଛନ୍ତି ।  ସେ ଅଷ୍ଟ୍ରେଲିଆ ଟିମକୁ ସଫଳତାପୂର୍ବକ ୪ ବର୍ଷ ଧରି ପ୍ରଶିକ୍ଷଣ ଦେଇଛନ୍ତି । ଆଉ ଲାଙ୍ଗରଙ୍କ ସମୟରେ ଅଷ୍ଟ୍ରେଲିଆ ଟିମ୍‌ ୨୦୨୧ରେ ଟି-୨୦ ବିଶ୍ବକପ୍‌ ବିଜୟୀ ହୋଇଥିଲା । 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.