ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପୁରୀ ବିମାନବନ୍ଦର ପାଇଁ କଠୋର ସର୍ତ୍ତ, ମଞ୍ଜୁରି ଦେବାକୁ ପରିବେଶ ମନ୍ତ୍ରଣାଳୟ କୁନ୍ଥକୁନ୍ଥ

Published By : Prameya | July 5, 2025 11:44 AM

ଭୁବନେଶ୍ୱର, ୦୫/୦୭:  ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ବିମାନବନ୍ଦର ନେଇ ନୂଆ କେଁ ପଶିଛି । ପ୍ରସ୍ତାବିତ ବିମାନବନ୍ଦରକୁ  ମଞ୍ଜୁରି ଦେବାକୁ କୁନ୍ଥକୁନ୍ଥ ହେଉଛି  କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର  ପରାମର୍ଶଦାତା କମିଟି । ଅନୁମୋଦନ  ପୂର୍ବରୁ କମିଟି ଭଳିକି ଭଳି କଠୋର ସର୍ତ୍ତ ରଖିଛି । ଏହି ବିମାନବନ୍ଦର ଦ୍ୱାରା  ଚିଲିକାରେ ବିରଳ ଇରୱାଡି ଡଲଫିନ୍‌,  ବିଦେଶୀ ପକ୍ଷୀ ସହ ଦେବୀ ମୁହାଣରେ  ଅଲିଭ୍‌ ରିଡଲେଙ୍କ ଗଣ ଅଣ୍ଡାଦାନ  ପ୍ରଭାବିତ ହେବା ନେଇ ଚିନ୍ତା  ପ୍ରକଟ କରିଛନ୍ତି । ପ୍ରକଳ୍ପ ପାଇଁ ୧୩  ହଜାର ଗଛ କଟାଯିବା ଦ୍ୱାରା ବାତ୍ୟା  ବିପଦ ବଢ଼ିବ, ନୂଆ ଏକ୍ସପ୍ରେସ୍‌  ୱେ ଫିଟିଲେ ସମୁଦ୍ର କୂଳରେ  ଅଧିକ କୋଠାବାଡ଼ି ଗଢ଼ି ଉଠିବା  ପରିବେଶ ପାଇଁ ଭବିଷ୍ୟତରେ ବଡ଼  ବିପଦ ଡାକି ଆଣିବା ନେଇ ଆଶଙ୍କା  ବ୍ୟକ୍ତ କରିଛନ୍ତି । ଏସବୁ ବିଷୟରେ  ଟିକିନିଖି ଅନୁଧ୍ୟାନ କରି ସବିଶେଷ  ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟପ୍ରାଣୀ  ସଂରକ୍ଷଣ ନେଇ ଯୋଜନା ପ୍ରସ୍ତୁତ  କରିବା ସହ ଏହି ପ୍ରସ୍ତାବକୁ ପ୍ରଧାନ  ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କଠାରୁ  ଅନୁମୋଦନ କରିବାକୁ ନିର୍ଦ୍ଦେଶ  ଦେଇଛନ୍ତି ।ତେବେ ରାଜ୍ୟ ସରକାର ଏ ପ୍ରକଳ୍ପକୁ ଅଗ୍ରାଧିକାର ଦେଇ କାର୍ଯ୍ୟକାରୀ କରିବାକୁ  ଅଣ୍ଟା ଭିଡ଼ିଛନ୍ତି । ଖୁବଶୀଘ୍ର ପ୍ରକଳ୍ପ ନୀତି ଚୂଡ଼ାନ୍ତ ସହ ପ୍ରସ୍ତାବ ଆହ୍ୱାନ କରାଯିବ  ବୋଲି ସରକାର କହିଛନ୍ତି । 

