ନୂଆଦିଲ୍ଲୀ: ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ଡ୍ରୋନ୍ ଆକ୍ରମଣକୁ ଦୃଢ଼ତାର ସହ ପ୍ରତିହତ କରିଛି। ଅପରେସନ୍ ସିନ୍ଦୁର ଅଧୀନରେ ଭାରତୀୟ ସେନା ଏବଂ ବାୟୁସେନା ୬୦୦ରୁ ଅଧିକ ପାକିସ୍ତାନୀ ଡ୍ରୋନ୍କୁ ନଷ୍ଟ କରିଛି। ଭାରତ ପିଓକେ ଓ ପାକିସ୍ତାନରେ ଥିବା ଆତଙ୍କୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ପ୍ରତିଆକ୍ରମଣ ସ୍ୱରୁପ ଭାରତର ବିଭିନ୍ନ ସହର ଉପରେ ଡ୍ରୋନ ଓ ମିସାଇଲ ଆକ୍ରମଣ ଆରମ୍ଭ କରିଥିଲା।
ସୂଚନା ମୁତାବକ, ଗତ ଏପ୍ରିଲ ୨୨ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ମେ ୭ ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲା। ଏହି ଅଭିଯାନରେ ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀରରେ ଥିବା ନଅଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା। ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧବିମାନ ଏବଂ ସେନାର ସରଫେସ୍-ଟୁ-ସରଫେସ୍ ମିସାଇଲ୍ ବ୍ୟବହାର କରି ଏହି ଆକ୍ରମଣ କରାଯାଇଥିଲା। ସୂତ୍ର ଅନୁଯାୟୀ, ଏହି ଅଭିଯାନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।
ଅପରେସନ୍ ସିନ୍ଦୁର ପରେ ପାକିସ୍ତାନ ମେ ୮ ତାରିଖରେ ଜମ୍ମୁ ଓ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟର ୨୪ଟି ସହରକୁ ଲକ୍ଷ୍ୟ କରି ଶହଶହ ଡ୍ରୋନ୍ ଏବଂ ମିସାଇଲ୍ ପଠାଇଥିଲା। ଏହା ମଧ୍ୟରେ ଅନେକ ଡ୍ରୋନ୍ ଅସ୍ତ୍ରବିହୀନ ଥିଲା, ଯାହାର ଉଦ୍ଦେଶ୍ୟ ଭାରତୀୟ ସୈନ୍ୟ ଅବସ୍ଥାନ ବିଷୟରେ ଗୁଇନ୍ଦା ସୂଚନା ସଂଗ୍ରହ କରିବା ଥିଲା ବୋଲି ଅନୁମାନ କରାଯାଉଛି।
ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଯେଉଁଥିରେ ରୁଷିଆ ନିର୍ମିତ ଏସ୍-୪୦୦ ଟ୍ରାଇମ୍ଫ, ଆକାଶ ଏବଂ ବାରାକ-୮ ମିସାଇଲ୍ ସିଷ୍ଟମ୍ ସାମିଲ ରହିଛି, ଏହି ବ୍ୟବସ୍ଥା ସମସ୍ତ ଡ୍ରୋନ୍ ଓ ମିସାଇଲ୍କୁ ଠାବ କରିବା ସହ ଆକାଶରେ ହିଁ ନଷ୍ଟ କରିଦେଇଥିଲା। ଏହା ସହିତ ଭାରତ ପାକିସ୍ତାନର ଲାହୋର, ସିଆଲକୋଟ ଏବଂ କରାଚୀରେ ଥିବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଇଜରାଏଲ ନିର୍ମିତ ହାର୍ପି କାମିକାଜେ ଡ୍ରୋନ୍ ବ୍ୟବହାର କରି ନଷ୍ଟ କରିଦେଇଥିଲା।
ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଆକାଶ ବାୟୁ ପ୍ରତିରକ୍ଷା ପ୍ରଣାଲି ଏହି ଅପରେସନରେ ଏକ ଗୁରୁ ଦାୟିତ୍ତ୍ବ ବହନ କରିଥିଲା। ଏହି ପ୍ରଣାଳି ସାହାଯ୍ୟରେ ଭାରତକୁ ଡ୍ରୋନ ଓ ମିଶାଇଲ ମନିଟରିଂ, ଟ୍ରାକ ଓ ସଠିକ ସୂଚନା ମିଳିପାରିଥିଲା। ସବୁଠୁ ବଡ କଥା ହେଉଛି ଭାରତୀୟ ସୀମାକୁ ଆସୁଥିବା ସମସ୍ତ ଡ୍ରୋନକୁ ଠାବ କରି ତାକୁ ଧ୍ୱସଂ କରିବାରେ ଆକାଶ ବାୟୁ ପ୍ରତିରକ୍ଷା ପ୍ରଣାଳି ଭାରତୀୟ ସେନାକୁ ବିଶେଷ ଭାବେ ସହଯୋଗ କରିଥିଲା। ଭାରତୀୟ ବାୟୁସେନା ନିକଟରେ ଥିବା ଆକାଶ ତୀର କମାଣ୍ଡ ପୋଷ୍ଟ ଜରିଆରେ ପାକିସ୍ତାନରୁ ଆସୁଥିବା ଡ୍ରୋନ ଓ ଏହା ପଛରେ କାମ କରୁଥିବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଠିକଣା ମଧ୍ୟ ମିଲିଯାଇଥିଲା। ଯାହାକୁ ଉପୟୋଗ କରି ଭାରତୀୟ ସେନା ପାକିସ୍ତାନରେ ଥିବା ଚାଇନା ନିର୍ମିତ ବାୟୁ ପ୍ରତିରକ୍ଷା ପ୍ରଣାଳିକୁ ସଠିକ ଢଙ୍ଗରେ ବିଧ୍ୱସଂ କରିପାରିଥିଲା।
ଏହା ଛଡା ଭାରତ ଆଉ କିଛି ବାୟୁ ପ୍ରତିରକ୍ଷା ପ୍ରଣାଳିର ବ୍ୟବହାର ମଧ୍ୟ କରିଥିଲା। ସେଗୁଡିକ ବିଷୟରେ ନିମ୍ନରେ ଆଲୋଚନା କରାଗଲା।
L-70 ବାୟୁ ପ୍ରତିରକ୍ଷା ତୋପ: ମୂଳତଃ ୧୯୭୦ ଦଶକରେ ସ୍ୱିଡେନରୁ କିଣାଯାଇଥିବା ଏହି ତୋପରେ ପ୍ରତି ମିନିଟରେ ୩୦୦ ରାଉଣ୍ଡରୁ ଅଧିକ ଗୁଳି ଚାଳନା କରିବାର କ୍ଷମତା ରହିଛି। ଏହାସହ ଏହି ପ୍ରତିରକ୍ଷା ପ୍ରଣାଳିର ୩ ରୁ ୪ କିଲୋମିଟର ବ୍ୟାସାର୍ଦ୍ଧର ପ୍ରଭାବଶାଳୀ ପରିସର ରହିଛି। ସାମ୍ପ୍ରତିକ ଅପଗ୍ରେଡ୍ ଜରିଆରେ ଏହି ବନ୍ଧୁକଗୁଡ଼ିକୁ ଉନ୍ନତ ଉଚ୍ଚ-ରିଜୋଲ୍ୟୁସନ୍ ସେନ୍ସର, କ୍ୟାମେରା ଏବଂ ରାଡାର ସିଷ୍ଟମ ସହିତ ସଜ୍ଜିତ କରାଯାଇଛି। ଯାହାଫଳରେ ବର୍ତ୍ତମାନ ସମୟରେ ଆକାଶପଥରୁ ଆସୁଥିବା ବିପଦ ବିରୁଦ୍ଧରେ ଦିନ ଏବଂ ରାତିରେ ହେଉଥିବା ଅପରେସନକୁ ଏହା ସକ୍ଷମ ହୋଇପାରିଛି।
