ନୂଆଦିଲ୍ଲୀ, ୩୧/୦୩ : ପ୍ରେମ ବିବାହ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ପ୍ରେମ ବିବାହକୁ ପରିବାରର ସମ୍ମାନ ସହ ଯୋଡ଼ିବା ଅନୁଚିତ୍। ସାବାଳିକା ହୋଇଥିଲେ ନିଜ ପସନ୍ଦ ମୁତାବକ ପୁଅ ସହ ବିଭାହ କରିବାର ଅଧିକାର ରହିଛି। ଏଭଳି ମାମଲାରେ ରାଜ୍ୟ ସରକାର ଦମ୍ପତିଙ୍କ ସୁରକ୍ଷା, ସ୍ଵତନ୍ତ୍ରତା ଏବଂ ସମ୍ପତ୍ତିର ସୁରକ୍ଷା ଦେବା ଉଚିତ୍। ଜଷ୍ଟିସ୍ ଜେଜେ ମୁନୀର ଏବଂ ଜଷ୍ଟିସ୍ ତରୁଣ ସକସେନାଙ୍କ ଖଣ୍ଡପୀଠ ଏକ ଯାଚିକାର ଶୁଣାଣି କରି ଏହି ରାୟ ଦେଇଛନ୍ତି।
ସୂଚନାନୁଯାୟୀ, ପ୍ରେମ ବିବାହ କରିଥିବା ଏକ ନବବିବାହିତ ଦମ୍ପତି ନିଜ ପରିବାର ଠାରୁ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଦୁହେଁ ନିଜ ଇଚ୍ଛାରେ ଆର୍ଯ୍ୟ ସମାଜ ମନ୍ଦରରେ ବିବାହ କରିଥିଲେ। ସେମାନେ ବିବାହ ପଞ୍ଜୀକରଣ ମଧ୍ୟ କରାଇଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକ ଏହାକୁ ବିରୋଧ କରୁଥିଲେ। ସେମାନେ ମିଥ୍ୟା ଅପରାଧିକ ଅଭିଯୋଗ ଆଣିଥିଲେ। ଫଳରେ ଅନରକିଲିଂ ଆଶଙ୍କାରେ ଦମ୍ପତି ଅଦାଲତରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଶୁଣାଣି କରି କହିଛନ୍ତି ଯେ, ପ୍ରେମ ବିବାହକୁ ପରିବାରର ସମ୍ମାନ ସହ ଯୋଡ଼ିବା ଅନୁଚିତ୍। ଏହା ସହ ଦମ୍ପତିଙ୍କ ସୁରକ୍ଷା ପାଇଁ ମଧ୍ୟ କୋର୍ଟ ଅଲିଗଡ଼ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ନବବିବାହିତଙ୍କୁ କୌଣସି ପ୍ରକାରର କ୍ଷତି ନପହଞ୍ଚାଇବାକୁ ଯୁବତୀଙ୍କ ପରିବାର ଲୋକଙ୍କୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୮ ତାରିଖରେ ହେବ।
ଏହି ଖବରଟିକୁ ପଢନ୍ତୁ- ବିବାହ ବିଚ୍ଛେଦ ଖୁସିରେ ୯ କିମି ଦଣ୍ଡବତ ଯାତ୍ରା, ଭାଇରାଲ୍ ହେଉଛି ଭିଡିଓ