ଗତ ଜୁନ୍‌ ୨୪ ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ପରାମର୍ଶଦାତା  କମିଟି ବୈଠକ ବସିଥିଲା । ବୈଠକରେ ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ  ଦୀର୍ଘ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୃତ ତଥ୍ୟ ଉପସ୍ଥାପନ  କରାଯାଇଥିଲା । ଏହାର ଅନୁଧ୍ୟାନ କରିବା ପରେ କମିଟି ଅନେକ ଆପତ୍ତି  ଉଠାଇଥିଲା । ବିଶେଷ କରି ପ୍ରସ୍ତାବିତ ପ୍ରକଳ୍ପ ହେଲେ ପୁରୀ ସମୁଦ୍ର କୂଳ ଓ ଏହାର  ନିକଟବର୍ତ୍ତୀ ଅଞ୍ଚଳରେ ଜୈବ ବିବିଧିତା, ବନ୍ୟପ୍ରାଣୀ, ପକ୍ଷୀ ଓ ବ୍ୟାପକ ଜଙ୍ଗଲ  ନଷ୍ଟ ନେଇ ଆପତ୍ତି ଉଠାଇବା ସହ ନାନା ପ୍ରଶ୍ନ କରିଥିଲେ । ପ୍ରକଳ୍ପ ଆରମ୍ଭ ପୂର୍ବରୁ  ଜଙ୍ଗଲ ଓ ସିଆରଜେଡ୍‌ ନିୟମକୁ ଭାଙ୍ଗି କିଭଳି ପାଚେରି ନିର୍ମାଣ କରାଗଲା, ସେ  ନେଇ କଡ଼ା ପ୍ରଶ୍ନବାଣ ମାରିଥିଲେ । ଖାଲି ସେତିକି ନୁହେଁ, ଅଲିଭ ରିଡ୍‌ଲେଙ୍କ ଗଣ  ଅଣ୍ଡାଦାନ ଏହି ପ୍ରକଳ୍ପ ପାଇଁ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକଟ କରିଥିଲେ ।  

ଚିଲିକା ପ୍ରକଳ୍ପର ନିକଟତର ହୋଇଥିବାରୁ ଏହା ଉପରେ ପ୍ରଭାବ ପଡ଼ିଲେ ଡଲଫିନ  ଓ ବିଦେଶୀ ପକ୍ଷୀ ପ୍ରଭାବିତ ହେବା ନେଇ ଚିନ୍ତା ପ୍ରକଟ କରିଥିଲେ । ପ୍ରକଳ୍ପ ଯୋଗୁ  ୧୩ ହଜାର ୫୦୪ଟି ଗଛ ବଳି ପଡ଼ିବ । ଏସବୁ ପ୍ରାୟତଃ ଝାଉଁ, ଆକାଶିଆ ଓ କାଜୁ  ଗଛ ସମୁଦ୍ର କୂଳ ପାଖରେ ଥିବାରୁ ବାତ୍ୟା ପ୍ରତିରୋଧୀ ଭାବେ କାମ କରୁଛି । ଖାଲି  ସେତିକି ନୁହେଁ, ପୁରୀ-ଭୁବନେଶ୍ୱର ପାଇଁ ପ୍ରସ୍ତାବିତ ୬ ଥାକିଆ ଏକ୍ସପ୍ରେସ ୱେ  ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛି କମିଟି । ଏହା ସମୁଦ୍ର କୂଳର କେତେ ନିକଟ  ଦେଇ ଯିବ, ଏହା ପରିବେଶକୁ କେତେ ପ୍ରଭାବିତ କରିବ, ସବୁ ତଥ୍ୟ ମାଗିଛନ୍ତି ।  

ସେହିପରି ପ୍ରସ୍ତାବିତ ବିମାନବନ୍ଦରଠାରୁ ଚିଲିକାରେ ଥିବା ଭାରତୀୟ  ନୌସେନା ଘାଟି ଦୂରତା ବେଶି ନୁହଁ । ତେଣୁ ଏ ନେଇ ରାଜ୍ୟ ସରକାର ପ୍ରତିରକ୍ଷା  ମନ୍ତ୍ରଣାଳୟରୁ ଅନୁମୋଦନ ଆଣିଛନ୍ତି କି ନାହିଁ, ତାହା ଜାଣିବାକୁ କମିଟି ଚାହିଁଛନ୍ତି ।  ପୁରୀ ସହରଠାରୁ ବ୍ରହ୍ମଗିରି ନିକଟରେ ପ୍ରସ୍ତାବିତ ବିମାନବନ୍ଦର ପ୍ରକଳ୍ପ ସ୍ଥାନର  ଦୂରତା ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ପରିବେଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି କହିଛି, ପୁରୀ ଅଠରନଳାଠାରୁ ପ୍ରସ୍ତାବିତ ପ୍ରକଳ୍ପର ଦୂରତା ପ୍ରାୟ ୨୯  କିଲୋମିଟର । ଅପରପକ୍ଷରେ ଅଠରନଳାରୁ ଭୁବନେଶ୍ୱର ବିମାନବନ୍ଦରର ଦୂରତା  ୫୨ କିମି । ଏହି ୫୨ କିମି ରାସ୍ତା ପାଇଁ ପ୍ରାୟ ୧ ଘଣ୍ଟା ସମୟ ଲାଗୁଛି । ଦିଲ୍ଲୀ,  ବାଙ୍ଗାଲୋର ଓ କୋଚି ଭଳି ପ୍ରମୁଖ ସହର ବିମାନବନ୍ଦରରୁ ପ୍ରାୟ ୧ ଘଣ୍ଟା କିମ୍ବା  ତା’ଠାରୁ ଅଧିକ ସମୟ ଯାତ୍ରା କରିବାକୁ ପଡ଼ୁଛି । ଏଭଳି ସ୍ଥଳରେ ପରିବେଶକୁ  ଜଳାଞ୍ଜଳି ଦେଇ ଏତେ ନିକଟରେ ଆଉ ଏକ ବିମାନବନ୍ଦରର ଯୋଜନା ନେଇ କମିଟି  ଆପତ୍ତି ଉଠାଇଛି । ଆବଶ୍ୟକସ୍ଥଳେ ପୁରୀକୁ ସ୍କାଏ ଟ୍ରେନ ଓ ମେଟ୍ରା ଚଳାଚଳ କରି  ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇବାକୁ ପରାମର୍ଶ ଦେଇଛି କମିଟି । 