Zu-23mm ବନ୍ଧୁକ: ୧୯୮୦ ଦଶକର ପ୍ରାରମ୍ଭରେ ରୁଷରୁ ଅଧିଗ୍ରହଣ କରାଯାଇଥିବା ଏହି ଦୁଇଟି ବ୍ୟାରେଲ ବିସିଷ୍ଟ ବନ୍ଧୁକ ସାମୂହିକ ଭାବରେ ପ୍ରତି ମିନିଟ୍ରେ ୩୨୦୦ ରୁ ୪୦୦୦ ରାଉଣ୍ଡ (ବ୍ୟାରେଲ ପ୍ରତି ମିନିଟ୍ରେ ୧୬୦୦-୨୦୦୦ ରାଉଣ୍ଡ) ଗୁଳି ଚାଳନା କରାଯାଇପାରେ। ମାନୁଆଲି ପରିଚାଳିତ ଏହି ବିଶାଳକାୟ ବନ୍ଧୁକର ୨ ରୁ ୨.୫ କିଲୋମିଟର ପର୍ଯ୍ୟନ୍ତ ପ୍ରଭାବଶାଳୀ ରେଞ୍ଜ ପ୍ରଦାନ କରିଥାଏ।
ଶିଲକା ବନ୍ଧୁକ ପ୍ରଣାଳୀ: ଏହି ପ୍ରଣାଳୀ ଏକ ଟ୍ରାକ୍, ସ୍ୱୟଂ-ଚାଳିତ ପ୍ଲାଟଫର୍ମରେ Zu-23ର ଯୁଗ୍ମ ୨୩ମିମି ସ୍ୱୟଂଚାଳିତ ତୋପଗୁଡ଼ିକୁ ଏକୀକୃତ କରି ରଖିଥାଏ। ପ୍ରତି ଯାନରେ ଦୁଇଟି Zu-23mm ବନ୍ଧୁକ ସହିତ, ଶିଲକା ପ୍ରତି ମିନିଟରେ ଆଶ୍ଚର୍ଯ୍ୟଜନକ ଭାବରେ ୮୦୦୦ ରାଉଣ୍ଡ ଗୁଳି ଫାୟାର କରିବାର କ୍ଷମତା ରଖିଥାଏ। ଏହାର ଟ୍ରାକ୍ ଡିଜାଇନ୍ ବିବିଧ ଭୂଖଣ୍ଡରେ ଉଚ୍ଚ ଗତିଶୀଳତା ଏବଂ ଏହାର ବ୍ୟବହାରକୁ ସୁନିଶ୍ଚିତ କରିଥାଏ।
ମେ ୧୦ ତାରିଖରେ ଆମେରିକାର ସହାୟତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତି ହୋଇଥିଲା। କିନ୍ତୁ ଏହାର କିଛି ଘଣ୍ଟା ପରେ ପାକିସ୍ତାନୀ ସେନା ସୀମାନ୍ତ ଓ ନିୟନ୍ତ୍ରଣ ରେଖାରେ ଗୁଳିବର୍ଷଣ କରି ଏହି ଚୁକ୍ତି ଉଲ୍ଲଙ୍ଘନ କରିଥିଲା। ଭାରତୀୟ ବିଦେଶ ସଚିବ ବିକ୍ରମ ମିଶ୍ରୀ ପାକିସ୍ତାନର ଏହି ଘଟଣାକୁ କଡା ନିନ୍ଦା କରିଥିଲେ।
ତେବେ ଏହି ସମୟ ମଧ୍ୟରେ ଚୀନ ଏବଂ ତୁର୍କୀ ପାକିସ୍ତାନକୁ ମିସାଇଲ୍ ଓ ଡ୍ରୋନ୍ ଯୋଗାଇ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଭାରତୀୟ ସେନା ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନକୁ ସହଯୋଗ କରିବାକୁ ଆସିଥିବା ତୁର୍କୀର ଦୁଇଜଣ ସୈନ୍ୟ ମଧ୍ୟ ଅପରେସନ୍ ସିନ୍ଦୁର ସମୟରେ ନିହତ ହୋଇଛନ୍ତି।
ସୀମାରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ବେଳେ ଭାରତୀୟ ସେନା ଉଚ୍ଚ ସତର୍କତାରେ ରହିଛି। ଏହି ଘଟଣା ଭାରତର ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଆତଙ୍କବାଦ ବିରୋଧରେ ଦୃଢ଼ ନୀତିକୁ ପୁଣି ଥରେ ପ୍ରମାଣିତ କରିଛି।