ଅଧିକ ପରିବେଶ ନଷ୍ଟ ନ କରି ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ନିକଟସ୍ଥ  ଖୋର୍ଦ୍ଧା, ବ୍ରହ୍ମପୁର କିମ୍ବା ଜଗତସିଂହପୁର ଅଞ୍ଚଳକୁ ସମ୍ପ୍ରସାରଣ କରିବାକୁ ଗୁରୁତ୍ୱ  ଦେଇଛି କମିଟି । ଟ୍ରାଫିକ ବଢ଼ିଲେ ଆଗକୁ ଚିଲିକାର ପରିବେଶ, ଜୈବ ବିବିଧତା,  ଅଲିଭ ରିଡ୍‌ଲେଙ୍କ ପାଇଁ ବିପଦ ବଢ଼ିବା ନେଇ ଆଶଙ୍କା ବି କରିଛନ୍ତି । ଏସବୁ ଦିଗ ଓ  ବିଭିନ୍ନ ସର୍ତ୍ତାବଳୀକୁ ତନ୍ନତନ୍ନ କରି ଅନୁଶୀଳନ କରିବା ସହ ବନ୍ୟପ୍ରାଣୀଙ୍କ ସଂରକ୍ଷଣ  ନେଇ ରାଜ୍ୟ ସରକାର ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି କମିଟି । 

ସମସ୍ତ ସର୍ତ୍ତାବଳୀକୁ ପୂରଣ କରିବା ଖୁବଶୀଘ୍ର ସବିଶେଷ ତଥ୍ୟ ପ୍ରଦାନ ପାଇଁ  ରାଜ୍ୟ ପରିବହନ ବିଭାଗ ପ୍ରସ୍ତୁତି ଚଳାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି,  ସମୁଦାୟ ୧୧୬୪ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ପ୍ରକଳ୍ପରେ ସର୍ବନିମ୍ନ  ଜଙ୍ଗଲ ପରିବର୍ତ୍ତନ କରାଯାଇଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ କେନ୍ଦ୍ର  ପରିବେଶ, ଜଙ୍ଗଲ ମନ୍ତ୍ରଣାଳୟକୁ ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରାଯାଇଛି ।  ଜଙ୍ଗଲ ପରିବର୍ତ୍ତନ ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି ।  କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି କିଛି ଅତିରିକ୍ତ ସୂଚନା  ମାଗିଛନ୍ତି । ପରାମର୍ଶଦାତା କମିଟିର ସୁପାରିସ ଅନୁଯାୟୀ ଆବଶ୍ୟକ ପ୍ରଶମନ  ପଦକ୍ଷେପ ପ୍ରସ୍ତୁତି ଆରମ୍ଭ ହୋଇଛି । ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ  ସହଯୋଗରେ ପରିବେଶ ଓ ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନା ପ୍ରସ୍ତୁତ କରାଯାଉଛି ।  ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ମଞ୍ଜୁରି ପାଇବା ପାଇଁ ଯୋଜନା ଦାଖଲ କରାଯିବ ।  ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୁରୀରେ ଗ୍ରୀନଫିଲ୍ଡ  ବିମାନବନ୍ଦର ପାଇଁ ସାଇଟ୍‌ କ୍ଲିୟରାନ୍ସ ଦେଇଛନ୍ତି । ଗତ ମେ ୬ ତାରିଖରେ କେନ୍ଦ୍ରରୁ  ଏହି ବିମାନବନ୍ଦର ପାଇଁ ନୀତିଗତ ଅନୁମୋଦନ ମିଳିସାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.